କୋଭାକ୍ସିନକୁ ମିଳିବ ମଞ୍ଜୁରୀ!: ଏହି ସପ୍ତାହରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରିପାରେ ଘୋଷଣା

Published: Sep 13, 2021, 7:46 pm IST

ନୂଆଦିଲ୍ଲୀ: ଏହି ସପ୍ତାହରେ ଭାରତ ବାୟୋଟେକର କରୋନାଭାଇରସ୍ ଟିକା କୋଭାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ମଞ୍ଜୁରୀ ଦେଇପାରେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭାକ୍ସିନ୍ ଟୀକାକୁ ଏପର୍ଯ୍ୟନ୍ତ ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ଦେଇନାହିଁ।

ଏଥିପାଇଁ ଭରତ ବାୟୋଟେକ ଜୁଲାଇ ମାସରେ ଡବ୍ଲୁଏଚଓ ସମ୍ମୁଖରେ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ଦଲିଲ ଏବଂ ତଥ୍ୟ ଉପଲବ୍ଧ କରାଇଥିଲା। ବର୍ତ୍ତମାନ ସୂତ୍ରରୁ ପ୍ରକାଶ ଯେ, ଡବ୍ଲୁଏଚଓ ଏହି ସପ୍ତାହରେ କୋଭାକ୍ସିନ ଟିକାକୁ ଅନୁମତି ଦେଇପାରେ।

ଜରୁରୀକାଳୀନ ବ୍ୟବହାର ପାଇଁ ବୈଷୟିକ ବିଶେଷଜ୍ଞଙ୍କ ଦ୍ଵାରା ଏହି ଟିକା ସମୀକ୍ଷା କରାଯାଉଥିଲା। ଜୁଲାଇ ମାସରେ ଦକ୍ଷିଣ-ପୂର୍ବ ଏସିଆର ଡବ୍ଲୁଏଚଓ ର ଆଞ୍ଚଳିକ ନିର୍ଦ୍ଦେଶକ ଡା. ପୁନମ୍ କ୍ଷେତ୍ରପାଲ ସିଂ କହିଥିଲେ ଯେ, ବୈଷୟିକ ବିଶେଷଜ୍ଞ କମିଟି ଏହି ଡୋଜିୟରର ସମୀକ୍ଷା କରୁଛନ୍ତି।

ସେ କହିଥିଲେ, “ଫାଇଜର, ଆଷ୍ଟ୍ରା ଜେନେକା, ମୋଡର୍ନା, ଜନସନ ଆଣ୍ଡ ଜନସନ, ସିନୋଭାକ ଏବଂ ସିନୋଫାର୍ମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସ୍ଵଦେଶୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ -୧୯ ଟିକା ତୃତୀୟ ପର୍ଯ୍ୟାୟର ପରୀକ୍ଷା ତଥ୍ୟ ଡିସିଜିଆଇ ରେ ଦାଖଲ କରିଥିଲା। ଏହାପୂର୍ବରୁ, ଜାନୁଆରୀ ମାସରେ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ତଥ୍ୟ ଆଧାରରେ ଡିସିଜିଆଇ ଭାରତରେ କୋଭାକ୍ସିନ ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏହି ପରୀକ୍ଷା ଭାରତର ୨୫ଟି ସ୍ଥାନରେ କରାଯାଇଥିଲା।

Related posts