ଅର୍ଥନୀତିର ଦୁରବସ୍ଥା ସଜାଡିବାକୁ ଆଜି ମନମୋହନ ସିଂଙ୍କ ପରାମର୍ଶ ଓ ଉପଦେଶ ନେବେ କି ପ୍ରଧାନମନ୍ତ୍ରୀ? 

Published: Sep 2, 2020, 11:27 am IST

 କେଦାର ମିଶ୍ର

ଆମ ଲୋକ ରାଜନୀତିରେ ସବୁ କଥା ସହଜରେ ଭୁଲି ଯାଆନ୍ତି। ଆଜି ଯେତେବେଳେ ଐତିହାସିକ ଭାବରେ ଦେଶର ଆର୍ଥିକ ଅଭିବୃଦ୍ଧି ସବୁଠୁ କମ ରହିଛି, ସେତେବେଳେ ଦେଶକୁ ପରିଚାଳନା କରୁଥିବା ସରକାର କହୁଛନ୍ତି- ଏଥିଲାଗି ଆମେ କଣ କରିପାରିବା, ଏହା ତ ସାରା ପୃଥିବୀର ସମସ୍ଯା। ପୃଥିବୀରେ ଏକ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସ୍ଵାଭାବିକ ଭାବରେ ତାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ପୃଥିବୀର ସବୁ ବଡ ବଡ ଦେଶର ଅର୍ଥନୀତି ଆଜି ତଳମୁହାଁ ହୋଇଛନ୍ତି। ତେବେ ଏକଥା କହିଲା ବେଳେ ଆମ ଲୋକ ଭୁଲିଯାଉଛନ୍ତି ଯେ, ୨୦୦୭-୦୮ ବେଳେ ଯେତେବେଳେ ପୃଥିବୀ ର ଅର୍ଥନୀତିରେ ଏକ ଭୟଙ୍କର ମାନ୍ଦାବସ୍ଥା ଆସିଥିଲା, ସେତେବେଳେ ଭାରତ ତାକୁ ଅତ୍ୟନ୍ତ ସାହସିକତାର ସହ ସାମ୍ନା କରିଥିଲା। ୨୦୦୮ ବର୍ଷରେ ଆମର ଅଭିବୃଦ୍ଧି ହାର ୩.୯% କୁ ଖସିଥିବା ବେଳେ ତା ପରବର୍ତ୍ତୀ ବର୍ଷ ୨୦୦୯ ରେ ଆମର ଅଭିବୃଦ୍ଧି ୨ ଗୁଣ ବଢିଥିଲା। ୨୦୧୦ ରେ ଏକ ବିରଳ ରେକର୍ଡ ସ୍ଥାପନ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ୧୦.୩% ରେ ପହଞ୍ଚିଥିଲା। ଏହା ଭାରତର ଅର୍ଥନୈତିକ ଇତିହାସରେ ସୁବର୍ଣ୍ଣ ବର୍ଷ ବୋଲି କୁହାଯାଇପାରେ।

୨୦୦୮ ରୁ ୨୦୧୪, ପୃଥିବୀର ଅର୍ଥନୀତିରେ ସବୁଠୁ କଠିନ ସମୟ ଥିଲା। ଆର୍ଥିକ ମାନ୍ଦାବସ୍ଥା ସହିତ ଆନ୍ତର୍ଜାତିକ ତୈଳ ବଜାରରେ କଞ୍ଚା ତେଲର ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାରରୁ ଅଧିକ ଥିଲା। ତା ସତ୍ତ୍ୱେ ଭାରତର ଆର୍ଥିକ ଅଭିବୃଦ୍ଧି ସେହି ସମୟରେ ସ୍ଥିର ରହିଥିଲା। ଆନ୍ତର୍ଜାତିକ ଚାପ ଯୋଗୁଁ ଦେଶର ଅଭିବୃଦ୍ଧି ୧-୨% କମିଗଲା ବେଳେ ଦେଶର ବିରୋଧୀ ଦଳ ସରକାରଙ୍କୁ ପ୍ରବଳ ସମାଲୋଚନା କରୁଥିଲେ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଆଜିର ପ୍ରଧାନମନ୍ତ୍ରୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅପାରଗ ବୋଲି କହି ବାରମ୍ବାର ଭର୍ତ୍ସନା କରୁଥିଲେ। ସମୟ ଚକ୍ରରେ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ସମୟରେ ଦେଶର ସବୁଠୁ ଭୟଙ୍କର ଆର୍ଥିକ ଦୁର୍ଦ୍ଦିନ ଆସିଛି। ଆଜି ମନମୋହନ ସିଂ ହୁଏତ ମୋଦୀଙ୍କ ଭାଷାରେ ସରକାରଙ୍କୁ ସମାଲୋଚନା କରିବା ଉଚିତ ହେବ। ହେଲେ ମନମୋହନ ସିଂ ତାହା କରିପାରିବେ ନାହିଁ। ଡକ୍ଟର ସିଂ ଜଣେ ପେଷାଦାର ଅର୍ଥନୀତିଜ୍ଞ ଭାବରେ ଭଲଭାବରେ ଜାଣନ୍ତି ଯେ, ଆର୍ଥିକ ସ୍ଥିତି ସମ୍ଭାଳିବା ପିଲାଖେଳ ନୁହେଁ।

ତେବେ କରୋନା ସଙ୍କଟ ଆରମ୍ଭ ହେବା ପୂର୍ବରୁ ମନମୋହନ ସିଂ ଅତି ସ୍ପଷ୍ଟ ଭାଷାରେ ସରକାରଙ୍କୁ ସତର୍କ କରାଇ ଦେଇଥିଲେ ଯେ ଯଦି ସରକାର ସଠିକ ପଦକ୍ଷେପ ନ ନିଅନ୍ତି, ତାହେଲେ ଦେଶର ଅର୍ଥନୀତି ଅନ୍ଧକାର ଭିତରକୁ ଚାଲିଯିବ। ଏହାର କାରଣ ମଧ୍ୟ ସ୍ପଷ୍ଟ। ବିମୂଦ୍ରାକରଣ ଓ ଜିଏସଟି ଲାଗୁ ହେବା ପରଠୁ ଅଭିବୃଦ୍ଧି ର ହାର ପ୍ରତି ମାସ ଖସି ଚାଲିଥିଲା। ଯେତେବେଳେ ଦେଶରେ ଅର୍ଥନୀତିର ଅଭିବୃଦ୍ଧି ୪% କୁ ଖସିଲା, ସେତେବେଳେ ଏହାକୁ ବଡ ହାଲୁକା ଭାବରେ ନେଇ ଆମର ଅର୍ଥମନ୍ତ୍ରୀ କହିଲେ, ନୂଆ ପୀଢିର ପିଲାମାନେ ଓଲା-ଉବର ବ୍ୟବହାର କରୁଛନ୍ତି, ତେଣୁ ନୂଆ ଗାଡିର ଚାହିଦା ନାହିଁ। ବଜାରରେ  ଲୋକଙ୍କର ଚାହିଦା ଗତ ଦୁଇବର୍ଷ ହେଲା ଦେଖିବାକୁ ମିଳୁନଥିଲା। ଲୋକେ ଗୋଟେ ସମୟରେ ବିସ୍କୁଟ କିଣିବା କମ କରି ଦେଇଥିବାର ଖବର କୁ ଆଜି ମନେ ପକା ଯାଇପାରେ।

ସେତେବେଳେ ବିଜେପିର ନେତା ଓ ମନ୍ତ୍ରୀମାନେ ଆମକୁ କହୁଥିଲେ ଯେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ସୁଦୃଢ ରହିଛି। ଏ ଯେଉଁ ମାନ୍ଦାବସ୍ଥା ତାହା ସାମୟିକ। ଏମିତି ମିଛ ଆଶ୍ଵାସନାର ପ୍ରବାହ ଚାଲିଥିବା ବେଳେ କରୋନା ସଂକ୍ରମଣ ସବୁ ଗଣିତକୁ ବରବାଦ କରି ଦେଇଛି। ଆଜିର ସ୍ଥିତିରେ କେଉଁ ଯୁକ୍ତିରେ ଏହି ଦୁରବସ୍ଥାକୁ ବୁଝାଇହେବ, ସେକଥା ସରକାର ଜାଣିପାରୁ ନାହାନ୍ତି। ଏବେ ଅର୍ଥମନ୍ତ୍ରୀ କହୁଛନ୍ତି, ଏହା ଦୈବୀ କୃତ, ତେଣୁ ଆମେ ନାଚାର। ଅର୍ଥନୈତିକ ପରାମର୍ଶଦାତା ଆର. ସୁବ୍ରମନ୍ଯମ କହୁଛନ୍ତି, ଆମେ ରବର ବଲ ଭଳି ପୁଣି ଉପରକୁ ଉଠିବୁ। ଆର୍ଥିକ ପରାମର୍ଶଦାତା ଭାବରେ ଏହି ମହାଶୟ କିଛି ଦିନ ତଳେ କହିଥିଲେ, ସରକାରଙ୍କ କରୋନା ପ୍ଯାକେଜ ଆମ ଅର୍ଥନୀତିର ଦଶା ବିଗିଡିବାକୁ ଦେବନାହିଁ।

ତେବେ ଅସଲ କଥା ହେଉଛି, ଏ ସରକାରରେ ଅର୍ଥନୀତିକୁ ସୁଧାରିବାର ବାଟ ଜାଣିଥିବା ଲୋକ କେହି ଦିଶୁନାହାନ୍ତି। ଭଲ ଭାଷଣ ଦେବା ଓ ଅର୍ଥନୀତିକୁ ସମ୍ଭାଳିବା ଏକା କଥା ନୁହେଁ। ଆର୍ଥିକ ମାନ୍ଦାବସ୍ଥା ସମୟରେ ମନମୋହନ ସିଂ ଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଦେଶକୁ କେବଳ ସମ୍ଭାଳିଲେ ନାହିଁ, ସେଥିରୁ ଐତିହାସିକ ଅଭିବୃଦ୍ଧିର ମାର୍ଗ ତିଆରି କଲେ।ନରେନ୍ଦ୍ର ମୋଦୀ ଠିକ ତାର ବିପରୀତରେ ୮% ଅଭିବୃଦ୍ଧିର ଅର୍ଥନୀତିକୁ -୨୪% କୁ ନେଇ ଆସିଲେ। ମନମୋହନ ସିଂ ଭଲ ଭାଷଣ ଦେଇ ପାଉନଥିଲେ। ତେଣୁ ସେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ନରେନ୍ଦ୍ର ମୋଦୀ ବଢିଆ ଭାଷଣ ଦିଅନ୍ତି। ତେଣୁ ସେ ଲୋକପ୍ରିୟ। ତାଙ୍କ ଭାଷଣ ଶୁଣି ଆମେ ଅର୍ଥନୀତିର ଏହି ଦୁର୍ଗତି କଥା ଭୁଲିଯିବା ବୋଧେ ଉଚିତ ହେବ!! ୟାରି ଭିତରେ ପ୍ରଧାନମନ୍ତ୍ରୀ ପୋଷା କୁକୁର, ପୋଷା ମୟୁର, ଖେଳଣା, ପରୀକ୍ଷା ର ଚାପ ଇତ୍ୟାଦି କେତେ ପ୍ରସଙ୍ଗରେ କେତେ କଥା କହିଲେଣି। ହେଲେ ଅର୍ଥନୀତିର ଦୁରବସ୍ଥା ବିଷୟରେ ତାଙ୍କର କିଛି ବି ବକ୍ତବ୍ୟ ନାହିଁ। ସଙ୍କଟ ଭିତରୁ ଆତ୍ମନିର୍ଭର ହେବାର ମନ୍ତ୍ର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏହି ଦୁରବସ୍ଥା ଲାଗି ଉତ୍ତରଦାୟୀ ହୁଅନ୍ତୁ। ଦେଶର ଆର୍ଥିକ ସ୍ଥିତି ସୁଧାରିବା ଲାଗି ଆଜି ଦଳମତ ନିର୍ବିଶେଷରେ ସବୁ ଲୋକଙ୍କର ପରାମର୍ଶ ଓ ଉପଦେଶ ଜରୁରୀ। ମନମୋହନ ସିଂ ଙ୍କ ଭଳି ଅଭିଜ୍ଞ ଅର୍ଥନୀତିଜ୍ଞଙ୍କ ପରାମର୍ଶ ଆଜି ସବୁଠୁ ବେଶୀ ଜରୁରୀ।

ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଓ ରାଜନେତାଙ୍କୁ ଏକାଠି କରି ଏହି ସଙ୍କଟରୁ ମୁକୁଳିବାର ବାଟ ପ୍ରଧାନମନ୍ତ୍ରୀ ଯଦି ନ ଖୋଜନ୍ତି, ତା ହେଲେ ଗତ ୨୫ ବର୍ଷରେ ଆମେ ଯେଉଁ ଅର୍ଥନୈତିକ ସଫଳତା ପାଇଛେ, ତାହା ଧ୍ଵଂସ ହୋଇଯିବ।

Related posts