ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନର ବନାନ ଇଂରାଜୀ ଓ ଓଡିଆରେ ଭିନ୍ନ ଭିନ୍ନ ଲେଖାଯାଉଛି। ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ବନାନ ଲେଖୁଛନ୍ତି। ସେସବୁକୁ ସଂଶୋଧନ କରି ଗୋଟିଏ ପ୍ରକାରର ଲେଖିବା ପାଇଁ ରାଜସ୍ବ ବିଭାଗ ଆରମ୍ଭ କରିଛି ପଦକ୍ଷେପ। ଏ ନେଇ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସାଧାରଣରେ ଖୋର୍ଦ୍ଧା ନାମ ଓଡିଆରେ କେଉଁଠି ଖୋର୍ଦ୍ଧା, ଖୁରଧା ବା ଖୋରଧା ଲେଖୁଛନ୍ତି। ହେଲେ ବିଭାଗ ତାହାକୁ ସଂଶୋଧନ କରି କେବଳ ‘ଖୋରଧା’ ଲେଖା ହେବ ବୋଲି ନିଷ୍ପତି ହୋଇଛି। ସେହିପରି ଇଂରାଜୀରେ ଏହାର ବନାନ Khoradha ଲେଖା ହେବ। ଅନ୍ୟପକ୍ଷରେ ବାଣପୁର କୁ ଇଂରାଜୀରେ କିଏ Banpur କିମ୍ବା Banapur ଲେଖୁଛନ୍ତି। ବର୍ତ୍ତମାନ ତାହା ସଂଶୋଧିତ କରାଯାଇ Banapur ଲେଖାଯିବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

ଏଥିରେ ରାଜ୍ୟର ମୋଟ ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରାଯିବା ସହିତ ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ।

ତେବେ ଏହି ବିଜ୍ଞପ୍ତି ସାଧାରଣ ଅବଗତି ପାଇଁ ପ୍ରକାଶ ପାଇଛି। ଏହା ଉପରେ ଯଦି କାହାର ଅପତ୍ତି ଅଭିଯୋଗ ଥିବା ତେବେ ସେମାନେ 15 ଦିନ ମଧ୍ୟରେ ଆବେଦନ କରିପାରିବେ। ନଚେତ ପରବର୍ତ୍ତି ସମୟରେ ଏହା ଘୋଷଣା କରାଯିବ ବୋଲି ଏଥିରେ ପ୍ରକାଶ କରାଯାଇଛି।


