ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟାକୁ ବିଶ୍ବାସ କରିପାରୁ ନାହାଁନ୍ତି ସାଥୀ କଳାକାର

Published: Jun 24, 2022, 2:17 pm IST

ଭୁବନେଶ୍ଵର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ପରଲୋକରେ ଓଡିଆ ସିନେମା ଜଗତ ଏବଂ ସିନେପ୍ରେମୀ ସ୍ତବ୍ଧ ହୋଇପଡିଛି। ସେ ଆଜି ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ତାଙ୍କ ପଳାଶୁଣି ପ୍ରାଚୀ ବିହାର ଘରେ ଆତ୍ମହତ୍ୟା କରିଛନ୍ତି। ହେଲେ ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

୯୦ ରୁ ଅଧିକ ଓଡିଆ ଚଳଚ୍ଚିତ୍ରରେ ରାଇମୋହନ ପରିଡା ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ ଅନେକ ନାଟକରେ ନିଜର କଳା ପ୍ରଦର୍ଶନ କରିଛନ୍ତି। ରାଇମୋହନ ୧୫ ରୁ ଅଧିକ ବଙ୍ଗାଳୀ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି।

ସେ ୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୮୫ ମସିହାରୁ ଅଭିନୟରେ ପାଦ ଥାପିଥିଲେ। ଓଡିଶା ଆଉ ପଶ୍ଚିମବଙ୍ଗରେ ରାଇମୋହନ ଘରେ ଘରେ ଲୋକପ୍ରିୟ ଥିବା ବେଳେ ଏଭଳି ଘଟଣା ଶୁଣି ସବୁଆଡେ ଶୋକର ଛାୟା ଖେଳିଯାଇଛି।

ସିଦ୍ଧାନ୍ତ ମହାପାତ୍ର- ତାଙ୍କର ବିୟୋଗରେ ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଶୋକ ପ୍ରକାଶ କରିଛନ୍ତି। ସେ ଏହି ଖବରକୁ କେବେ ବି ବିଶ୍ବାସ କରିପାରୁ ନାହାଁନ୍ତି। ସେ କହିଛନ୍ତି ଯେ. ତାଙ୍କ ସହିତ 10 ଦିନ ତଳେ ଦେଖା ହୋଇଥିଲା। ସେତେବେଳେ ସେ ମାନସିକ ସ୍ତରରେ ବେଶ୍ ଦୃଢ ଥିଲେ। ହେଲେ ସେ କାହିଁକି ଆତ୍ମହତ୍ୟା କଲେ ତାହାକୁ ସେ ବିଶ୍ବାସ କରିପାରୁ ନାହାଁନ୍ତି।

ଶ୍ରୀତମ ଦାସ- ଅନ୍ୟତମ ବରିଷ୍ଠ ଅଭିନେତା ଶ୍ରୀତମ ଦାସ ମଧ୍ୟ ଏହି ଖବରକୁ ବିଶ୍ବାସ କରିପାରୁ ନାହାଁନ୍ତି। ତାଙ୍କ ମତରେ ସେ କୌଣସି ଅସୁବିଧାରେ ନ ଥିଲେ। ଆର୍ଥିକ ଦୃଷ୍ଟିରୁ ହେଉ କିମ୍ବା ପାରିବାରିକ କଥା। ସେଥିରେ କୌଣସି ଅସୁବିଧା ନ ଥିଲେ। ହେଲେ ସେ ଆତ୍ମହତ୍ୟା କରିବେ ତାହା ଅବିଶ୍ବସନୀୟ। ଏହା ଉପରେ ତଦନ୍ତ ହେବା ଦରକାର।

ଉଷସୀ ମିଶ୍ର- ଅଭିନେତ୍ରୀ ଉଷସୀ ମିଶ୍ର ମଧ୍ୟ ବିଶ୍ବାସ କରିପାରୁ ନାହାଁନ୍ତି। ରାଇଭାଇ କାହିଁକି ଆତ୍ମହତ୍ୟା କରିବେ ଏହାକୁ ସେ ଜାଣିପାରୁ ନାହାଁନ୍ତି। ସେ କହିଛନ୍ତି ଯେ, ରାଇମୋହନ ଏପରି ଏକ କଳାକାର ଯେ କି ସିନେମା, ଯାତ୍ରା ଏବଂ ଟେଲିଭିଜନରେ ଅଭିନୟ କରିପାରିଛନ୍ତି।

Related posts