ନୂଆଦିଲ୍ଲୀ: ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତର ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି। ୨୦୧୪ ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି ଭାରତ-ଉପସାଗରୀୟ ସମ୍ପର୍କ ଇତିହାସରେ ଅତୁଳନୀୟ।
ଏହି ସହଭାଗୀତା ହାଇଡ୍ରୋକାର୍ବନ ଏବଂ ଭାରତୀୟ ଶ୍ରମଶକ୍ତି ଉପରେ ପୂର୍ବ ନିର୍ଭରଶୀଳତାଠାରୁ ଢେର ଆଗକୁ ବଢ଼ିଛି। ଏହା ଏକ ଅଧିକ ବିଶ୍ୱସନୀୟ, ଢାଞ୍ଚାଗତ ଏବଂ ରାଜନୈତିକ ଭାବରେ ଆତ୍ମବିଶ୍ୱାସୀ ସମ୍ପର୍କରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜିସିସି (ଗଲ୍ଫ କର୍ପୋରେସନ କାଉନସିଲ) ଦେଶଗୁଡ଼ିକୁ ୧୫ ଥର ଗସ୍ତ, ଯେକୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସର୍ବାଧିକ। ଏପରି ଏକ ସଦ୍ଭାବନା ପୂର୍ଣ୍ଣ ପ୍ରୟାସ ଏଭଳି ପରିଚିତି ସୃଷ୍ଟି କରିଛି ଯାହା ପୂର୍ବ ସରକାରମାନେ କେବେ କରିପାରି ନଥିଲେ। ଛଅଟି ଆରବ ରାଷ୍ଟ୍ରକୁ ନେଇ ଗଠିତ ଜିସିସି ସବୁଠାରୁ ପ୍ରଭାବଶାଳୀ ଆଞ୍ଚଳିକ ରାଷ୍ଟ୍ରଗୋଷ୍ଠୀ ମଧ୍ୟରୁ ଅନ୍ୟତମ। ଏହା ପଶ୍ଚିମ ଏସିଆର ଆର୍ଥିକ ଏବଂ ରାଜନୈତିକ ଧାରାକୁ ଆକାର ଦେଇଥାଏ।
ଭାରତ ସହ ସମ୍ପର୍କରେ ଏହି ନୂତନ ଆତ୍ମବିଶ୍ୱାସର ସଦ୍ୟତମ ପ୍ରତିଫଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇଥିବା ସର୍ବୋଚ୍ଚ ନାଗରିକ ସମ୍ମାନ ରୂପରେ ଦେଖିବାକୁ ମିଳିଛି। ଛଅଟି ଉପସାଗରୀୟ ରାଷ୍ଟ୍ର ମଧ୍ୟରୁ ପାଞ୍ଚଟି ରାଷ୍ଟ୍ର ଏବେସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେମାନଙ୍କର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରିସାରିଛନ୍ତି। ଗତ ସପ୍ତାହରେ ଓମାନ ସରକାର ତାଙ୍କର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ୍ ଓମାନ ପ୍ରଦାନ କରି ଏହି ତାଲିକାରେ ସାମିଲ ହୋଇଛନ୍ତି।
ଏଥିପୂର୍ବରୁ ୨୦୧୯ ରେ ୟୁଏଇର ଅର୍ଡର ଅଫ୍ ଜାଏଦ, ୨୦୧୬ ରେ ସାଉଦି ଆରବର କିଙ୍ଗ ଅବଦୁଲାଜିଜ୍ ସାସ୍, ୨୦୧୯ ରେ ବାହାରିନର କିଙ୍ଗ ହମାଦ୍ ଅର୍ଡର ଅଫ୍ ଦି ରେନେସାଁ (ପ୍ରଥମ ଶ୍ରେଣୀ) ଏବଂ ୨୦୨୪ ରେ କୁଏତର ମୁବାରକ୍ ଅଲ୍-କବୀରଙ୍କ ଅର୍ଡର ଅଫ୍ ଦି ରେନେସାଁ ପୁରସ୍କାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଦିଆଯାଇଥିଲା।
ଆନୁଷ୍ଠାନିକ ପ୍ରତୀକ ଠାରୁ ଊର୍ଦ୍ଧ୍ୱରେ ଥିବା ବିଶ୍ୱାସ
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମ୍ମାନଗୁଡ଼ିକ କେବଳ ଆନୁଷ୍ଠାନିକ ପ୍ରତୀକ ନୁହେଁ। ସମ୍ପୃକ୍ତ ଅଞ୍ଚଳରେ ଏପରି ସମ୍ମାନ କେବଳ ବିଶ୍ୱସନୀୟ, ନିର୍ଭରଯୋଗ୍ୟ ଏବଂ ରଣନୀତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିବା ନେତାମାନଙ୍କ ପାଇଁ ସଂରକ୍ଷିତ ରହିଥାଏ। ସେଠାରେ ଏହି ସମ୍ମାନଗୁଡ଼ିକ ବିଶ୍ୱାସର ଏକ ବିରଳ ଗଭୀରତାକୁ ସୂଚିତ କରେ।
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ବିଶ୍ୱ ନେତା ଯିଏ ପାଞ୍ଚଟି ଜିସିସି ଦେଶରୁ ଶ୍ରେଷ୍ଠ ସମ୍ମାନ ପାଇଛନ୍ତି। ଏହା ଏକ ରାଜନୈତିକ ବାର୍ତ୍ତା ଯାହା ପ୍ରତୀକାତ୍ମକ ସୀମାଠାରୁ ଊର୍ଦ୍ଧ୍ୱରେ ଏବଂ ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଓ ଭାରତର ପ୍ରଗତିଶୀଳ ପ୍ରତିଷ୍ଠା ପ୍ରତି ଉପସାଗରୀୟ ଦେଶଗୁଡ଼ିକର ଦୀର୍ଘକାଳୀନ ବିଶ୍ୱାସକୁ ପ୍ରତିଫଳିତ କରେ।
୨୦୧୪ ପୂର୍ବରୁ ରହିଥିବା ଆଶାକୁ ଦୃଷ୍ଟିରେ ରଖି ଏହି ମୁହୂର୍ତ୍ତଟି ବିଶେଷ ଗୁରୁତ୍ୱପୂର୍ଣ୍ଣ। ଅନେକ ବିଶେଷଜ୍ଞ ବିଶ୍ୱାସ କରୁଥିଲେ ଯେ ପଶ୍ଚିମ ଏସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ କଷ୍ଟକର କ୍ଷେତ୍ର ଭାବରେ ଉଭା ହୋଇପାରେ। ଏହି ଅଞ୍ଚଳର ଆଭ୍ୟନ୍ତରୀଣ ପ୍ରତିଦ୍ୱନ୍ଦ୍ୱିତା ଏବଂ ଏହାର ରାଜନୈତିକ ପରିବେଶର ଜଟିଳତାକୁ ସେମାନେ ଉଲ୍ଲେଖ କରିଥିଲେ।
କିନ୍ତୁ ଏହାର ସମ୍ପୂର୍ଣ୍ଣ ବିପରୀତ ଶ୍ରୀ ମୋଦୀ ପ୍ରତ୍ୟେକ ଉପସାଗରୀୟ ଦେଶର ରାଜଧାନୀରେ ବ୍ୟକ୍ତିଗତ ସମୀକରଣ ତିଆରି କରିଥିଲେ। ଏହା ତାଙ୍କୁ ଏକ କୂଟନୀତିକ ସଫଳତା ଦେଇଥିଲା ଯାହା ଅତୀତରେ ଅନ୍ୟ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ହାସଲ କରିପାରିନଥିଲେ।
ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାଏଦ୍ ଅଲ୍ ନାହ୍ୟାନ୍ ଙ୍କ ସହ ତାଙ୍କର ସମ୍ପର୍କକୁ ପ୍ରାୟତଃ ଅସାଧାରଣ ଭାବରେ ଘନିଷ୍ଠ ଏବଂ ବ୍ୟକ୍ତିଗତ ବିଶ୍ୱାସ ଉପରେ ଆଧାରିତ ବୋଲି ବିବେଚନା କରାଯାଏ। ସାଉଦୀ ରାଜା ସଲମାନ୍ ବିନ୍ ଅବଦୁଲାଜିଜ୍ ଙ୍କ ସହ ତାଙ୍କର ସମ୍ପର୍କ ରଣନୀତିକ ସମନ୍ୱୟର ଏକ ପର୍ଯ୍ୟାୟକୁ ସହଜ କରିଥିଲା। ବାହାରିନ୍ ରାଜା ହମାଦ୍ ବିନ୍ ଇସା ଅଲ୍ ଖଲିଫା, କୁଏତର ଆମିର ଶେଖ୍ ମଶାଲ୍ ଅଲ୍-ଅହମ୍ମଦ୍ ଅଲ୍-ଜାବେର୍ ଅଲ୍-ସବା, ଓମାନର ସୁଲତାନ୍ ହାଇଥାମ୍ ବିନ୍ ତାରିକ ଏବଂ କତର ଆମିର ଶେଖ୍ ତମିମ୍ ବିନ୍ ହମାଦ୍ ଅଲ୍ ଥାନି, ସମସ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ଖୋଲା ମନୋଭାବ ଓ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏହା କ୍ୱଚିତ୍ କୌଣସି ବିଦେଶୀ ନେତାଙ୍କୁ ପ୍ରଦାନ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଐତିହାସିକ ସଫଳତା
ସମ୍ପୂର୍ଣ୍ଣ ଉପସାଗର ଅଞ୍ଚଳରେ ଏହାର ସାମଗ୍ରିକ ପ୍ରଭାବ ସ୍ପଷ୍ଟ ଦେଖିବାକୁ ମିଳିଥାଏ: ପ୍ରଧାନମନ୍ତ୍ରୀ ମୋଦୀ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ସର୍ବୋଚ୍ଚ ନାଗରିକ ପୁରସ୍କାର କେବଳ ଏହି କ୍ଷେତ୍ରର କୂଟନୀତିକ ସ୍ଥିତିରେ ପୂର୍ବରୁ ଦୃଶ୍ୟମାନ ଏକ ପରିବର୍ତ୍ତନକୁ ଆନୁଷ୍ଠାନିକ କରିଥାଏ। ଉପସାଗରର ଦୀର୍ଘକାଳୀନ ରଣନୀତିକ ମୂଲ୍ୟାଙ୍କନରେ ଭାରତକୁ ଏକ ସ୍ଥିର, ବିଶ୍ୱସନୀୟ ଏବଂ ଅପରିହାର୍ଯ୍ୟ ଅଂଶୀଦାର ଭାବରେ ଦେଖାଯାଉଛି । ବିଶେଷକରି ଯେତେବେଳେ ଏହି କ୍ଷେତ୍ର ଆର୍ଥିକ ବିବିଧତା, ଡିଜିଟାଲ୍ ସମନ୍ୱୟ, ଅକ୍ଷୟ ଶକ୍ତି ସହଯୋଗ ଏବଂ ଭୂ-ରାଜନୈତିକ ସନ୍ତୁଳନର ନୂତନ ରୂପ ଖୋଜୁଛି ସେହି ସମୟରେ ଭାରତର ସହଯୋଗ ଅଧିକ ଉପଯୋଗୀ ହୋଇପଡ଼ିଛି।
ଏହା ସଦ୍ଭାବନାର ଏକ ଅସ୍ଥାୟୀ ମୁହୂର୍ତ୍ତ ନୁହେଁ ବରଂ ସମ୍ପର୍କର ଏକ ଢାଞ୍ଚାଗତ ପୁନର୍ଗଠନ। ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ପୂର୍ବ ଦିଗକୁ ଦୃଷ୍ଟି ପକାଇବା ଦ୍ୱାରା ଏହା ସାବ୍ୟସ୍ତ ହେଉଛି ଯେ ଭାରତ ଏବେ ଆଉ ସାଧାରଣ ରାଷ୍ଟ୍ର ନୁହେଁ ବରଂ ସେମାନଙ୍କର ଦୀର୍ଘକାଳୀନ ଚିନ୍ତାଧାରାର କେନ୍ଦ୍ରରେ ଅଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ, ଭାରତ ଏକ ବାଣିଜ୍ୟିକ ଅଂଶୀଦାର ହେବା ଠାରୁ ଊର୍ଦ୍ଧ୍ୱରେ ଏହି ଅଞ୍ଚଳର ରଣନୀତିକ ଭବିଷ୍ୟତର ଏକ ଗଠନକାରୀ ଶକ୍ତି ପାଲଟିଛି। ବାସ୍ତବରେ ପଶ୍ଚିମ ଏସିଆ ସହିତ ଭାରତର ସମ୍ପର୍କର କୌଣସି ପଟାନ୍ତର ନାହିଁ।


