କାର କଂପାନୀ ମାଲିକ ଆନନ୍ଦ ମହିନ୍ଦ୍ରା କାହିଁକି ଚଲାଇଲେ ସାଇକେଲ ? ଜାଣନ୍ତୁ କାରଣ

Published: Oct 23, 2023, 6:39 pm IST

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କଂପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ମୁଖ୍ୟତଃ ସେ ତାଙ୍କର ସୋସିଆଲ ମିଡିଆରେ ବେଶ ସକ୍ରିୟ ଥାଆନ୍ତି। ଏବେ ତାଙ୍କ ସୋସିଆଲ ମିଡିଆରେ ସେ ସାଇକେଲ ଚଲାଉଥିବାର ଦୃଶ୍ୟ ବେଶ ଭାଇରାଲ ହେବାରେ ଲାଗିଛି। ମନ୍ଦିନ୍ଦ୍ରା ଏକ ସାଇକେଲ ଚଲାଉଛନ୍ତି, ତାହାକୁ ଧରି ଛିଡା ହୋଇଛନ୍ତି, ତାହାକୁ ଭାଙ୍ଗି ଦେଉଛନ୍ତି ଏବଂ କାର ଡିକିରେ ଭର୍ତ୍ତି କରୁଛନ୍ତି।

ଏହି ଚାରୋଟି ଫଟୋ ପୋଷ୍ଟ କରି ସେ ଯାହା ଲେଖିଛନ୍ତି ତାହାକୁ ଯେକେହି ପଢିବା ସେ ପ୍ରଶଂସା କରିବ। ତାହା ହେଲା ମୁମ୍ବାଇର ଆଇଆଇଟି ଛାତ୍ରଛାତ୍ରୀଙ୍କ ଦ୍ବାରା ତିଆରି ଫୋଲ୍ଡେବୁଲ ସାଇକେଲକୁ ସେ ଚଳାଇ ପ୍ରଶଂସା କରିଛନ୍ତି। ବମ୍ବେ ଆଇଆଇଟି ଛାତ୍ରମାନେ ଏକ ସାଇକେଲ ତିଆରି କରିଛନ୍ତି, ଯାହାକୁ ସହଜରେ ଭାଙ୍ଗି କାର ଡିକିରେ ରଖିହେବ।

ଏହାକୁ ନିଜେ ଚଲାଇ, ତାହାକୁ ଭାଙ୍ଗି କାର ଡିକିରେ ରଖୁଛନ୍ତି ଆନନ୍ଦ ମହିନ୍ଦ୍ରା। ସେ ସେହି ପୋଷ୍ଟରେ ଲେଖିଛନ୍ତି ଯେ, “ଆଇଆଇଟି ବମ୍ବେର ଏକ ଦଳ ଆମକୁ ପୁଣି ଗର୍ବିତ କରିଛନ୍ତି। ସେମାନେ ଦୁନିଆରେ ପୂର୍ଣ୍ଣ ଆକାରର ଚକ ସହିତ ପ୍ରଥମ ଫୋଲଡେବଲ୍ ହୀରା ଫ୍ରେମ୍ ଇ-ବାଇକ୍ ସୃଷ୍ଟି କରିଛନ୍ତି। ଏହା ବାଇକକୁ ଅନ୍ୟ ଫୋଲଡେବଲ୍ ବାଇକ୍ ଅପେକ୍ଷା କେବଳ 35 ପ୍ରତିଶତ ଅଧିକ ଦକ୍ଷ ନୁହେଁ ବରଂ ଏହା ମଧ୍ୟମ ବେଗଠାରୁ ଅଧିକ ବେଗରେ ଯାଇଥାଏ।

କେବଳ ସେତିକି ନୁହେଁ, ସେ ଛାତ୍ରମାନଙ୍କୁ ପ୍ରଶଂସା କରିବା ସହିତ ଏହି ସାଇକେଲ ଆମଜନରେ ବିକ୍ରୀ ହେଉଛି ବୋଲି ମଧ୍ୟ ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଅର୍ଥାତ ଆନନ୍ଦ ମହିନ୍ଦ୍ରା ନିର୍ମାଣକାରୀ ଯୁବକଙ୍କୁ ପ୍ରଶଂସା କରିବା ସହିତ ସମର୍ଥନ ମଧ୍ୟ କରିଛନ୍ତି। ଏପରିକି ସେହି ବାଇକର ମାର୍କେଟିଂ ମଧ୍ୟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ଏହା ବେଶ ଭାଇରାଲ ହେବାରେ ଲାଗିଛି।

ଆନନ୍ଦ ମହିନ୍ଦ୍ରା ହେଉଛି ଭାରତର ଏପରି ଜଣେ ଶିଳ୍ପପତି ଯେ କି ନିଜ ପ୍ରଡକ୍ଟ ବ୍ୟତିତ ଅନ୍ୟ ଷ୍ଟାର୍ଟଅପକୁ ମଧ୍ୟ ଉତ୍ସାହିତ କରିଥାନ୍ତି। ପୂର୍ବରୁ ସେ ଏହିପରି ବିଭିନ୍ନ ଷ୍ଟାଟଅପକୁ ଉତ୍ସାହିତ କରି ପ୍ରଶଂସିତ ମଧ୍ୟ ହୋଇଛନ୍ତି। ମହିନ୍ଦ୍ରା ହେଉଛନ୍ତି ପ୍ରାୟ 17500 କୋଟି ଟଙ୍କା ବ୍ୟବସାୟର ମାଲିକ। ଯାହାଙ୍କ ପାଖରେ ଅଟୋମୋବାଇଲଠାରୁ ଆରମ୍ଭ କରି ରିଏଲ ଇଷ୍ଟେଟ, ଆଇଟି ପରି 22ଟି କଂପାନୀ।

ସେ କୋଟାକ ମହିନ୍ଦ୍ରା ବ୍ୟାଙ୍କର ମଧ୍ୟ ଛୋଟ ଅଂଶୀଦାର ରହିଛନ୍ତି। ସେ ପ୍ରଥମେ ଟ୍ରାକ୍ଟର ଆଣି ଭାରତରେ କୃଷି ଜଗତରେ ଏକ ବିପ୍ଲବ ସୃଷ୍ଟି କରିଥିଲେ। ଏହାପରେ କଂପାନୀର ସ୍କ୍ରର୍ପିଓ ମଧ୍ୟ ବଜାରରେ ବେଶ ଭଲ ବିକ୍ରି କରିଥିଲା। ଏହାପରେ ସେ ସ୍ପୋର୍ଟସ ୟୁଟିଲିଟି ଭେଇକଲ ବା ଏସୟୁଭି ବଜାରକୁ ଆଣି ଚହଳ ସୃଷ୍ଟି କରିଥିଲେ। ସେହିପରି ଜଣେ ବ୍ୟକ୍ତି ତାଙ୍କର ବ୍ୟକ୍ତିଗତ ଜୀବନରେ ବିଭିନ୍ନ ଷ୍ଟାର୍ଟଅପକୁ ସମର୍ଥନ ତଥା ପ୍ରଶଂସା କରି ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି।

 

Related posts