କିଏ ଏହି ସୁସ୍ମିତା ସିଂହଦେଓ ? ଯାହାଙ୍କୁ କଂଗ୍ରେସ ଢେଙ୍କାନାଳ ବିଧାନସଭା ପାଇଁ କରିଛି ପ୍ରାର୍ଥୀ

Published: Apr 18, 2024, 8:56 am IST

ଭୁବନେଶ୍ବର: ଏଥର ନିର୍ବାଚନରେ ସବୁ ଦଳ ନୂଆ ପ୍ରାର୍ଥୀଙ୍କୁ ଗୁରୁତ୍ବ ଦେଇଛନ୍ତି। ମୁଖ୍ୟ ଦଳ ବିଜେଡି ଏବଂ ବିଜେପି ମଧ୍ୟ ନୂଆ ପ୍ରାର୍ଥୀଙ୍କୁ ଏଥର ରଣାଙ୍ଗନରେ ଛିଡା କରାଇଛି। ସେହି ଅନୁସାରେ ପ୍ରାର୍ଥୀ ଖୋଜୁଥିବା କଂଗ୍ରେସ ମଧ୍ୟ ଏଥରେ ବିଭିନ୍ନ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦେଇଛି।

ସେହି ପରିପ୍ରେକ୍ଷୀରେ ଏଥର କଂଗ୍ରେସ ଢେଙ୍କାନାଳ ବିଧାନସଭା ପାଇଁ ସଂପୂର୍ଣ୍ଣ ନୂଆ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଆର୍ବିଭାବ କରାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚାଲିଛି ଜୋରଦାର ଚର୍ଚ୍ଚା। କାରଣ ଢେଙ୍କାନାଳ ପରି ମର୍ଯ୍ୟଦା ସଂପର୍ଣ୍ଣ ନିର୍ବାଚନ ମଣ୍ଡଳିରେ ଏହି ନୂଆ ପ୍ରାର୍ଥୀ ଯୁଦ୍ଧ କରିବା ପାଇଁ କେତେ ସମର୍ଥ ତାହାର ହିସାବ ନିକାଶ କରୁଛନ୍ତି ଭୋଟର।

କଂଗ୍ରେସ ଦଳ ଏଥର ଢେଙ୍କାନାଳ ବିଧାନସଭା ଆସନରେ ଛିଡା କରିଛି ସୁସ୍ମିତା ସିଂହଦେଓ। ସୁସ୍ମିତା ହେଉଛନ୍ତି ରାଜନୀତିରେ ସଂପୂର୍ଣ୍ଣ ନୂଆ। ତାଙ୍କ ପରିବାର ରାଜନୀତିରେ ଅଛନ୍ତି, ହେଲେ ସେ ଏଥର ରାଜନୀତି ମଇଦାନକୁ ନୂଆ କରି ପାଦ ଦେଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ, ଏହି ସୁସ୍ମିତା ସିଂହଦେଓ କିଏ ସେ ? କାହିଁକି କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିଛି ?

ସୁସ୍ମିତା ସିଂହଦେଓ ହେଉଛନ୍ତି ଢେଙ୍କାନାଳ ରାଜ ପରିବାରର। ଏକଦା କଂଗ୍ରେସ ରାଜନୀତିରେ ହଲଚଲ ସୃଷ୍ଟି କରିଥିବା ନେତା ତଥା ପୂର୍ବତନ ସାଂସଦ କାମାକ୍ଷ ପ୍ରସାଦ ସିଂହଦେଓଙ୍କ ସେ ହେଉଛନ୍ତି ପୁତୁରା ବୋହୂ। ସୁସ୍ନିତା ହେଉଛନ୍ତି କେପି ସିଂହଦେଓଙ୍କ ପୁତୁରା ରାଜୀବଲୋଚନ ସିଂହଦେଓଙ୍କର ଧର୍ମପତ୍ନୀ।

ସୁସ୍ମିତା ହେଉଛନ୍ତି ରାଜପରିବାର ବୋହୂ ଭାବେ ରାଜନୀତିକୁ ଆସିବାରେ ଦ୍ବିତୀୟ ମହିଳା।ପୂର୍ବରୁ ଢେଙ୍କାନାଳ ରାଜପରିବାର ବୋହୂ ବା ରାଣୀ ରତ୍ନପ୍ରଭା ସିଂହଦେଓ କାମାକ୍ଷନଗରର ବିଧାୟିକା ହୋଇଥିଲେ। ସେ ସେତେବେଳେ ଥରେ ଗଣତନ୍ତ୍ର ଦଳରୁ ଏବଂ ଥରେ ସ୍ବତନ୍ତ୍ର ପାର୍ଟିରୁ ଏହିପରି ଦୁଇଥର ବିଧାୟିକା ହୋଇଥିଲେ। ସେହିପରି ଢେଙ୍କାନାଳ ବୋହୂ ଭାବେ ନନ୍ଦିନୀ ଶତପଥୀ ଛଅ ଥର ବିଧାୟିକା ହୋଇଥିଲେ। ଏବେ ସେହି ତାଲିକାରେ ସୁସ୍ମିତା ସିଂହଦେଓଙ୍କ ନାମ ଯୋଡି ହେବାକୁ ଯାଉଛି।

ଏକଦା ଢେଙ୍କାନାଳ ଥିଲା କଂଗ୍ରେସ ଗଡ। ଯାହାର ସେନାପତି ଥିଲେ କାମାକ୍ଷ ପ୍ରସାଦ ସିଂହଦେଓ। ହେଲେ ବର୍ତ୍ତମାନ ପରିସ୍ଥିତି ବଦଳିଯାଇଛି। ବର୍ତ୍ତମାନ ଏହା ବିଜେଡି ଗଡ ଭାବେ ପରିଗଣିତ ହୋଇଛି। ଏହି ଢେଙ୍କାନାଳ ବିଧାନସଭା ଆସନରୁ ସୁଧୀର ସାମଲ ଦୁଇଥର ବିଧାୟକ ହୋଇସାରିଛନ୍ତି। ସେହିପରି ଢେଙ୍କାନାଳ ଲୋକସଭା ମଧ୍ୟ ବିଜେଡି ହାତରେ ରହିଆସିଛି। ତେବେ ବିଜେଡି ଏଥର ନୂଆ ପ୍ରାର୍ଥୀ ଅବିନାଶ ସାମଲଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ଛିଡା କରାଇଛି।

Related posts