ଅଧିକ ଉଚ୍ଚତାରୁ ଖସିବା ସମୟରେ ଜୀବନ ରକ୍ଷା ପାଇଁ ପାରାଚ୍ୟୁଟ୍କୁ ସବୁଠୁ ବଡ଼ ସୁରକ୍ଷା କବଚ ବୋଲି ଭାବିଥାଉ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତିଦିନ ଆକାଶମାର୍ଗରେ ଉଡ଼ୁଥିବା ବ୍ୟବସାୟିକ (କମର୍ସିଆଲ୍) ଏରୋପ୍ଲେନ୍ଗୁଡ଼ିକରେ ଶହ ଶହ ଯାତ୍ରୀଙ୍କ ପାଇଁ କୌଣସି ପାରାଚ୍ୟୁଟ୍ର ବ୍ୟବସ୍ଥା ନଥାଏ। ପ୍ରଥମ ନଜରରେ ଏହା ସୁରକ୍ଷା ନିୟମର ଏକ ବଡ଼ ତ୍ରୁଟି ପରି ମନେହେଉଥିଲେ ବି, ବାସ୍ତବରେ ଏହା ପଛରେ ରହିଛି ବୈଜ୍ଞାନିକ, ବ୍ୟାବହାରିକ ଏବଂ କଠିନ ବୈଷୟିକ କାରଣ। ବିମାନର ଓଜନ ସନ୍ତୁଳନଠାରୁ ଆରମ୍ଭ କରି ଯାତ୍ରୀଙ୍କ ବିନା ତାଲିମ ପର୍ଯ୍ୟନ୍ତ- ଏମିତି କିଛି ମୁଖ୍ୟ କାରଣ ଯୋଗୁଁ ବିମାନରେ ପାରାଚ୍ୟୁଟ୍ ରଖିବା ସୁରକ୍ଷା ଦେବା ପରିବର୍ତ୍ତେ ଅଧିକ ବିପଜ୍ଜନକ ହୋଇଥାଏ।
ଏରୋପ୍ଲେନ୍ରେ ଏକ ନିର୍ଦ୍ଦିଷ୍ଟ ଓଜନ ବହନର କ୍ଷମତା ରହିଛି। ତେଣୁ ଏହାଠାରୁ ଅଧିକ କିମ୍ବା କମ୍ ହେଲେ, ବିମାନ ଭାରସାମ୍ୟ ହରାଇବାର ଆଶଙ୍କା ରହିଛି। ତେଣୁ ପାରାଚ୍ୟୁଟ୍ଗୁଡିକ ଅଧିକ ଓଜନିଆ ସହ ଅଧିକ ଜାଗା ନେଉଥିବାରୁ ଏରୋପ୍ଲେନ୍ରେ ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ନାହିଁ।
କମର୍ସିଆଲ୍ ଏରୋପ୍ଲେନ୍ରେ ମୁଖ୍ୟତଃ ଦୁର୍ଘଟଣା ଟେକ୍ଅପ୍ କିମ୍ବା ଲ୍ୟାଣ୍ଡିଂ ସମୟରେ ହିଁ ହୋଇଥାଏ, ଯେଉଁଠାରେ ପାରାଚ୍ୟୁଟ୍ କୌଣସି କାମରେ ଆସି ନ ଥାଏ।
ପାରାଚ୍ୟୁଟ୍ ଖୁବ୍ ଭାରି ଏବଂ ବଡ଼ ହୋଇଥିବାରୁ ଯାତ୍ରୀମାନେ ଏହାକୁ ପିନ୍ଧି ପ୍ଲେନ୍ରେ ବସି ଯାତ୍ରା କରିବା ଆଦୌ ଆରାମଦାୟକ ନୁହେଁ । ତା’ଛଡ଼ା ପାଖରେ ଥିଲେ ବି ହଠାତ୍ ମଧ୍ୟଆକାଶରେ କୌଣସି ଦୁର୍ଘଟଣା ଘଟିଲେ ତତ୍କ୍ଷଣାତ୍ ଏହାକୁ ପିନ୍ଧି ଏକାସଙ୍ଗେ ୧୦୦-୨୦୦ ଯାତ୍ରୀ ତଳକୁ ଡେଇଁବା ବି ଏକ ପ୍ରକାର ଅସମ୍ଭବ।
ଭୂପୃଷ୍ଠରୁ ଏରୋପ୍ଲେନ୍ ଖୁବ୍ ଉଚ୍ଚରେ ଉଡ଼ୁଥିବାରୁ କେବଳ ପାରାଚ୍ୟୁଟ୍ ନୁହେଁ, ଏହାସହ ଡେଇଁବା ସମୟରେ ଜୀବନ ରକ୍ଷା ଲାଗି ହାଇ ଅଲ୍ଟିଚ୍ୟୁଡ୍ ଇକ୍ୟୁପ୍ମେଣ୍ଟ ଯଥା –ଅକ୍ସିଜେନ୍, ଟ୍ୟାଙ୍କ୍, ମାସ୍କ ଏବଂ ରେଗୁଲେଟର, ଫ୍ଲାଇଟ୍ ସୁଟ୍, ବାଲିଷ୍ଟିକ୍ ହେଲ୍ମେଟ୍ ଆଦି ମଧ୍ୟ ଜରୁରୀ। ତେବେ ଦୁର୍ଘଟଣା ସମୟରେ ପାସେଞ୍ଜରକୁ ଏସବୁ ପିନ୍ଧିବା ଲାଗି ସମୟ ମିଳିବା ଅସମ୍ଭବ ହୋଇଥିବାରୁ କମର୍ସିଆଲ୍ ପ୍ଲେନ୍ରେ ଏସବୁକୁ ବାଦ ଦିଆଯାଇଛି।
ପାରାଚ୍ୟୁଟ୍ରେ ଆକାଶମାର୍ଗରୁ ଓହ୍ଲାଇବା କାର୍ଯ୍ୟ କେବଳ ଦକ୍ଷ ଏବଂ ତାଲିମପ୍ରାପ୍ତ ବ୍ୟକ୍ତି କରିପାରିବେ। ତେଣୁ ଏୟାର ଅଣତାଲିମପ୍ରାପ୍ତ ପାସେଞ୍ଜର ହୋଇଥିବାରୁ ଆବଶ୍ୟକ ପଡ଼ିଲେ ସୁଦ୍ଧା ସେମାନେ ଏହାର ସଦୁପଯୋଗ କରିପାରିବେ ନାହିଁ। ବୋଧହୁଏ ଏହିସବୁ କାରଣରୁ ପାସେଞ୍ଜରଙ୍କ ଲାଗି ଏହି ସୁବିଧା ଉପଲବ୍ଧ ନାହିଁ।


