“ନାସା” କୁ ମନୋନୀତ ହେଲେ ଖୋର୍ଦ୍ଧା ଜିଲ୍ଲା ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନରୁ ଦୁଇ ଅନ୍ତେବାସୀ

Published: Apr 11, 2023, 6:31 pm IST

ଖୋର୍ଦ୍ଧା: ୟଙ୍ଗଥିଙ୍କର ଫାଉଣ୍ଡେସନ ହେଉଛି ଏକ ଏନଜିଓ ଯାହାକି ଆମ ଦେଶର ଯୁବ ପ୍ରତିଭାମାନ ପ୍ରସ୍ତୁତି କରୁଛି ଏବଂ ସେମାନଙ୍କୁ ନାସା ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ ୨୦୨୩ରେ ଭାଗ ନେବାକୁ ପ୍ରସ୍ତୁତି କରୁଛି। ଏହି ପ୍ରକ୍ରିୟାରେ ଆମ ଦେଶର ପାଞ୍ଚ ହଜାର ପିଲା ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରୁ ଛଅ ଜଣ ପିଲା ଚୟନ ହୋଇଥିଲେ, ଯେଉଁଥିରେ ତିନି ଜଣ ପିଲା ଓଡିଶାର ଅଟନ୍ତି। ଏହି ତିନି ଜଣଙ୍କ ମଧ୍ୟରୁ ଦୁଇଜଣ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ କଣ୍ଟାବାଡରେ ଥିବା ଆଦୃତ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ ଆକାଂକ୍ଷା, ଯେ କି ସରକାରୀ ଆଇଟିଆଇରେ ବୈଷୟିକ ଶିକ୍ଷା ଗ୍ରହଣ କରୁଥିବା ବେଳେ ଓମ ପାଢି, ଯେ କି ବିଜୁ ପଟ୍ଟନାୟକ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରୁଛନ୍ତି। ଚଳିତ ମାସ ୨୦ ରୁ ୨୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଉପରୋକ୍ତ ଚ୍ୟାଲେଞ୍ଜରେ ଏହି ଦୁଇ ଜଣ ଯୁବ ପ୍ରତିଭା ଭାଗ ନେବେ।

ଏଠାରେ ପ୍ରକାଶ ଥାଉ କି, ଏହି ଚ୍ୟାଲେଞ୍ଜରେ ପୃଥିବୀରେ ୩୦ ଗୋଟି ଦେଶରୁ ୬୧ ଗୋଟି ଦଳ ଭାଗ ନେବେ ବୋଲି ସୂଚନା ମିଳିଛି। ଆଜି ଏହି ଯୁବ ପ୍ରତିଭା ଦ୍ୱୟଙ୍କୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ତାଙ୍କ ପ୍ରକୋଷ୍ଠରେ ପୁଷ୍ପଗୁଚ୍ଛ ପ୍ରଦାନ କରି ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ କୁମାର ବେଉରା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ମଧ୍ୟ ଏହି ପିଲା ଦ୍ଵୟଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ।

Related posts