ଚିଲିକାରୁ ଛିଡା ହେବେ ପ୍ରସନ୍ନ ପାଟ୍ଟଶାଣୀ, ଚାଲିଛି ଚର୍ଚ୍ଚା, ଏଥିରେ କେତେ ଅଛି ସତ

Published: Mar 2, 2024, 9:32 am IST
ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ବର: ବର୍ତ୍ତମାନ ଓଡିଶାର ଚିଲିକା ନିର୍ବାଚନ ମଣ୍ଡଳି ବଡ ଚର୍ଚ୍ଚାରେ ଅଛି। କାରଣ ଏହି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ମିଶିବା ପରେ ଏହା ଚର୍ଚ୍ଚାକୁ ଆସିଛି। ସେଠାରେ ବର୍ତ୍ତମାନ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ଉଠିଛି ପ୍ରଶ୍ନ। କାରଣ ସେହି ନିର୍ବାଚନ ମଣ୍ଡଳିର ବିଜେପି ପ୍ରାର୍ଥୀ ହେଉଛନ୍ତି ପୃଥୀରାଜ ହରିଚନ୍ଦନ। ତାଙ୍କ ସହିତ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ମିଶିଯିବା ପରେ ବିଜେପି ପଲା ଭାରୀ ହୋଇଯାଇଛି।

ସେପରି କ୍ଷେତ୍ରରେ ଏହି ପୃଥୀରାଜ ପ୍ରଶାନ୍ତଙ୍କ ମେଣ୍ଟକୁ ମୁକାବିଲା କରିବା ପାଇଁ ବିଜେଡିର ବର୍ତ୍ତମାନ ସେମିତି କେହି ପ୍ରାର୍ଥୀ ଚିଲିକାରେ ଦେଖାଯାଉ ନାହିଁନ୍ତି। ଯାହାଙ୍କ ନାମ ଶୁଣାଯାଉଛି ସେମାନେ ବର୍ତ୍ତମାନ ଏହି ଦୁଇ ମେଣ୍ଟକୁ ଟକ୍କର ଦେବାପରି ସ୍ଥିତିରେ ନାହାଁନ୍ତି। ରଘୁ ସାହୁ କିମ୍ବା ମାନସ ମଙ୍ଗରାଜଙ୍କ ନାମ ଶୁଣାଯାଉଥିଲେ ମଧ୍ୟ ବର୍ତ୍ତମାନ ପ୍ରଶାନ୍ତଙ୍କ ବିଜେପି ପ୍ରବେଶ ପରେ ସେମାନେ ଶହେଥର ଚିନ୍ତା କରିବାରେ ଲାଗିଛନ୍ତି।

ଏପରି ପରିସ୍ଥିତିରେ ବର୍ତ୍ତମାନ ହଠାତ ଏକ ନୂଆ ନାମ ଆଗକୁ ଆସିଛି। ତାହା ହେଲା ଯେ, ଏଥର ବିଜେଡି କୁଆଡେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଚିଲିକାରୁ ପ୍ରାର୍ଥୀ କରିବ। ତେବେ ଏ ନେଇ ନା ପ୍ରସନ୍ନ ପାଟ୍ଟଶାଣୀ ନା ବିଜେଡି କେହି କିଛି କହି ନାହାଁନ୍ତି। ହେଲେ ଲୋକେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ପ୍ରସନ୍ନ ପାଟ୍ଟଶାଣୀ ଉପଯୁକ୍ତ ହେବେ ବୋଲି ଆଶା କରିଛନ୍ତି। କାରଣ ସେ ହେଉଛନ୍ତି ରାଜ୍ୟର ଜଣେ ପୁରୁଖା ନେତା ସହିତ ଚିଲିକା ହେଉଛି ତାଙ୍କର ଘର।

ହେଲେ ରାଜନୈତିକ ସମୀକ୍ଷକଙ୍କ ମତରେ ବର୍ତ୍ତମାନ ପରିସ୍ଥିତି ଯାହା ଚିଲିକାରେ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଲଢେଇ କରିପାରିବେ ନାହିଁ। କାରଣ ପ୍ରଥମ କଥା ହେଲା ସେ ଦୀର୍ଘ ବର୍ଷ ଧରି ଚିଲିକା ରାଜନୀତିରୁ ଆଉଟ ହୋଇଯାଇଛନ୍ତି। ଚିଲିକା ଅଞ୍ଚଳରେ ତାଙ୍କର ଆତଯାତ ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପଟେ ବର୍ତ୍ତମାନ ସବୁ ଦଳ ଯୁବ ଚେହେରାକୁ ଗୁରୁତ୍ବ ଦେଉଥିବା ବେଳେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଲୋକେ କେତେ ଦୂର ଗ୍ରହଣ କରିବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Related posts