ଆଗାମୀ ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ହେବ ଭୁବନେଶ୍ବର ଓ ଭଦ୍ରକ

Published: Apr 3, 2020, 12:26 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର: ଦେଶରେ କରୋନା ସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟରେ ମଧ୍ୟ କରୋନା ରୋଗୀଙ୍କ ସଂଖ୍ୟା ବଢିଛି। ଆଜି ଏନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଆଜି ରାତି ୮ଟାରୁ ରବିବାର ଦିନ ରାତ୍ରି ୮ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍‌ ଡାଉନ୍‌ ରହିବ ଭୁବନେଶ୍ବର। ପଞ୍ଚମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏପରି ଏକ ନିଷ୍ପତ୍ତି ନେଇଛନ୍ତି। ପଞ୍ଚମ କରୋନା ରୋଗୀଙ୍କ କୌଣସି ଟ୍ରାଭେଲ୍‌ ହିଷ୍ଟ୍ରି ନଥିବା ସତ୍ତ୍ବେ ସେ କରୋନା ସଂକ୍ରମିତ ହେବା ପରେ ଏହା ଏବେ ଓଡ଼ିଶା ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି। କେବଳ ଭୁବନେଶ୍ବର ନୁହେଁ ଭଦ୍ରକରେ ମଧ୍ୟ ସମ୍ପୂର୍ଣ୍ଣ ୪୮ଘଣ୍ଟା ପାଇଁ ସମ୍ପୂର୍ଣ୍ଣ  ଡାଉନ୍‌ କରାଯିବ। ଏହି ସଟ୍‌ ଡାଉନ୍‌ କାଳରେ ସମସ୍ତ ପୁରୁଣା ପାସ୍‌ ବନ୍ଦ ରହିବ। ଏନେଇ ଆଜି ପ୍ରେସ ମିଟ୍‌ରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ। ଏହି ସମୟରେ କ୍ଷୀର, ଫଳ, ଗ୍ରୋସରୀ, ମାଛ, ଅଣ୍ଡା, ମାଂସ ଦୋକାନ ଆଦି ବନ୍ଦ ରହିବ। ସେହିପରି କମ୍‌ ସଂଖ୍ୟକ ଔଷଧ ଦୋକାନ ଖୋଲା ରହିବ। ପଞ୍ଚମ ରୋଗୀଙ୍କ ବିଲକ୍ଷଣ ନେଇ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ସେହିପରି ଏହି ସଟ୍‌ ଡାଉନ୍‌ କାଳରେ ଯିଏ ଘର ବାହାରେ ବୁଲିବ ପୋଲିସ୍‌ ତାକୁ ଉଠାଇନେବ ବୋଲି ସୂଚନା ରହିଛି। ସେମାନଙ୍କୁ ଉଠାଇ ନିଆଯାଇ ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରଖାଯିବ। ସଟ୍‌ ଡାଉନ୍‌କୁ ଏକପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଡିସିପି ଅଭୟ। ସେହିପରି ଯିଏ ଏହି ସଟ୍‌ ଡାଉନ୍‌କୁ ଉଲ୍ଳଂଘନ କରିବ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ ଜରିମାନା ମଧ୍ୟ ଆଦାୟ କରାଯିବ। ସେହିପରି ସଟ୍‌ ଡାଉନ୍‌ ସମୟରେ ଜରୁରୀ ସେବା ପାଇଁ ଜରୁରୀ ପାସ୍‌ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି।

ତେବେ ଆଜି ଓଡ଼ିଶାର ପ୍ରଥମ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ପୂର୍ବରୁ ଦ୍ବିତୀୟ କରୋନା ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ରାଜ୍ୟରେ ତିନି ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି।

Related posts