ଟିଟିଲାଗଡ଼ ପ୍ରଚାରରେ ପାଣ୍ଡିଆନ କହିଲେ ଛତିଶଗଡ଼ରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି

Published: May 16, 2024, 5:23 pm IST

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମାରଥନ ପ୍ରଚାରରେ ଟିଟିଲାଗଡରେ ବିଜେପିକୁ କଡା ସମାଲୋଚନା କରିଛନ୍ତି।  ସେ କହିଛନ୍ତି ଯେ, ଛତିଶଗଡରୁ ମନ୍ତ୍ରୀମାନେ ଆସୁଛନ୍ତି ଟଙ୍କା ବାଣ୍ଟୁଛନ୍ତି। ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି କରୁଛନ୍ତି।  ଏପଟେ ଓଡ଼ିଆ ଅସ୍ମିତାର କଥା କହୁଛନ୍ତି, ସେପଟେ ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ତଥା ମହାନାୟକଙ୍କୁ ଗାଳି ଦେଉଛନ୍ତି, ଆପଣମାନେ ଏହାର ଉଚିତ ଜବାବ୍‍ ଦେବେ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ବିଜେପୁର ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ କଲେ, ୪୫ ହଜାର ଭୋଟରେ ହାରିଲେ। ପୁରୀ ପରିକ୍ରମା ପ୍ରକଳ୍ପବେଳେ ଅଣ୍ଡାମାଡ଼ କଲେ, ୩୦ରୁ ୩୦ ଜିଲ୍ଲା ପରିଷଦରେ ହାରିଲେ। ଯଦି ଆଉ କିଏ ଏଠାରେ ଜିତିବେ ନିର୍ବାଚନ ମଣ୍ଡଳୀ ୨୫ ବର୍ଷ ତଳକୁ ଫେରିଯିବ ବୋଲି ପାଣ୍ଡିଆନ ସତର୍କ କରାଇଥିଲେ।

ସେ ଟିଟିଲାଗଡର ବିକାଶ ନକ୍ସା ଅଙ୍କନ କରି କହିଥିଲେ ଯେ, ସଏଁତଳାକୁ ଏନ୍‍.ଏ.ସି. ମାନ୍ୟତା ଦିଆଯାଇଛି, ୨.୫୦ କୋଟି ଟଙ୍କା ବିନିଯୋଗରେ ତୁଷୁରା ସମଲେଇ ମନ୍ଦିର ବିକାଶ କାର୍ଯ୍ୟ ଜାରି ରହିଛି। ଜଳସେଚନର ବିକାଶ ପାଇଁ ବହୁତ ବଡ଼ ବଡ଼ ପ୍ରକଳ୍ପ ନିର୍ମାଣ କରାଯାଇଛି ଏବଂ ଆଗକୁ ମଧ୍ୟ ହେବ ବୋଲି ପାଣ୍ଡିଆନ କହିଥିଲେ।

ସେ କହିଥିଲେ ଯେ, ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ପ୍ରଥମ ଦସ୍ତଖତ ହେବ, ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ ବନ୍ଦ, ବିଜେପି କହୁଛି ସୋଲାର ପ୍ୟାନେଲ ମାଧ୍ୟମରେ ମାଗଣା ବିଜୁଳି ଦେବ, ଏଥିପାଇଁ ଆପଣ ୫୦ ହଜାର ଟଙ୍କା ଖର୍ଚ୍ଚ କରିବେ, ଦିନରେ ଲଣ୍ଠନ ଦେଖାଉଛନ୍ତି ବିଜେପି ଦଳ

ସେହିପରି ଦ୍ୱିତୀୟ ଦସ୍ତଖତ ହେବ, ସମସ୍ତେ ବି.ଏସ୍‍.କେ.ୱାଇରେ ସାମିଲ ହେବେ। ତୃତୀୟ ଦସ୍ତଖତ, ୬୦ ବର୍ଷ ପରେ ମିଶନ ଶକ୍ତି ମା’ମାନଙ୍କ ପାଇଁ ପେନସନ୍‍ ବ୍ୟବସ୍ଥା ବୋଲି ସେଠାରେ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ।

Related posts