ଦୀପାବଳିରେ ମୁକ୍ତିଲାଭ କରିବ ଝିଲିକଙ୍କ ‘ରୁଦ୍ରାଣୀ’

Published: Sep 16, 2022, 7:23 am IST

ଭୁବନେଶ୍ୱର: ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବ ‘ରୁଦ୍ରାଣୀ’। ଦୀପାବଳିରେ ମୁକ୍ତିଲାଭ କରିବ ଏହି ବହୁ ପ୍ରତିକ୍ଷୀତ ଓଡିଆ ସିନେମା। ଯାହାକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସାହ ବଢ଼ିଯାଇଛି। ଝିଲିକ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ନିଜେ ଝିଲିକ ଭଟ୍ଟାଚାର୍ୟ୍ୟ ନଜର ଆସିବେ। ପ୍ରଯୋଜିକା ସହ ମୁଖ୍ୟ ନାୟିକା ଭାବେ ଝିଲିକ ସିନେମାରେ ଆସୁଥିବା ବେଳେ ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି କହିଛନ୍ତି ଝିଲିକ।

ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ସିନେମା ହେଉଛି ‘ରୁଦ୍ରାଣୀ’। ଯେଉଁଥିରେ ମିଛର ଉହାଡ ଭିତରେ କେମିତି ସତ୍ୟ ଲୁଚିଯାଏ ଓ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ତାହା ଚିତ୍ରଣ ହୋଇଛି। ମୌଳିକ ଓଡିଆ କାହାଣୀ ସହ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି ସିନେମାରେ। ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିବାକୁ ଝିଲିକ ନେଇଛନ୍ତି ନୂଆ ଅବତାର। ରୁଦ୍ରାଣୀ ଭାବେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀ କ୍ରିଷ୍ଣା। ମୂରଲୀଙ୍କ ସହ ଝିଲିକ ପୂର୍ବରୁ ‘ଜଗା ହାତରେ ପଘା’ ସିନେମା କରି ସାରିଛନ୍ତି। ସେହି ଚଳଚ୍ଚିତ୍ରଟି ବେଶ ସଫଳତା ପାଇଥିବା ବେଳେ ‘ରୁଦ୍ରାଣୀ’ ମଧ୍ୟ ବେଶ ସଫଳତା ପାଇବ ବୋଲି ପୁରା ଟିମ୍ ଆଶାବାଦୀ।

ଏହି ସିନେମା ନିର୍ମାଣ ବେଳେ ଝିଲିକ ଚାରି ମାସର ଗର୍ଭବତୀ ଥିଲେ। ଗର୍ଭବତୀ ଥିବା ବେଳେ ସିନେମା ସୁଟିଂ କରି ପରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ ଝିଲିକ। ସିନେମାର ନାୟିକା ଭାବେ ଗର୍ଭବତୀ ଥାଇ ବି ତାଙ୍କ ପାଇଁ ସିନେମା ସୁଟିଂରେ କୌଣସି ବିଳମ୍ବ ହୋଇନଥିଲା।

ସେହିଭଳି ସିନେମାରେ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ ଓ କ୍ୟାମେରା ପରିଚାଳନା କରିଛନ୍ତି ଇଶ୍ୱର ବାରିକ। ପ୍ରେମାନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର କାର୍ୟ୍ୟକାରୀ ପ୍ରଯୋଜକ ଭାବେ ଦାଇତ୍ୱ ତୁଲାଇଛନ୍ତି ଅରୁଣ ସ୍ବାଇଁ ଓ ଋତୁରାଜ ଖଟୁଆ। ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ ଶର୍ମା (ମଣ୍ଟୁ), ଲୋହିତାକ୍ଷ ପଟ୍ଟନାୟକ, ନବାଗତା ମୁସ୍କାନ, ବାପି ବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡୁ, ଅମର, ସରୋଜ, ଧରିତ୍ରୀ ପ୍ରମୁଖ ଅଭିନୟ କରିଛନ୍ତି।

Related posts