Categories
ବିଶେଷ ଖବର

ଅର୍ଥନୀତିର ଦୁରବସ୍ଥା ସଜାଡିବାକୁ ଆଜି ମନମୋହନ ସିଂଙ୍କ ପରାମର୍ଶ ଓ ଉପଦେଶ ନେବେ କି ପ୍ରଧାନମନ୍ତ୍ରୀ? 

 କେଦାର ମିଶ୍ର

ଆମ ଲୋକ ରାଜନୀତିରେ ସବୁ କଥା ସହଜରେ ଭୁଲି ଯାଆନ୍ତି। ଆଜି ଯେତେବେଳେ ଐତିହାସିକ ଭାବରେ ଦେଶର ଆର୍ଥିକ ଅଭିବୃଦ୍ଧି ସବୁଠୁ କମ ରହିଛି, ସେତେବେଳେ ଦେଶକୁ ପରିଚାଳନା କରୁଥିବା ସରକାର କହୁଛନ୍ତି- ଏଥିଲାଗି ଆମେ କଣ କରିପାରିବା, ଏହା ତ ସାରା ପୃଥିବୀର ସମସ୍ଯା। ପୃଥିବୀରେ ଏକ ଭୟଙ୍କର ମାନବୀୟ ସଙ୍କଟ ଦେଖାଦେଇଛି। ସ୍ଵାଭାବିକ ଭାବରେ ତାର ପ୍ରଭାବ ଅର୍ଥନୀତି ଉପରେ ପଡୁଛି। ପୃଥିବୀର ସବୁ ବଡ ବଡ ଦେଶର ଅର୍ଥନୀତି ଆଜି ତଳମୁହାଁ ହୋଇଛନ୍ତି। ତେବେ ଏକଥା କହିଲା ବେଳେ ଆମ ଲୋକ ଭୁଲିଯାଉଛନ୍ତି ଯେ, ୨୦୦୭-୦୮ ବେଳେ ଯେତେବେଳେ ପୃଥିବୀ ର ଅର୍ଥନୀତିରେ ଏକ ଭୟଙ୍କର ମାନ୍ଦାବସ୍ଥା ଆସିଥିଲା, ସେତେବେଳେ ଭାରତ ତାକୁ ଅତ୍ୟନ୍ତ ସାହସିକତାର ସହ ସାମ୍ନା କରିଥିଲା। ୨୦୦୮ ବର୍ଷରେ ଆମର ଅଭିବୃଦ୍ଧି ହାର ୩.୯% କୁ ଖସିଥିବା ବେଳେ ତା ପରବର୍ତ୍ତୀ ବର୍ଷ ୨୦୦୯ ରେ ଆମର ଅଭିବୃଦ୍ଧି ୨ ଗୁଣ ବଢିଥିଲା। ୨୦୧୦ ରେ ଏକ ବିରଳ ରେକର୍ଡ ସ୍ଥାପନ କରି ଦେଶର ଅର୍ଥନୈତିକ ଅଭିବୃଦ୍ଧି ୧୦.୩% ରେ ପହଞ୍ଚିଥିଲା। ଏହା ଭାରତର ଅର୍ଥନୈତିକ ଇତିହାସରେ ସୁବର୍ଣ୍ଣ ବର୍ଷ ବୋଲି କୁହାଯାଇପାରେ।

୨୦୦୮ ରୁ ୨୦୧୪, ପୃଥିବୀର ଅର୍ଥନୀତିରେ ସବୁଠୁ କଠିନ ସମୟ ଥିଲା। ଆର୍ଥିକ ମାନ୍ଦାବସ୍ଥା ସହିତ ଆନ୍ତର୍ଜାତିକ ତୈଳ ବଜାରରେ କଞ୍ଚା ତେଲର ବ୍ୟାରେଲ ପିଛା ମୂଲ୍ୟ ୧୦୦ ଡଲାରରୁ ଅଧିକ ଥିଲା। ତା ସତ୍ତ୍ୱେ ଭାରତର ଆର୍ଥିକ ଅଭିବୃଦ୍ଧି ସେହି ସମୟରେ ସ୍ଥିର ରହିଥିଲା। ଆନ୍ତର୍ଜାତିକ ଚାପ ଯୋଗୁଁ ଦେଶର ଅଭିବୃଦ୍ଧି ୧-୨% କମିଗଲା ବେଳେ ଦେଶର ବିରୋଧୀ ଦଳ ସରକାରଙ୍କୁ ପ୍ରବଳ ସମାଲୋଚନା କରୁଥିଲେ। ସେତେବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ଆଜିର ପ୍ରଧାନମନ୍ତ୍ରୀ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଅପାରଗ ବୋଲି କହି ବାରମ୍ବାର ଭର୍ତ୍ସନା କରୁଥିଲେ। ସମୟ ଚକ୍ରରେ ଆଜି ଗୁଜରାଟ ମୁଖ୍ୟମନ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାଙ୍କ ସମୟରେ ଦେଶର ସବୁଠୁ ଭୟଙ୍କର ଆର୍ଥିକ ଦୁର୍ଦ୍ଦିନ ଆସିଛି। ଆଜି ମନମୋହନ ସିଂ ହୁଏତ ମୋଦୀଙ୍କ ଭାଷାରେ ସରକାରଙ୍କୁ ସମାଲୋଚନା କରିବା ଉଚିତ ହେବ। ହେଲେ ମନମୋହନ ସିଂ ତାହା କରିପାରିବେ ନାହିଁ। ଡକ୍ଟର ସିଂ ଜଣେ ପେଷାଦାର ଅର୍ଥନୀତିଜ୍ଞ ଭାବରେ ଭଲଭାବରେ ଜାଣନ୍ତି ଯେ, ଆର୍ଥିକ ସ୍ଥିତି ସମ୍ଭାଳିବା ପିଲାଖେଳ ନୁହେଁ।

ତେବେ କରୋନା ସଙ୍କଟ ଆରମ୍ଭ ହେବା ପୂର୍ବରୁ ମନମୋହନ ସିଂ ଅତି ସ୍ପଷ୍ଟ ଭାଷାରେ ସରକାରଙ୍କୁ ସତର୍କ କରାଇ ଦେଇଥିଲେ ଯେ ଯଦି ସରକାର ସଠିକ ପଦକ୍ଷେପ ନ ନିଅନ୍ତି, ତାହେଲେ ଦେଶର ଅର୍ଥନୀତି ଅନ୍ଧକାର ଭିତରକୁ ଚାଲିଯିବ। ଏହାର କାରଣ ମଧ୍ୟ ସ୍ପଷ୍ଟ। ବିମୂଦ୍ରାକରଣ ଓ ଜିଏସଟି ଲାଗୁ ହେବା ପରଠୁ ଅଭିବୃଦ୍ଧି ର ହାର ପ୍ରତି ମାସ ଖସି ଚାଲିଥିଲା। ଯେତେବେଳେ ଦେଶରେ ଅର୍ଥନୀତିର ଅଭିବୃଦ୍ଧି ୪% କୁ ଖସିଲା, ସେତେବେଳେ ଏହାକୁ ବଡ ହାଲୁକା ଭାବରେ ନେଇ ଆମର ଅର୍ଥମନ୍ତ୍ରୀ କହିଲେ, ନୂଆ ପୀଢିର ପିଲାମାନେ ଓଲା-ଉବର ବ୍ୟବହାର କରୁଛନ୍ତି, ତେଣୁ ନୂଆ ଗାଡିର ଚାହିଦା ନାହିଁ। ବଜାରରେ  ଲୋକଙ୍କର ଚାହିଦା ଗତ ଦୁଇବର୍ଷ ହେଲା ଦେଖିବାକୁ ମିଳୁନଥିଲା। ଲୋକେ ଗୋଟେ ସମୟରେ ବିସ୍କୁଟ କିଣିବା କମ କରି ଦେଇଥିବାର ଖବର କୁ ଆଜି ମନେ ପକା ଯାଇପାରେ।

ସେତେବେଳେ ବିଜେପିର ନେତା ଓ ମନ୍ତ୍ରୀମାନେ ଆମକୁ କହୁଥିଲେ ଯେ, ଆମ ଅର୍ଥନୀତିର ମୌଳିକ ଢାଞ୍ଚା ସୁଦୃଢ ରହିଛି। ଏ ଯେଉଁ ମାନ୍ଦାବସ୍ଥା ତାହା ସାମୟିକ। ଏମିତି ମିଛ ଆଶ୍ଵାସନାର ପ୍ରବାହ ଚାଲିଥିବା ବେଳେ କରୋନା ସଂକ୍ରମଣ ସବୁ ଗଣିତକୁ ବରବାଦ କରି ଦେଇଛି। ଆଜିର ସ୍ଥିତିରେ କେଉଁ ଯୁକ୍ତିରେ ଏହି ଦୁରବସ୍ଥାକୁ ବୁଝାଇହେବ, ସେକଥା ସରକାର ଜାଣିପାରୁ ନାହାନ୍ତି। ଏବେ ଅର୍ଥମନ୍ତ୍ରୀ କହୁଛନ୍ତି, ଏହା ଦୈବୀ କୃତ, ତେଣୁ ଆମେ ନାଚାର। ଅର୍ଥନୈତିକ ପରାମର୍ଶଦାତା ଆର. ସୁବ୍ରମନ୍ଯମ କହୁଛନ୍ତି, ଆମେ ରବର ବଲ ଭଳି ପୁଣି ଉପରକୁ ଉଠିବୁ। ଆର୍ଥିକ ପରାମର୍ଶଦାତା ଭାବରେ ଏହି ମହାଶୟ କିଛି ଦିନ ତଳେ କହିଥିଲେ, ସରକାରଙ୍କ କରୋନା ପ୍ଯାକେଜ ଆମ ଅର୍ଥନୀତିର ଦଶା ବିଗିଡିବାକୁ ଦେବନାହିଁ।

ତେବେ ଅସଲ କଥା ହେଉଛି, ଏ ସରକାରରେ ଅର୍ଥନୀତିକୁ ସୁଧାରିବାର ବାଟ ଜାଣିଥିବା ଲୋକ କେହି ଦିଶୁନାହାନ୍ତି। ଭଲ ଭାଷଣ ଦେବା ଓ ଅର୍ଥନୀତିକୁ ସମ୍ଭାଳିବା ଏକା କଥା ନୁହେଁ। ଆର୍ଥିକ ମାନ୍ଦାବସ୍ଥା ସମୟରେ ମନମୋହନ ସିଂ ଙ୍କ ଭଳି ଜଣେ ପ୍ରଧାନମନ୍ତ୍ରୀ ଦେଶକୁ କେବଳ ସମ୍ଭାଳିଲେ ନାହିଁ, ସେଥିରୁ ଐତିହାସିକ ଅଭିବୃଦ୍ଧିର ମାର୍ଗ ତିଆରି କଲେ।ନରେନ୍ଦ୍ର ମୋଦୀ ଠିକ ତାର ବିପରୀତରେ ୮% ଅଭିବୃଦ୍ଧିର ଅର୍ଥନୀତିକୁ -୨୪% କୁ ନେଇ ଆସିଲେ। ମନମୋହନ ସିଂ ଭଲ ଭାଷଣ ଦେଇ ପାଉନଥିଲେ। ତେଣୁ ସେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହୋଇପାରିଲେ ନାହିଁ। ନରେନ୍ଦ୍ର ମୋଦୀ ବଢିଆ ଭାଷଣ ଦିଅନ୍ତି। ତେଣୁ ସେ ଲୋକପ୍ରିୟ। ତାଙ୍କ ଭାଷଣ ଶୁଣି ଆମେ ଅର୍ଥନୀତିର ଏହି ଦୁର୍ଗତି କଥା ଭୁଲିଯିବା ବୋଧେ ଉଚିତ ହେବ!! ୟାରି ଭିତରେ ପ୍ରଧାନମନ୍ତ୍ରୀ ପୋଷା କୁକୁର, ପୋଷା ମୟୁର, ଖେଳଣା, ପରୀକ୍ଷା ର ଚାପ ଇତ୍ୟାଦି କେତେ ପ୍ରସଙ୍ଗରେ କେତେ କଥା କହିଲେଣି। ହେଲେ ଅର୍ଥନୀତିର ଦୁରବସ୍ଥା ବିଷୟରେ ତାଙ୍କର କିଛି ବି ବକ୍ତବ୍ୟ ନାହିଁ। ସଙ୍କଟ ଭିତରୁ ଆତ୍ମନିର୍ଭର ହେବାର ମନ୍ତ୍ର ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଏହି ଦୁରବସ୍ଥା ଲାଗି ଉତ୍ତରଦାୟୀ ହୁଅନ୍ତୁ। ଦେଶର ଆର୍ଥିକ ସ୍ଥିତି ସୁଧାରିବା ଲାଗି ଆଜି ଦଳମତ ନିର୍ବିଶେଷରେ ସବୁ ଲୋକଙ୍କର ପରାମର୍ଶ ଓ ଉପଦେଶ ଜରୁରୀ। ମନମୋହନ ସିଂ ଙ୍କ ଭଳି ଅଭିଜ୍ଞ ଅର୍ଥନୀତିଜ୍ଞଙ୍କ ପରାମର୍ଶ ଆଜି ସବୁଠୁ ବେଶୀ ଜରୁରୀ।

ଦେଶର ପ୍ରମୁଖ ଅର୍ଥନୀତିଜ୍ଞ ଓ ରାଜନେତାଙ୍କୁ ଏକାଠି କରି ଏହି ସଙ୍କଟରୁ ମୁକୁଳିବାର ବାଟ ପ୍ରଧାନମନ୍ତ୍ରୀ ଯଦି ନ ଖୋଜନ୍ତି, ତା ହେଲେ ଗତ ୨୫ ବର୍ଷରେ ଆମେ ଯେଉଁ ଅର୍ଥନୈତିକ ସଫଳତା ପାଇଛେ, ତାହା ଧ୍ଵଂସ ହୋଇଯିବ।

Categories
ବିଶେଷ ଖବର

ଭାରତ ଚୀନ ସୀମା ବିବାଦ ତୃତୀୟ ବିଶ୍ଵଯୁଦ୍ଧର କାରଣ ହେବାର ସମ୍ଭାବନା ରହିଛି କି?

କେଦାର ମିଶ୍ର

ଜୁନ ମାସରେ ଯେତେବେଳେ ଭାରତ ଓ ଚୀନ ଭିତରେ ସୀମା ବିବାଦ ଉଗ୍ର ଅବସ୍ଥାକୁ ଆସିଥିଲା, ସେତେବେଳେ ଏହା ତୃତୀୟ ବିଶ୍ଵଯୁଦ୍ଧର କାରଣ ହୋଇପାରେ ବୋଲି ପୃଥିବୀର ବହୁ ବଡ ବଡ ଖବର କାଗଜ ଲେଖିଥିଲେ। ଭାରତୀୟ ଗଣମାଧ୍ୟମରେ ଏହାକୁ ଜାତୀୟତାବାଦର ପରିଚୟ ଭିତରେ ବିଶ୍ଳେଷଣ ଚାଲିଥିବା ବେଳେ, ବିବିସି, ଦି ଫରେନ ଆଫେୟାର୍ସ, ଦି ସନ ଭଳି ସଂସ୍ଥା ଏହାକୁ ସମ୍ଭାବ୍ୟ ବିଶ୍ଵ ସଙ୍କଟ ଭାବେ ବିଶ୍ଳେଷଣ କରୁଥିଲେ। ସମ୍ପ୍ରତି ଚୀନ ଓ ଆମେରିକା ଭିତରେ ସମ୍ପର୍କ ଏତେ ଅଧିକ ତିକ୍ତ ଅବସ୍ଥାରେ ରହିଛି ଯେ, ଏହା କୌଣସି ବି ଘଟଣାରୁ ବହୁ ଭୟଙ୍କର ଦିଗକୁ ଗତି କରିପାରେ। ସେହି ସମୟରେ ଚୀନ-ଭାରତ ସୀମା ବିବାଦ, ପରିସ୍ଥିତିକୁ ଅଧିକ ଅଣାୟତ୍ତ କରିବା ସ୍ଵାଭାବିକ।

ଆଧୁନିକ ସମୟରେ ଯେଉଁ ଦୁଇଟି ବିଶ୍ଵଯୁଦ୍ଧ ହୋଇଛି, ତାର କାରଣ ଖୁବ ବଡ ନଥିଲା। ନିହାତି ଛୋଟ ଛୋଟ ଭୁଲ ବୁଝାମଣା ଓ ଅହଙ୍କାରରୁ ଯୁଦ୍ଧ ଜନ୍ମ ନିଏ। ପ୍ରଥମ ଓ ଦ୍ଵିତୀୟ ବିଶ୍ଵଯୁଦ୍ଧ ର କାରଣ ଭାବରେ ଯେଉଁ ପାଞ୍ଚୋଟି ବିନ୍ଦୁକୁ ଚିହ୍ନିତ କରାଯାଏ, ସେଗୁଡିକ ହେଲା- ୧. ସାମରିକ ଚୁକ୍ତିଭିତ୍ତିକ ସମ୍ପର୍କ, ୨-ଜାତୀୟତାବାଦ, ୩.ସାମରିକ ଅହଂକାର, ୪.ଉପନିବେଶବାଦୀ ବିଚାର ଓ ୫. ରାଜନୈତିକ ହତ୍ୟାକାଣ୍ଡ। ପ୍ରଥମ ଚାରୋଟି କାରଣ କ୍ରମାଗତ ଭାବରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ରାଜନୈତିକ ହତ୍ୟାକାଣ୍ଡ ଯୁଦ୍ଧ ପରିସ୍ଥିତିକୁ ବାଧ୍ୟତାମୂଳକ କରିଥାଏ। ଜୁନ,୨୦୧୪ରେ ଅଷ୍ଟ୍ରିଆ-ହଙ୍ଗେରୀର ଆର୍କ ଡ୍ୟୁକ ଫ୍ରାଞ୍ଜ ଫର୍ଡିନାଣ୍ଡଙ୍କୁ ସର୍ବିଆର ଜାତୀୟତାବାଦୀମାନେ ହତ୍ୟା କରିବା ପରେ, ପ୍ରଥମ ବିଶ୍ଵଯୁଦ୍ଧ ହୋଇଥିଲା। ଏହି ରାଜନୈତିକ ହତ୍ୟାକାଣ୍ଡ ପରବର୍ତ୍ତୀ ସମୟରେ ଦୁଇଟି ବିଶ୍ଵଯୁଦ୍ଧର କାରଣ ପାଲଟିଥିଲା। ବିଶ୍ଵଯୁଦ୍ଧର ଧ୍ଵଂସ ଓ ପାଗଳାମିରୁ ଆମେ ବୋଧେ କିଛି ଶିଖିନାହୁଁ।

୧୯୪୫ର ଦ୍ଵିତୀୟ ମହାଯୁଦ୍ଧ ପରେ ହୁଏତ ଆମେ ଆଉ ବିଶ୍ଵଯୁଦ୍ଧ ର ସାମ୍ନା କରିନାହୁଁ। ହେଲେ ଦ୍ଵିତୀୟ ବିଶ୍ଵଯୁଦ୍ଧର ୭୪ ବର୍ଷ ପରେ ଆମେ ଆଉ ଏକ ବିଶ୍ଵଯୁଦ୍ଧକୁ ସାମ୍ନା କରିବା ଭଳି ପରିସ୍ଥିତିରେ ଠିଆ ହୋଇଛୁ। ବିଶ୍ଵଯୁଦ୍ଧ ପୂର୍ବବର୍ତ୍ତୀ ପୃଥିବୀର ରାଜନୀତି ସହିତ ସମାନ ରାଜନୈତିକ ପୃଷ୍ଠଭୂମି ଆଜି ଦେଖା ଦେଇଛି। ବିଶ୍ଵର ବିଭିନ୍ନ ରାଷ୍ଟ୍ରରେ ଅହଙ୍କାରୀ, ଉଗ୍ର ଜାତୀୟତାବାଦୀ ଓ ଯୁଦ୍ଧଖୋର ଶାସକମାନେ ଲୋକ ସମର୍ଥନ ପାଉଛନ୍ତି। ଆମେରିକାରେ ଡୋନାଲ୍ଡ ଟ୍ରମ୍ଫ, ଚୀନରେ ସି ଜିଂପିନ, ଋଷିଆରେ ଭ୍ଲାଦିମିର ପୁଟିନ, ତୁର୍କୀରେ ରିଶେପ ତାଈପ ଇର୍ଦ୍ଦୋଗନ, ଇଂଲଣ୍ଡରେ ବୋରୀସ ଜନସନ, ଭାରତରେ ନରେନ୍ଦ୍ର ମୋଦୀ ପ୍ରମୁଖ ରାଜନୀତିରେ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର କରୁଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଗ୍ର ଜାତୀୟତାବାଦୀ ଅହଙ୍କାରରକୁ ଏବେ ସବୁଠୁ ବଡ ରାଜନୀତି ଭାବେ ଉପସ୍ଥାପନ କରିବାର ଉଦ୍ୟମ ଚାଲିଛି। ଏହାକୁ ସାମ୍ନା କରିବାକୁ ଚୀନରେ ମଧ୍ୟ ଉଗ୍ର ଜାତୀୟତାବାଦୀ ରାଜନୀତିର ପ୍ରସାର ଘଟୁଛି। ଭାରତ-ଚୀନ ସୀମା ବିବାଦ ପରେ ଏହା ଅଧିକ ତୀବ୍ର ହେବା ଆରମ୍ଭ କରିଛି।

ସଦ୍ଦାମ ହୁସେନଙ୍କୁ ଫାଶୀ ଦେଇ ଓ ଓସାମା ବିନ ଲାଦେନକୁ ଖତମ କରିଦେଇ    ଆମେରିକା ଗୋଟେ ସମୟରେ ମଧ୍ୟ ପ୍ରାଚ୍ୟ ଉପରେ କବଜା କରିନେଇଛି ବୋଲି ଭାବୁଥିଲା। ତେବେ ଇରାକ ଓ ଆଫଗାନିସ୍ତାନ କୁ ସାମରିକ ଭାବରେ ଜୟ କରିବାର ଉଦ୍ୟମ ଆମେରିକା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇଟି ରାଷ୍ଟ୍ର ଆମେରିକାର କବଜାରେ ରହିଥିଲେ ମଧ୍ୟ, ସେଠାରୁ ପୃଥିବୀର ସର୍ବାଧିକ ସନ୍ତ୍ରାସବାଦୀ ସୃଷ୍ଟି ହେଉଛନ୍ତି।ଏହା ସହିତ ସିରିଆର ସ୍ଥିତି ସୁଧୁରିବାର କୌଣସି ସମ୍ଭାବନା ଦିଶୁନାହିଁ। ସିରିଆ, ଇରାକ ଓ ଆଫଗାନିସ୍ତାନରେ ଆଜି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ସେଥିଲାଗି ମୁଖ୍ୟତଃ ଆମେରିକା ହିଁ ଦାୟୀ।

କରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ ଇରାନ ସହିତ ଆମେରିକା ମୁହାଁମୁହିଁ ହେବା ଆରମ୍ଭ କରିଥିଲା ।ମାର୍ଚ୍ଚ ମାସରେ ଇରାନର  ଜଣେ ପ୍ରଭାବଶାଳୀ ସେନାବାହିନୀ ଅଧିକାରୀ ମେଜର ଜେନେରାଲ କାଶିମ ସୁଲେମାନୀକୁ ଆମେରିକା ହତ୍ୟା କରିଥିଲା। ଇରାକର ବାଗଦାଦ ବିମାନ ବନ୍ଦର ନିକଟରେ ଜଣେ ଇରାକୀ ସେନା ଅଧିକାରୀ ଙ୍କ ସହିତ ସୁଲେମାନୀଙ୍କୁ ହତ୍ୟା କରାଯିବା ପରେ,ଏହାକୁ ନେଇ ଏବେ ମଧ୍ୟପ୍ରାଚ୍ୟରେ ଯେଉଁ  ଉତ୍ତେଜନା ବଢିଥିଲା, ତାହା କରୋନା କାରଣରୁ ପ୍ରଶମିତ ହୋଇଛି। ସେତେବେଳେ ଇରାନ ସମର୍ଥନରେ ଚୀନ ଓ ଋଷିଆ ଖୋଲାଖୋଲି ବାହାରିଥିବା ଯୋଗୁଁ ପରବର୍ତ୍ତୀ ରାଜନୈତିକ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା।

ଗତ ଚାରିମାସ ଭିତରେ ଚୀନ ବନାମ ବାକି ବିଶ୍ଵ ଭଳି ଏକ ଉତ୍ତେଜକ ପରିସ୍ଥିତି ବଢି ଚାଲିଛି। ସେଥିରେ ଭାରତ ସହିତ ଚୀନର ସୀମା ବିବାଦ ପରିସ୍ଥିତିକୁ ବେଶୀ ଜଟିଳ କରିଛି। ଭାରତ ଓ ଚୀନ ଭିତରେ ସୀମା ବିବାଦ ଆଦୌ ସାମୟିକ ନୁହେଁ ଓ ଏହା ଏକ ଦୀର୍ଘସ୍ଥାୟୀ ସଙ୍କଟ ହୋଇ ଆଗକୁ ରହିବ। ଦ୍ଵିପାକ୍ଷିକ ଆଲୋଚନା ଜରିଆରେ ସମାଧାନ ବାହାର କରିବା ଭଳି ରାଜନୈତିକ ପରିସ୍ଥିତି ବର୍ତ୍ତମାନ କୌଣସି ଦେଶରେ ନାହିଁ। ଉଗ୍ର ଜାତୀୟତାବାଦର ରାଜନୀତି ଆଜିର ତାରିଖରେ ବିଶ୍ଵଶାନ୍ତି ଲାଗି ଏକ ବଡ ସଙ୍କଟ ତିଆରି କରିଛି। ଆଗାମୀ ଦିନରେ ପୃଥିବୀର ଗତି କେଉଁ ଦିଗକୁ ଯିବ, ତାହା ନଭେମ୍ବର ମାସରେ ଅଧିକ ସ୍ପଷ୍ଟ ଜଣାପଡିବ।ନଭେମ୍ବର ନିର୍ବାଚନରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଜିତିବେ ନା ହାରିବେ, ତାରି ଉପରେ ଅନେକ କିଛି ନିର୍ଭର କରୁଛି। ତେବେ ଭାରତ ଓ ଚୀନ ମଧ୍ୟରେ ଯଦି ବିବାଦ ଲାଗି ରହେ, ତାହେଲେ ଏହା ଭବିଷ୍ୟତରେ ଏକ ବୃହତ୍ତର ବିଶ୍ଵ ସଙ୍କଟକୁ ଜନ୍ମଦେବ।

Categories
ବିଶେଷ ଖବର

ସେହି ଦଶଟି ରାଜ୍ୟର କଥା ଓ କରୋନା ଲଢେଇର ସବୁଠୁ କଠୋର ସତ୍ୟ

କେଦାର ମିଶ୍ର

ଗତକାଲି ଦେଶର ସର୍ବାଧିକ କରୋନା ପୀଡିତ ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଏହି ଦଶଟି ରାଜ୍ୟରେ ଆମେ ଯଦି କରୋନା କୁ ନିୟନ୍ତ୍ରଣ କରିପାରିବା ତା ହେଲେ କରୋନା ଉପରେ ଆମର ବିଜୟ ସମ୍ଭବ। ଏହି ୧୦ ଟି ରାଜ୍ୟରେ ବର୍ତ୍ତମାନ ମୋଟ ୮୦% କରୋନା ଆକ୍ରାନ୍ତ ରହିଛନ୍ତି ଓ କରୋନା ଜନିତ ମୃତ୍ୟୁର ୮୨% ଏହି ସବୁ ରାଜ୍ୟରେ ରେକର୍ଡ ହୋଇଛି। ପ୍ରଧାନମନ୍ତ୍ରୀ ଯେଉଁ ଦଶଟି ରାଜ୍ୟ କଥା କହୁଛନ୍ତି ସେସବୁ ରାଜ୍ୟରେ ଆମ ଲୋକ ସଂଖ୍ଯାର ୯୦ କୋଟି ଜନତା ବସବାସ କରନ୍ତି। ତେଣୁ ଏହି ସବୁ ରାଜ୍ୟରେ ସଙ୍କ୍ରମିତଙ୍କ ସଂଖ୍ୟା ଅଧିକ ହେବା ସ୍ଵାଭାବିକ। ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟ ଏଥିରେ ରହିଛି ଯେଉଁଠି ଆମର ୨୨ କୋଟିରୁ ଅଧିକ ଲୋକ ରୁହନ୍ତି।ଉତ୍ତର ପ୍ରଦେଶ  ମହାରାଷ୍ଟ୍ର, ବିହାର, ଗୁଜରାଟ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଗୁଜରାଟରେ ଦେଶର ସର୍ବାଧିକ ସଂକ୍ରମିତ ଏବେ ବଢୁଛନ୍ତି। ଗତ କିଛିଦିନ ହେଲା ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ପ୍ରତିଦିନ ହାରାହାରି ୧୦ ହଜାର ନୂଆ ଆକ୍ରାନ୍ତ ବାହାରୁଛନ୍ତି। ଏହି ଦୁଇ ରାଜ୍ୟରେ ଅଧିକ ପରୀକ୍ଷା ହେଉଛି, ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି।

ଏହି ଦଶଟି ରାଜ୍ୟ ଭିତରୁ ବିହାର, ଉତ୍ତର ପ୍ରଦେଶ, ତେଲେଙ୍ଗାନା, ଗୁଜରାଟ ଓ ପଶ୍ଚିମବଙ୍ଗରେ କରୋନା ପରୀକ୍ଷାର ସ୍ଥିତି ସେତେ ଉତ୍ସାହ ଜନକ ନୁହେଁ। ଉତ୍ତର ପ୍ରଦେଶ ଦେଶର ସବୁଠୁ ଜନବହୁଳ ରାଜ୍ୟ ହୋଇଥିଲେ ମଧ୍ୟ ସେଠାରେ ଆବଶ୍ଯ ସଂଖ୍ୟକ ପରୀକ୍ଷା ବଢୁନାହିଁ। ପ୍ରତି ଦଶଲକ୍ଷ ଜନସଂଖ୍ୟାରେ ୧୪,୭୩୨ ପରୀକ୍ଷା ସେଠାରେ ହେଉଛି। ଉତ୍ତର ପ୍ରଦେଶରେ ମୂଳରୁ ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣରେ ରହିଥିଲା। ଏବେ ଏହା ୧.୭% ରେ ପହଞ୍ଚିଲାଣି। ଗୋଟେ ସମୟରେ ଉତ୍ତର ପ୍ରଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୦୦ ଭିତରେ ସୀମିତ ରହିଛି ଓ ଏହା ଏକ ବଡ ଉପଲବ୍ଧି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏବେ ସେହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୧୭୬ରେ ପହଞ୍ଚିଲାଣି। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଉତ୍ତର ପ୍ରଦେଶ ଲାଗି ଏକ ଭିନ୍ନ ରଣନୀତିର ଆବଶ୍ୟକତା ରହିଛି।

ବିହାର ରାଜ୍ୟରେ ସ୍ଥିତି ଆରମ୍ଭରୁ ଜଟିଳ ରହିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଥମ ତିନିମାସ କରୋନା ପରୀକ୍ଷାକୁ ଗୁରୁତ୍ଵ ଦେଇ ନଥିଲେ। ଆଜି ମଧ୍ୟ ୧୦ ଲକ୍ଷ ଲୋକରେ ମାତ୍ର ୯୧୮୦ ପରୀକ୍ଷା ବିହାରରେ ହେଉଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ବିହାର ରେ ଜାଣିଶୁଣି ପରୀକ୍ଷା କରିବାକୁ ସରକାର ଚାହୁଁ ନାହାନ୍ତି। ୧୨ କୋଟି ଲୋକ ସଂଖ୍ୟା ବିଶିଷ୍ଟ ବିହାର ରାଜ୍ୟରେ ଆଜି ଯାଏ ମାତ୍ର ୧୧ ଲକ୍ଷ ପରୀକ୍ଷା ହୋଇଛି। ବିହାର ରେ ମୃତ୍ୟୁ ହାର ସେତେବେଶୀ ନୁହେଁ। ଏହା ୦.୫% ରେ ସୀମିତ ରହିଛି। ତେବେ ସମୟ କ୍ରମେ ସଂଖ୍ୟା ବଢିଲେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଓଡିଶାରେ ଗୋଟେ ସମୟରେ ମୃତ୍ୟୁହାର ସବୁଠୁ କମ ରହିଥିଲା। ଏବେ ଏହା ୦.୭% ରେ ପହଞ୍ଚିଲାଣି। ପରୀକ୍ଷା ନ ବଢିଲେ ସ୍ଥିତି ଅଧିକ ଜଟିଳ ହେବ। ସଂକ୍ରମଣ ରୋକିବାକୁ ହେଲେ ବ୍ୟାପକ ପରୀକ୍ଷା ଜରୁରୀ।

ଦିଲ୍ଲୀ ସରକାର ନିଜର ବ୍ୟାପକ ପରୀକ୍ଷା ଯୋଜନା ମାଧ୍ୟମରେ ସେଠାରେ ସ୍ଥିତିକୁ ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇ ଆସିଛନ୍ତି। ଯଦି ଗୋଟିଏ ରାଜ୍ୟ ଯେଉଁଠି ସଂକ୍ରମଣ ଆଖି ଦୃଶିଆ ଭାବରେ କମିଛି, ତାହା ହେଉଛି ଦିଲ୍ଲୀ। ଦିଲ୍ଲୀରେ ପ୍ରତି ଦଶ ଲକ୍ଷ ଲୋକରେ ୬୦,୭୮୫ ପରୀକ୍ଷା କରାଯାଇଛି। ଏହା ଏକ ଉତ୍ସାହ ଜନକ ସଂଖ୍ୟା। ମହାରାଷ୍ଟ୍ର ରେ ସଂକ୍ରମଣ ର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ସେଠିକାର ସରକାର ବ୍ୟାପକ ପରୀକ୍ଷା ଅବ୍ଯାହତ ରଖିଛନ୍ତି। ଉଭୟ ମହାରାଷ୍ଟ୍ର ଓ ତାମିଲନାଡୁରେ ପରୀକ୍ଷା ଦଶ ଲକ୍ଷ ଲୋକରେ ଯଥାକ୍ରମେ ୨୩,୨୫୯ ଓ ୪୩,୫୦୩ ରହିଛି। ଏହି ସଂଖ୍ଯାରେ ପରୀକ୍ଷା ଅବ୍ଯାହତ ରହିଲେ ଏକ ନିର୍ଦ୍ଦିଷ୍ଟ ସମୟ ସୀମାରେ ସଂକ୍ରମଣକୁ ଚିହ୍ନଟ କରିହେବ। ଇତିମଧ୍ୟରେ ଆନ୍ଧ୍ର ପ୍ରଦେଶ ସରକାର ପରୀକ୍ଷା ହାରକୁ ପ୍ରାୟ ତିନିଗୁଣ ବଢାଇଛନ୍ତି। ସେଥିଲାଗି ଆନ୍ଧ୍ରରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଦିଲ୍ଲୀ ପରେ ଏବେ ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୪୮,୫୩୦ ଲୋକଙ୍କର ପରୀକ୍ଷା କରାହେଉଛି।

ପରୀକ୍ଷାରେ ସବୁଠୁ ଖରାପ ଅବସ୍ଥାରେ ବିହାର ସରକାର ରହିଛନ୍ତି। ଏକ ବିଚିତ୍ର ରଣନୀତିରେ ବିହାର ସରକାର ନିଜର ପରୀକ୍ଷା ନୀତି ସ୍ଥିର କରିଛନ୍ତି। ପ୍ରାୟ ୭ କୋଟି ଜନସଂଖ୍ୟା ବିଶିଷ୍ଟ ଗୁଜରାଟ ମାତ୍ର ୧୦ ଲକ୍ଷ ପରୀକ୍ଷା କରିଛି। ଏକ ବିଚିତ୍ର ପରିସଙ୍ଖ୍ୟାନ ଆମେ ଗୁଜରାଟରୁ ଦେଖିବା। ଗତ କିଛିମାସ ହେଲା ସେଠାରେ ପରୀକ୍ଷା ହାର ସ୍ଥିର ରହିଛି। ଅଧିକ ସଂକ୍ରମଣ ହେଉଥିବା ରାଜ୍ୟ ଗୁଡିକ ଅଧିକ ପରୀକ୍ଷା କରୁଥିବା ବେଳେ ଗୁଜରାଟ ହାତୀ ଭଳି ଦିନକୁ ପଚାଶ/ଶହେ ଅଧିକ ସଂକ୍ରମିତ ଠାବ କରୁଛି। ଅନ୍ୟ ରାଜ୍ୟ ତୁଳନାରେ ଗୁଜରାଟର ମୃତ୍ୟୁହାର ଉଦବେଗଜନକ। ସେଠାରେ ମୃତ୍ୟୁହାର ୩.୭% ରହିଛି। ଏହି ଦଶଟି ରାଜ୍ୟ ଭିତରୁ ସର୍ବାଧିକ ମୃତ୍ୟୁହାର ଗୁଜରାଟରେ ରହିଛି। ତେଣୁ ପ୍ରଧାନମନ୍ତ୍ରୀ ଜାତୀୟ ମୃତ୍ୟୁହାର କୁ ୧% ରୁ କମ ରଖିବାର ଯେଉଁ ଲକ୍ଷ୍ୟ କଥା କହୁଛନ୍ତି, ସେଥିରେ ଗୁଜରାଟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିହାର, ପଶ୍ଚିମବଙ୍ଗ, ଗୁଜରାଟ, ତେଲେଙ୍ଗାନା ଓ ଉତ୍ତର ପ୍ରଦେଶ କୁ ଏହି ଦଶ ରାଜ୍ୟଠୁ ଅଲଗା କରି ଦେଖିବାକୁ ପଡିବ।

ଦଶଟି ରାଜ୍ୟ ବୋଲି କହି ଆମେ ଦେଶର ସ୍ଥିତି ଠିକ ଅଛି ବୋଲି କହିବା ଆଦୌ ଠିକ ହେବନାହିଁ। କାରଣ ଯେଉଁ ଦଶଟି ରାଜ୍ୟ କଥା ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିରେ ଆମ ଦେଶର ୮୦% ଜନତା ବସବାସ କରନ୍ତି।

Categories
ବିଶେଷ ଖବର

କରୋନା ଲଢେଇରେ ଅସହାୟ ଜନତା ଓ ରାଜନେତାମାନଙ୍କର “ଡାଟା ଗେମ”

କେଦାର ମିଶ୍ର

ଗତ ଦୁଇମାସ ଭିତରେ କେବଳ ଯୁକ୍ତରାଷ୍ଟ୍ର ଆମେରିକାର ସାମ୍ବାଦିକ ସମ୍ମିଳନୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ସାକ୍ଷାତକାର ସବୁକୁ ଅନୁଧ୍ୟାନ କଲେ ଗୋଟେ କଥା ସ୍ପଷ୍ଟ ହୋଇଯିବ ଯେ ରାଷ୍ଟ୍ରପତି ମହୋଦୟ ନିଜ ଲୋକଙ୍କ ଜୀବନ ବଞ୍ଚାଇବାରେ ଅସମର୍ଥ ହେବା ପରେ ଏବେ “ଡାଟା ଗେମ” ଖେଳୁଛନ୍ତି। ଗତ ତିନିମାସ ଧରି ଆମେରିକାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି ଓ ପ୍ରତିଦିନ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ କରୋନାର ଏହି ଭୟଙ୍କର ପ୍ରକୋପକୁ ସ୍ଵୀକାର କରିବା ପରିବର୍ତ୍ତେ ରାଷ୍ଟ୍ରପତି ବିଭିନ୍ନ “ଡାଟା” ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରୁଛନ୍ତି ଯେ, ଆମେରିକାରେ ସ୍ଥିତି ଭଲ ଅଛି। “ଆମେ ଅଧିକ ପରୀକ୍ଷା କରୁଛୁ, ତେଣୁ ଆମର ଅଧିକ କରୋନା ଆକ୍ରାନ୍ତ ବାହାରୁଛନ୍ତି” ବୋଲି ଟ୍ରମ୍ଫ ନିୟମିତ ଯୁକ୍ତି କରୁଛନ୍ତି। ତେବେ ଆମେରିକାର ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କ ମୁହଁ ରେ ତାଙ୍କ ତଥ୍ୟ ଭୁଲ ବୋଲି କହୁଛନ୍ତି ଓ ରାଷ୍ଟ୍ରପତିଙ୍କ ସହିତ ସେଥିଲାଗି ଅନେକ ସାମ୍ବାଦିକଙ୍କର ଝଗଡା ମଧ୍ୟ ହେଲାଣି। ତେବେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଷ୍ଟ୍ରପତି ସାମ୍ବାଦିକଙ୍କୁ ତାଙ୍କ କଥା କହୁଛନ୍ତି ଓ ସାମ୍ବାଦିକ ତାଙ୍କ ନିଜ ଅଧିକାରରେ ରାଷ୍ଟ୍ରପତିଙ୍କ ମତକୁ ଖଣ୍ଡନ ମଧ୍ୟ କରୁଛନ୍ତି। ରାଷ୍ଟ୍ରପତି ଟ୍ରମ୍ଫଙ୍କ “ଡାଟା” କୁ ଦେଖିବା ବେଳେ ସାମ୍ବାଦିକମାନେ ଏମିତି ବ୍ୟବହାର କରୁଛନ୍ତି, ଯେମିତି ସେମାନେ ଜାଣନ୍ତି ଯେ ଏହା କେବଳ ଡାଟା ର ଖେଳ। ଏଥିରେ ସତ୍ୟତା ନାହିଁ।

ସଂଖ୍ୟା ଦୃଷ୍ଟିରୁ ଆମେରିକା ସର୍ବାଧିକ କରୋନା ପରୀକ୍ଷା କରିଛି। ପ୍ରତି ଦଶ ଲକ୍ଷ ଲୋକରେ ଆମେରିକାରେ ୧,୮୪,୦୦୭ ଲୋକଙ୍କର ପରୀକ୍ଷା ହେଉଛି। ଏ ଯାବତ ସର୍ବମୋଟ ୬୦.୯୯୩, ୭୨୨ ପରୀକ୍ଷା କରିବାରେ ଆମେରିକାର ରେକର୍ଡ ରହିଛି। ତେବେ ପ୍ରତି ଦଶ ଲକ୍ଷ ଜଣ ସଂଖ୍ୟାରେ ସର୍ବାଧିକ ପରୀକ୍ଷା କରିବାର ରେକର୍ଡ ୟୁଏଇ ବା ଆରବ ଏମିରେଟ୍ସ ପାଖରେ ରହିଛି। ଦଶ ଲକ୍ଷ ଜନସଙ୍ଖ୍ୟାର ୫,୨୭,୧୪୨ ପରୀକ୍ଷା ଏକ ବିରଳ ରେକର୍ଡ। ଦେଶର ୧୦୦ ରୁ ୫୨ ଜଣଙ୍କର ପରୀକ୍ଷା ସେଠାରେ ସମ୍ଭବ ହୋଇଛି। ଆରବ ପରେ ବାହାରିନ ୪,୯୮, ୫୬୮ ପରୀକ୍ଷା କରିଛି। ଋଷିଆର ପରୀକ୍ଷଣ ସଂଖ୍ୟା ମଧ୍ୟ ଆମେରିକା ଠୁ ଅଧିକ। ଋଷିଆ ପ୍ରତି ଦଶ ଲକ୍ଷ ଲୋକରେ ୨,୦୦୦, ୯୪ ପରୀକ୍ଷା କରୁଛି। ଅଧିକ ପରୀକ୍ଷା କରୁଥିବା ଆରବ ଦେଶ ସମୂହ, ୟୁରୋପ ଏବଂ ଋଷିଆରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆମେରିକା ତୁଳନାରେ ଯଥେଷ୍ଟ କମ। ଆମେରିକାରେ ମୃତ୍ୟୁହାର ୩.୨୬ ହୋଇଥିବା ବେଳେ ଋଷିଆରେ ଏହା ମାତ୍ର ୧.୬୬%। ତେଣୁ ଡାଟା କୁ ନେଇ ଅଯଥାରେ ଛାତି ବାଡେଇ ହେବାର କୌଣସି ବିଶେଷ କାରଣ ନାହିଁ।

ତେବେ ଆମେରିକା ଓ ଋଷିଆ ଭଳି ଦେଶରେ ଡାଟା ବା ତଥ୍ୟକୁ ନେଇ ବିତର୍କ ଚାଲିଛି। ଭାରତରେ ତଥ୍ୟକୁ ନେଇ ବିତର୍କ କରିବା ଆମେ ଭୁଲିଯାଇଛୁ। ଆମେ ସବୁ ସରକାରୀ ତଥ୍ୟକୁ ମୁଣ୍ଡପାତି ଗ୍ରହଣ କରିନେବାକୁ ପ୍ରସ୍ତୁତ। ବର୍ତ୍ତମାନ ଭାରତ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ସବୁଠୁ ଆଗରେ ରହିଛି। ସର୍ବମୋଟ ସଂଖ୍ୟା ଦୃଷ୍ଟିରୁ ଆମ ଉପରେ ଆମେରିକା ଓ ବ୍ରାଜିଲ ରହିଥିଲେ ମଧ୍ୟ, ଗତ ତିନି ଦିନ ଧରି ପୃଥିବୀର ସର୍ବାଧିକ ସଂକ୍ରମିତ ଭାରତରୁ ବାହାରୁଛନ୍ତି। ଆମର ମୃତ୍ୟୁ ସଂଖ୍ୟା ପ୍ରାୟ ୪୦ ହଜାର ରେ ପହଞ୍ଚିଲାଣି। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବ। ଦୈନିକ ୫୦ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଥିଲେ ମଧ୍ୟ ଆମର ପରୀକ୍ଷା ବ୍ୟବସ୍ଥା ଆଜି ମଧ୍ୟ ଅତ୍ୟନ୍ତ ଦୁର୍ବଳ। ଗତକାଲି ଦେଶରେ ୬,୬୧,୮୯୨ ପରୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସପ୍ତାହେ ତଳୁ ଦୈନିକ ୧୦ ଲକ୍ଷ ପରୀକ୍ଷା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବର୍ତ୍ତମାନ ସ୍ଥିତିରେ ଦୈନିକ ୧୦ଲକ୍ଷ ପରୀକ୍ଷାରେ ପହଞ୍ଚିବାକୁ ଆମକୁ ଆହୁରି ଦୁଇ ସପ୍ତାହ ଲାଗିବ। ଶହେ ଲୋକରେ ଆଜି ମଧ୍ୟ ଆମେ ୧.୫ ଲୋକଙ୍କର ପରୀକ୍ଷା କରୁଛୁ। ତା ସତ୍ତ୍ୱେ ଆମର ସଙ୍କ୍ରମିତଙ୍କ ସଂଖ୍ୟା ପୃଥିବୀର ଏକ ନମ୍ବର।

ସଙ୍କ୍ରମିତଙ୍କ ସଂଖ୍ୟାକୁ ଦେଖି ଦେଶରେ ବହୁ ଅଧିକ ପରୀକ୍ଷା ହେବା ଜରୁରୀ। ଏ ପ୍ରକାର ହାରରେ ସଂକ୍ରମଣ ବଢିଲେ ବହୁ ଲୋକ ବିନା ପରୀକ୍ଷାରେ ସଂକ୍ରମଣ ବଢାଇ ଚାଲିବେ ଓ ଏମିତି ଅନେକ ଲୋକ ମୃତ୍ୟୁ ବରଣ କରିବେ ଯାହାର କୌଣସି ହିସାବ ରଖିବା ସମ୍ଭବ ହେବନାହିଁ। ସବୁଠୁ ବଡ ସଙ୍କଟ ହେଉଛି, ଭାରତରେ କୋଭିଡ ତଥ୍ୟକୁ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିବାର ସାହସ ବା ଅଧିକାର ଲୋକଙ୍କ ପାଖରେ ନାହିଁ। ଅନ୍ତତଃ ରାଷ୍ଟ୍ରପତି ଟ୍ରମ୍ଫ ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ନିଜର ପକ୍ଷ ରଖୁଛନ୍ତି। ସମାଲୋଚନାର ସାମ୍ନା କରୁଛନ୍ତି। ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଏକ ପାଖିଆ ଭାଷଣ ଦେଇ ଚାଲିଛନ୍ତି। ପ୍ରତି ଦଶ ଲକ୍ଷ ଲୋକଙ୍କ ମଧ୍ୟରୁ ମାତ୍ର ୧୫ ହଜାର ଲୋକଙ୍କର ପରୀକ୍ଷା କରିବାର ଅର୍ଥ ହେଉଛି, ମହାମାରୀ ଲାଗି ଖୋଲା ମଇଦାନ ତିଆରି କରିବା। ବିନା ପରୀକ୍ଷାରେ “ଲକ ଡାଉନ” ବା “ଅନଲକ” ର କିଛି ଅର୍ଥ ନାହିଁ। ଭାରତର ବିଭିନ୍ନ ରାଜ୍ୟଗୁଡିକ ଭିତରୁ ଦିଲ୍ଲୀ ସର୍ବାଧିକ ୫୪,୧୯୪ (ଦଶ ଲକ୍ଷ ଅନୁପାତରେ) , ପରୀକ୍ଷା କରିଛି। ବାକି ରାଜ୍ୟ ଗୁଡିକ ଏବେ ମଧ୍ୟ ୧୦ ରୁ ୨୦ ହଜାର ଭିତରେ ରହିଛନ୍ତି। ଦେଶର ସବୁଠୁ ଜନ ବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ୧୧,୬୬୦, ବିହାରରେ ମାତ୍ର ୫୪୨୯, ପଶ୍ଚିମ ବଙ୍ଗରେ ୯୮୭୨ ଓ ମଧ୍ୟପ୍ରଦେଶରେ ୯୮୭୮ ପରୀକ୍ଷା ହେଉଛି। ଦେଶର ଅଧାରୁ ଅଧିକ ଲୋକ ଏହି ସବୁ ରାଜ୍ୟରେ ବସବାସ କରନ୍ତି।

ବିନା ପରୀକ୍ଷାରେ “ଡାଟା ଗେମ” ଖେଳୁଥିବା ଆମର ରାଜନେତାମାନେ କୋଟି କୋଟି ଭାରତୀୟଙ୍କର ଜୀବନ ସହିତ ଖେଳ ଖେଳି ଚାଲିଛନ୍ତି। ପୃଥିବୀର ସର୍ବ ବୃହତ ଗଣତନ୍ତ୍ରରେ ଏ ପ୍ରକାର ତଥଯର ହେରାଫେରିକୁ ନେଇ ଗଣମାଧ୍ୟମ ମଧ୍ୟ ମୁହଁ ରେ ତୁଣ୍ଡି ବାନ୍ଧି ବସିଛି।

Categories
ବିଶେଷ ଖବର

ଖଣି କମ୍ପାନୀ ଖାଇଗଲେ ବୋଲି ଶାହା କମିଶନ କହିଥିଲେ, ହେଲେ ସୁପ୍ରିମ କୋର୍ଟଙ୍କ ସ୍ଵତନ୍ତ୍ର କମିଟି କହିଲେ-ସବୁ ଠିକ ଅଛି 

କେଦାର ମିଶ୍ର 

ଖଣି ଦୁର୍ନୀତି ବିଷୟରେ ଓଡିଆରେ ଲେଖା ହୋଇଥିବା ଶେଷ ଖବର ଆପଣମାନଙ୍କର ମନେ ଅଛି କି? ଏହାର ଉତ୍ତରରେ ଅବଶ୍ୟ କହିହେବ, ଖଣି ଦୁର୍ନୀତି ବୋଲି ସତରେ କିଛି ଅଛି କି? ୨୨, ନଭେମ୍ବର, ୨୦୧୦ ରେ କେନ୍ଦ୍ର ସରକାର ଦେଶର ଓଡିଶା ଓ ଗୋଆ ଭଳି ରାଜ୍ୟରେ ବ୍ୟାପକ ଖଣି ଦୁର୍ନୀତିର ତଦନ୍ତ କରିବା ଲାଗି ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏମ.ବି.ଶାହାଙ୍କ ଅଧ୍ୟକ୍ଷତାରେ ଏକ କମିଶନ ଗଠନ କରିଥିଲେ। ଶାହା କମିଶନ ନିଜର ବ୍ୟାପକ ଅନୁସନ୍ଧାନ ପରେ ୪୮ଟି ଖଣି କମ୍ପାନୀର ବେଆଇନ ଖଣି ଖନନ ଓ ପରିବେଶ ଆଇନର ଉଲ୍ଲଙ୍ଘନ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିଥିଲେ। ଶାହା କମିଶନଙ୍କ ସୁପାରିଶ ଦୀର୍ଘ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିକି ରହିବା ପରେ ଏବେ ଏହା ଅକାମୀ ହୋଇ ପଡିଛି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ବିଚାରପତି ଜି.ଏସ.ସିଙ୍ଘଭି ଓ ଅନିଲ ଆର ଦବେଙ୍କୁ ନେଇ ଗଠିତ ଏକ କମିଟି ଓଡିଶାରେ ଖନନ କରୁଥିବା ପ୍ରାୟ ସବୁ ବଡ ଖଣି କମ୍ପାନୀ ଗୁଡିକୁ ଶାହା କମିଶନ କରିଥିବା ଅଭିଯୋଗରୁ ମୁକ୍ତ କରିଛନ୍ତି। ଗତ ଅକ୍ଟୋବର ୪ ତାରିଖ ଦିନ ସୁପ୍ରିମ କୋର୍ଟ ଓଡିଶାରେ ନିଜର ଖଣି ଖୋଲିପାରିବ ବୋଲି ଇସେଲ କମ୍ପାନୀକୁ ଅନୁମତି ଦେଇଥିଲେ। ଏହି ନିର୍ଦ୍ଦେଶରେ ଜଷ୍ଟିସ ସିଙ୍ଘଭି ଓ ଜଷ୍ଟିସ ଦବେ ଙ୍କ ରିପୋର୍ଟ ଆସିଲାପରେ ଏହାର ସମୀକ୍ଷା କରାଯିବ ବୋଲି କୁହାଯାଇଥିଲା। ଇତି ମଧ୍ୟରେ ସୁପ୍ରିମ କୋର୍ଟଙ୍କ ପାଖରେ କମିଟିର ରିପୋର୍ଟ ଦାଖଲ ହୋଇଛି ଓ ରାଜ୍ୟରେ ବେଆଇନ ଖଣି ଖୋଲିବା ଲାଗି ଅଭିଯୁକ୍ତ ଥିବା ରୁଙ୍ଗଟା, ଇସେଲ ଓ ସାରଦା ଭଳି କମ୍ପାନୀକୁ ଆଶ୍ଵସ୍ତି ମିଳିଛି।

ଖଣି ଆଇନର ଉଲ୍ଲଂଘନ କରି ସାଓ, ଇନ୍ଦ୍ରାଣୀ ପଟ୍ଟନାୟକ, ଆଲୁୱାଲିଆ ଓ ଶିରାଜୁଦ୍ଦିନ ପ୍ରଭୃତିଙ୍କ ଖଣିର ସବ ଲିଜ ନେଇ କାମ କରୁଥିବା ତ୍ରିବେଣୀ ଆର୍ଥ ମୁଭର୍ସ କମ୍ପାନୀକୁ ମଧ୍ୟ ସୁପ୍ରିମ କୋର୍ଟ ର ବିଶେଷ କମିଟି ଦୋଷମୁକ୍ତ କରିଛନ୍ତି। କମିଟିର ଏହି ରିପୋର୍ଟ ପରେ ଖଣି ଦୁର୍ନୀତି ଏକ ଗାଲୁଗପ ଭଳି ମନେ ହେଉଛି। ୨୦୧୪ ଓ ୨୦୧୯ ନିର୍ବାଚନରେ ଖଣି ଦୁର୍ନୀତି ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ ଏହାକୁ ନେଇ ପରବର୍ତ୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭଲ ବୁଝାମଣା ହୋଇଛି। ସୁପ୍ରିମ କୋର୍ଟଙ୍କ କମିଟି ପାଖରେ ରାଜ୍ୟ ସରକାର ଖଣି ମାଲିକଙ୍କ ସପକ୍ଷରେ ଯୁକ୍ତି ରଖିଥିଲେ। ସୁପ୍ରିମ କୋର୍ଟ ରାଜ୍ୟ ସରକାରଙ୍କ ମତକୁ ସ୍ଵୀକାର କରି ସମସ୍ତ କମ୍ପାନୀଙ୍କୁ ଦୋଷ ମୁକ୍ତ କରିଛନ୍ତି।

ତେବେ ଏହି ଖବର ଓଡିଶାରେ ବିଲକୁଲ ଚର୍ଚ୍ଚକୁ ଆସିନାହିଁ। ସମ୍ବାଦିକଙ୍କୁ ଦେଖି ତାଳି ମାରିଥିବା ଜଣେ ସାଂସଦଙ୍କ ବିରୋଧରେ ତିନି ଦିନ ବ୍ୟାପୀ ଦିନରାତି ଖବର ପରିବେଷଣ କରୁଥିବା ଆମର ଗଣମାଧ୍ୟମ, ରାଜ୍ୟର ସବୁଠୁ ବଡ ଖଣି ଦୁର୍ନୀତିକୁ କେମିତି ପୋତି ଦିଆଗଲା, ସେ ବିଷୟରେ ଧାଡିଟିଏ ମଧ୍ୟ ଲେଖିବାକୁ ଅସମର୍ଥ। ବାସ୍ତବରେ ଖଣି ଆଇନରେ ଥିବା ଜଟିଳ ବ୍ୟବସ୍ଥା, ଖଣିର ପରିବେଶ ଜନିତ ପ୍ରଭାବ ଓ ଖଣି ଦୁର୍ନୀତି, ଏହି ତିନୋଟି ଯାକ ପ୍ରସଙ୍ଗରେ ଓଡିଶାର ଗଣମାଧ୍ୟମ ପ୍ରାୟ ନୀରବ। ଖଣିକୁ ନେଇ ଆମର ଅର୍ଥନୀତି ଓ ଜଣ ଜୀବନର ଏକ ବଡ ଅଂଶ ପ୍ରଭାବିତ ଥିବା ବେଳେ, ଏ ସମ୍ପର୍କିତ ରିପୋର୍ଟ ଆମର ନାହିଁ କହିଲେ ଚଳେ। ଶାହା କମିଶନଙ୍କ ସୁପାରିଶ ଗୁଡିକୁ କେଉଁ ଆଧାରରେ ଅକାମି କରାଗଲା ଓ ରାଜ୍ୟ ସରକାରଙ୍କ ମତ କୁ କେଉଁ ଆଧାରରେ ସୁପ୍ରିମ କୋର୍ଟ ଦ୍ଵାରା ନିଯୁକ୍ତିପ୍ରାପ୍ତ ବିଶେଷ କମିଟି ଗ୍ରହଣ କଲେ,ସେ ସମ୍ପର୍କିତ ଆଲୋଚନା ଆମର ହେବନାହିଁ। ରାଜ୍ୟର ପ୍ରମୁଖ ଖଣି ବ୍ୟବସାୟୀଙ୍କୁ ସୁପ୍ରିମ କୋର୍ଟରୁ ଛାଡ ମିଳିଥିବା ବେଳେ ତିନୋଟି ମାତ୍ର କମ୍ପାନୀର ଲିଜ ନବୀକରଣ ନ କରିବାକୁ କମିଟି ସୁପାରିଶ କରିଛନ୍ତି।

ଖଣି ସମ୍ପର୍କରେ ଏବେ ଆଉ ଏକ ତଥ୍ୟ ମଧ୍ୟ ବେଶ ଆଲୋଚିତ ହେଉଛି। ପ୍ରାୟ ଖଣି ଲିଜଧାରୀଙ୍କ ସମୟସୀମା ୨୦୧୯ରେ ସରୁଛି। ଚଳିତ ବର୍ଷ ଅନେକ ନୂଆ ନିଲାମ ଡକାଯିବ।  ସେଥିଲାଗି କେନ୍ଦ୍ର ସରକାରର କେତେଜଣ ପ୍ରଭାବୀ ମନ୍ତ୍ରୀଙ୍କ ପୁଅ ଓ ପରିବାର ଏବେ ଓଡିଶାରେ ଡେରା ପକାଇବାର ଖବର ଶୁଣିବାକୁ ମିଳୁଛି। ବିଜେପି-ବିଜେଡି ଭିତରେ ସୁସମ୍ପର୍କର ଅସଲ ରାଜନୈତିକ ଗୁମର ସେଇଠି ରହିଛି ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ତେବେ ଏ ସମ୍ପର୍କରେ କେହି ପାଟି ଫିଟାଇବାକୁ ନାରାଜ। ଏ ସମ୍ପର୍କିତ ଖବର ବିଷୟରେ ଗଣମାଧ୍ୟମର ପାଟି ମଧ୍ୟ ଚୁପ। ରାଜ୍ୟର କେତେକ ମୁଖ୍ୟ ଖବର କାଗଜ ଟେଲିଭିଜନ ଚାନେଲ ସହିତ ଖଣି କମ୍ପାନୀମାନଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପର୍କ ରହିଛି। ତେଣୁ ଏ ପ୍ରସଙ୍ଗରେ କିଛି ଖବର କେଉଁଠି ବାହାରିବାର ସମ୍ଭାବନା ନାହିଁ। ରାଜ୍ୟର ତିନୋଟି ପ୍ରମୁଖ ରାଜନୈତିକ ଦଳ ପଛରେ ମଧ୍ୟ ଖଣି ଲବିର ବ୍ୟାପକ ପ୍ରଭାବ ରହିଛି। ଅତଏବ, ଏକଥା କେହି କହିବେ ନାହିଁ, କି କହିଲେ ମଧ୍ୟ ଶୁଣିବେ ନାହିଁ।

Categories
ବିଶେଷ ଖବର

ରାମନାମର ରାଜନୀତି, ରାମକଥାର ଆଇନ ଓ ରାମଙ୍କ ନାଁରେ ବିଷ ବାଣ୍ଟୁଥିବା ଗଣମାଧ୍ୟମ

କେଦାର ମିଶ୍ର

କେବେବି କୌଣସି ମୁହୂର୍ତ୍ତରେ ରାମ ଜନ୍ମଭୂମି ମାମଲାର ଚୂଡାନ୍ତ ରାୟ ସୁପ୍ରିମ କୋର୍ଟ ପ୍ରକାଶ କରିବେ। ଆସନ୍ତା ୧୮ ନଭେମ୍ବରରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବ। ଭାରତ ଇତିହାସରେ ଏକ ରାୟ ପ୍ରକାଶ ପାଇବା ପୂର୍ବରୁ ଏହା ଆମ ସପକ୍ଷରେ ଯିବ ବୋଲି ବହୁ ବିଜେପି ନେତା ଓ ସଂଘ ପରିବାରର ସଦସ୍ୟ ଖୋଲାଖୋଲି କହି ସାରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଆଇନ କଣ କରିବ ତାହା ରାୟ ପ୍ରକାଶ ପାଇଲା ପରେ ଜଣାପଡିବ, ହେଲେ ଏହାଯେ ବିଜେପିର ରାଜନୀତି ଲାଗି ଏକ ଉର୍ବର ଭୂମି ତିଆରି କରିବ, ଏଥିରେ ସନ୍ଦେହ ନାହିଁ। ସପକ୍ଷରେ ଗଲେ ଏହା ବିଜେପିର ସଫଳତା ଓ ବିପକ୍ଷରେ ଗଲେ ଏହା ହିନ୍ଦୁଙ୍କ ବିରୋଧରେ ଷଡଯନ୍ତ୍ର ବୋଲି କହି ବିଜେପି ତାର ରାଜନୀତି ଅବ୍ୟାହତ ରଖିବ। ଏ ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ଅତ୍ୟନ୍ତ ବିଷାକ୍ତ ଓ ଉତ୍ତେଜନା ସୃଷ୍ଟିକାରୀ ପରିବେଶ ସୃଷ୍ଟି କରି ଚାଲିଛନ୍ତି। “ରାମ ହମାରେ, ଜନ୍ମଭୂମି ହମାରେ-ମସଜିଦ ବାଲେ କାହାଁ ସେ ପଧାରେ” ଭଳି ଅତ୍ୟନ୍ତ ଜଘନ୍ୟ ଶିରୋନାମାରେ ଗଣମାଧ୍ୟମ ବିଷ ବୁଣି ଚାଲିଛି।

ଗତ ତିରିଶ ବର୍ଷ ଧରି ରାମ ଓ ରାମ ମନ୍ଦିର ନାଁ ରେ କେତେ ଯେ ହତ୍ୟା, ରକ୍ତପାତ, ଦଙ୍ଗା ଓ ଗଣହତ୍ୟା ଘଟିଛି, ତାହାର ହିସାବ ଦେଇ ହେବନାହିଁ।ଖଣ୍ଡେ ଭୂମିର ଅଧିକାର ଲାଗି ହଜାର ହଜାର ଲୋକ ହିଂସାର ଶିକାର ହୋଇଛନ୍ତି। ଅଶୀ ଦଶକରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାର ପ୍ରତିଶ୍ରୁତି ଦେଇ ସଂଘ ପରିବାର ଓ ବିଜେପି ଦେଶ ସାରା ଅନେକ ଉତ୍ତେଜନା ସୃଷ୍ଟି କରି ଆସୁଛନ୍ତି। ୬, ଡିସେମ୍ବର, ୧୯୯୨ ରେ ବାବ୍ରୀ ମସଜିଦ କୁ ଭାଙ୍ଗିଦେଇ ସାରା ଦେଶରେ ରକ୍ତର ବନ୍ୟା ବୁହା ଯାଇଛି। ସେଇ ରାମମନ୍ଦିର କୁ ଆଳ କରି ୨୦୦୨ ରେ ଗୁଜରାଟ ଦଙ୍ଗା ହୋଇଛି ଓ ସେଥିରେ ହଜାର ସଂଖ୍ୟକ ଭାରତୀୟ ମୃତ୍ୟୁ ବରଣ କରିଛନ୍ତି। ରାମଶିଳା ପୂଜନ, କରସେବା, ଭୂମି ପୂଜା ଭଳି ବିଭିନ୍ନ ନାମ ନେଇ ରାମ ମନ୍ଦିର ରାଜନୀତିକୁ ଉଜ୍ଜୀବିତ ରଖାଯାଇଛି।

ତେବେ ସବୁଠୁ ବଡ କଥା ହେଉଛି, ରାମ ମନ୍ଦିରର ଦୁହାଇ ଦେଇ ବିଜେପି ପାଞ୍ଚ ଥର ସରକାର ଗଠନ କରିଛି। ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ବରେ ତିନିଥର ଓ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦୁଇ ଥର ସରକାର ଗଢି ସାରିଥିବା ବିଜେପି, ସରକାରରେ ଥିବାବେଳେ କଦାପି ଏ ବିଷୟରେ ଚିନ୍ତା କରିନାହିଁ। ଚତୁରତାର ସହିତ ଏହାକୁ ପରିଶେଷରେ ସୁପ୍ରିମ କୋର୍ଟଙ୍କ ବିଚାର ଉପରେ ଛାଡି ଦିଆ ଯାଇଛି।

ଗତ ସତୁରୀ ବର୍ଷ ଧରି ଏକ ଜମିଜମା ମାମଲା ଭାବରେ ଏହାର ବିଚାର ବିଭିନ୍ନ ଅଦାଲତରେ ଚାଲିଛି। ଆଲାହାବାଦ ହାଇକୋର୍ଟ ତଥାକଥିତ ରାମ ମନ୍ଦିର ଜମିକୁ ତିନି ଭାଗରେ ବାଣ୍ଟି ଦେଇଛନ୍ତି। ସେ ରାୟ ବିରୋଧରେ ଏବେ ସୁପ୍ରିମ କୋର୍ଟ ରେ ମାମଲା ଚାଲିଛି। ପରିଶେଷରେ ଏହି ମାମଲାର ରାୟ ପ୍ରକାଶ ପାଇବାକୁ ଯାଉଛି ଓ ଏହାର ପ୍ରତିକ୍ରିୟାରେ କଣ ହେବ, ତାକୁ ନେଇ ଭୟ ଓ ଆଶଙ୍କାରେ ସାରା ଦେଶ ରହିଛି।

ଭାରତର ସଂଖ୍ୟାଧିକ ହିନ୍ଦୁ ବିଶ୍ଵାସ କରନ୍ତି- ଘଟ ଘଟ ମେ ବସେ ହୈ ରାମ। ପ୍ରତି ଜୀବ ଭିତରେ ରାମଙ୍କ ମନ୍ଦିର ଅଛି। ପ୍ରତି ମଣିଷ ରାମଙ୍କ ଅଂଶ ବୋଲି ଯିଏ ବିଶ୍ଵାସ କରେ ସେ ମନ୍ଦିର ନାଁ ରେ ମଣିଷ ମାରିବାର ରାଜନୀତିକୁ ସମର୍ଥନ କରିବ କାହିଁକି? ରାମ ମନ୍ଦିର ପ୍ରସଙ୍ଗ ଉଠିଲେ, ଏ ଦେଶର ହୃତକମ୍ପନ ବଢିଯାଏ। ଲୋକ ପୁଣି ଆତଙ୍କିତ ହୋଇପଡନ୍ତି। ପୁଣି ରକ୍ତପାତ ଓ ହିଂସା ର ଭୟ ଲୋକଙ୍କ ଛାତି ଥରାଏ। ବୋଧହୁଏ ବିଜେପି ସେୟା ଚାହୁଁଛି। ଭୟ ଓ ଆତଙ୍କ ଭିତରେ ସମାଜ ବିଭାଜିତ ହୋଇ ରହୁ। ଭାବାବେଗ ନାଁ ରେ ଲୋକଙ୍କୁ ବିଭାଜିତ କରାଯାଉ। ହିନ୍ଦୁ ଧର୍ମର ବିବିଧତା ଓ ସହିଷ୍ଣୁତା କୁ ଧ୍ଵଂସ କରାଯାଉ।

ଯିଏ ସବୁଠୁ ରମଣୀୟ ବା ସୁନ୍ଦର ସେ ରାମ। ଜଗତ ଓ ଜଗତ ବାହାରର ସବୁ ସୌନ୍ଦର୍ଯ୍ଯ ର କାରଣ ବୋଲି ତାଙ୍କୁ କୁହାଯାଇଛି। ସେ ରାମ ଯଦି ହିଂସା ଓ ରକ୍ତପାତର କାରଣ ହୁଅନ୍ତି, ତାହେଲେ ସେଥିରେ ରାମ ତତ୍ତ୍ଵ ର ଅମର୍ଯ୍ଯଦା ହେବନାହିଁ କି? ସକଳ ସୌନ୍ଦର୍ଯ୍ଯ ର ମହାନାୟକ ରାମଙ୍କୁ ହିଂସାର ବାହକ ଭାବରେ ରାଜନୀତିରେ ବ୍ୟବହାର କରିବାର ଏ ଅପଚେଷ୍ଟା ବିରୋଧରେ ଉଦାରପନ୍ଥୀ ହିନ୍ଦୁ ମାନଙ୍କୁ ଠିଆ ହେବାକୁ ପଡିବ। ରାମମନ୍ଦିର ରାୟ ର ପକ୍ଷ ବା ପ୍ରତିପକ୍ଷ କେହି ନୁହନ୍ତି। ଏହା କେବଳ ଏକ ଜମି ବିବାଦ ମାମଲା ଓ ଏହାକୁ ନେଇ ସାମ୍ପ୍ରଦାୟିକ ବିଭାଜନର ସବୁ ପ୍ରକାର ରାଜନୀତିକୁ ପ୍ରତିହତ କରିବାର ଗୁରୁ ଦାୟିତ୍ଵ ଆମ ସମସ୍ତଙ୍କର ରହିଛି।

 

Categories
ବିଶେଷ ଖବର

ସମ୍ବେଦନା ଓ ମାନବୀୟ ମୂଲ୍ୟବୋଧ ନ ରହିଲେ “ମୋ ସରକାର” ର କୌଣସି ମୂଲ୍ୟ ନାହିଁ

କେଦାର ମିଶ୍ର

ଓଡିଶା ସରକାରଙ୍କର ଅତ୍ୟନ୍ତ ଉଚ୍ଚାଭିଳାଷୀ ଯୋଜନା “ମୋ ସରକାର’’ କୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। ଏହା ସହିତ ଫାଇଭ ଟି, ଯଥା-ସାମୁହିକ ଦାୟିତ୍ଵ(ଟିମ ୱାର୍କ),  ସମୟସୀମା (ଟାଇମ ଲିମିଟ), ଟେକ୍ନୋଲୋଜି, ସ୍ବଚ୍ଛତା (ଟ୍ରାଂସପେରେନ୍ସି) ଓ ପରିବର୍ତ୍ତନ (ଟ୍ରାନ୍ସଫର୍ମେସନ)କୁ ସରକାରର ମନ୍ତ୍ର ଭାବରେ ଗ୍ରହଣ କରିବାକୁ କୁହା ଯାଇଛି। ଏହି ଲକ୍ଷ୍ୟ ସାଧନ ଲାଗି ସରକାରର ସବୁଠୁ ପ୍ରଭାବଶାଳୀ ଅଧିକାରୀ ଭି. କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵତନ୍ତ୍ର ଦାୟିତ୍ଵ ଦିଆ ଯାଇଛି। ମୁଖ୍ୟ ଶାସନ ସଚିବଙ୍କଠୁ ଆରମ୍ଭ କରି ଜିଲାପାଳ ପର୍ଯ୍ୟନ୍ତ ସବୁ ବଡ ବଡ ଅଧିକାରୀ ଏହି କାମରେ ଲାଗିଛନ୍ତି। ଏହି ବିଭାଗ ଦାୟିତ୍ବରେ ଥିବା ଶାସନ ସଚିବ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ଜିଲା ଗସ୍ତ କରି ଏହି ଯୋଜନାର ତଦାରଖ କରୁଛନ୍ତି। ଅନ୍ତତଃ ସରକାରୀ ଭାବରେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହେଉଛି। ଦାୟିତ୍ବରେ ଖିଲାପ କରୁଥିବା ଅଧିକାରୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଅନ୍ତତଃ ପ୍ରାଥମିକ ସ୍ତରରେ “ମୋ ସରକାର”କୁ ନେଇ ଓଡିଶା ସରକାର ଯେ ଅତ୍ୟନ୍ତ ଗମ୍ଭୀର  ଅଛନ୍ତି, ତାହା ପ୍ରମାଣିତ ହେଉଛି। ହେଲେ ଏତେ ସବୁ ସତର୍କତା ଭିତରେ ଏହାର ବିପରୀତ କିଛି ଚିତ୍ର ଓ ଖବର ମଧ୍ୟ ଆସୁଛି। ଆମ୍ବୁଲାନ୍ସ ରୋଗୀ ନେଇ ଆସିବା ବେଳେ ବାଟରେ ତେଲ ସରିଯାଉଛି, ଯାହା ଫଳରେ ରୋଗୀ ରାସ୍ତାରେ ମୃତ୍ୟୁ ବରଣ କରୁଛନ୍ତି। ଖୋଦ ରାଜଧାନୀ ଭୁବନେଶ୍ବରରେ ଡାକ୍ତରଖାନାରେ କୌଣସି ସହାୟତା ନ ପାଇ ଜଣେ ଗରିବ ମହିଳା ରାସ୍ତା କଡରେ ଛୁଆ ଜନ୍ମ କରୁଛନ୍ତି। ଏ ପ୍ରକାର ଖବର ରାଜ୍ୟ ସରକାରଙ୍କ ସବୁ ଭଲ ଉଦ୍ଦେଶ୍ୟକୁ ପାଣି ଫଟେଇ ଦେଉଛି।

ଗତ ଶୁକ୍ରବାର ଦିନ ସାଲିଆ ସାହିର ଜଣେ ଗର୍ଭବତୀ ମହିଳା ଭୁବନେଶ୍ୱର ସ୍ଥିତ ରାଜଧାନୀ ଡାକ୍ତରଖାନାକୁ ଆସିଥିଲେ। ହେଲେ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ସହାୟତା ମିଳିନଥିଲା। ଡାକ୍ତରଖାନାରୁ ଫେରୁଥିବା ବେଳେ ସେ ଡାକ୍ତରଖାନା ପରିସରରେ ରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଏହି ଘଟଣାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବେଲୁନରୁ ସବୁ ପବନ ଫୁସ ହୋଇ ଯାଇଛି। ଖୋଦ ରାଜଧାନୀରେ ଯଦି ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ଆମର ସରକାରୀ ଡାକ୍ତରଖାନା ଗୁଡିକ ଅକ୍ଷମ, ତାହେଲେ ଦୁର୍ଗମ ଅଞ୍ଚଳରେ ସ୍ଥିତି ଏହାଠୁ ଖରାପ ଥିବ ନିଶ୍ଚୟ। ରାଜଧାନୀ ଡାକ୍ତରଖାନାରେ ପ୍ରସୂତି ଓ ମାତୃ ମଙ୍ଗଳ ବିଭାଗର ଅବ୍ୟବସ୍ଥାକୁ ନେଇ ଆଗରୁ ଅନେକ ରିପୋର୍ଟ ବାହାରିଛି। ଅନେକ ସମୟରେ ଡାକ୍ତର ଓ ଡାକ୍ତରଖାନା କର୍ମଚାରୀଙ୍କ ଅପବ୍ୟବହାରକୁ ନେଇ ଅଭିଯୋଗ ମଧ୍ୟ ଆସିଛି। ହେଲେ ଏହାର ସମାଧାନ ସମ୍ଭବ ହୋଇ ପାରୁନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ଡାକ୍ତରଖାନା ଗୁଡିକରେ ଆବଶ୍ୟକୀୟ ଭିତ୍ତିଭୂମି ଓ ଲୋକ ବଳର ଅଭାବ ରହିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ପାରା ମେଡିକାଲ କର୍ମଚାରୀ ନଥିବାରୁ ଅଳ୍ପ କେତେଜଣ ଡାକ୍ତରଙ୍କ ଉପରେ ପ୍ରବଳ ମାନସିକ ବୋଝ ବଢୁଛି। ଏହାର ପ୍ରଭାବ ଡାକ୍ତରଙ୍କ ଆଚରଣ ଓ ବ୍ୟବହାର ଉପରେ ପଡୁଛି। ହେଲେ ଏହା ମୌଳିକ ସ୍ୱାସ୍ଥ୍ୟ ସେବାରୁ ଲୋକଙ୍କୁ ବଞ୍ଚିତ କରିବାର ଏକ କାରଣ ହୋଇ ନପାରେ। ଯେତିକି ଭିତ୍ତିଭୂମି ଓ ଲୋକବଳ ଅଛି ତାର ସଠିକ ପରିଚାଳନା ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇଯିବ।

ତେବେ ଏହାର ସଠିକ ପରିଚାଳନା ଓ ସରକାରୀ ଅନୁଷ୍ଠାନଗୁଡିକରେ ଲୋକଙ୍କୁ ମାନବୀୟ ବ୍ୟବହାର ଦେଖାଇବାର ଦାୟିତ୍ଵ ସଚିବାଳୟରୁ ତୁଲାଇହେବ କି? ଥାନା, ଡାକ୍ତରଖାନା, ବ୍ଲକ ଓ ତହସିଲ ଅଫିସ ଭଳି ଲୋକଙ୍କ ଗତାଗତ ରହୁଥିବା ଅଫିସ ଗୁଡିକରେ କର୍ମଚାରୀମାନେ ଲୋକଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରୁଛନ୍ତି କି? ଏହାର ସିଧା ଉତ୍ତର ହେବ-ନା। ଏବେ ମଧ୍ୟ ସରକାରୀ ଅଫିସ ଗୁଡିକ “ଜୀ ହଜୁର” ଅମଳର ମାନସିକତା ନେଇ ଚାଲିଛନ୍ତି। ଏହାକୁ ବଦଳାଇବା “ମୋ ସରକାର”ପାଇଁ ସବୁଠୁ ବଡ ଆହ୍ଵାନ। ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଫାଇବ ଟି ଆଧାରରେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ଲାଗି, ତଳସ୍ତରରେ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି।

କୌଣସି ଅଧିକାରୀ ବା ସରକାରୀ ଅନୁଷ୍ଠାନ ଚାହିଁଲେ ରାତାରାତି ଶାସନ ବ୍ୟବସ୍ଥା ବଦଳି ଯିବନାହିଁ। ଏଥି ପାଇଁ  ଦୃଶ୍ୟ ଓ ଅଦୃଶ୍ୟ- ଦୁଇ ସ୍ତରରେ ସତର୍କତାର ଆବଶ୍ୟକତା ରହିଛି। ଉପରସ୍ତରର ଅଧିକାରୀଙ୍କ ଗସ୍ତ ସହିତ ସ୍ଵାଧୀନ ଭାବରେ କାମ କରୁଥିବା ନାଗରିକମାନଙ୍କ ଠାରୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଛି। “ମୋ ସରକାର” ବ୍ୟବସ୍ଥାରେ ସ୍ଵାଧୀନ ଓ ନିରପେକ୍ଷ ପ୍ରସ୍ତାବ ପାଇବାକୁ ରାଜ୍ୟ ସରକାର ଏକ “ନାଗରିକ କମିଶନ ବା କମିଟି” କଥା ଚିନ୍ତା କରି ପାରନ୍ତି। ସେହିପରି ସୋସିଆଲ ମିଡିଆ ଓ ଗଣମାଧ୍ୟମ ଜରିଆରେ ବାସ୍ତବ ସ୍ଥିତି ପରଖିବାକୁ ଏକ ସ୍ଵତନ୍ତ୍ର ବୈଷୟିକ ବ୍ୟବସ୍ଥା ତିଆରି କରିବା ଜରୁରୀ।

ହୁଏତ ଅଧିକାରୀଙ୍କୁ ଦେଖି ଲୋକେ ସବୁ ଠିକ ଚାଲିଛି ବୋଲି କହି ଦେବେ, କିନ୍ତୁ ତାହା ଏକମାତ୍ର ସତ୍ୟ ନ ହୋଇ ନ ପାରେ। ତେଣୁ ଭିନ୍ନ ସ୍ତରରୁ ଓ ବିବିଧ ଗୋଷ୍ଠୀରୁ ଏ ସଙ୍କ୍ରାନ୍ତରେ ମତାମତ ନେଇ କାମ କରିବା ଜରୁରୀ। ସରକାର ଯେତେ ଭଲ କାମ କଲେ ମଧ୍ୟ ଯଦି ରାଜଧାନୀ ଡାକ୍ତରଖାନାରେ ଗତ ଶୁକ୍ରବାର ଭଳି ଘଟନା ଘଟେ, ତାହେଲେ ସବୁ ତପସ୍ୟା ଶୁଖୁଆ ପୋଡାରେ ହିଁ ଯିବ!!

ପଢନ୍ତୁ-     ଓଡିଶା ଶାସନରେ ‘ଫାଇଭ-ଟି’ ଓ ‘ୱାନ-ପି’ ର ପ୍ରଭାବ