53ଟି ଦେଶରେ 3,336 ଭାରତୀୟ କରୋନାରେ ସଂକ୍ରମିତ ହୋଇଥିବାବେଳେ 25 ଜଣଙ୍କର ମୃତ୍ୟୁ ହୋଇଛି

Published: Apr 17, 2020, 12:06 pm IST

ନୂଆଦିଲ୍ଲୀ : କରୋନା ଭାଇରସ୍‌ ଯୋଗୁଁ 53ଟି ଦେଶରେ ମୋଟ୍‌ 3,336ଜଣ ଭାରତୀୟ ସଂକ୍ରମିତ ହୋଇଥିବାବେଳେ ବିଦେଶରେ 25ଜଣ ଭାରତୀୟ ମୃତ୍ୟୁ ହୋଇଛି ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।

ବିଦେଶରେ ଫଶି ରହିଥିବା ଭାରତୀୟଙ୍କୁ ସଂଯମ ରଖିବାକୁ  କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ ସ୍ବଦେଶ ଅଣାଯାଉନାହିଁ । ସେହିପରି ଭାରତରେ 55ଟି ଦେଶରେ ବାଣିଜ୍ୟିକ ଆଧାରରେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲରୋକୁଇନ୍‌ ଯୋଗାଇ ଦେବାର ନିଷ୍ପତ୍ତି ନେଇଛି ।

ସେହିପରି ବିଦେଶରୁ ମେଡ଼ିକାଲ ଉପକରଣ ମଗାଇଛି । ଭାରତ ଦକ୍ଷିଣ କୋରିଆ ଓ ଚୀନ୍‌ରୁ କୋଭିଡ-19 ଯାଞ୍ଚ କିଟ୍‌ ଆଣିଥିବାବେଳେ କରୋନା ମହାମାରୀ ସହ ଲଢେଇବ ପାଇଁ ଅନ୍ୟାନ୍ୟ ମେଡିକାଲ ଉପକରଣ ଜର୍ମାନୀ, ଆମେରିକା, ବ୍ରିଟେନ୍‌, ମାଲେସିଆ, ଜାପାନ ଓ ଫ୍ରାନ୍ସଆଦି ଦେଶରୁ ଆଣିବା ନେଇ ବିଚାର କରୁଛି ।

ବିଶ୍ବରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବିଶ୍ବରେ 21 ଲକ୍ଷ ଅଧିକରୁ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା 1.45 ଲକ୍ଷରୁ ଉର୍ଦ୍ଧ୍ବ ରହିଛି । ସେହିପରି 5 ଲକ୍ଷରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି । ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିଛି । ଭାରତରେ 13ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଥିବାବେଳେ 437ଜଣଙ୍କ ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts