ଆନ୍ଧ୍ର ପ୍ରଦେଶରେ ହେବ ଏକାଥରେ ତିନୋଟି ରାଜଧାନୀ, ଜାଣନ୍ତୁ ଏପରି ନିଷ୍ପତିରେ ଓଡିଶାର କଣ ରହିଛି ସଂପର୍କ

Published: Aug 1, 2020, 3:30 pm IST

ଅମରାବତୀ , ବର୍ତ୍ତମାନ ଗୋଟିଏ ନୁହେଁ ଏକାଥରେ ଆନ୍ଧ୍ର ପ୍ରଦେଶରେ ହେବ ତିନୋଟି ରାଜଧାନୀ। ଭାରତରେ ଏପରି ନିଷ୍ପତି ପ୍ରଥମ। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ସରକାର ଗତ ଜାନୁୟାରୀ ମାସରେ ବିଧାନସଭାରେ ଦୁଇଟି ବିଲ୍ ଆଣିଥିଲେ। ଗୋଟିଏ ବିଲ୍ ଅନୁସାରେ ନୂଆ ଆନ୍ଧ୍ର ପ୍ରଦେଶରେ କ୍ଷମତା ବିକେନ୍ଦ୍ରୀକରଣ ପାଇଁ ତିନୋଟି ରାଜଧାନୀ କରାଯିବ। ବିଧାନସଭାରେ ଏହି ବିଲ୍ ଗୃହିତ ହେବା ପରେ ବର୍ତ୍ତମାନ ରାଜ୍ୟପାଳଙ୍କ ସ୍ବୀକୃତି ମଧ୍ୟ ହାସଲ କରିଛି।

ଏହି ନିୟମ ଅନୁସାରେ ଆନ୍ଧ୍ର ପ୍ରଦେଶରେ ଯେଉଁ ତିନୋଟି ରାଜଧାନୀ ହେବ ତାହା ହେଲା ଅମରାବତୀ, ବିଶାଖାପାଟନାମ ଏବଂ କୁର୍ଣ୍ଣୁଲୁ। ଅମରାବତୀରେ ହେବ ରାଜନୈତିକ ରାଜଧାନୀ ଯେଉଁଠାରେ ବିଧାନସଭା ରହିବ। ସେହିପରି ବିଶାଖାପାଟନାମ ହେବ ପ୍ରଶାସନ ରାଜଧାନୀ, ଯେଉଁଠାରେ ସଚିବାଳୟ ରହିବ। ସେହିପରି କୁର୍ଣ୍ଣୁଲୁ ହେବ ନ୍ୟାୟିକ ରାଜଧାନୀ। ଏହିଠାରେ ରାଜ୍ୟର ଉଚ୍ଚ ନ୍ୟାୟାଳୟ କାର୍ଯ୍ୟ କରିବ।

ତେବେ ଏହି ବିଲ୍ ପାଶ କରିବାରେ ଓଡିଶାର ଜଣଙ୍କର ହାତ ରହିଛି। ସେ ହେଲେ ଓଡିଶାର ବରିଷ୍ଠ ନେତା ତଥା ବର୍ତ୍ତମାନର ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଗତ ଜାନୁୟାରୀ ମାସରେ ଆନ୍ଧ୍ରରେ ତିନୋଟି ରାଜଧାନୀ ହେବ ବୋଲି ବିଧାନସଭାରେ ବିଲ ପାଶ ହୋଇଥିଲା। ଏହାପରେ ରାଜ୍ୟପାଳଙ୍କ ସ୍ବୀକୃତି ପାଇଁ ପଠାଯାଇଥିଲା। ଏହି ଭିତରେ ଆନ୍ଧ୍ରର ବିରୋଧୀ ଦଳ ବିଲ ପାଶ ନ କରିବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ହେଲେ ବାଦବିବାଦ ପରେ ଏହି ବିଲକୁ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସ୍ବୀକୃତ କରିଛନ୍ତି।

Related posts