ମୁଖକୁ କିପରି ରଖିବେ ସୁସ୍ଥ?: ସୋଆ ବିଶେଷଜ୍ଞଙ୍କ ଠାରୁ ଶିଖନ୍ତୁ ଦାନ୍ତ ଘଷିବାର ସଠିକ୍ ଶୈଳୀ

Published: Feb 26, 2022, 6:08 am IST

ଭୁବନେଶ୍ୱର: ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମ ପଦକ୍ଷେପ। ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍ ଭାବରେ କିଭଳି ଦାନ୍ତ ଘଷାଯାଏ, ତାହା ସେମାନଙ୍କୁ ଜଣାନଥାଏ ବୋଲି ରବିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ଜାତୀୟ ଦାନ୍ତ ଘଷା ଦିବସ ଅବସରରେ ଦନ୍ତ ବିଜ୍ଞାନ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଜଣେ ବ୍ୟକ୍ତି ନିଜର ଟୁଥବ୍ରସ୍‌କୁ ମାଢ଼ି ଉପରେ ୪୫ ଡିଗ୍ରୀରେ ରଖିବା ସହ ଧୀରେ ଧୀରେ ଉପର ତଳ କରି ଘଷିଲେ ଏହାର ପ୍ରଭାବ ଠିକ୍ ଭାବରେ ପଡ଼ିଥାଏ ବୋଲି ସୋଆର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍‌ ସାଇନ୍‌ସେସ୍ (ଆଇଡିଏସ୍‌) ର ବିଶେଷଜ୍ଞମାନେ କହିଛନ୍ତି। ଜାତୀୟ ଦାନ୍ତଘଷା ଦିବସ ପାଳନ ଅବସରରେ ଆଇଡିଏସ୍‌ରେ ଏହି ବିଭାଗରେ ଚିକିତ୍ସା ନିମନ୍ତେ ଆସିଥିବା ପ୍ରାୟ ୩୦୦ ରୋଗୀଙ୍କୁ ଏହା ବୁଝାଇଛନ୍ତି ବିଶେଷଜ୍ଞମାନେ।

ଏହି କାର୍ଯ୍ୟକ୍ରମରେ ପବ୍ଲିକ୍ ହେଲ୍‌ଥ ଡେଂଟିଷ୍ଟ୍ରି ବିଭାଗର ବିଶେଷଜ୍ଞମାନେ ରୋଗୀମାନଙ୍କୁ ଉପଦେଶ ଦେବା ସହ ଚିକିତ୍ସା କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯଦିଓ ମାର୍କେଟରେ ବିଭିନ୍ନ ପ୍ରକାର ଟୁଥ୍‌ପେଷ୍ଟ ଉପଲବ୍ଧ, ପ୍ରତ୍ୟେକ ବ୍ୟକ୍ତି ଦନ୍ତ ଡାକ୍ତରଙ୍କର ପରାମର୍ଶ ନେଇ ଟୁଥ୍‌ପେଷ୍ଟ ବ୍ୟବହାର କରିବା ଉଚିତ୍।

Related posts