ଦ୍ଵିତୀୟ ଦିନରେ ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା

Published: Oct 20, 2022, 6:37 pm IST

ଭୁବନେଶ୍ୱର: ଓଡ଼ିଆ ସିନେମାକୁ ଓଡ଼ିଶାରେ ହଲ୍ ମିଳୁନି। ୨୦୦୮ ମସିହାରୁ ମିଳୁନି ସବ୍‌ସିଡି ସୁବିଧା। ଫାଇଲ୍ ଭିତରେ ପଡ଼ିଛି ଓଡ଼ିଆ ସିନେମା ନୀତି। ଏଭଳି ସ୍ଥିତିରେ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ ଓ ନିର୍ଦ୍ଦେଶକ। ଏସବୁ ସମସ୍ୟାର ସମାଧାନ ସହ ଓଡ଼ିଆ ସିନେମାକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ଲାଗି ଆଜି ଦ୍ଵିତୀୟ ଦିନରେ ପହଁଚିଛି ଓଡ଼ିଆ ସିନେମା ବଞ୍ଚାଅ ଅଭିଯାନ ପଦଯାତ୍ରା।

ସନ୍ଧ୍ୟାରେ ‘’ଓଡ଼ିଆ ସିନେମା ବଞ୍ଚାଅ- ଆସ ଓଡ଼ିଆ ସିନେମାକୁ ଆଗେଇ ନେବା’’ ସ୍ଲୋଗାନ ଦେଇ ସ୍ଥାନୀୟ ଜୟଦେବ ଭବନରୁ ରାଜଭବନ ଯାଏ ଏକ ପଦଯାତ୍ରା ଯାଇଥିଲା। ଶେଷରେ ରାଜଭବନ ଛକରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତିବାଦ ପଦଯାତ୍ରାରେ ଯାଇଥିବା
ପ୍ରଯୋଜକ, ନିର୍ଦ୍ଦେଶକ ନିଜ ଦାବି ଉପସ୍ଥାପନ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ଶ୍ରୀଧର ମାର୍ଥା, ସଞ୍ଜୟ ପାତ୍ର, ତପନ କୁମାର ଦାସ, ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି, ପ୍ରଯୋଜକ ଅଜୟ ମହାନ୍ତି, ଅଭିନେତା ସୌମ୍ୟ ରଞ୍ଜନ ଦାଶ, ସମୀକ୍ଷକ ଖଗେଶ୍ୱର ଜୟପୁରିଆ, ଚଳଚ୍ଚିତ୍ର ସଂଗଠକ ଭରତ ପ୍ରଧାନ, ଓଲିଉଡ କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ। ଓଲିଉଡ କ୍ରିଏଟିଭ୍  ହେଡ୍ ଶ୍ରୀ ଜେଠୀ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବିଭିନ୍ନ ସମସ୍ୟାକୁ ନେଇ ଏ ପଦଯାତ୍ରା ଆରମ୍ଭ ହୋଇଛି।

ଏହା ପ୍ରତିଦିନ ସନ୍ଧ୍ୟା ୫ଟା ସମୟରେ ଅନୁଷ୍ଠିତ ହେବ। ଯେ ପର୍ଯ୍ୟନ୍ତ ସରକାର କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ ନ କରିଛନ୍ତି ସେ ପର୍ଯ୍ୟନ୍ତ ପଦଯାତ୍ରା ଚାଲୁରହିବ। ଆମର ଆଶା ଓ ବିଶ୍ଵାସ ରହିଛି ସରକାର ନିଶ୍ଚିତ ଭାବେ ଏଥିପ୍ରତି ଦୃଷ୍ଟି ଦେବେ ଏବଂ କାର୍ଯ୍ୟକ୍ରମ ଗ୍ରହଣ କରିବେ।

ଏ ପଦଯାତ୍ରାରେ ସାଧାରଣ ଜନତା ବି ସାମିଲ ହେବେ ଏବଂ ସହଯୋଗ କରିବେ ବୋଲି ଦୃଢ ଆଶା। ଚଳଚ୍ଚିତ୍ର ନିର୍ମାଣ କରି ଯଦି ମୁକ୍ତିଲାଭ କରିବା ପାଇଁ ଡିଷ୍ଟ୍ରିଵ୍ୟୁଟର ଆଉ ହଲ୍ ମାଲିକଙ୍କ ସହଯୋଗ ନ ରହିବ ତେବେ ଚଳଚ୍ଚିତ୍ର ଶିଳ୍ପର ଭବିଷ୍ୟତ ଆଶା ଆଶାରେ ରହିଯିବ।

Related posts