କଂଗ୍ରେସକୁ ଭୋଟ୍ ଦେଇପାରିବେ ନାହିଁ ସୋନିଆ, ରାହୁଲ ଓ ପ୍ରିୟଙ୍କା: ଜାଣନ୍ତୁ କାରଣ

Published: Mar 23, 2024, 7:17 am IST

ନୂଆଦିଲ୍ଲୀ: ମଇ ୨୫ ତାରିଖରେ ଷଷ୍ଠ ପର୍ଯ୍ୟାୟରେ ରାଜଧାନୀର ସମସ୍ତ ୭ଟି ଲୋକସଭା ଆସନରେ ମତଦାନ ହେବ। ଜୁନ୍ ୪ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏଥର ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ୁଛନ୍ତି। ୭ଟି ଆସନ ମଧ୍ୟରୁ ଆପ୍ ପାଖରେ ୪ଟି ଆସନ ରହିଛି, ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀ। ସେହିପରି କଂଗ୍ରେସ ପାଖରେ ଚାନ୍ଦନୀ ଚୌକ, ଉତ୍ତର ପୂର୍ବ ଦିଲ୍ଲୀ ଓ ଉତ୍ତର ପଶ୍ଚିମ ଦିଲ୍ଲୀ ରହିଛି। ଏହି ନିର୍ବାଚନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗାନ୍ଧୀ ପରିବାର ଏଥର କଂଗ୍ରେସକୁ ଭୋଟ୍ ଦେଇପାରିବେ ନାହିଁ।

ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧୀ ଏବଂ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଏଥର କଂଗ୍ରେସକୁ ଭୋଟ୍ ଦେବେ ନାହିଁ। ବାସ୍ତବରେ ଏହି ସମସ୍ତ ନେତା ନୂଆଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର। ଆପ୍ ଏବଂ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଏହି ଆସନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳକୁ ଯାଇଛି। ଏଠାରୁ ଦଳ ସୋମନାଥ ଭାରତୀଙ୍କୁ ପ୍ରାର୍ଥୀ କରିଛି।

କଂଗ୍ରେସ ନେତା ତଥା ୱାୟନାଡ ସାଂସଦ ରାହୁଲ ଗାନ୍ଧି ଦିଲ୍ଲୀର ଔରଙ୍ଗଜେବ ଲେନରେ ଥିବା ଏକ ପୋଲିଂ ବୁଥରେ ଭୋଟ୍ ଦେଇଥାନ୍ତି। ନିର୍ମାଣ ଭବନର ଏକ ପୋଲିଂ ବୁଥରେ ସୋନିଆ ଗାନ୍ଧି ଭୋଟ୍ ଦେଇଥାନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ଏବଂ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରା ଲୋଧି ଇଷ୍ଟେଟର ଏକ ପୋଲିଂ ବୁଥରେ ଭୋଟ୍ ଦେଇଥାନ୍ତି। ଏହିସବୁ ଅଞ୍ଚଳ ନୂଆଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି।

ନୂଆଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀ ୧୯୫୧ ମସିହାରେ ଗଠିତ ହୋଇଥିଲା। ଏପର୍ଯ୍ୟନ୍ତ ଏଠାରେ କଂଗ୍ରେସ ୭ଟି ନିର୍ବାଚନ ଜିତିସାରିଛି। ୧୯୫୨ରୁ ୨୦୧୯ ପର୍ଯ୍ୟନ୍ତ କଂଗ୍ରେସ ଏଠାରେ ପ୍ରତି ନିର୍ବାଚନ ଲଢ଼ିଥିଲା। ଦଳ ଏଠାରେ ୭ ଥର ବିଜୟୀ ହୋଇଛି। ଅଜୟ ମାକେନ ୨୦୦୪ ଓ ୨୦୦୯ରେ ଏଠାରୁ ନିର୍ବାଚିତ ହୋଇଥିଲେ। ଏହାପରେ ମୀନାକ୍ଷୀ ଲେଖୀ ୨୦୧୪ ଓ ୨୦୧୯ରେ ଏଠାରେ ନିର୍ବାଚନ ଜିତିଥିଲେ। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଦିଲ୍ଲୀରୁ ସଫା ହେବାରେ ଲାଗିଛି। ଦଳ ଏଥର ଆପ୍ ସହ ମେଣ୍ଟ କରିଛି। ୭ଟି ଆସନରୁ ଆପ୍‍କୁ ୪ଟି ଓ କଂଗ୍ରେସକୁ ୩ଟି ଆସନ ମିଳିଛି।

Related posts