Categories
ଆଜିର ଖବର ରାଜ୍ୟ ଖବର ସିନେମା

ଡିସେମ୍ବର ୨ ରେ ମୁକ୍ତିଲାଭ କରିବ ‘ପ୍ରତୀକ୍ଷା”: ବ୍ରହ୍ମପୁରରେ ପ୍ରମୋସନ୍ ପାଇଁ ଟିମ୍

ଭୁବନେଶ୍ବର: ବିଶିଷ୍ଟ ସିନେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ଆସନ୍ତା ଡିସେମ୍ବର ୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏଥୁପାଇଁ ରାଜ୍ୟର ଅନେକ ପ୍ରମୁଖ ଅଞ୍ଚଳରେ ‘ପ୍ରତୀକ୍ଷା’ ଟିମ ଦ୍ବାରା ଜୋରସୋରରେ ପ୍ରମୋସନ କାର୍ଯ୍ୟ ଚାଲିଛି। ରାଉରକେଲା,ବାଲେଶ୍ବର, ମୟୁରଭଞ୍ଜ, ଖୋର୍ଦ୍ଧା ଆଦି ଅଞ୍ଚଳରେ ପ୍ରଚାର ପ୍ରସାର କରିବା ପରେ ଆଜି ‘ପ୍ରତୀକ୍ଷା’ ଟିମ ରେଶମ ସହର ବ୍ରହ୍ମପୁର ଯାଇଥିଲେ।

ସାଇ କୁମାର ଓ ସଚିନ୍‌ ପଣ୍ଡାଙ୍କ ପରିଚାଳନାରେସର୍ବ ପ୍ରଥମେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପରିସରରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ରର ଅଭିନେତା ଦୀପନ୍ବିତ, ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଲାଇନ୍ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡେଇ,କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ରହି ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେବା ସହ ଚଳଚ୍ଚିତ୍ରଟି ଦେଖୁବା ପାଇଁ ଅନୁରୋଧ କରିଥିଲେ। ଏହି ଅବସରରେ କୁଳପତି ଦାୟିତ୍ୱରେ ଥିବା ପ୍ରଫେସର ପ୍ରତାପ ମହାନ୍ତି ଏବଂ ରେଜିଷ୍ଟାର ପ୍ରଫେସର ପ୍ରସନ୍ନ ସ୍ବାଇଁଙ୍କ ସହ ଛାତ୍ର-ଛାତ୍ରୀମାନଙ୍କ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ‘ପ୍ରତୀକ୍ଷା’ ଟିମକୁ ଉତ୍ସାହିତ କରିବା ସହ ଚଳଚ୍ଚିତ୍ର ଦେଖୁବା ପାଇଁ ସହମତି ପ୍ରଦାନ କରିଥିଲେ । ପରେ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପରିସରରେ ମଧ୍ୟ ଚଳଚ୍ଚିତ୍ରଟିର ପ୍ରଚାର କରାଯାଇଥିଲା ।

ପରିଶେଷରେ ରାମଲିଙ୍ଗମ ଟ୍ୟାଙ୍କ ପାଖରେ ଆୟୋଜିତ ପ୍ରେସ ମିଟରେ ଯୋଗଦେଇ ମୁକ୍ତିଲାଭ କରିବାକୁ ଥିବା ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ ଏବଂ ଉପସ୍ଥିତ ବରିଷ୍ଠ ନାଗରିକଙ୍କ ସମେତ ସମସ୍ତଙ୍କୁ ଚଳଚ୍ଚିତ୍ରଟି ଦେଖିବା ସହ ‘ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ’ ଅଭିଯାନରେ ସାମିଲ ହେବା ପାଇଁ ନିବେଦନ କରାଯାଇଥୁଲା ।

ଏହି ଚଳଚ୍ଚିତ୍ରଟି ବିଶିଷ୍ଟ ଲେଖକ ଗୌରହରି ଦାସଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଧାରିତ ଏକ ମଧ୍ୟବିତ୍ତ ଓଡ଼ିଆ ପରିବାରର ଆଶା, ଆକାଂକ୍ଷା, ସ୍ବପ୍ନ ଓ ନୈରାଶ୍ୟର କାହାଣୀ ଉପରେ ପର୍ଯ୍ୟବେସିତ ହୋଇଛି। ପୂର୍ବରୁ ଏହି ଚଳଚ୍ଚିତ୍ରଟି ୱାଶିଂଟନ ଡିସି ଏମସି ମଣ୍ଡଗୋମେରି ସିକ୍କିନଠାରେ ‘ପ୍ରତୀକ୍ଷା’ର ୱାର୍ଲ୍ ଟିଭି ପ୍ରିମିୟର ଅନୁଷ୍ଠିତ ହୋଇସାରିଛି ଏବଂ ଡିସି ସାଉଥ ଏସିଆନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ଜୁରୀ ମେମ୍ବର ତଥା ଦର୍ଶକଙ୍କ ଦ୍ବାରା ବହୁଳ ଭାବରେ ଆଦୃତ ହୋଇ ରାଜ୍ୟ ପାଇଁ ଗୌରବ ହାସଲ କରିଛି ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଦୀପାବଳିରେ ମୁକ୍ତିଲାଭ କରିବ ଝିଲିକଙ୍କ ‘ରୁଦ୍ରାଣୀ’

ଭୁବନେଶ୍ୱର: ଦୀପାବଳିରେ ପ୍ରେକ୍ଷାଳୟକୁ ଆସିବ ‘ରୁଦ୍ରାଣୀ’। ଦୀପାବଳିରେ ମୁକ୍ତିଲାଭ କରିବ ଏହି ବହୁ ପ୍ରତିକ୍ଷୀତ ଓଡିଆ ସିନେମା। ଯାହାକୁ ନେଇ ଦର୍ଶକଙ୍କ ମହଲରେ ଉତ୍ସାହ ବଢ଼ିଯାଇଛି। ଝିଲିକ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ସିନେମାରେ ମୁଖ୍ୟ ଭୂମିକାରେ ନିଜେ ଝିଲିକ ଭଟ୍ଟାଚାର୍ୟ୍ୟ ନଜର ଆସିବେ। ପ୍ରଯୋଜିକା ସହ ମୁଖ୍ୟ ନାୟିକା ଭାବେ ଝିଲିକ ସିନେମାରେ ଆସୁଥିବା ବେଳେ ଏହା ତାଙ୍କ ଜୀବନର ଶ୍ରେଷ୍ଠ ଅଭିନୟ ବୋଲି କହିଛନ୍ତି ଝିଲିକ।

ସମ୍ପୂର୍ଣ୍ଣ ଭିନ୍ନ ସ୍ୱାଦର ସିନେମା ହେଉଛି ‘ରୁଦ୍ରାଣୀ’। ଯେଉଁଥିରେ ମିଛର ଉହାଡ ଭିତରେ କେମିତି ସତ୍ୟ ଲୁଚିଯାଏ ଓ ସତ୍ୟର ସନ୍ଧାନ କରିବା କେତେ କଷ୍ଟକର ତାହା ଚିତ୍ରଣ ହୋଇଛି। ମୌଳିକ ଓଡିଆ କାହାଣୀ ସହ ନାରୀଶକ୍ତିକୁ ଗୁରୁତ୍ୱ ମିଳିଛି ସିନେମାରେ। ଏମିତି ଏକ ଘଟଣାର ପର୍ଦ୍ଦାଫାଶ କରିବାକୁ ଝିଲିକ ନେଇଛନ୍ତି ନୂଆ ଅବତାର। ରୁଦ୍ରାଣୀ ଭାବେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ। ଏହି ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି କେ ମୂରଲୀ କ୍ରିଷ୍ଣା। ମୂରଲୀଙ୍କ ସହ ଝିଲିକ ପୂର୍ବରୁ ‘ଜଗା ହାତରେ ପଘା’ ସିନେମା କରି ସାରିଛନ୍ତି। ସେହି ଚଳଚ୍ଚିତ୍ରଟି ବେଶ ସଫଳତା ପାଇଥିବା ବେଳେ ‘ରୁଦ୍ରାଣୀ’ ମଧ୍ୟ ବେଶ ସଫଳତା ପାଇବ ବୋଲି ପୁରା ଟିମ୍ ଆଶାବାଦୀ।

ଏହି ସିନେମା ନିର୍ମାଣ ବେଳେ ଝିଲିକ ଚାରି ମାସର ଗର୍ଭବତୀ ଥିଲେ। ଗର୍ଭବତୀ ଥିବା ବେଳେ ସିନେମା ସୁଟିଂ କରି ପରେ ଯାଆଁଳା ଛୁଆଙ୍କୁ ଜନ୍ମ ଦେଇଥିଲେ ଝିଲିକ। ସିନେମାର ନାୟିକା ଭାବେ ଗର୍ଭବତୀ ଥାଇ ବି ତାଙ୍କ ପାଇଁ ସିନେମା ସୁଟିଂରେ କୌଣସି ବିଳମ୍ବ ହୋଇନଥିଲା।

ସେହିଭଳି ସିନେମାରେ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ ଓ କ୍ୟାମେରା ପରିଚାଳନା କରିଛନ୍ତି ଇଶ୍ୱର ବାରିକ। ପ୍ରେମାନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ରର କାର୍ୟ୍ୟକାରୀ ପ୍ରଯୋଜକ ଭାବେ ଦାଇତ୍ୱ ତୁଲାଇଛନ୍ତି ଅରୁଣ ସ୍ବାଇଁ ଓ ଋତୁରାଜ ଖଟୁଆ। ଅନ୍ୟମାନଙ୍କ ମଧ୍ୟରେ ଶୁଭାଶିଷ ଶର୍ମା (ମଣ୍ଟୁ), ଲୋହିତାକ୍ଷ ପଟ୍ଟନାୟକ, ନବାଗତା ମୁସ୍କାନ, ବାପି ବାବୁ, ବବି ମିଶ୍ର, ପିଣ୍ଟୁ ନନ୍ଦ, ଭିକି ମିଶ୍ର, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ଟିଲୁ, ପ୍ରତିଭା ପଣ୍ଡା, ଶୁଭଙ୍କରୀ, ଅନୁରାଧା, ଗୁଡୁ, ଅମର, ସରୋଜ, ଧରିତ୍ରୀ ପ୍ରମୁଖ ଅଭିନୟ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର

ଜୁଲାଇ ୮ରେ ମୁକ୍ତିଲାଭ କରିବ “ମାୟାଦର୍ପଣ”

ଭୁବନେଶ୍ବର: ଜୁଲାଇ ୮ ପବିତ୍ର ବାହୁଡା ଯାତ୍ରା ଅବସରରେ ମୁକ୍ତିଲାଭ କରିବ ଦ୍ୱିଭାଷୀ ଚଳଚ୍ଚିତ୍ର ମାୟାଦର୍ପଣ। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ପ୍ରସ୍ତୁତ ଏହି ସିନେମାଟି ପ୍ରଥମେ ହିନ୍ଦୀ ଭାଷାରେ ବାହୁଡା ଯାତ୍ରା ଅବସରରେ ସାରା ଭାରତରେ ବଡ ପରଦାକୁ ଆସିବ ବୋଲି ଏହାର ପ୍ରଯୋଜିକା ଝରଣା ସାମଲ କହିଛନ୍ତି। ଭୁବନେଶ୍ୱର ଆର୍ଯ୍ୟ ପ୍ୟାଲେସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂୂଚନା ଦିଆଯାଇଛି। ସାରା ଭାରତରେ ୫୦ଟି ପ୍ରେକ୍ଷାଳୟରେ ମାୟାଦର୍ପଣ ମୁକ୍ତିଲାଭ କରିବ ବୋଲି କୁହାଯାଇଛି।

ମା’ର ସ୍ନେହ ମମତାକୁ ନେଇ ସିନେମାଟି ନିର୍ମାଣ କରାଯାଇଛି। ପ୍ରତିଟି ପରିବାରରେ ଘଟୁଥିବା ଘଟଣାକୁ ଏଥିରେ ସ୍ଥାନ ଦିଆଯାଇଛି। ଏହା ସମ୍ପୂର୍ଣ୍ଣ ପାରିବାରିକ ସିନେମା ଓ ପରିବାର ସହ ଏହାକୁ ଦେଖିହେବ ବୋଲି ପ୍ରଯୋଜନା ସଂସ୍ଥା କହିଛି। ଅଭିନେତ୍ରୀ ପ୍ରତିଭା ପଣ୍ଡା ଏହି ଚଳଚ୍ଚିତ୍ରର କାର୍ଯ୍ୟକାରୀ ପ୍ରଯୋଜିକା ଥିବା ବେଳେ ମା’ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ, ପୂଜା, କୁନା ତ୍ରିପାଠୀ, ଜୀବନ ପଣ୍ଡା, ରତନ ମେହେର, ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଏହି ସିନେମାରେ ଅଭିନୟ କରିଛନ୍ତି।

ଶିଶୁ କଳାକାର ଭାବେ ଅଂଶୁମାନ, ତାପସ, ଭାଗ୍ୟଲକ୍ଷ୍ମୀ ପ୍ରମୁଖ ନଜର ଆସିଛନ୍ତି। ଚଳଚ୍ଚିତ୍ର ର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ରାଜୀବ ମହାନ୍ତି। ରଂଜନ କୁମାର ଦାସ ଚଳଚ୍ଚିତ୍ରର କାହାଣୀ ରଚନା କରିଥିବା ବେଳେ କ୍ରିଏଟିଭ ହେଡ ରହିଛନ୍ତି ପ୍ରଣୟ ଜେଠୀ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର

ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀଙ୍କ ଗାଥା

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶାର ପ୍ରମୁଖ ଶକ୍ତିପୀଠ ମା’ ଭଗବତୀଙ୍କ ଗାଥା ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବ। ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ମା’ ଙ୍କ ପଟ୍ଟକଥା, ଯାହାକୁ ସାରା ବିଶ୍ୱର କୋଟି କୋଟି ଜନସାଧାରଣ ଦେଖିବେ। ମୁମ୍ବାଇର ‘ଶ୍ରୀ ଶକ୍ତି’ ନାମକ ଓଟିଟି ପ୍ଲାଟଫର୍ମରେ ‘ଭକ୍ତି ସାଧନା’ ନାମକ ଏକ ଆଧ୍ୟାତ୍ମିକ ହିନ୍ଦୀ ଧାରାବାହିକ ଆଗାମୀ ଦଶହରା ଉପଲକ୍ଷେ ମୁକ୍ତିଲାଭ କରିବାକୁ ଯାଉଅଛି।

ଏସ.ଏସ ପିକଚର ବ୍ୟାନରରେ ଉକ୍ତ ଧାରାବାହିକ ନିର୍ମିତ ହେବ। ତେବେ ଉକ୍ତ ଧାରାବାହିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଏହା ସାରା ଭାରତବର୍ଷର ବିଭିନ୍ନ ପ୍ରମୁଖ ଦେବାଦେବୀଙ୍କ ପିଠର ଗାଥା ଓ ଇତିହାସ ହିନ୍ଦୀ ଭାଷାରେ ବର୍ଣ୍ଣନା କରିବ।

ଏହି ପରିପ୍ରେକ୍ଷୀରେ ଆଜି ଉକ୍ତ ପ୍ରଡ଼କ୍ସନ ଟିମ ଖୋର୍ଦ୍ଧା ଜିଲ୍ଲା ବାଣପୁର ମା’ ଭଗବତୀ ପିଠ ଏବଂ ଘଣ୍ଟଶିଳା ପର୍ବତକୁ ଆସି ଏକ ଡକ୍ୟୁମେଂଟାରୀ ସୁଟ କରିଛନ୍ତି। ଭାରତୀୟ ମଡେଲ ତଥା ଭାରତୀୟ ଟେଲିଭିଜନର ଜଣାଶୁଣା ନାୟକ କାନନ ମାଲହୋତ୍ରା ଉକ୍ତ ଏପିସୋଡ଼ ର ଉପସ୍ଥାପକ ରହିବେ। କାନନ ଆଜି ମା’ ଭଗବତୀ ପିଠ ଏବଂ ଘଣ୍ଟଶିଳା ପର୍ବତ ଯାଇ ସେଠାକାର ବିଭିନ୍ନ ଅଂଶର ସୁଟିଙ୍ଗ କରିଥିଲେ।

ଉକ୍ତ ଧାରାବାହିକକୁ ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ପୁଅ ସୁଭାଶିଷ ତ୍ରିପାଠୀ। ତେବେ ଖୁସିର କଥା ଯେ, ପ୍ରଥମ ଥର ପାଇଁ ମା’ ଭଗବତୀଙ୍କ ଇତିହାସ ଦେଖିବେ ବିଶ୍ୱର କୋଟି କୋଟି ଜନସାଧାରଣ। ନିର୍ଦ୍ଦେଶକ ସୁଭାଶିଷ କୁହନ୍ତି, ଯେହେତୁ ସେ ଜଣେ ଓଡ଼ିଆ ପୁଅ ତେଣୁ ପ୍ରଥମେ ଓଡ଼ିଶାର ବିଭିନ୍ନ ଦେବାଦେବୀଙ୍କ ପରିଚୟ ସମଗ୍ର ବିଶ୍ୱସାମ୍ନାରେ ରଖିବା ତାଙ୍କର ପ୍ରାଥମିକତା ରହିବ।

କେ. ଡ଼ି ଉକ୍ତ ଧାରାବାହିକରେ ମୁଖ୍ୟ ସହଯୋଗୀ ଅଛନ୍ତି। ଅନୁରୂପ ଭାବେ କ୍ୟାମେରା ଚିଫ ସିଜର ଓ ରାଜେଶ ରହିଥିଲେ। କରୋନା କଟକଣା ତଥା ସ୍ଥାନୀୟ ପ୍ରଶାସନର ଆଦେଶକୁ ଅନୁପାଳନ କରି ଏହି ଟିମ ମା’ ଭଗବତୀ ମନ୍ଦିର ବାହାର ଦ୍ୱାରଦେଶରେ ଥାଇ ସମସ୍ତ ସୁଟିଙ୍ଗ ଶେଷ କରିଥିଲେ। ତେବେ କାନନ ଶୁଟିଂ ଶେଷ କରି ସଂଧ୍ୟାରେ ମୁମ୍ବାଇ ଫେରିଯାଇଛନ୍ତି।

ତେବେ ପ୍ରତି ସପ୍ତାହରେ ଉକ୍ତ ଆଧ୍ୟାତ୍ମିକ ଧାରାବାହିକରେ ଦେଶର ପ୍ରମୁଖ ଦେବାଦେବୀଙ୍କ ମନ୍ଦିର ବିଷୟରେ ବର୍ଣ୍ଣନା କରାଯିବାକୁ ଥିବାବେଳେ ମା ‘ ଭଗବତୀ ଏବଂ ଘଣ୍ଟଶିଳା ପର୍ବତ ବିଷୟରେ ମଧ୍ୟ ଏକ ସ୍ୱତନ୍ତ୍ର ଏପିସୋଡ ପ୍ରଦର୍ଶିତ ହେବ। ଏନେଇ ନିର୍ଦ୍ଦେଶକ ସୁଭାଶିଷ ତ୍ରିପାଠୀ ସୂଚନା ଦେଇଛନ୍ତି।