ଭୁବନେଶ୍ବର: ବର୍ତ୍ତମାନ ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଜୋରଦାର ହେବାରେ ଲାଗିଛି। ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦମ ରେ ଲାଗିପଡିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଶାସକ ବିଜେପିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଚାରକୁ ଯାଇ ନାହାଁନ୍ତି। ସେହିପରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇ ନାହାଁନ୍ତି। ଉଭୟ ଦଳର କର୍ମି ଓ ପ୍ରାର୍ଥୀ ଏହି ଦୁଇ ନେତାଙ୍କୁ ଅପେକ୍ଷା କରିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ କେବେ ପ୍ରଚାରକୁ ଯିବେ ସେ ନେଇ କୌଣସି କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ନ ଥିବା ବେଳେ ନବୀନଙ୍କ ଗସ୍ତ ପ୍ରାୟ ଚୁଡାନ୍ତ ହୋଇଥିବାର ଜଣାପଡିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ତିନି ତାରିଖରେ ନୂଆପଡା ଗସ୍ତ କରିବେ ବୋଲି ଦଳୀୟ ସୁତ୍ରରୁ ଜଣାପଡିଛି। ସେଥିପାଇଁ ନୂଆପଡା ବିଜେଡି ଶିବିର ବେଶ ଚଳଚଞ୍ଚଳ ହୋଇପଡିଛି।
ସୂଚନା ଅନୁସାରେ ନବୀନ ତିନି ତାରିଖ ସକାଳୁ ନୂଆପଡା ଗସ୍ତ କରିବେ। ସେହିଦିନ ସେ କୋମନାଠାରେ ଏକ ବିରାଟ ଜନସଭାକୁ ଉଦବୋଧନ ଦେବେ। ଏହା ନେଇ ଗସ୍ତ କାର୍ଯ୍ୟକ୍ରମ ପ୍ରାୟ ଚୁଡାନ୍ତ ହୋଇସାରିଛି। ଏଥିସହିତ ନବୀନ ଏକ ରୋଡସୋରେ ଭାଗ ନେବେ ବୋଲି ଦଳୀୟ ନେତାମାନେ ଅନୁରୋଧ କରିଛନ୍ତି। ହେଲେ ତାହା ଏ ପର୍ଯ୍ୟନ୍ତ ଜଣାପଡି ନାହିଁ।
ସେହିପରି ନବୀନ ପୁଣି ସାତ ତାରିଖରେ ଯିବେ ବୋଲି ଯୋଜନା କରାଯାଇଛି। ତେବେ ଏହା ଚୁଡାନ୍ତ ହୋଇପାରି ନାହିଁ। ହେଲେ ନବୀନ ଦୁଇଥର ନୂଆପଡା ଗସ୍ତ କରିବେ ବୋଲି ନିଷ୍ପତି ହୋଇଛି। ଗୋଟିଏ ତିନି ତାରିଖ ହୋଇଥିବା ବେଳେ ଅନ୍ୟଟି ସାତ କିମ୍ବା ଅନ୍ୟ କୌଣସି ଦିନ ହେବ ତାହା ସ୍ଥିର କରାଯାଇ ନାହିଁ। ନୂଆପଡା ପ୍ରଚାରରେ ଖୋଦ ନବୀନ ଯିବେ ବୋଲି ସେ ଆଗରୁ ଘୋଷଣା କରି ସାରିଛନ୍ତି। ସେଥିପାଇଁ ତାଙ୍କର ଗସ୍ତକୁ ନୂଆପଡାରେ ନେତା ଓ କର୍ମି ଅପେକ୍ଷା କରି ରହିଛନ୍ତି।


