Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମହାମାରୀର ଧର୍ମ ଖୋଜିବା ଏବଂ ଧର୍ମ ଆଧାରରେ ମହାମାରୀର ରାଜନୀତି, ସବୁଠୁ ବଡ ଅପରାଧ
ବିଶେଷ ଖବର

ମହାମାରୀର ଧର୍ମ ଖୋଜିବା ଏବଂ ଧର୍ମ ଆଧାରରେ ମହାମାରୀର ରାଜନୀତି, ସବୁଠୁ ବଡ ଅପରାଧ

April 2, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଏ ରିପୋର୍ଟ ଲେଖିଲା ବେଳକୁ କୋଭିଡ ଇଣ୍ଡିଆ ର ରିପୋର୍ଟ କହୁଛି, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୧୬ରେ ପହଞ୍ଚିଛି। ମାତ୍ର ସପ୍ତାହେ ତଳେ ପାଞ୍ଚ ଶହ ଆକ୍ରାନ୍ତଙ୍କ କଥା ଆମେ କହୁଥିଲୁ। ସାତ ଦିନ ଭିତରେ ଏହା ଦୁଇ ହଜାର ଛୁଇଁବାକୁ ବସିଲାଣି।ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କରୋନାରେ ମୃତ୍ୟୁ ସଂଖ୍ୟା ୩୮ ବୋଲି କହୁଥିବା ବେଳେ କୋଭିଡ ଇଣ୍ଡିଆ ଏହା ୫୩ ବୋଲି କହିଛି। ଆଜି ତାମିଲନାଡୁରେ ସର୍ବାଧିକ ୧୧୦ ଜଣ ନୂଆ ଆକ୍ରାନ୍ତଙ୍କ ପରୀକ୍ଷା ପୋଜିଟିଭ ଆସିଛି। ଏହି ଭୂତାଣୁ ସଂକ୍ରମଣ ସାରା ପୃଥିବୀ ଲାଗି ଏକ ବଡ ବିପଦ ପାଲଟିଥିବା ବେଳେ ଆମ ଦେଶରେ ଏହାକୁ ନେଇ ଧାର୍ମିକ ଓ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରିବାର ଉଦ୍ୟମ ଆରମ୍ଭ ହୋଇଯାଇଛି। ନୂଆଦିଲ୍ଲୀର ଏକ ଧାର୍ମିକ ସମାବେଶରେ ଯୋଗ ଦେଇଥିବା ପାଖାପାଖି ୨୦୦୦ ଲୋକ ଏହି ସଂକ୍ରମଣର ଶିକାର ହୋଇଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଏହି ସମାବେଶ ଯେଉଁ ଧର୍ମର ଲୋକେ ଆୟୋଜନ କରିଥିଲେ, ସେମାନଙ୍କୁ ଏଥିପାଇଁ ଦାୟୀ ବୋଲି କହିଲା ବେଳେ, ଏହାର ସତ୍ୟାସତ୍ୟ ଆମକୁ ବୁଝିବାକୁ ପଡିବ।

ପ୍ରଥମ କଥା ହେଉଛି, ମହାମାରୀ ଦ୍ଵାରା ଆକ୍ରାନ୍ତ କୌଣସି ବ୍ୟକ୍ତିଙ୍କର ପରିଚୟ ଦେବା ଅନୈତିକ। ଧର୍ମ, ଜାତି ବା ସାମାଜିକ ଗୁରୁତ୍ଵ ଦେଖି ଭୂତାଣୁ କାହା ଶରୀରକୁ ଆକ୍ରମଣ କରେନାହିଁ। ସ୍ପେନ ର ରାଜକୁମାରୀ, ଇଂଲଣ୍ଡର ରାଜକୁମାର ଓ ପ୍ରଧାନମନ୍ତ୍ରୀ, କାନାଡା ପ୍ରଧାନମନ୍ତ୍ରୀଙ୍କ ସ୍ତ୍ରୀ, ହଲିଉଡର ବହୁ ନାମୀ ତାରକା, ୟୁରୋପର ନାମକରା ଫୁଟବଲ ଖେଳାଳୀ, ଏମିତି ଆହୁରି ଅନେକ ଏହି ଭୂତାଣୁର ଶିକାର। ସାରା ପୃଥିବୀର ୮ ଲକ୍ଷ ଅଶି ହଜାରରୁ ଅଧିକ ଲୋକ ଏହାର ଶିକାର ହୋଇଥିବା ବେଳେ ୪୪,୧୫୦ ବ୍ୟକ୍ତି ପ୍ରାଣ ହରାଇ ସାରିଲେଣି। ଆକ୍ରାନ୍ତ ଲୋକଙ୍କ ଭିତରେ ସବୁ ଧର୍ମ, ସବୁ ଦେଶ ଓ ସବୁ ବର୍ଗର ଲୋକ ରହିଛନ୍ତି। କରୋନା ଭଳି ମହାମାରୀକୁ ସାମ୍ନା କରିବା ବେଳେ ଆମକୁ ମଣିଷ ଭାବରେ ଏକ ହେବାକୁ ପଡିବ। ତାହା ନକରି, ଏହାକୁ ଧର୍ମ ଓ ଜାତୀୟତାର ଆଧାରରେ ବିଭାଜନ କଲେ, ଆମେ ଆହୁରି ଏକ ବଡ ବିପଦ ତିଆରି କରିବା।

ମାର୍ଚ୍ଚ ତୃତୀୟ ସପ୍ତାହ ବେଳକୁ ଭାରତରେ କରୋନା ଖୁବ ବେଶୀ ପ୍ରଭାବ ପକାଇବ ନାହିଁ ଓ ଏ ବିଷୟରେ ଆଦୌ ଚିନ୍ତିତ ହେବାର ଦରକାର ନାହିଁ ବୋଲି ଭାରତ ସରକାର କହୁଥିଲେ। ତେବେ ସେହି ସମୟରେ ମହାରାଷ୍ଟ୍ର, ଓଡିଶା, କେରଳ, ଦିଲ୍ଲୀ ଓ ରାଜସ୍ଥାନ ସରକାର ସାମାଜିକ ଦୂରତା ପ୍ରସଙ୍ଗ ଆରମ୍ଭ କଲେ। ମାର୍ଚ୍ଚ ୨୦ ତାରିଖ ପର୍ୟନ୍ତ ଦେଶରେ ଜୀବନ ଯାତ୍ରା ବେଶ ସ୍ଵାଭାବିକ ରହିଥିଲା। କରୋନା ପ୍ରକୋପ କାରଣରୁ ମଧ୍ୟ ପ୍ରଦେଶ ବିଧାନସଭାର ବିଶେଷ ଅଧିବେଶନ ଘୁଞ୍ଚାଯାଉ ବୋଲି ବାଚସ୍ପତିଙ୍କର ରାୟକୁ ସେତେବେଳେ ସୁପ୍ରିମକୋର୍ଟ ଗ୍ରହଣ କରିନଥିଲେ। ମାର୍ଚ୍ଚ ୨୨ର ଜନତା କର୍ଫ୍ୟୁ ପର୍ୟନ୍ତ ସବୁକିଛି ସ୍ଵାଭାବିକ ଓ ସହଜ ଅଛି ବୋଲି ଭାରତ ସରକାର ଆମକୁ କହୁଥିଲେ।

ଏଠି ସୂଚନା ଯୋଗ୍ୟ ଯେ ଯେତେବେଳେ ଦିଲ୍ଲୀ ସରକାର ଲକ ଡାଉନ ଘୋଷଣା କରି ଦିଲ୍ଲୀରୁ କୌଣସି ବିମାନ ଉଡି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଲେ, ତୁରନ୍ତ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଥିଲେ। ମାର୍ଚ୍ଚ ୨୪ ପୂର୍ବରୁ ଏ ଦେଶରେ ଧାର୍ମିକ ସମ୍ମିଳନୀ, ରାଜନୈତିକ ରାଲି, ଶପଥପାଠ, ଭଜନ କୀର୍ତ୍ତନ, ନମାଜ ପାଠ ଇତ୍ୟାଦି ସ୍ଵାଭାବିକ ଭାବରେ ଚାଲିଥିଲା। ସେହି ସମୟରେ ବିଦେଶରୁ ଆସିଥିବା ଅନେକଙ୍କ ମାଧ୍ୟମରେ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେଲା। ଏହାକୁ ଆମେ ଆମ ନିଜର ଅବହେଳା ବୋଲି କହିପାରିବା। ଇଟାଲୀ, ସ୍ପେନ, ଆମେରିକା, ଜର୍ମାନୀ, ଫ୍ରାନ୍ସ ଓ ଇଂଲଣ୍ଡରେ କରୋନାର ଭୟାବହତାକୁ ଦେଖି, ବହୁ ଆଗରୁ ଆନ୍ତର୍ଜାତିକ ବିମାନ ଉଡାଣ ଉପରେ ଆମେ ପ୍ରତିବନ୍ଧକ ଲଗାଇବା ଉଚିତ ହୋଇଥାନ୍ତା। ଯଦିବା ଆବଶ୍ୟକତା ଦୃଷ୍ଟିରୁ ଏହାକୁ ଆମେ ଅଟକାଇ ପାରିଲୁ ନାହିଁ, ଫେବୃଆରିରୁ ଏ ସମ୍ପର୍କରେ ପରୀକ୍ଷା ଓ ସଙ୍ଗରୋଧ ନିୟମ ଆରମ୍ଭ କରା ଯାଇପାରିଥାନ୍ତା। ଜାନୁଆରୀ ମାସରୁ ଦେଶରେ ଧାର୍ମିକ ଓ ରାଜନୈତିକ ଉତ୍ସବ ଉପରେ କଟକଣା ଲଗା ଯାଇଥିଲେ, ହୁଏତ ଏ ବିପଦରୁ ଆମେ ବଞ୍ଚି ଯାଇଥାନ୍ତୁ।

ତେବେ ଆଜିର ସ୍ଥିତିରେ, ଧର୍ମକୁ ଆଧାର କରି ଆକ୍ରାନ୍ତଙ୍କର ପରିଚୟ ଦେଖାଇବା ଓ ସେହି ଆଧାରରେ ସାମାଜିକ ବିଭାଜନ ସୃଷ୍ଟି କରିବାକୁ ଗଣମାଧ୍ୟମ ତଥା ସୋସିଆଲ ମିଡିଆ ଯାହା କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ। ଓଡିଶା ସରକାର ମହାମାରୀ ଆଇନ ୧୮୯୩ ଅନୁସାରେ କରୋନା ଆକ୍ରାନ୍ତଙ୍କ ପରିଚୟ ଓ ଠିକଣା ନ ଜଣାଇବାକୁ ଗଣମାଧ୍ୟମ ତଥା ସାଧାରଣ ଲୋକଙ୍କୁ କଡାକଡି ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାର ବିପରୀତରେ ଜାତୀୟ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଏକ ନିର୍ଦ୍ଦିଷ୍ଟ ଧର୍ମ ତଥା ଅନୁଷ୍ଠାନକୁ ଆକ୍ରୋଶମୂଳକ ଭାବେ ଚିହ୍ନେଇ ଦିଆ ଯାଉଛି। ଦାୟିତ୍ଵହୀନ ଭାବରେ ଦେଶର ପ୍ରମୁଖ ଗଣମାଧ୍ୟମ ଗୁଡିକ ଏହାକୁ ନେଇ ଧାର୍ମିକ ବିଭାଜନ ସୃଷ୍ଟି କରିବାର ଉଦ୍ୟମ କରୁଛନ୍ତି। ବିଶେଷକରି ଟୁଇଟରରେ ଏ ପ୍ରସଙ୍ଗରେ ଘୃଣା ଓ ହିଂସାର ବାତାବରଣ ତିଆରି ହୋଇ ସାରିଛି। ମହାମାରୀର ଭୂତାଣୁ ଅପେକ୍ଷା ସାମ୍ପ୍ରଦାୟିକ ବିଦ୍ଵେଷର ମହାମାରୀ ଆମକୁ ଅଧିକ କ୍ଷତିଗ୍ରସ୍ତ କରିବ, ଏକଥା ନ ବୁଝିଲେ, ଆମେ ନିଜେ ନିଜ ଗୋଡରେ କୁରାଢି ମାରିବା ସାର ହେବ!!

Share. Facebook Twitter LinkedIn Email WhatsApp Copy Link

Related Posts

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026
Latest News

ସି-ଲିପ୍ସ: ଡିଜିଟାଲ୍ ସଶକ୍ତୀକରଣରେ ବଦଳିବ ଲକ୍ଷପତି ଦିଦିଙ୍କ ଭବିଷ୍ୟତ

July 2, 2026

୭,୧୪୫ କୋଟିରେ କାନପୁର-କବରାଇ ଆକ୍ସେସ୍-କଣ୍ଟ୍ରୋଲ୍ଡ ରାଜପଥକୁ କ୍ୟାବିନେଟ୍‌ର ମଞ୍ଜୁରୀ

July 2, 2026

ଜନସଂଖ୍ୟା ପରିବର୍ତ୍ତନ ଅଧ୍ୟୟନ ପାଇଁ ରାଜ୍ୟ ଗସ୍ତ କରିବ ଉଚ୍ଚସ୍ତରୀୟ କମିଟି

July 2, 2026

ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଟ୍ରେନ୍ ସେବାରେ ବୃଦ୍ଧି

July 2, 2026

ରଣପୁରରେ ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

July 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.