ବାଇଡେନ ସରକାର ପକ୍ଷରୁ ପାକିସ୍ଥାନକୁ ପ୍ରଥମ ଝଟକା: ଇମ୍ରାନ ଖାଁ ଲାଗି ବଢିବ ଚିନ୍ତା

Published: Jan 26, 2021, 2:53 pm IST

ୱାଶିଂଟନ: ଆମେରିକାରେ ନୂତନ ସରକାର ଆସିବା ପରେ ପାକିସ୍ଥାନକୁ ପ୍ରଥମ ଝଟକା ଲାଗିଛି। ଆମେରିକା ଦକ୍ଷିଣ ଏସିଆର ଥିବା ତିନୋଟି ଦେଶ ପାଇଁ ନିଜର ଟ୍ରାଭେଲ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ପାକିସ୍ଥାନକୁ ଯାତ୍ରା କରିବା ବିପଦ ବୋଲି ଦର୍ଶାଯାଇଛି। ଆମେରିକା ନିଜର ନାଗରିକମାନଙ୍କୁ ପାକିସ୍ଥାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନକୁ ଯାତ୍ରା କରିବା ଲାଗି ମନା କରିଦେଇଛି। ଆମେରିକାର ବିଦେଶ ମନ୍ତ୍ରାଳୟ  ଏହି ତିନି ଦେଶ ପାଇଁ ଅଲଗା ଟ୍ରାଭେଲ ଆଡଭାଇଜରୀ ଜାରି କରିଛି।

ଆଡଭାଇଜରୀ ଅନୁଯାୟୀ, କୋଭିଡ଼-୧୯, ଆତଙ୍କବାଦ ଏବଂ ସାମ୍ପ୍ରଦାୟିକ ହିଂସାକୁ ଦେଖି ଆମେରିକା ନାଗରିକାମାନଙ୍କୁ ପାକିସ୍ଥାନକୁ ଯାତ୍ରା ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଆତଙ୍କବାଦ ଏବଂ ଅପହରଣକୁ ଲକ୍ଷ କରି ପାକିସ୍ଥାନର ବଲୁଚିସ୍ଥାନକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ସହିତ ଭାରତ-ପାକିସ୍ଥାନ ସୀମାକୁ ନଯିବା ପାଇଁ କୁହାଯାଇଛି। କାରଣ ସେହି ଅଞ୍ଚଳରେ ଆନ୍ତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି।

ତେବେ ବାଇଡେନ ସରକରା ଆସିବା ପରେ ଆମେରିକା ସହ ସମ୍ପର୍କ ଭଲ ହେବ ବୋଲି ପାକିସ୍ଥାନ ଆଶା କରୁଥିଲା। କିନ୍ତୁ ସେଭଳି କିଛି ପରିବର୍ତ୍ତନ ହେବା ଦେଖା ଯାଉନାହିଁ। ରବିବାର ଦିନ ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ କହିଥିଲେ ଯେ, ବିଗତ ଚାରି ବର୍ଷରେ ପାକିସ୍ଥାନ ବହୁତ ବଦଳି ସାରିଛି ଏବଂ ନୂତନ ପାକିସ୍ଥାନକୁ ଦେଖି ଆମେରିକା ସଂପର୍କ ସ୍ଥାପନ କରିବା ଉଚିତ।

ସେହିପରି ଆମେରିକାର ନୂତନ ପ୍ରତିରକ୍ଷା ମନ୍ତ୍ରୀ ହେବାକୁ ଯାଉଥିବା ଲଡ ଅଷ୍ଟିନ ମଧ୍ୟ ଏକ ବୟାନରେ କହିଛନ୍ତି ଯେ, ପାକିସ୍ଥାଙ୍କୁ ଆତଙ୍କବାଦୀ ଏବଂ କଟ୍ଟରପନ୍ଥୀମାନଙ୍କୁ ସୁରକ୍ଷା ଦେବା ଉଚିତ ନୁହେଁ। ଏହାସହିତ ‘ସିନେଟ ଅର୍ମଡ ସର୍ଭିସେସ କମିଟି’ ର ସମ୍ମୁଖରେ ଅଷ୍ଟିନ କହିଥିଲେ ଯେ, ପାକିସ୍ଥାନ ତାହାର ଜମିକୁ ଆତଙ୍କବାଦୀଙ୍କ ପାଇଁ ବ୍ୟବହାର କରିବା ଉଚିତ ନୁହଁ। ସେ  ପାକିସ୍ଥାନ ଆତଙ୍କବାଦ ସଂଗଠନ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଭାରତ ବିରୋଧରେ ସକ୍ରିୟ ଆତଙ୍କବାଦ ସଂଗଠନ ଲସ୍କର-ଏ-ତୋଏବା ଏବଂ ଜେକ-ଏ-ମହମ୍ମଦ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରୁନଥିବା ଅଷ୍ଟିନ କହିଥିଲେ। ଏହାସହିତ ଭାରତ ସହିତ ସୁରକ୍ଷା ଭାଗୀଦାରୀ ଆମେରିକା ରହିବ ବୋଲି ସେ କହିଥିଲେ।

Related posts