ହାଇଦ୍ରାବାଦ ମ୍ୟୁନିସପାଲଟି ର୍ନିବାଚନରେ ଟିଆରଏସକୁ କଡା ଟକ୍କର ଦେଇ ଦ୍ଵିତୀୟ ସ୍ଥାନରେ ବିଜେପି

Published: Dec 4, 2020, 10:27 pm IST

ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲଟି ର୍ନିବାଚନର ଫଳାଫଳ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ମୋଟ ୧୫୦ ଟି ଆସନ ମଧ୍ୟରୁ ୧୪୬ଟି ଆସନର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଟିଆରଏସ ପ୍ରଥମ ସ୍ଥାନରେ ରହିଥିବା ବେଳେ ବିଜେପି ଦ୍ଵିତୀୟ ଏବଂ ଏଆଇଏମଆଇଏମ ତୃତୀୟ ସ୍ଥାନରେ ରହିଛି। ହେଲେ ଏହି ନିର୍ବାଚନରେ କଂଗ୍ରେସ ପୁଣି ଥରେ ବିଫଳ ହୋଇଛି।

ଏହି ନିର୍ବାଚନ ଫଳାଫଳ ପରେ ଟିଆରଏସ ପ୍ରଥମ ସ୍ଥାନରେ ଥିଲେ ମଧ୍ୟ ସଂଖ୍ୟା ଗରିଷ୍ଠତା କରିବାରେ ଅସଫଳ ହୋଇଛି। ୧୫୦ ଆସନ ବିଶିଷ୍ଠ ଏହି ପୌର ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ପାଇଁ ୭୬ ଟି ଆସନ ଆବଶ୍ୟକତା କରୁଥିବା ବେଳେ ଦଳକୁ ମାତ୍ର ୫୬ ଟି ଆସନ ମିଳିପାରିଛି। ଗତଥର ପୌର ର୍ନିବାଚନରେ ୯୯ ଟି ଆସନ ପାଇଥିବା ଟିଆରଏସ ଦଳକୁ ଏଥର ବଡ କ୍ଷତିର ସାମ୍ନା କରିବାକୁ ପଡିଛି।

ପୂର୍ବ ନିର୍ବାଚନରେ ମାତ୍ର ୪ଟି ଆସନ ଜିତିଥିବା ବିଜେପି ଏହି ନିର୍ବାଚନରେ ୪୮ ଟି ଆସନ ହାସଲ କରିବାରେ ସମର୍ଥ ହୋଇଛି। ସେହିପରି ଏଆଇଏମଆଇଏମ ଦଳ ମାତ୍ର ୫୧ ଟି ଆସନରେ ଲଢି ୪୪ ଟି ଆସନରେ ବିଜୟ ହୋଇଛି। ଏହି ନିର୍ବାଚନରେ ଏଆଇଏମଆଇଏମକୁ ବିଶେଷ କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ବିଜେପିର ଆସନ ସଂଖ୍ୟା ବଢିଥିବାରୁ ବିରୋଧୀଙ୍କୁ ଚିନ୍ତାରେ ପକାଇଛି।

ସେହିପରି କଂଗ୍ରେସକୁ ମାତ୍ର ଦୁଇଟି ଆସନରେ ସନ୍ତୁଷ୍ଟ ରହିବାକୁ ପଡିଛି। ତେବେ କଂଗ୍ରେସର ଏହି ପ୍ରଦର୍ଶନ ପାଇଁ ତେଲେଙ୍ଗନା ପ୍ରଦେଶ କଂଗ୍ରେସ ସଭାପତି ଏନ. ଉତ୍ତମ କୁମାର ରେଡ଼ି ତାଙ୍କ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି।

Related posts