ଓଡିଶା ଗଠନର ୮୫ ବର୍ଷ, କାଲିର ଓଡିଶା ଛାଇରୁ ମୁକୁଳି ଆସିବା ଆଜିର ଓଡିଶା ଲାଗି ସବୁଠୁ ବଡ ଆହ୍ଵାନ 

Published: Apr 1, 2020, 8:40 am IST

କେଦାର ମିଶ୍ର

ଆଜି ଓଡିଶା ଦିବସ। ସେ ପୁଣି ୮୫ତମ ଓଡିଶା ଦିବସ। ତେବେ ଆଜି ଆମ ଜୀବନରେ ସବୁଠୁ ନୀରସ ଉତ୍ସବର ଦିନ। ଗତ ୮୪ ବର୍ଷ ଭିତରେ ଏମିତି କୌଣସି ଦିନ ନଥିବ ଯେଉଁ ଦିନ ଓଡିଶା ଦିବସକୁ ଏତେ ନିରୁତ୍ସାହଜନକ ଭାବରେ ଆମେ ପାଳିଥିବା। ଏକ ଭୟଙ୍କର ସଙ୍କଟ ସମୟରେ ଆଜି ହୁଏତ ଆମେ ଓଡିଶା ଦିବସ ପାଳନ କରୁନାହୁଁ, ହେଲେ ଓଡ଼ିଶାକୁ ନେଇ ଆମକୁ ଆତ୍ମସମୀକ୍ଷା କରିବା ଆଜି ଏକାନ୍ତ ଜରୁରୀ। ୧, ଏପ୍ରିଲ ୧୯୩୬ ରୁ ୧, ଏପ୍ରିଲ, ୨୦୨୦- ଦୀର୍ଘ ୭୫ ବର୍ଷର ଜୀବନରେ ଓଡିଶାର ରାଜନୀତି, ଅର୍ଥନୀତି, ସଂସ୍କୃତି, ଜୀବନବୋଧ ଏବଂ ଅସ୍ମିତା ଅନେକ ବଦଳିଛି। ଆଜି ହୁଏତ ଆମକୁ ଆଶ୍ଚର୍ୟ ଲାଗିପାରେ ଯେ ୧୯୩୬ ପୂର୍ବରୁ ଆମର ରାଜନୈତିକ ପରିଚୟ ହଜି ଯାଇଥିଲା। ପୁରାଣ ଓ ଇତିହାସରେ ଯେଉଁ ଓଡ୍ର, କଳିଙ୍ଗ, ଉତ୍କଳ, କୋଶଳ, କୋଙ୍ଗଦ, ଉଡ୍ର ମଣ୍ଡଳ ଇତ୍ୟାଦିର ପରିଚୟ ତାହା କେବଳ ପୋଥିର ପାଠ ହୋଇ ରହିଥିଲା। ଓଡିଶାର ରାଜନୈତିକ ପରିଚୟ ଫେରି ପାଇବାକୁ ଆମକୁ ଦୀର୍ଘ ବର୍ଷର ଆନ୍ଦୋଳନ କରିବାକୁ ପଡିଛି। ସେ ଆନ୍ଦୋଳନରେ ସାରଥିର ଭୂମିକା ନେଇଥିବା ଏ ଜାତିର କୁଳବୃଦ୍ଧ ମହାନାୟକ ମଧୁସୂଦନ ଦାସ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଅତି ସ୍ପଷ୍ଟ ଭାବରେ କହିଥିଲେ ଯେ, ଓଡିଶା ଯଦି ନିଜକୁ ଗଢିବାକୁ ଚାହେଁ ତାହେଲେ ସେ ନିଜର କୃଷକ ଓ ଶିଳ୍ପୀଙ୍କୁ ପ୍ରଥମେ ଉପରକୁ ଉଠାଇବାକୁ ପଡିବ।

ମଧୁବାବୁଙ୍କ ନିଜ ଭାଷାରେ- “ପ୍ରଥମେ ବୁଝିବାର ଉଚିତ ଯେ ଚାଷୀ ଓ କାରିଗରମାନେ ଦେଶର ମୂଳଦୁଆ।ସେହିମାନଙ୍କ ପରିଶ୍ରମରୁ ଭୂମି ଆବାଦ ହେଉଅଛି। ସେହିମାନଙ୍କ ପରିଶ୍ରମରୁ ରାଜା କର ପାଉଅଛନ୍ତି। ସେହିମାନେ ଏକା ଦେଶର ବଡଲୋକଙ୍କୁ ପୋଷୁ ଅଛନ୍ତି। ସେମାନେ ଦେଶର ଧନ ଉତ୍ପନ୍ନ କରୁଅଛନ୍ତି ଓ ବଡଲୋକମାନେ ଘରେ ବସି ସେହି ଧନ ଭୋଗ କରୁଅଛନ୍ତି। …ସେମାନେ ଜାତିର ହାତ,ଗୋଡ ଓ ପିଠି ସ୍ୱରୂପ। ହାତ ଗୋଡ କାମ କରନ୍ତି, ପିଠି ବୋଝ ବୁହେ, କିନ୍ତୁ ପେଟ ବସି ଖାଉଥାଏ। ….ଏହି ନ୍ୟାୟରେ ବିଚାର କରିବାକୁ ଗଲେ ଯେଉଁମାନେ ଉନ୍ନତି କଲେ ଜାତୀୟ ଧନ ବଢିବ ସେହିମାନଙ୍କୁ ପ୍ରଥମେ ଉପରକୁ ଉଠାଇବା ଦରକାର। “ ଅତି ସ୍ପଷ୍ଟ ଭାବରେ ଓଡିଶାର ହାତ,ଗୋଡ ଓ ପିଠି ଭାବରେ ଚାଷୀ ଓ କାରିଗରଙ୍କର ଉନ୍ନତିର କଥା ସେ ୧୯୦୩ମସିହାରୁ କହିସାରିଛନ୍ତି। (ପ୍ରଥମ ଉତ୍କଳ ସମ୍ମିଳନୀର ସ୍ଵାଗତ ଭାଷଣ)

ମଧୁ ବାବୁ ୧୧୭ ବର୍ଷ ତଳେ ଯାହା କହିଥିଲେ ଆଜି ବି ସେଇ ସମାନ ସଂଘର୍ଷ ଆମ ଆଗରେ ପଡିଛି। ଓଡିଶାର ଚାଷୀ ଓ କାରିଗରଙ୍କ ଭାଗ୍ୟ ଉପରେ ଆମର ଭବିଷ୍ୟତ ନିର୍ଭରଶୀଳ। ତେବେ ଗତ ୮୪ ବର୍ଷରେ ଆମେ ଆମର ଚାଷୀ ଓ କାରିଗରଙ୍କୁ କେତେ ବାଟ ଆଗକୁ ଆଣି ପାରିଛୁ? ଏ ପ୍ରଶ୍ନର ଉତ୍ତର ଆଜି ନିତାନ୍ତ ଜରୁରୀ। ଯେଉଁ କାରିଗର ଦିନେ କୋଣାର୍କ ଗଢିଥିଲା ବା ବାନ୍ଧ ଶାଢୀରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପରିକଳ୍ପନା କରିଥିଲା, ତାର ଦକ୍ଷତା ଆଜି ବଦଳିଛି। ଶିଳ୍ପ ଗଢିବାର ମାଧ୍ୟମ ବଦଳିଛି। ଡିଜିଟାଲ ଯୁଗରେ କାରିଗରୀର କୌଶଳ ମଧ୍ୟ ବଦଳିଛି। ତେବେ ତାରି ଭିତରେ ଚାଷୀ ଓ କାରିଗରଙ୍କୁ ସମାଜର ସବୁଠୁ ବଡ ସୁଯୋଗ ଦେବାରେ ଆମେ ସମର୍ଥ ହୋଇଛୁ କି?

ପରିବର୍ତ୍ତିତ ପୃଥିବୀ ଓ ଭାରତର ରାଜନୀତିରେ ଓଡିଶା ନିଜର ପରିଚୟ ତିଆରି କରିବାରେ ଅନେକ କାଳ ପଛୁଆ ରହିଛି। ଗୋଟେ ସମୟରେ ଆମକୁ ଭୋକ, ଅନାହାର, ଦାରିଦ୍ର୍ୟ, ପିଲାବିକ୍ରୀ, ଅପପୁଷ୍ଟି ଭଳି ନକାରାତ୍ମକ କାରଣରୁ ନିହାତି କରୁଣ ପରିଚୟ ମିଳିଛି। ତେବେ ସେ ଓଡିଶାର ଛବି ଏବେ ବଦଳିବା ଆରମ୍ଭ କରିଛି। ଆଜିର ଓଡିଶା ଉତ୍ସାହ ଓ ଉତ୍ତେଜନା ର ଓଡିଶା। ଉଦଯୋଗ ଏବଂ ଉଦ୍ୟମର ଓଡିଶା। ସଂକଳ୍ପ ଏବଂ ସ୍ବାଭିମାନର ଓଡିଶା। ଏହି ଭାବମୂର୍ତ୍ତିର ପରିବର୍ତ୍ତନ ପଛରେ ଆମର ନିଷ୍ଠାବାନ ପରିଶ୍ରମ ରହିଛି। ଆଜିର ଓଡିଶା ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି କାଲିର ଓଡିଶାର ଛବିରୁ ମୁକୁଳିଯିବା। ଅନାହାର ଓ ଅପପୁଷ୍ଟିର ମାନଚିତ୍ର ଭାବରେ ଆମର ଯେଉଁ ପରିଚୟ ରହିଥିଲା, ସେ ପରିଚୟକୁ ପରିବର୍ତ୍ତନ କରିବାର ସମୟ ଆଜି ଆସିଛି। ତେବେ ଏହା କେବଳ ଭାଷଣ ବା ଲୋକସମ୍ପର୍କ ଅଭିଯାନରେ ହେବନାଇଁ।

ଓଡିଶା ପାଇଁ ସବୁଠୁ ବଡ ସମ୍ବଳ ଯେତିକି ଆମର ଚାଷୀ ଓ କାରିଗର, ସମାନ ଭାବରେ ଆମର ସମ୍ବଳ ହେଉଛନ୍ତି ଓଡିଶାର ଆଦିବାସୀ ଜନତା। ପ୍ରତି ଚାରିଜଣ ଓଡିଆରେ ଜଣେ ହେଉଛନ୍ତି ଆଦିବାସୀ। ଏହି ବିଶାଳ ଜନଜାତି ଭିତରେ ଅଦମ୍ୟ ସମ୍ଭାବନା ଓ ଉଦଯୋଗ ରହିଛି। ଆଦିବାସୀ ଚାଷୀ ଓ କାରିଗର ଭିତରେ ଆଗକୁ ବଢିବାର ଉତ୍ସାହ ତିଆରି କରି ନପାରିଲେ ନୂଆ ଓଡିଶାର କୌଣସି ମୂଲ୍ୟ ନାହିଁ। ଆଗାମୀ ଦିନରେ ଓଡିଶାର ଯେଉଁ ସକାରାତ୍ମକ ଛବି ଆଜି ତିଆରି ହେଉଛି, ତାକୁ ସବୁଠୁ ପ୍ରତିଷ୍ଠିତ କରିବା ପାଇଁ ସୁଯୋଗ ଏବେ ଆମ ହାତରେ।

ଏବେ ପୃଥିବୀର ଚେହେରା ବଦଲୁଛି। ଯେଉଁମାନେ ଏକଦା ଅନ୍ଧାରରେ ଥିଲେ ସେମାନେ ଆଜି ଆଲୋକବର୍ତ୍ତିକାର ଭୂମିକା ନେଉଛନ୍ତି। ସେହି ପୃଷ୍ଠଭୂମିରେ ଆଗାମୀ ଓଡିଶା ଜାତୀୟ ଓ ବିଶ୍ଵ ଜୀବନରେ ନୂଆ ଉଦଯୋଗର ବାର୍ତ୍ତା ଦେବା ବୋଲି ଆମେ ଆଶା ରଖିବା।

Related posts