ଘର ସଜାଡିବାରେ ଲାଗିଛି ରାଜ୍ୟ କଂଗ୍ରେସ, ଦଳକୁ ଫେରିବେ ମୋକିମ, ଚିରଞ୍ଜିବୀ ଏବଂ ସଗରିଆ

Published: Jan 23, 2024, 12:25 pm IST

ଭୁବନେଶ୍ବର: ଧିରେଧିରେ କଂଗ୍ରେସ ନିଜକୁ ଶକ୍ତିଶାଳି କରିବା ପାଇଁ ଉଦ୍ୟମ ଜାରି ରଖିଛି। ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପୁରା ପରିବାର ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଚିରଞ୍ଜୀବି ବିଶ୍ବାଳ ଏବଂ କୃଷ୍ଣ ସଗରିଆ କଂଗ୍ରେସକୁ ଫେରିବେ।

ଏ ନେଇ ନୂଆ ଦିଲ୍ଲୀରେ ନୂଆ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଏହି ତିନିଜଣ ଦୀର୍ଘ ଆଲୋଚନା କରିଛନ୍ତି। ସେମାନଙ୍କୁ କଣ ପାଇଁ ଦଳରୁ ନିଳମ୍ବନ କରାଗଲା ସେ ସେ ଅଜୟ କୁମାର ବିସ୍ତୁତ ତଥ୍ୟ ଜାଣିବାକୁ ଚାହିଁଥିଲେ। ଏହାପରେ ସେ ଏହି ତିନି ନେତାଙ୍କୁ ପୁଣି ଥରେ ଦଳକୁ ଫେରିବା ବା ନିଲମ୍ବନ ହଟାଇବା ପାଇଁ ପ୍ରତିଶୃତି ଦେଇଛନ୍ତି। ସେହି ଅନୁସାରେ ଏହି ତିନିଜଣଙ୍କ ଉପରୁ ଖୁବ ଶିଘ୍ର ନିଲମ୍ବନ ହଟାଯିବ ବୋଲି ଜଣାପଡିଛି।

ଗତବର୍ଷ ଜୁଲାଇ ମାସରେ କଂଗ୍ରେସ ମହମ୍ମଦ ମୋକିମ ଏବଂ ଚିରଞ୍ଜୀବି ବିଶ୍ବାଳଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରିଥିଲା। ଯାହାକୁ ନେଇ ସେତେବେଳେ ଏହା ରାଜ୍ୟ ରାଜନୀତିରେ ବେଶ କଂପନ ସୃଷ୍ଟି କରିଥିଲା। ଅଭିଯୋଗ ହୋଇଥିଲା ଯେ, ଏକ ସଭାରେ ଉଭୟ ମୋକିମ ଏବଂ ବିଶ୍ବାଳ କଂଗ୍ରେସ ଦଳ ବିରୋଧରେ ବିଷ ଉଦଗାର କରିଥିଲେ। ଏହି ଦଳରେ କିଛି ହେବ ନାହିଁ ବୋଲି ଖୋଲାଖୋଲି କହିଥିଲେ। ଫଳରେ କଂଗ୍ରେସ ଉଭୟଙ୍କ ଉପରେ ପଦକ୍ଷେପ ଗ୍ରହଣ କରିଥିଲା।

ତେବେ ଉଭୟଙ୍କୁ କଂଗ୍ରେସରୁ ନିଲମ୍ବନ କରିବା ପରେ ସେମାନେ କେଉଁ ଆଡେ ଯିବେ ସେ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଉଭୟ କୌଣସି ଦଳକୁ ଗଲେ ନାହିଁ କି କାହା ସହିତ ଆଲୋଚନା ମଧ୍ୟ କଲେ ନାହିଁ। ଫଳରେ କଂଗ୍ରେସ ପୁଣି ଥରେ ତାଙ୍କୁ କୋଳେଇ ନେବାକୁ ନିଷ୍ପତି କରିଛି। କାରଣ ଉଭୟ ନେତାଙ୍କର ନିଜନିଜ ଅଞ୍ଚଳରେ ବେଶ ଦବଦବା ମଧ୍ୟ ରହିଛି।

କଂଗ୍ରେସର ନୂଆ ପ୍ରଭାରୀ ଭାବେ ଡ ଅଜୟ କୁମାର ଯୋଗଦେବା ପରେ ସେ ଦଳକୁ ବେଶ ସକ୍ରିୟ କରିବାରେ ଲାଗିଛନ୍ତି। ଯେଉଁମାନେ ପୁରୁଣା କଂଗ୍ରେସ ନେତା, ସେମାନଙ୍କୁ ଫେରାଇ ଆଣି ଦଳକୁ ସୁଦୃଢ କରିବା ଚେଷ୍ଠାରେ ଅଛନ୍ତି। ଏଥିସହିତ ଦଳର ବିଭିନ୍ନ ଛାମୁଆ ସଂଗଠନରେ ନୂଆ ନୂଆ ନିଯୁକ୍ତି ଦେଇ ସେମାନଙ୍କୁ ଶସକ୍ତ କରିବାରେ ଲାଗିଛନ୍ତି।

ଅନ୍ୟପଟେ ଆସନ୍ତା 29 ତାରିଖରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ। ତାଙ୍କ ଗସ୍ତ ପୂର୍ବରୁ ଅଜୟ କୁମାର ଦଳକୁ ସୁସଂଗଠିତ କରିବା ଚେଷ୍ଠାରେ ଅଛନ୍ତି। ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଯେପରି ପ୍ରଭାବ ବିସ୍ତାର କରିବ ସେ ନେଇ ସେ ଶତଚେଷ୍ଠା କରିବାରେ ଲାଗିଛନ୍ତି। ସେ ଉପଲକ୍ଷେ ସେ ପୁରୁଣା କଂଗ୍ରେସ ନେତାଙ୍କ ଘର ବାହୁଡା କାର୍ଯ୍ୟକ୍ରମ ଜାରି ରଖିଛନ୍ତି।

Related posts