ଓଡିଶା ନିର୍ବାଚନରେ ୪ ହଜାର ବୁଥରେ ନିଯୁକ୍ତ ହେବେ କେବଳ ମହିଳା କର୍ମଚାରୀ; ମୁଖ୍ୟ ନିର୍ବାଚନ କମିଶନର

Published: Feb 17, 2024, 5:49 pm IST

ଭୁବନେଶ୍ବର: ଗତ ତିନିଦିନ ଧରି ଭାରତ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଓଡିଶା ନିର୍ବାଚନ ନେଇ ସମୀକ୍ଷା କରିଛନ୍ତି। ଏହି ତିନିଦିନରେ ସେ ଓଡିଶାର ସମସ୍ତ ରାଜନୈତିକ ଦଳ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ପୃଥକ ବୈଠକ କରିଛନ୍ତି।

ଏହାପରେ ସେ ଆଜି ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ କରିଥିଲେ। ଏଥିରେ ସେ କହିଥିଲେ ଯେ, ଓଡିଶାର ଏକ କାଳିନ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କମିଶନର ପ୍ରସ୍ତୁତ। ବହୁତ ପୂର୍ବରୁ ଏହି ପ୍ରସ୍ତୁତି ଆରମ୍ଭ ହୋଇଛି। ଓଡିଶା ବିଧାନସଭାର କାର୍ଯ୍ୟକାଳ ଜୁନ 26 ରେ ଶେଷ ହେଉଛି। ସେଥିପାଇଁ ତା ପୂର୍ବରୁ ଆମକୁ ନିର୍ବାଚନ ଶେଷ କରିବାକୁ ପଡିବ।

ସେ କହିଥିଲେ ଯେ, ଓଡ଼ିଶାରେ ମୋଟ୍ ୩ କୋଟି ୩୨ ଲକ୍ଷ ଭୋଟର ଭୋଟ୍ ଦେବେ । ସେଥିପାଇଁ ମୋଟ୍ ୩୭, ୮୦୯ ବୁଥରେ ମତଦାନ କରିବାକୁ ବ୍ୟବସ୍ଥା କରାଯାଇଛି ।ସେଥିମଧ୍ୟରୁ  ୨୨,୬୮୫ ବୁଥରେ ଓ୍ବେବ କାଷ୍ଟି ହେବ। ସେହିପରି ଓଡିଶାର ୪ ହଜାର ବୁଥରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ ବୋଲି ରାଜୀବ କୁମାର କହିଛନ୍ତି।

କେଉଁଠି କିଛି ସମସ୍ୟା ହେଲେ ଲୋକେ ନିର୍ବାଚନ କମିଶନଙ୍କୁ ଜଣାଇପାରିବେ। ନାମ ଗୋପନ ରଖି ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିପାରିବେ। ନିର୍ବାଚନ ନେଇ ଜିଲ୍ଲାପାଳ, ଏସପିଙ୍କୁ  କଡ଼ା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜୀବ କୁମାର କହିଛନ୍ତି।

ସେହିପରି ସେ କହିଛନ୍ତି ଯେ, ପେଡ ନ୍ୟୁଜ ନେଇ କଡା ପଦକ୍ଷେପ ନିଆଯିବ। ଯଦି ତାହା ପ୍ରମାଣିତ ହୁଏ ତେବେ ସଂପୃକ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚରେ ସମସ୍ତ ଦେୟ ସାମିଲ କରାଯିବ। ତେବେ ସେ ପ୍ରାରମ୍ଭରେ ଓଡିଶା ଭୋଟରଙ୍କୁ ଏହି ଗଣତନ୍ତ୍ର ପର୍ବରେ ସାମିଲ କରିବା ପାଇଁ ନିବେଦନ କରିଥିଲେ। ଭାରତ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଏକ ସାତ ଜଣିଆ ଟିମ ଓଡିଶା ନିର୍ବାଚନ ପରିଚାଳନା ଉପରେ ଅନୁଧ୍ୟାନ କରିଥିଲେ।

Related posts