ରାଜ୍ୟସଭା ନିର୍ବାଚନ: ଓଡିଶାର ରାଜ୍ୟସଭା ନିର୍ବାଚନ ଯେତିକି ପାଖାଉଛି, ରାଜ୍ୟ ରାଜନୀତି ସେତିକି ଉଷୁମ ହେବାରେ ଲାଗିଛି। ଚାରି ଆସନ ମଧ୍ୟରୁ ତିନୋଟି ଆସନରେ ବିଜେପି ଓ ବିଜେଡି ପ୍ରାର୍ଥି ଦେବାକୁ ଘୋଷଣା କରିସାରିଛନ୍ତି। ହେଲେ ଚତୁର୍ଥ ଆସନ ପାଇଁ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ ରାଜନୈତିକ ମୋଡ ସୃଷ୍ଟି ହୋଇଛି।
ବିଜେଡି ତାହାର ଜଣେ ପ୍ରାର୍ଥୀ ଘୋଷଣା ସହିତ ଚତୁର୍ଥ ଆସନ ପାଇଁ ମଧ୍ୟ ଡାକ୍ତର ଦତ୍ତେଶ୍ବର ହୋତାଙ୍କ ନାମ ଘୋଷଣା କରିଛି। ହେଲେ ସେପଟେ ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟ ମଧ୍ୟ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିବା ପରେ ରାଜନୈତିକ ସରଗରମ ସୃଷ୍ଟି ହୋଇଛି। କାରଣ ଚତୁର୍ଥ ଆସନ ପାଇଁ ନିର୍ବାଚନ ହେବା ନିଶ୍ଚିତ ହୋଇପଡିଛି।
ଦିଲ୍ଲୀପ ରାୟଙ୍କ ପ୍ରାର୍ଥୀତ୍ବକୁ ବିଜେପି ସମର୍ଥନ କରିବ ବୋଲି କହିସାରିଛି। ଫଳରେ ଏହି ଚତୁର୍ଥ ଆସନଟି ବର୍ତ୍ତମାନ ବେଶ ଚର୍ଚ୍ଚାକୁ ଆସିଛି। ଏହି ଭିତରେ ଆଜି ଦିଲ୍ଲୀପ ତାଙ୍କର ବନ୍ଧୁ ବିଜୟ ମହାପାତ୍ରଙ୍କ ବାସଭବନକୁ ଯାଇ ସାକ୍ଷାତ କରିଛନ୍ତି। ଏହାକୁ ନେଇ ବେଶ ଆଲୋଚନା ଚାଲିଛି। ହେଲେ ଏହି ସାକ୍ଷାତ ହୋଲି ଶୁଭେଚ୍ଛା ଥିଲା ବୋଲି ବିଜୟ ମହାପାତ୍ରଙ୍କ ପୁତ୍ର ତଥା ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି।
ଅରବିନ୍ଦ ଆହୁରି କହିଛନ୍ତି ଯେ, ଦିଲ୍ଲୀପବାବୁ ହେଉଛନ୍ତି ଭଲ ପ୍ରାର୍ଥୀ। ତାଙ୍କର ଚାଳିଶ ବର୍ଷର ରାଜନୈତିକ ଅଭିଜ୍ଞତା ରହିଛି। ମୁଁ ବର୍ତ୍ତମାନ ସ୍ବାଧୀନ ବିଧାୟକ। କାହାକୁ ଭୋଟ ଦେବି ସେ ନେଇ ମୁଁ ସ୍ବାଧୀନ ନିଷ୍ପତି ଗ୍ରହଣ କରିବି। ତେବେ ସେ କହିଛନ୍ତି ଯେ, ଚତୁର୍ଥ ଆସନ ପାଇଁ ଆଉ ଜଣେ କେହି ପ୍ରାର୍ଥୀପତ୍ର ଦାଖଲ କରିପାରେ। ସେ କାହାକୁ ଏପରି ଇଙ୍ଗିତ କଲେ ବୋଲି ସାଧାରଣରେ ଆଲୋଚନା ଚାଲିଛି।


