Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ କାହିଁକି!!
ବିଶେଷ ଖବର

ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ କାହିଁକି!!

October 16, 2018No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ। ୨୦ ବର୍ଷ ତଳେ ସେ ଯେତେବେଳେ ଓଡିଶା ରାଜନୀତିକୁ ଆସିଲେ ସେତେବେଳେ ସେ ଥିଲେ ରାଜନୀତିରେ ଏଗଦମ ନୂଆ ଓ ଅନଭିଜ୍ଞ ଚେହେରା। ବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ତାଙ୍କର କୌଣସି ରାଜନୈତିକ ପରିଚୟ ନଥିଲା। ବିଜୁ ବାବୁ ନିଜ ଜୀବନକାଳରେ ନିଜ ପରିବାରକୁ ନିଜ ରାଜନୀତିଠୁ ଦୂରରେ ରଖିଥିଲେ, ତେଣୁ ନବୀନ ରାଜନୀତିକୁ ଆସିବାରେ ତାଙ୍କ ବାପାଙ୍କ ଇଚ୍ଛା ବା ପ୍ରଭାବ ନଥିଲା। ଯଦିଓ ବିଜୁ ବାବୁଙ୍କ ପ୍ରତି ଓଡିଶା ଲୋକଙ୍କର ଯେଉଁ ଭଲ ପାଇବା ଥିଲା, ତାହାର ଲାଭ ନବୀନଙ୍କୁ ମିଳିଛି, କିନ୍ତୁ ଅନ୍ୟ ପାରମ୍ପରିକ ପାରିବାରିକ ରାଜନୈତିକ ଦାୟାଦଙ୍କ ପରି ସେ ବାପାଙ୍କ ହାତ ଧରି ରାଜନୀତିକୁ ଆସିନାହାନ୍ତି। ରାଜନୀତିର ସବୁଠୁ ଅନଭିଜ୍ଞ ଚେହେରା ଭାବରେ ରାଜନୀତି ଆରମ୍ଭ କରିଥିବା ନବୀନ, ଆଜି ୨୦ ବର୍ଷ ପରେ ଦେଶର ସବୁଠୁ ଅଭିଜ୍ଞ ଓ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ। ଆଜି ତାଙ୍କର ୭୩ ତମ ଜନ୍ମଦିବସରେ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି- ନବୀନ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜନେତା ଯିଏ ଗତ ଅନେକ ବର୍ଷ ଧରି ଓଡିଶାର ସେବା କରି ଆସୁଛନ୍ତି।

ବାସ୍ତବ କ୍ଷେତ୍ରରେ ନବୀନଙ୍କୁ ଓଡିଶା ରାଜନୀତିର ବିସ୍ମୟ ବାଳକ ବୋଲି କୁହାଯାଇପାରେ। ଏ ରାଜ୍ୟର ବହୁ ତୁଙ୍ଗ ଜନନେତା ଯାହା କରିପାରିନଥିଲେ, ନବୀନ ଆଜି ତାହା କରି ଦେଖେଇଛନ୍ତି। ଏକାଦିକ୍ରମେ ଚାରୋଟି ବିଧାନସଭା ନିର୍ବାଚନ ଜିଣି ସାରିଲା ପରେ ମଧ୍ୟ ୨୦୧୯ ନିର୍ବାଚନରେ ସେ କୌଣସି ବଡ ଆହ୍ୱାନର ସମ୍ମୁଖୀନ ହେବେ ଭଳି ମାନେ ହେଉନାହିଁ। ଗତ ଦୁଇ ଦଶନ୍ଧି ଧରି ଓଡିଶା ରାଜନୀତିରେ ସେ ଇ ଏକମାତ୍ର ନାୟକ। ଅଥଚ ନାୟକ ହେବାର କୌଣସି ପାରମ୍ପରିକ ଗୁଣ ତାଙ୍କ ପାଖରେ ନାଇଁ। ନବୀନ ବହୁତ ଭଲ ବକ୍ତା ନୁହନ୍ତି। ତାଙ୍କ କହିବାରେ ଆଜି ମଧ୍ୟ ଗୋଟେ ପ୍ରକାର ଲାଜକୁଳା ସ୍ଵଭାବ ରହିଛି। ଲୋକଙ୍କ ଭାଷାରେ ସେ କଥା କହୁନଥିବାରୁ ବିରୋଧୀ ଓ ବୁଦ୍ଧିଜୀବୀ ତାଙ୍କୁ ଯେତେ ସମାଲୋଚନା କାଲେ ମଧ୍ୟ, ଲୋକେ ତାଙ୍କର ଭାଷାକୁ ସ୍ଵୀକାର କରିନେଇଛନ୍ତି। ନବୀନଙ୍କ ଖଣ୍ଡି ଓଡିଆ କଥା, ତାଙ୍କ ଲାଗି ଗୋଟେ ପ୍ରକାର ଆଶୀର୍ବାଦ ପାଲଟି ଯାଇଛି। ଯେଉଁଥି ପାଇଁ ସେ ବିରୋଧୀଙ୍କ ଦ୍ଵାରା ଭର୍ତ୍ସିତ, ସେଇ ସମାନ କାରଣ ଲାଗି ସେ ଅଧିକ ଲୋକପ୍ରିୟ। ଏହାର ରାଜନୈତିକ ସମୀକ୍ଷା ଆମେ କେମିତି କରିବା?

ନବୀନଙ୍କ ଲୋକପ୍ରିୟତାର କେତୋଟି କାରଣ ଭିତରୁ ଗୋଟେ ବଡ କାରଣ ହେଉଛି, ସେ ବୋଧେ ଭାରତର ଏକମାତ୍ର ରାଜନେତା ଯିଏ ଦୀର୍ଘ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ଆକ୍ରାମକ ରାଜନୀତି କରି ନାହାନ୍ତି। କୌଣସି ଉତ୍ତେଜନା ସୃଷ୍ଟିକାରୀ ଭାଷଣ ବା ବିରୋଧୀଙ୍କୁ କଟୁ ଭାଷାରେ ଆଲୋଚନା କରିବା, ତାଙ୍କ ସ୍ଵଭାବରେ ନାହିଁ। କୁହା ଯାଇପାରେ, ସେ ବୋଧେ ଭାରତୀୟ ରାଜନୀତିର ସୁନିଲ ଗାଭାସ୍କର। ତାଙ୍କ ବ୍ୟାଟିଂ ରେ ସ୍ଥିରତା ଓ ସଂଯମ ଅଛି। ବିନା ହେଲମେଟ ରେ ଗାଭାସ୍କର ଯେମିତି ଗୋଟେ ସମୟରେ ୱେଷ୍ଟ ଇଣ୍ଡିଜ ର ଦୁର୍ଦ୍ଦର୍ଷ ପେସ ବୋଲିଂ କୁ ସାମ୍ନା କରୁଥିଲେ, ନବୀନ ସେମିତି ସହଜରେ ନିଜ ବିରୋଧୀଙ୍କୁ ମୁକାବିଲା କରିଛନ୍ତି। ତାଙ୍କ ରାଜନୈତିକ ରଣ କୌଶଳ ଏତେ ଶାନ୍ତ ଆଉ ଶକ୍ତିଶାଳୀ ଯେ ତାକୁ ଭେଦିବାର କୌଶଳ ତାଙ୍କର ପ୍ରତିପକ୍ଷଙ୍କୁ ଜଣାନାହିଁ।

ଗତ ୨୦ ବର୍ଷ ଭିତରେ ତାଙ୍କର ଏକଦା ସହଯୋଗୀ ଓ ଆଜିର ଶତ୍ରୁ ବିଜେପି, ତାଙ୍କୁ ଚିହ୍ନିବାରେ ସଫଳ ହୋଇ ପାରିନାହିଁ। ବିଜେପି ଲୋକଙ୍କ ଆଗରେ ନବୀନଙ୍କୁ ନେଇ ଯେତେ ଟାଣ କଥା କହୁଥିଲେ ମଧ୍ୟ, ଭିତରେ ଭିତରେ ବିଜେପି ଲାଗି ନବୀନ ସବୁଠୁ ବଡ ଭରସା। ୨୦୧୯ ସାଧାରଣ ନିର୍ବାଚନ ପରେ ନବୀନଙ୍କ ସମର୍ଥନ ଉପରେ ବିଜେପିର ଭବିଷ୍ୟତ ଅନେକାଂଶରେ ନିର୍ଭର କରିବ।  ସେଇ ପରିସ୍ଥିତିକୁ ଆଖି ଆଗରେ ରଖି, ବିଜେପି ନବୀନଙ୍କ ପ୍ରତି ନିଜର ନରମ ଗରମ ଆଭିମୁଖ୍ୟ, ବଜାୟ ରଖିବ । ଅପର ପକ୍ଷରେ କଂଗ୍ରେସକୁ ନବୀନ ସବୁବେଳେ ନିଜର ବିରୋଧୀ ବୋଲି ମାନି ଆସିଛନ୍ତି। ତେଣୁ କଂଗ୍ରେସର ବିଘଟନ ଓ ଗୋଷ୍ଠୀ ବିବାଦରୁ ନବୀନଙ୍କୁ ସବୁବେଳେ ଲାଭ ମିଳି ଆସୁଛି।  ବର୍ତ୍ତମାନ ସମୟରେ ଆପାତତଃ ଶକ୍ତିଶାଳୀ ଲାଗୁଥିବା କଂଗ୍ରେସ, ନବୀନଙ୍କ ଲାଗି ବେଶ ଲାଭଦାୟକ। କଂଗ୍ରେସ ନିଜର ୨୨-୨୫% ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିପାରିଲେ, ତାହା ବିଜେଡି ବିଜୟର ବାଟ କୁ ସହଜ କରିଦେବ।

ନବୀନଙ୍କ ରାଜନୀତିରେ ତାଙ୍କର ଶତ୍ରୁ ବିରୋଧୀ ଦଳରୁ ଯେତିକି ଆସିଛନ୍ତି, ତାଠୁ ବହୁ ଗୁଣ ଅଧିକ ନିଜ ବିଜେଡି ଦଳରୁ ଆସିଛନ୍ତି। ବିଜୟ ମହାପାତ୍ରଙ୍କଠୁ ଆରମ୍ଭ କରି ପ୍ୟାରୀମୋହନ ମହାପାତ୍ର, ବୈଜୟନ୍ତ ପଣ୍ଡା ଓ ଦାମୋଦର ରାଉତଙ୍କ ପରି ନବୀନଙ୍କ ସହଯୋଗୀ, ପରବର୍ତ୍ତୀ ସମୟରେ ତାଙ୍କର ଶତ୍ରୁ ପାଲଟିଛନ୍ତି। ତେବେ ଘର ଶତ୍ରୁ ଓ ବାହାର ଶତ୍ରୁଙ୍କୁ ମୁକାବିଲା କରିବାରେ ନବୀନଙ୍କ ରଣକୌଶଳ ବଡ ବିଚିତ୍ର। ସେ ପଦେ କଥା କହି ବା ହସିଦେଇ ନିଜ ଶତ୍ରୁକୁ ନିରସ୍ତ୍ର କରିଦେଇପାରନ୍ତି।

୨୦ ବର୍ଷର ଶାସନ ଭିତରେ ନବୀନ ଯେ ସବୁ କ୍ଷେତ୍ରରେ ସଫଳ ତାହା ନୁହେଁ। ନବୀନଙ୍କ ବିଫଳତାର ତାଲିକା ବି ଲମ୍ବା। ତାଙ୍କର ଶତ୍ରୁ ଓ ସମାଲୋଚକ ସଂଖ୍ୟା ବି କମ ନୁହନ୍ତି। ତଥାପି ନବୀନଙ୍କ ବିକଳ୍ପ ନାହିଁ ବୋଲି ଓଡିଶାବାସୀ ଭାବୁଛନ୍ତି କାହିଁକି? ଟଙ୍କିକିଆ ଚାଉଳ କି ସରକାରୀ ଯୋଜନାରେ ଲୋକ ଭୋଟ ଦେଉଛନ୍ତି ବୋଲି ଭାବିବା ହୁଏତ, ମନକୁ ବୁଝାଇବା ଲାଗି ଯଥେଷ୍ଟ।ଅସଲରେ ଓଡିଶା ରାଜନୀତିର ବିରୋଧୀ ପକ୍ଷ ନିଜ ରାଜ୍ୟର ଲୋକଙ୍କୁ ବୋଧେ ଆଜି ଯାଏ ଠିକ ଭାବରେ ବୁଝିନାହାନ୍ତି। ୨୦ ବର୍ଷର ରାଜନୀତିରେ ଓଡିଆଙ୍କ ନାଡି ନକ୍ଷତ୍ରକୁ ନବୀନ ଯେମିତି ଚିହ୍ନିଛନ୍ତି, ସେତକ ଚିହ୍ନିବାରେ ବିରୋଧୀ ବିଫଳ ହୋଇଛନ୍ତି। ପଦେକଥାରେ କହିଲେ, ବିରୋଧୀଙ୍କ ବିଫଳତା ହିଁ ନବୀନଙ୍କ ସଫଳତାର ଅସଲ ରହସ୍ୟ।

କଂଗ୍ରେସ ନବୀନ ବିଜେଡି ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026
Latest News

ବୃଦ୍ଧଙ୍କୁ ଗଳା କାଟି ହତ୍ୟା

April 28, 2026

ଯୁବକକୁ ମରଣାନ୍ତକ ଆକ୍ରମଣ

April 28, 2026

ମାଙ୍ଗାଲୁରୁ ପ୍ରେସରକୁକର ବିସ୍ଫୋରଣ ମାମଲା: ଆତଙ୍କୀକୁ ୧୦ ବର୍ଷ ଜେଲଦଣ୍ଡ

April 28, 2026

ମହାରାଷ୍ଟ୍ର ମନ୍ତ୍ରୀ ନିତେଶ ରାଣେଙ୍କୁ ମିଳିପାରେ ଜେଲ୍ ଦଣ୍ଡ ! କାଦୁଅ ଫିଙ୍ଗା ମାମଲାରେ କୋର୍ଟ ଶୁଣାଇଲେ ସଜ୍ଜା

April 28, 2026

ଜାତିସଂଘରେ ଆମେରିକା – ଇରାନ ମୁହାଁମୁହିଁ

April 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.