ହିନ୍ଦୀ ଏବଂ ମରାଠୀ ସିନେମାର ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ

Published: Nov 26, 2022, 4:19 pm IST

ନୂଆଦିଲ୍ଲୀ: ହିନ୍ଦୀ ଏବଂ ମରାଠୀ ସିନେମାର ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ହୋଇଛି। ତାଙ୍କୁ ନଭେମ୍ବର ୫ ତାରିଖରୁ ପୁଣେର ପଣ୍ଡିତ ଦୀନନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ଅନେକ ଅଙ୍ଗ କାମ କରିବା ବନ୍ଦ କରିଦେଇଥିଲା ଯାହା ପରେ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ଅଭିନେତାଙ୍କୁ ସୁସ୍ଥ କରାଯାଇପାରିନଥିଲା ଏବଂ ସେ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଲେ। ବିକ୍ରମ ଗୋଖଲେଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଏଥି ସହିତ ତାଙ୍କ ପ୍ରଶଂସକମାନେ ମଧ୍ୟ ଅଭିନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

ବିକ୍ରମ ଗୋଖଲେ ୧୯୭୧ ମସିହାରେ ୨୬ ବର୍ଷ ବୟସରେ ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ପରୱାନା ସହିତ ଫିଲ୍ମ ଇଣ୍ଡଷ୍ଟ୍ରିରେ କ୍ୟାରିୟର ଆରମ୍ଭ କରିଥିଲେ। ଗୋଖଲେ ଅନେକ ମରାଠୀ ଏବଂ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିରେ ଅମିତାଭ ବଚ୍ଚନଙ୍କ ଅଭିନୀତ ୧୯୯୦ ଚଳଚ୍ଚିତ୍ର ଅଗ୍ନିପଥ ଏବଂ ସଲମାନ ଖାନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ୧୯୯୯ ଚଳଚ୍ଚିତ୍ର ହମ ଦିଲ ଦେ ଚୁକେ ସନମ ଅନ୍ତର୍ଭୁକ୍ତ।

ମରାଠୀ ଚଳଚ୍ଚିତ୍ର ‘ଅନୁମତି’ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ୨୦୧୦ ରେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଲାଭ କରିଥିଲେ। ମରାଠୀ ଚଳଚ୍ଚିତ୍ର ‘ଆଘାଟ’ ସହିତ ସେ ତାଙ୍କର ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ବିକ୍ରମ ଗୋଖଲେଙ୍କୁ ଗତ ବର୍ଷ ଜୁନ୍ ମାସରେ ସିନେମା ହଲରେ ମୁକ୍ତିଲାଭ କରିଥିବା ଅଭିମନ୍ୟୁ ଦାସାନୀ ଏବଂ ଶିଳ୍ପା ଶେଟ୍ଟୀ-ଅଭିନୀତ ‘ନିକମା’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

Related posts