ନୂଆଦିଲ୍ଲୀ: ପଶ୍ଚିମ ଏସିଆର ପରିବର୍ତ୍ତିତ ପରିସ୍ଥିତି ମଧ୍ୟରେ, ଭାରତ ସରକାର ନିୟମିତ ଅପଡେଟ ମାଧ୍ୟମରେ ନାଗରିକମାନଙ୍କୁ ଅବଗତ କରାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ସୋମବାର ନ୍ୟାସନାଲ୍ ମେଡିଆ ସେଣ୍ଟରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀମାନେ ଇନ୍ଧନ ଉପଲବ୍ଧତା, ସାମୁଦ୍ରିକ କାର୍ଯ୍ୟ, ଏହି ଅଞ୍ଚଳରେ ଭାରତୀୟ ନାଗରିକଙ୍କୁ ସହାୟତା ଏବଂ ପ୍ରମୁଖ କ୍ଷେତ୍ରରେ ସ୍ଥିରତା ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପ ଉପରେ ସଦ୍ୟତମ ସୂଚନା ପ୍ରଦାନ କରିଥିଲେ। ସାର ଓ ରସାୟନ ମନ୍ତ୍ରଣାଳୟ ମଧ୍ୟ ଗଣମାଧ୍ୟମକୁ ସାର ମହଜୁଦ ସ୍ଥିତି ଏବଂ ଉପଲବ୍ଧତା ସମ୍ପର୍କରେ ସୂଚନା ଦେଇଛି।
ସାର ମହଜୁଦ ସ୍ଥିତି:
| ଉତ୍ପାଦ | ଆଜି ସୁଦ୍ଧା | ଗତ ବର୍ଷ ଆଜିର ତାରିଖ ସୁଦ୍ଧା |
| ୟୁରିଆ | ୭୪.୪୮ | ୭୪.୦୩ |
| ଡିଏପି | ୨୨.୪୭ | ୧୫.୨୨ |
| ଏନପିକେ | ୫୯.୫୩ | ୪୬.୨୬ |
| ଏସ୍ଏସ୍ପି | ୨୬.୭୧ | ୨୬.୬୩ |
| ଏମଓପି | ୧୨.୫୨ | ୧୨.୮୪ |
| ସମୁଦାୟ | ୧୯୫.୭୧ | ୧୭୪.୯୮ |
- ଖରିଫ ୨୦୨୬ ପାଇଁ, ଦେଶରେ ଥିବା ସାରର ଆବଶ୍ୟକତା ଅନୁସାରେ ଏବେ ୫୦ ପ୍ରତିଶତରୁ ଅଧିକ ସାର ମହଜୁଦ ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଡିଏ ଆଣ୍ଡ ଏଫଡବ୍ଲ୍ୟୁ ଦ୍ୱାରା ହୋଇଥିବା ଆକଳନ ଅନୁସାରେ ଚଳିତ ଖରିଫ ଋତୁରେ ୩୯୦.୫୪ଲକ୍ଷ ମେଟ୍ରିକ ଟନ ସାର ଆବଶ୍ୟକ। ଆଜି ସୁଦ୍ଧା ଏହି ଷ୍ଟକ୍ ତୁଳନାରେ ପ୍ରାୟ ୧୯୫.୭୧ ଲକ୍ଷ ମେଟ୍ରିକ ଟନ ଗଚ୍ଛିତ ରହିଛି, ଯାହା ସାଧାରଣ ସ୍ତରର ପ୍ରାୟ ୩୩% ଠାରୁ ଯଥେଷ୍ଟ ଅଧିକ ଅଟେ । ଏହା ସରକାରଙ୍କ ଉନ୍ନତ ଯୋଜନା, ଅଗ୍ରୀମ ଷ୍ଟକିଂ ଏବଂ ଦକ୍ଷ ଲଜିଷ୍ଟିକ୍ସ ପରିଚାଳନାକୁ ଦର୍ଶାଉଛି ।
ରାଜ୍ୟଗୁଡ଼ିକରେ ଯୋଗାଣ ସ୍ଥିତି ଦୃଢ଼ ରହିଛି । ୧ ମଇ ୨୦୨୬ ରୁ ୦୩ ମଇ ୨୦୨୬ ଅବଧି ପାଇଁ, ଉପଲବ୍ଧତା ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ରହିଛି । ବର୍ତ୍ତମାନ ୟୁରିଆ ମହଜୁଦ ରହିଛି ୨.୬୬ ଲକ୍ଷ ମେଟ୍ରିକ ଟନ ତୁଳନାରେ ୬୨.୨୮ ଲକ୍ଷ ମେଟ୍ରିକ ଟନ, ଡିଏପି ଆବଶ୍ୟକତା ୦.୮୫ ଲକ୍ଷ ମେଟ୍ରିକ ଟନ ତୁଳନାରେ ୨୦.୩୨ ଲକ୍ଷ ମେଟ୍ରିକ ଟନ, ଏମଓପି ଉପଲବ୍ଧ ୭.୬ ଲକ୍ଷ ମେଟ୍ରିକ ଟନ ରହିଛି, ଏନପିକେ ୧.୧୬ ଲକ୍ଷ ମେଟ୍ରିକ ଟନ ତୁଳନାରେ ୪୯.୭୧ ଲକ୍ଷ ମେଟ୍ରିକ ଟନ ଏବଂ ଏସଏସପି ଆବଶ୍ୟକତା ୦.୫୫ ଲକ୍ଷ ମେଟ୍ରିକ ଟନ ତୁଳନାରେ ୨୪.୬୦ ଲକ୍ଷ ମେଟ୍ରିକ ଟନ ଉପଲବ୍ଧ ରହିଛି। ଏହା ସ୍ପଷ୍ଟ ଭାବରେ ଚଳିତ ଖରିଫ ଋତୁ ପାଇଁ ଏକ ଦୃଢ ସ୍ଥିତିକୁ ସୂଚିତ କରୁଛି।
ବଦଳି ନାହିଁ ପ୍ରମୁଖ ସାରର ସର୍ବୋଚ୍ଚ ଖୁଚୁରା ମୂଲ୍ୟ :
| ଉତ୍ପାଦ | (ବ୍ୟାଗ୍ ପିଛା ଟଙ୍କା) |
| ୟୁରିଆ | ୨୬୬.୫ |
| ଡିଏପି | ୧୩୫୦ |
| ଟିଏସପି | ୧୩୦୦ |
ସଙ୍କଟ ପରେ ସାରର ଘରୋଇ ଉତ୍ପାଦନ ଏବଂ ଆମଦାନୀ:
| ଉତ୍ପାଦ | ସଙ୍କଟ ପରେ ଘରୋଇ ଉତ୍ପାଦନ | ସଙ୍କଟ ପରେ ଭାରତୀୟ ବନ୍ଦରରୁ ଆମଦାନୀ ପହଞ୍ଚିଛି |
| ୟୁରିଆ | ୪୦.୭୨ | ୯.୯୮ |
| ଡିଏପି | ୫.୩୯ | ୦.୭୯ |
| ଏନପିକେ | ୧୩.୬୫ | ୩.୫୪ |
| ଏସ୍ଏସ୍ପି | ୭.୯୫ | ୦ |
| ଏମ୍ଓପି | ୦ | ୨.୪୧ |
| ସମୁଦାୟ | ୬୭.୭୧ | ୧୬.୬୯ |
- ସଙ୍କଟ ପରେ ପ୍ରାୟ ୮୪ ଲକ୍ଷ ମେଟ୍ରିକ ଟନ ସାର ଉପଲବ୍ଧ କରାଯାଇଛି ।
- ଚଳିତ ଏପ୍ରିଲରେ, ୟୁରିଆ ଉତ୍ପାଦନପୂର୍ବବର୍ଷ ୨୧.୮୯ ଲକ୍ଷ ମେଟ୍ରିକ୍ ଟନ୍ ତୁଳନାରେ ଘରୋଇ ଉତ୍ପାଦନ ପ୍ରାୟ ୨୦.୯୮ ଏଲ୍ଏମଟିରେ ପହଞ୍ଚିଛି ।
- ବିଶକୱ ୟୁରିଆ ଟେଣ୍ଡର – ଫେବୃଆରୀ ଶେଷ ଠାରୁ ଆଜି ପର୍ଯ୍ୟନ୍ତ ଭାରତ ମୋଟ ୩୮.୦୭ ଏଲ୍ଏମଟି (୧୩.୦୭ ଆରସିଏଫ୍ + ୨୫ ଏଲ୍ଏମଟି ଆଇପିଏଲ୍) ହାସଲ କରିଛି ।
- ମେ ଓ ଜୁନ ମାସରେ ଭାରତୀୟ ବନ୍ଦରରେ ପହଞ୍ଚିବା ପାଇଁ ଭାରତ ପ୍ରାୟ୬ ଲକ୍ଷ ମେଟ୍ରିକ ଟନ ଏନପିକେ ହାସଲ କରିଛି ।
- ଡିଏପି, ଟିଏସପି ଏବଂ ଆମୋନିୟମ ସଲଫେଟ କ୍ରୟ ପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଭାରତୀୟ ସାର କମ୍ପାନୀଗୁଡିକ ଶୁକ୍ରବାର ଅର୍ଥାତ୍ ୨୪.୦୪.୨୦୨୬ରେ ୧୨ଲକ୍ଷ ମେଟ୍ରିକ ଟନ ଡିଏପି ଏବଂ ୪ ଲକ୍ଷ ମେଟ୍ରିକ ଟନ ଟିଏସପି ଏବଂ ୩ ଲକ୍ଷ ମେଟ୍ରିକ ଟନ ଆମୋନିୟମ ସଲଫେଟ କ୍ରୟ ପାଇଁ ବିଶ୍ୱସ୍ତରୀୟ ଟେଣ୍ଡର ଜାରି କରିଛନ୍ତି । ଏହା ଶିଖର ଋତୁରେ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବାରେ ସହାୟକ ହେବ ।
- ସାର ବିଭାଗ ପକ୍ଷରୁ ନିୟମିତ ଭାବେ ୟୁରିଆ ଏବଂ ପି ଆଣ୍ଡ କେ ସାର ଉତ୍ପାଦନ ପାଇଁ ଇନପୁଟର ଉପଲବ୍ଧତା ସମ୍ପର୍କରେ ସମୀକ୍ଷା କରାଯାଉଛି ।
- ସାରର ପର୍ଯ୍ୟାପ୍ତ ଉପଲବ୍ଧତା ଏବଂ ଇଜିଓଏସ୍ ଦ୍ୱାରା ଉପଲବ୍ଧତାରେ ଥିବା ଅଧିକାଂଶ ଆହ୍ୱାନକୁ ନିଶ୍ଚିତ କରିବା ପାଇଁ ଆଜି ପର୍ଯ୍ୟନ୍ତଇଜିଓଏସ୍ ର ୭ ଟି ବୈଠକ ଅନୁଷ୍ଠିତ ହୋଇଛି
- ଭାରତର ସାର ସୁରକ୍ଷା ମଜଭୁତ, ସ୍ଥିର ଏବଂ ସୁପରିଚାଳନା ସହିତ ସମସ୍ତ ପ୍ରମୁଖ ସାର ଉପଲବ୍ଧତା ଆବଶ୍ୟକତାଠାରୁ ଅଧିକ ରହିଛି ।
ଶକ୍ତି ଯୋଗାଣ ଏବଂ ଇନ୍ଧନ ଉପଲବ୍ଧତା
ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ବର୍ତ୍ତମାନର ଇନ୍ଧନ ଯୋଗାଣ ସ୍ଥିତି ସମ୍ପର୍କରେ ସଦ୍ୟତମ ସୂଚନା ପ୍ରଦାନ କରାଯାଇଛି । ପଶ୍ଚିମ ଏସିଆର ପରିବର୍ତ୍ତିତ ପରିସ୍ଥିତି ପରିପ୍ରେକ୍ଷୀରେ ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲପିଜିର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦିଆଯାଇଥିଲା ।
ଜନ ପରାମର୍ଶ ଏବଂ ନାଗରିକ ସଚେତନତା
ଆଜି ଆୟୋଜିତ ସାମ୍ବିଦିକ ସମ୍ମିଳନୀରେ ପ୍ରଦତ୍ତ ସୂଚନା ଅନୁସାରେ, ଡିଜେଲ ଏବଂ ଏଲପିଜିର ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଥିବାରୁ ନାଗରିକମାନଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ର ଆତଙ୍କିତ କ୍ରୟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଗୁଜବ ପ୍ରତି ସତର୍କ ରୁହି ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ଭରସା କରିବାକୁ ମନ୍ତ୍ରଣାଳୟ ନିବେଦନ କରିଛି। ଏଲପିଜି ଗ୍ରାହକମାନଙ୍କୁ ଡିଜିଟାଲ୍ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକମାନଙ୍କ ପାଖକୁ ଯିବାକୁ ବାରଣ କରିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ପିଏନଜି ଏବଂ ଇଲେକ୍ଟ୍ରିକ୍ କିମ୍ବା ଇଣ୍ଡକସନ୍ କୁକ୍ଟପ୍ ଭଳି ବିକଳ୍ପ ଜାଳେଣି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ସମସ୍ତ ନାଗରିକଙ୍କୁ ବର୍ତ୍ତମାନର ପରିସ୍ଥିତିରେ ସେମାନଙ୍କର ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଞ୍ଚୟ କରିବା ପାଇଁ ଆବଶ୍ୟକ ପ୍ରୟାସ କରିବାକୁ ଅନୁରୋଧ କରାଯାଇଛି।
ସରକାରଙ୍କ ପ୍ରସ୍ତୁତି ଏବଂ ଯୋଗାଣ ପରିଚାଳନା ପଦକ୍ଷେପ
ବର୍ତ୍ତମାନର ଭୂ-ରାଜନୈତିକ ସ୍ଥିତିରେ ଅସନ୍ତୁଳନତା ସତ୍ତ୍ୱେ, ସରକାର ଘରୋଇ ଏଲପିଜି, ଘରୋଇ ପିଏନଜି ଏବଂ ସିଏନଜି-ପରିବହନର ୧୦୦% ଯୋଗାଣ ନିଶ୍ଚିତ କରିଛନ୍ତି। ବାଣିଜ୍ୟିକ ଏଲପିଜି ପାଇଁ ହସ୍ପିଟାଲ, ଶିକ୍ଷାନୁଷ୍ଠାନକୁ ପ୍ରାଥମିକତା ଦିଆଯାଇଛି। ଏହା ବ୍ୟତୀତ ଫାର୍ମା, ଷ୍ଟିଲ୍, ଅଟୋମୋବାଇଲ୍, ବିହନ, କୃଷି ଇତ୍ୟାଦିକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି। ଏହା ସହିତ, ୨ ଏବଂ ୩ ମାର୍ଚ୍ଚ ୨୦୨୬ ର ହାରାହାରି ଦୈନନ୍ଦିନ ଯୋଗାଣ ଆଧାରରେ ପ୍ରବାସୀ ଶ୍ରମିକମାନଙ୍କୁ ୫ କିଲୋଗ୍ରାମ ଏଫଟିଏଲ୍ ଯୋଗାଣ ମଧ୍ୟ ଦ୍ୱିଗୁଣିତ କରାଯାଇଛି। ସରକାର ଯୋଗାଣ ଏବଂ ଚାହିଦା ଉଭୟ ଦିଗରେ ଅନେକ ଯୁକ୍ତିଯୁକ୍ତ ପଦକ୍ଷେପ କାର୍ଯ୍ୟକାରୀ କରିସାରିଛନ୍ତି, ଯେଉଁଥିରେ ରିଫାଇନାରୀ ଉତ୍ପାଦନ ବୃଦ୍ଧି, ସହରାଞ୍ଚଳରେ ବୁକିଂ ବ୍ୟବଧାନ ୨୧ ରୁ ୨୫ ଦିନକୁ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ ଯୋଗାଣ ବେଳେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଲପିଜି ଚାହିଦା ଉପରେ ଚାପ ହ୍ରାସ କରିବା ପାଇଁ କିରୋସିନି ଏବଂ କୋଇଲା ଭଳି ବିକଳ୍ପ ଜାଳେଣି ଉପଲବ୍ଧ କରାଯାଇଛି। କୋଇଲା ମନ୍ତ୍ରଣାଳୟ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିଅରିଜ୍କୁ କ୍ଷୁଦ୍ର ଏବଂ ମଧ୍ୟମ ଗ୍ରାହକମାନଙ୍କ ମଧ୍ୟରେ ବଣ୍ଟନ ପାଇଁ ରାଜ୍ୟଗୁଡ଼ିକୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି। ଘରୋଇ ଏବଂ ବାଣିଜ୍ୟିକ ଗ୍ରାହକମାନଙ୍କ ପାଇଁ ନୂତନ ପିଏନଜି ସଂଯୋଗ ସୁବିଧା ଯୋଗାଇବା ପାଇଁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଏବଂ ସଂସ୍ଥାଗତ ବ୍ୟବସ୍ଥା ସହିତ ସମନ୍ୱିତ ପ୍ରୟାସ
ମନ୍ତ୍ରଣାଳୟର ସୂଚନା ଅନୁସାରେ, ଅତ୍ୟାବଶ୍ୟକ ସାମଗ୍ରୀ ଆଇନ, ୧୯୫୫ ଏବଂ ଏଲପିଜି ନିୟନ୍ତ୍ରଣ ଆଦେଶ, ୨୦୦୦ ଅଧୀନରେ ରାଜ୍ୟ ସରକାରମାନଙ୍କୁ ଯୋଗାଣ ଉପରେ ନଜର ରଖିବା ଏବଂ କଳାବଜାରୀ ତଥା ମହଜୁଦକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି। ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ସ୍ଥିତିର ଅନୁଧ୍ୟାନ ଏବଂ ନିୟନ୍ତ୍ରଣ କରିବାରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ପ୍ରାଥମିକ ଭୂମିକା ରହିଛି। ଭାରତ ସରକାର ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଏକାଧିକ ଚିଠି ଏବଂ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହା ଦୋହରାଇଛନ୍ତି। ପର୍ଯ୍ୟାପ୍ତ ଜାଳେଣି ଉପଲବ୍ଧତା ସମ୍ପର୍କରେ ନାଗରିକଙ୍କୁ ଆଶ୍ୱାସନା ଦେବା ପାଇଁ ସକ୍ରିୟ ଜନସମ୍ପର୍କର ଆବଶ୍ୟକତା ଉପରେ ଭାରତ ସରକାର ୨୭.୦୩.୨୦୨୬ ଏବଂ ୦୨.୦୪.୨୦୨୬ ତାରିଖର ଚିଠି ମାଧ୍ୟମରେ ଗୁରୁତ୍ୱାରୋପ କରିଛନ୍ତି। ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହିତ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ, ଏପ୍ରିଲ ୨ ତାରିଖରେ ପିଏନଜି ସଚିବଙ୍କ ଅଧ୍ୟକ୍ଷତାରେ ଏକବୈଠକ ଅନୁଷ୍ଠିତ ହୋଇ ସଚେତନତା ସୃଷ୍ଟି ଓ ପଦକ୍ଷେପ ସମନ୍ୱୟ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଥିଲା। ଏହି ପଦକ୍ଷେପ ଗୁଡ଼ିକ ମଧ୍ୟରେ;
- ଦୈନିକ ପ୍ରେସ୍ ବ୍ରିଫିଂ ଏବଂ ନିୟମିତ ଜନସାଧାରଣଙ୍କ ପାଇଁ ପରାମର୍ଶାବଳୀ ଜାରି କରିବା।
- ସୋସିଆଲ ମିଡିଆରେ ମିଥ୍ୟା ଖବର ତଥା ଭ୍ରମାତ୍ମକ ସୂଚନା ଉପରେ ସକ୍ରିୟ ଭାବରେ ନଜର ରଖିବା ଏବଂ ଏହାର ମୁକାବିଲା କରିବା।
- ଜିଲ୍ଲା ପ୍ରଶାସନ ଦ୍ୱାରା ଦୈନିକ ପ୍ରବର୍ତ୍ତନ ଅଭିଯାନକୁ ଜୋରଦାର କରିବା ଏବଂ ତୈଳ ବିପଣନ କମ୍ପାନୀ ସହିତ ସମନ୍ୱୟ ରକ୍ଷା କରି ଚଢ଼ାଉ ଏବଂ ଯାଞ୍ଚ ଜାରି ରଖିବା।
- ସେମାନଙ୍କ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ବାଣିଜ୍ୟିକ ଏଲପିଜି ବଣ୍ଟନ ଆଦେଶ ଜାରି କରିବା।
- ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଣ୍ଟିତ ଅତିରିକ୍ତ କିରୋସିନି ପାଇଁ ଆବଣ୍ଟନ ଆଦେଶ ଜାରି କରିବା।
- ପିଏନଜି ଆପଣାଇବା ଏବଂ ବିକଳ୍ପ ଜାଳେଣିକୁ ପ୍ରୋତ୍ସାହିତ କରିବା।
- ଏଲପିଜି ଯୋଗାଣକୁ ପ୍ରାଥମିକତା ଦେବା, ବିଶେଷ କରି ଘରୋଇ ଆବଶ୍ୟକତା ପାଇଁ, ଏବଂ ଯୋଗାଣ ସ୍ଥିରତା ନିଶ୍ଚିତ କରିବାକୁ ୫ କିଲୋଗ୍ରାମ ଏଫଟିଏଲ୍ ସିଲିଣ୍ଡରର ଲକ୍ଷ୍ୟଧାର୍ଯ୍ୟ ବଣ୍ଟନ ବ୍ୟବସ୍ଥା ଗ୍ରହଣ କରିବା ପ୍ରଭୃତି ଅନ୍ତର୍ଭୁକ୍ତ।
ସେହିପରି କଳାବଜାରୀ ଏବଂ ମହଜୁଦକାରୀଙ୍କୁ ରୋକିବା ପାଇଁ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ନିୟନ୍ତ୍ରଣ କକ୍ଷ ଏବଂ ଜିଲ୍ଲା ସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି। ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟ ନିୟମିତ ପ୍ରେସ୍ ବ୍ରିଫିଂ ଜାରି କରୁଛନ୍ତି ଓ କାର୍ଯ୍ୟକାରୀ କରୁଛନ୍ତି।
କାର୍ଯ୍ୟାନ୍ୱୟନ ଏବଂ ମନିଟରିଂ କାର୍ଯ୍ୟ
- ଏଲପିଜିର ବେଆଇନ ମହଜୁଦ ଏବଂ କଳାବଜାରୀକୁ ରୋକିବା ପାଇଁ ସାରା ଦେଶରେ ପ୍ରବର୍ତ୍ତନ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଗତକାଲି ସାରା ଦେଶରେ ୧୫୭୦ରୁ ଅଧିକ ଚଢ଼ାଉ କରାଯାଇଥିଲା । ସେହିପରି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ କାର୍ଯ୍ୟାନୁଷ୍ଠାନ ଓ ତଦାରଖ ବ୍ୟବସ୍ଥାକୁଦୃଢ଼ କରିବା ସହିତ ୩୪୯ଟି ଏଲପିଜି ବିତରଣ ସଂସ୍ଥା ଉପରେ ଅଚାନକ ଯାଞ୍ଚ ଜାରି ରଖିଛନ୍ତି ଏବଂ ୭୪ଟି ଏଲପିଜି ବିତରଣକାରୀଙ୍କୁ ନିଲମ୍ବିତ କରାଯାଇଛି।
ଏଲପିଜି ଯୋଗାଣ
ଘରୋଇ ଏଲପିଜି ଯୋଗାଣ ସ୍ଥିତିକୁ ଶୃଙ୍ଖଳିତ କରିବା ଲାଗି ସରକାରୀ ତୈଳ କମ୍ପାନୀଗୁଡ଼ିକ ତତ୍ପର ହୋଇଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, ପ୍ରଚଳିତ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଏଲପିଜି ଯୋଗାଣ ପ୍ରଭାବିତ ହେବା ଜାରି ରହିଛି। କିନ୍ତୁ ସରକାର ନିଜ ନୀତିରେ ଘରୋଇ ପରିବାରକୁ ଏଲପିଜି ଯୋଗାଣକୁ ପ୍ରାଥମିକତା ଦିଆଯାଇଛି। ଏଲପିଜି ବିତରକ ସଂସ୍ଥାଗୁଡ଼ିକରେ କୌଣସି ଷ୍ଟକ୍ ଶେଷ ହୋଇଥିବା ଖବର ମିଳିନାହିଁ। ଗତକାଲି ଶିଳ୍ପ ଭିତ୍ତିରେ ଅନଲାଇନ୍ ଏଲପିଜି ସିଲିଣ୍ଡର ବୁକିଂ ୯୯% କୁ ବୃଦ୍ଧି ପାଇଛି। ଗ୍ୟାସର ଅନ୍ୟତ୍ର ବ୍ୟବହାର ରୋକିବା ପାଇଁ ପଇଠ ପ୍ରମାଣନ କୋଡ୍ ଆଧାରିତ ବିତରଣ ପ୍ରାୟ ୯୪% କୁ ବୃଦ୍ଧି ପାଇଛି। ଡିଏସି ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ହୋଇଥାଏ।
ବାଣିଜ୍ୟିକ ଏଲପିଜି ଯୋଗାଣ ଏବଂ ଆବଣ୍ଟନ ପଦକ୍ଷେପ :
ସେହିପରି ମୋଟ ବାଣିଜ୍ୟିକ ଏଲପିଜି ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ତରର ପ୍ରାୟ ୭୦%କୁ ବୃଦ୍ଧି କରାଯାଇଛି, ଯେଉଁଥିରେ ୧୦% ସଂସ୍କାର-ସଂଲଗ୍ନ ଆବଣ୍ଟନ ଅନ୍ତର୍ଭୁକ୍ତ। ଭାରତ ସରକାର ୦୬.୦୪.୨୦୨୬ ତାରିଖର ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କୁ ବିତରଣ ପାଇଁ ପ୍ରତ୍ୟେକ ରାଜ୍ୟରେ ଉପଲବ୍ଧ ୫ କିଲୋଗ୍ରାମ ଏଫଟିଏଲ୍ ସିଲିଣ୍ଡରର ଦୈନିକ ପରିମାଣକୁ ୨-୩ ମାର୍ଚ୍ଚ ୨୦୨୬ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ଦିଆଯାଇଥିବା ହାରାହାରି ଦୈନିକ ଯୋଗାଣ (ସିଲିଣ୍ଡର ସଂଖ୍ୟା) ଆଧାରରେ ଦ୍ୱିଗୁଣିତ କରାଯାଉଛି, ଯାହା ୨୧.୦୩.୨୦୨୬ ତାରିଖର ଚିଠିରେ ଉଲ୍ଲେଖ କରାଯାଇଥିବା ୨୦% ସୀମା ବାହାରେ ଅଟେ। ଏହି ୫ କିଲୋଗ୍ରାମ ଏଫଟିଏଲ୍ ସିଲିଣ୍ଡରଗୁଡ଼ିକ ତୈଳ ବିପଣନ କମ୍ପାନୀଗୁଡିକର ସହାୟତାରେ କେବଳ ସେମାନଙ୍କ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ରହିଛି।
- ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏପ୍ରିଲ୍ ୨୦୨୬ ପରଠାରୁ, ୨୩.୫୮ ଲକ୍ଷ – ୫ କିଲୋଗ୍ରାମରୁ ଅଧିକ ଏଫଟିଏଲ୍ ସିଲିଣ୍ଡର ବିକ୍ରି ହୋଇଛି । ୩ ଏପ୍ରିଲ ୨୦୨୬ ଠାରୁ, ପିଏସୟୁ ଓଏମସି ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ପାଇଁ ପ୍ରାୟ ୧୦,୧୭୦ ସଚେତନତା ଶିବିର ଆୟୋଜନ କରିଛନ୍ତି, ଯେଉଁଥିରେ ପ୍ରାୟ ୧,୭୬,୫୦୦ – ୫ କିଲୋଗ୍ରାମ ଏଫଟିଏଲ ସିଲିଣ୍ଡର ମଧ୍ୟ ବିକ୍ରି ହୋଇଛି । ଆଇଓସିଏଲ, ଏଚପିସିଏଲ ଏବଂ ବିପିସିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କୁ ନେଇ ଗଠିତ ଏକ ତିନି ଜଣିଆ କମିଟି ରାଜ୍ୟ କର୍ତ୍ତୃପକ୍ଷ ଏବଂ ଶିଳ୍ପ ସଂସ୍ଥାମାନଙ୍କ ସହିତ ପରାମର୍ଶ କରି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ବ୍ୟାବସାୟିକ ଏଲପିଜି ବିକ୍ରି ଯୋଜନା ଚୂଡ଼ାନ୍ତ ରୂପ ଦେବ ।
- ଏପ୍ରିଲ୍ ୨୦୨୬ ପରଠାରୁ, ସମୁଦାୟ ୨,୧୫,୩୩୨ ମେଟ୍ରିକ୍ ଟନ୍ (୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ୧୧୩.୩୩ ଲକ୍ଷରୁ ଅଧିକ ସମାନ) ବାଣିଜ୍ୟିକ ଏଲପିଜି ବିକ୍ରି ହୋଇଛି । ଏପ୍ରିଲ ୨୦୨୬ ପରଠାରୁ, ପିଏସୟୁ ଓଏମସିଗୁଡ଼ିକ ଦ୍ୱାରା ସମୁଦାୟ ୧୧,୧୦୬ ମେଟ୍ରିକ୍ ଟନ୍ ଅଟୋ ଏଲପିଜି ବିକ୍ରି କରା ଯାଇଛି ।
ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣ ପଦକ୍ଷେପ
- ଡି-ପିଏନଜି ଏବଂ ସିଏନଜି-ପରିବହନ କ୍ଷେତ୍ରକୁ ୧୦୦% ଯୋଗାଣ ସହିତ ଗ୍ରାହକମାନଙ୍କୁ ପ୍ରାଥମିକତା ଦିଆଯାଇଛି।
- ସାର କାରଖାନାଗୁଡ଼ିକୁ ସେମାନଙ୍କର ଛଅ ମାସର ହାରାହାରି ବ୍ୟବହାରର ପ୍ରାୟ ୯୮% ପର୍ଯ୍ୟନ୍ତ ସାମଗ୍ରିକ ଗ୍ୟାସ ଆବଣ୍ଟନ ବୃଦ୍ଧି କରାଯାଇଛି।
- ଏହା ବ୍ୟତୀତ, ସିଜିଡି ନେଟୱାର୍କ ମାଧ୍ୟମରେ ଯୋଗାଣ ସହିତ ଅନ୍ୟାନ୍ୟ ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଗ୍ୟାସ ଯୋଗାଣ ୮୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
- ବାଣିଜ୍ୟିକ ଏଲପିଜି ର ଉପଲବ୍ଧତା ସମ୍ବନ୍ଧୀୟ ଚିନ୍ତାଧାରାକୁ ଦୂର କରିବା ପାଇଁ ସମସ୍ତ ଭୌଗୋଳିକ ଅଞ୍ଚଳ ରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ କ୍ୟାଣ୍ଟିନ ଭଳି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ପିଏନଜି ସଂଯୋଗ ଦେବା ପାଇଁ ସିଜିଡି ସଂସ୍ଥାଗୁଡ଼ିକୁ ପରାମର୍ଶ ଦିଆଯାଇଛି।
- ଆଇଜିଏଲ୍, ଏମ୍ଜିଏଲ୍, ଗେଲ ଏବଂ ବିପିସିଏଲ୍ ସମେତ ସିଜିଡି କମ୍ପାନୀଗୁଡିକ ଘରୋଇ ଏବଂ ବାଣିଜ୍ୟିକ ପିଏନଜି ସଂଯୋଗ ପାଇଁ ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି।
- ସିଜିଡି ନେଟୱାର୍କର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ ଅନୁରୋଧ କରାଯାଇଛି।
- ଭାରତ ସରକାର ୧୮.୦୩.୨୦୨୬ ତାରିଖର ଚିଠି ମାଧ୍ୟମରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଅତିରିକ୍ତ ୧୦% ବାଣିଜ୍ୟିକ ଏଲପିଜି ଆବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି, ଯଦି ସେମାନେ ଏଲପିଜି ରୁ ପିଏନଜି କୁ ଦୀର୍ଘକାଳୀନ ପରିବର୍ତ୍ତନରେ ସାହାଯ୍ୟ କରିପାରିବେ।
- ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପିଏନଜି ସମ୍ପ୍ରସାରଣ ସଂସ୍କାର ସହିତ ଜଡ଼ିତ ଅତିରିକ୍ତ ବାଣିଜ୍ୟିକ ଏଲପିଜି ଆବଣ୍ଟନ ଗ୍ରହଣ କରୁଛନ୍ତି।
- ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୪.୦୩.୨୦୨୬ ତାରିଖର ଚିଠି ମାଧ୍ୟମରେ ସିଜିଡି ଭିତ୍ତିଭୂମି ସମ୍ବନ୍ଧୀୟ ଆବେଦନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ସମାଧାନ କରିବା ପାଇଁ ୩ ମାସ ପାଇଁ ସ୍ୱତନ୍ତ୍ର ଭାବରେ ‘ହ୍ରାସିତ ସମୟସୀମା ସହିତ ସିଜିଡି ଭିତ୍ତିଭୂମି ପାଇଁ ତ୍ୱରାନ୍ୱିତ ଅନୁମୋଦନ ବ୍ୟବସ୍ଥା’ ଗ୍ରହଣ କରିଛନ୍ତି।
- ଭାରତ ସରକାର ୨୪.୦୩.୨୦୨୬ ତାରିଖର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, ୧୯୫୫ ଅଧୀନରେ ‘ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବିତରଣ (ପାଇପଲାଇନ ଏବଂ ଅନ୍ୟାନ୍ୟ ସୁବିଧା ସ୍ଥାପନ, ନିର୍ମାଣ, ପରିଚାଳନା ଏବଂ ସମ୍ପ୍ରସାରଣ ମାଧ୍ୟମରେ) ଆଦେଶ, ୨୦୨୬’ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଦେଶ ସାରା ଦେଶରେ ପାଇପଲାଇନ ବିଛାଇବା ଏବଂ ସମ୍ପ୍ରସାରଣ ପାଇଁ ଏକ ସରଳୀକୃତ ଏବଂ ସମୟବଦ୍ଧ ବ୍ୟବସ୍ଥା ପ୍ରଦାନ କରେ। ଏହାଦ୍ୱାରା ଆବାସିକ ଅଞ୍ଚଳ ସମେତ ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିର ଦ୍ରୁତ ବିକାଶ ସମ୍ଭବ ହେବ। ଏହା ପିଏନଜି ନେଟୱାର୍କର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ଏବଂ ଭାରତର ଗ୍ୟାସ-ଆଧାରିତ ଅର୍ଥନୀତିକୁ ସୁଦୃଢ଼ କରିବ।
- ପିଏନଜିଆରବି (ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ) ସିଜିଡି ସଂସ୍ଥାଗୁଡ଼ିକୁ ଡି-ପିଏନଜି ସଂଯୋଗକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି। ଏଥିସହ, ପିଏନଜି ସମ୍ପ୍ରସାରଣର ଗତି ବଜାୟ ରଖିବା ପାଇଁ ‘ନ୍ୟାସନାଲ ପିଏନଜି ଡ୍ରାଇଭ୍ ୨.୦’ କୁ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
- ସ୍ୱଚ୍ଛ, ସୁରକ୍ଷିତ ଏବଂ ଆତ୍ମନିର୍ଭରଶୀଳ ଶକ୍ତି ଭବିଷ୍ୟତକୁ ଉତ୍ସାହିତ କରିବା ପାଇଁ ଭାରତ ସରକାର ଏକ ମଡେଲ୍ ଡ୍ରାଫ୍ଟ ‘ଷ୍ଟେଟ୍ ସିବିଜି (ସଂକୁଚିତ ବାୟୋ ଗ୍ୟାସ) ନୀତି’ ପ୍ରସ୍ତୁତ କରିଛନ୍ତି। ଯେଉଁ ରାଜ୍ୟଗୁଡ଼ିକ ଏହାକୁ ଚୟନ କରିବେ, ସେମାନଙ୍କୁ ବାଣିଜ୍ୟିକ ଏଲପିଜି ର ପରବର୍ତ୍ତୀ ଅତିରିକ୍ତ ଆବଣ୍ଟନ ପାଇଁ ପ୍ରାଥମିକତା ଦିଆଯିବ।
- ପରିବେଶ, ବନ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏପ୍ରିଲ ୭ ତାରିଖରେ ଆଦେଶ ମାଧ୍ୟମରେ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛି ଯେ ସିଜିଡି ନେଟୱାର୍କ ଓ ଭିତ୍ତିଭୂମି ପାଇଁ ୧୫ ଦିନ ମଧ୍ୟରେ ସ୍ଥାପନ କିମ୍ବା ପରିଚାଳନା ସମ୍ମତି ପ୍ରଦାନ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦିଅନ୍ତୁ।
- ମାର୍ଚ୍ଚ ୨୦୨୬ ରୁ, ପ୍ରାୟ ୫.୯୬ ଲକ୍ଷ ପିଏନଜି ସଂଯୋଗ ଗ୍ୟାସୀକରଣ କରାଯାଇଛି ଏବଂ ଅତିରିକ୍ତ ୨.୬୮ ଲକ୍ଷ ସଂଯୋଗ ପାଇଁ ଭିତ୍ତିଭୂମି ସୃଷ୍ଟି କରାଯାଇଛି, ଯାହା ମୋଟ ସଂଯୋଗ ସଂଖ୍ୟାକୁ ୮.୬୪ ଲକ୍ଷକୁ ବୃଦ୍ଧି କରିଛି। ଏଥିସହ, ପ୍ରାୟ ୬.୬୬ ଲକ୍ଷ ଗ୍ରାହକ ନୂତନ ସଂଯୋଗ ପାଇଁ ପଞ୍ଜିକୃତ ହୋଇଛନ୍ତି।
- ମେ ୧ ସୁଦ୍ଧା, ୪୩,୩୫୦ ରୁ ଅଧିକ ପିଏନଜି ଗ୍ରାହକ ମାଇ ପିଏନଜିଡି ଡଟ ଇନ ୱେବସାଇଟ୍ ମାଧ୍ୟମରେ ସେମାନଙ୍କର ଏଲପିଜି ସଂଯୋଗ ସମର୍ପଣ କରିଛନ୍ତି।
ଅଶୋଧିତ ତୈଳ ସ୍ଥିତି ଏବଂ ବିଶୋଧନାଗାର ପରିଚାଳନା
- ଦେଶର ସମସ୍ତ ବିଶୋଧନାଗାରରେ ପର୍ଯ୍ୟାପ୍ତ ଅଶୋଧିତ ଭଣ୍ଡାରଣ ରହିଛି, ଏହା ସହିତ ଏଠାରେ ଉତ୍ପାଦନ ଉଚ୍ଚ କ୍ଷମତାରେ ଚାଲୁଥିବାବେଳେ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ପରିମାଣର ମହଜୁଦ ରକ୍ଷଣାବେକ୍ଷଣ କରାଯାଉଛି ।
- ଘରୋଇ ବ୍ୟବହାରକୁ ସମର୍ଥନ କରିବା ପାଇଁ ବିଶୋଧନାଗାରରୁ ଘରୋଇ ଏଲପିଜି ଉତ୍ପାଦନ ବୃଦ୍ଧି କରାଯାଇଛି।
- ଘରୋଇ ବଜାର ପାଇଁ ପେଟ୍ରୋକେମିକାଲ ଫିଡଷ୍ଟକ୍ ଯୋଗାଣ ସୁନିଶ୍ଚିତ କରିବା ଲାଗି ଏକ ଆନ୍ତଃମନ୍ତ୍ରଣାଳୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ (ଜେଡବ୍ଲୁଜି) ଗଠନ କରାଯାଇଛି । ପରବର୍ତ୍ତୀ ସମୟରେ, ଭାରତ ସରକାର 0୧ ଏପ୍ରିଏ ୨୦୨୬ର ଆଦେଶ ମାଧ୍ୟମରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସମେତ ତୈଳ ବିଶୋଧନାଗାର କମ୍ପାନୀଗୁଡ଼ିକୁ ସେଣ୍ଟର ଫର ହାଇ ଟେକ୍ନୋଲୋଜି (ସିଏଚଟି) ଦ୍ୱାରା ସ୍ଥିର କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ କିଛି ସର୍ବନିମ୍ନ ପରିମାଣର ସି-୩ ଏବଂ ସି-୪ ଷ୍ଟ୍ରିମ ଉପଲବ୍ଧ କରାଇବା ପାଇଁ ଅନୁମତି ଦେଇଛନ୍ତି ।
- ଫାର୍ମାସ୍ୟୁଟିକାଲ୍ସ ବିଭାଗ, ରସାୟନ ଏବଂ ପେଟ୍ରୋ ରସାୟନ ବିଭାଗ (ଡିସିପିସି), ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ରୁ ମିଳିଥିବା ଅନୁରୋଧକୁ ଆଧାର କରି ଫାର୍ମା ଏବଂ କେମିକାଲ କ୍ଷେତ୍ରର କମ୍ପାନୀଗୁଡ଼ିକ ପାଇଁ ଏଲପିଜି ପୁଲରୁ ଦିନକୁ ୧୦୦୦ ମେଟ୍ରିକ ଟନ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ।
- ୯ ଏପ୍ରିଲ ୨୦୨୬ ଠାରୁ, ମୁମ୍ବାଇ, କୋଚି, ଭାଇଜାଗ, ଚେନ୍ନାଇ, ମଥୁରା ଏବଂ ଗୁଜୁରାଟ ବିଶୋଧନାଗାରରେ୧୦,୭୫୦ ମେଟ୍ରିକ ଟନରୁ ଅଧିକ ପ୍ରୋପିଲିନ ଏବଂ ୧୬୭୦ ମେଟ୍ରିକ ଟନରୁ ଅଧିକ ବୁଟାଇଲ ଆକ୍ରିଲେଟ ରାସାୟନିକ, ଫାର୍ମା ଏବଂ ରଙ୍ଗ ଶିଳ୍ପକୁ ବିକ୍ରି କରାଯାଇଛି ।
ଖୁଚୁରା ଇନ୍ଧନ ଉପଲବ୍ଧତା ଏବଂ ମୂଲ୍ୟ ନିର୍ଦ୍ଧାରଣ ପରିମାପ
- ସାରା ଦେଶରେ ସମସ୍ତ ରିଟେଲ୍ ଆଉଟଲେଟ୍ (ପେଟ୍ରୋଲ ପମ୍ପ) ସ୍ୱାଭାବିକ ଭାବରେ କାର୍ଯ୍ୟ କରୁଛି।
- ମଧ୍ୟ ପ୍ରାଚ୍ୟ ସଙ୍କଟ ଯୋଗୁଁ କ୍ରୁଡ୍ ମୂଲ୍ୟରେ ଅସ୍ୱାଭାବିକ ବୃଦ୍ଧି ଘଟିଛି; ତଥାପି, ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି।
- ଭାରତ ସରକାର ୩୦.୦୪.୨୦୨୬ ତାରିଖର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଡିଜେଲ ଉପରେ ରପ୍ତାନି ଶୁଳ୍କ ଲିଟର ପିଛା ୫୫.୫୦ ଟଙ୍କାରୁ ୨୩ ଟଙ୍କାକୁ ଏବଂ ବିମାନ ଇନ୍ଧନ ଉପରେ ୪୨ ଟଙ୍କାରୁ ୩୩ ଟଙ୍କାକୁ ହ୍ରାସ କରିଛନ୍ତି।
- ଗୁଜବ ଯୋଗୁଁ କିଛି ରିଟେଲ୍ ଆଉଟଲେଟ୍ରେ ଆତଙ୍କିତ କ୍ରୟ ଦେଖାଦେଇଛି। ସୂଚନା ଦିଆଯାଇଛି ଯେ ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧ ଅଛି। ପେଟ୍ରୋଲ ଏବଂ ଡିଜେଲର ନିୟମିତ ଖୁଚୁରା ମୂଲ୍ୟ ଅପରିବର୍ତ୍ତିତ ଅଛି।
କିରୋସିନ ଉପଲବ୍ଧତା ଏବଂ ବିତରଣ ପଦକ୍ଷେପ
- ନିୟମିତ ଆବଣ୍ଟନ ବ୍ୟତୀତ ଅତିରିକ୍ତ ୪୮,୦୦୦ କେଲୋ ଲିଟର କିରୋସିନି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ ପ୍ରଦାନ କରାଯାଇଛି ।
- ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ କିରୋସିନ ଆବଣ୍ଟନ ଆଦେଶ ଜାରି କରିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ଲଦାଖ କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇଛନ୍ତି।
ସାମୁଦ୍ରିକ ନିରାପତ୍ତା ଏବଂ ଜାହାଜ ଚଳାଚଳ ପରିଚାଳନା
ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ପାରସ୍ୟ ଉପସାଗରରେ ସାମ୍ପ୍ରତିକ ସାମୁଦ୍ରିକ ପରିସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା ଏବଂ ଏହି କ୍ଷେତ୍ରରେ ଭାରତୀୟ ଜାହାଜ ଏବଂ କର୍ମଚାରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ସୁନିଶ୍ଚିତ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ । ଏଥିରେ ନିମ୍ନ ବିନ୍ଦୁଗୁଡ଼ିକୁ ଗୁରୁତ୍ୱ ଦିଆଯାଇଛି।
- ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଭାରତୀୟ ମିଶନ ଏବଂ ସାମୁଦ୍ରିକ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରି ନାବିକମାନଙ୍କ କଲ୍ୟାଣ ଏବଂ ନିରବଚ୍ଛିନ୍ନ ସାମୁଦ୍ରିକ କାର୍ଯ୍ୟକୁ ସୁନିଶ୍ଚିତ କରୁଛି ।
- ଏହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ଭାରତୀୟ ପତାକା ପତାକା ଥିବା ଜାହାଜ ସହିତ କୌଣସି ଘଟଣା ଘଟିନାହିଁ।
- ଡିଜି ସିପିଂ କଣ୍ଟ୍ରୋଲ ରୁମ୍ ଅପଡେଟ୍: କଣ୍ଟ୍ରୋଲ ରୁମ୍ ସକ୍ରିୟ ହେବା ପରଠାରୁ ୮୪୧୪ କଲ୍ ଏବଂ ୧୮୦୬୪ରୁ ଅଧିକ ଇମେଲ୍ ପରିଚାଳନା କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧ଟି କଲ୍ ଏବଂ ୯୯ଟି ଇମେଲ୍ ଆସିଛି।
- ପ୍ରତ୍ୟାବର୍ତ୍ତନ ଅପଡେଟ: ପରିବହନ ମହାନିର୍ଦ୍ଦେଶାଳୟ (ଡିଜି ସିପିଂ) ମାଧ୍ୟମରେ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ ୨,୯୭୬ ରୁ ଅଧିକ ଭାରତୀୟ ନାବିକଙ୍କୁ ନିରାପଦରେ ପ୍ରତ୍ୟାବର୍ତ୍ତନ କରିବାରେ ସୁବିଧା ପ୍ରଦାନ କରିଛି, ଯେଉଁଥିରେ ଗତ ୨୪ ଘଣ୍ଟା ମଧ୍ୟରେ ଗଲ୍ଫ ଅଞ୍ଚଳର ବିଭିନ୍ନ ସ୍ଥାନରୁ ୨୩ ଜଣ ନାବିକଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରାଯାଇଛି।
- ବନ୍ଦର ପରିଚାଳନା: ସମଗ୍ର ଭାରତରେ ବନ୍ଦର ପରିଚାଳନା ସ୍ୱାଭାବିକ ରହିଛି, କୌଣସି ଭିଡ଼ ଖବର ମିଳିନାହିଁ ।
ଭାରତୀୟ ନାଗରିକଙ୍କ ସୁରକ୍ଷା
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉପସାଗରୀୟ ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ବିକାଶକୁ ତଦାରଖ କରିବା ଜାରି ରଖିଛି ଏବଂ ଏହି ଅଞ୍ଚଳରେ ଭାରତୀୟ ସମୁଦାୟଙ୍କ ସୁରକ୍ଷା, ନିରାପତ୍ତା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ମନ୍ତ୍ରଣାଳୟର ଅଧିକାରୀମାନେ ଦେଇଥିବା ସୂଚନା ଅନୁସାରେ:
- ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିୟମିତ ଭାବେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ସହିତ ଯୋଗାଯୋଗରେ ରହିଛି।
- ଭାରତୀୟ ଦୂତାବାସ ଏବଂ ବାଣିଜ୍ୟ ଦୂତାବାସଗୁଡ଼ିକ ସମୟୋଚିତ ସହାୟତା ଯୋଗାଇବା ପାଇଁ ଦିନରାତି ହେଲ୍ପଲାଇନ କାର୍ଯ୍ୟ ଜାରି ରଖିଛନ୍ତି ଏବଂ ଆମର ନାଗରିକମାନଙ୍କୁ ସକ୍ରିୟ ଭାବରେ ସହାୟତା କରୁଛନ୍ତି। ସେମାନେ ସ୍ଥାନୀୟ ସରକାରଙ୍କ ସହ ମଧ୍ୟ ଘନିରିଷ୍ଠ ଯୋଗାଯୋଗରେ ଅଛନ୍ତି।
- ସ୍ଥାନୀୟ ସରକାରଙ୍କ ନିର୍ଦ୍ଦେଶାବଳୀ, ବିମାନ ଏବଂ ଯାତ୍ରା ପରିସ୍ଥିତି, କନସୁଲାର ସେବା ଏବଂ ସମ୍ପ୍ରଦାୟ ପାଇଁ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ବନ୍ଧୀୟ ସୂଚନା ସହିତ ଅଦ୍ୟତନ ପରାମର୍ଶଦାତା ଜାରି କରାଯାଉଛି।
- ଭାରତୀୟ ଦୂତାବାସଗୁଡ଼ିକ ଭାରତୀୟ ସମୁଦାୟଙ୍କ ସହିତ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ସେମାନେ ନିୟମିତ ଭାବେ ଭାରତୀୟ ସମୁଦାୟ ସଂଘ, ସଂଗଠନ, ପେସାଦାର ଗୋଷ୍ଠୀ ଏବଂ ଭାରତୀୟ କମ୍ପାନୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରୁଛନ୍ତି।
- ଏହି କ୍ଷେତ୍ରରେ ଭାରତୀୟ ନାବିକମାନଙ୍କ କଲ୍ୟାଣ ପାଇଁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଭାରତୀୟ ଦୂତାବାସଗୁଡ଼ିକ ସେମାନଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଏଜେନ୍ସିଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରିବା, ଦୂତାବାସ ସହାୟତା ଯୋଗାଇ ଦେବା ଏବଂ ଭାରତକୁ ଫେରିବା ପାଇଁ ଅନୁରୋଧ କରିବା ଦିଗରେ ସହାୟତା ଯୋଗାଇ ଦେଉଛନ୍ତି।
- ଏହି ଅଞ୍ଚଳରୁ ଭାରତର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଅତିରିକ୍ତ ବିମାନ ଚଳାଚଳ ସହିତ ସାମଗ୍ରିକ ବିମାନ ସ୍ଥିତିରେ ଉନ୍ନତି ଜାରି ରହିଛି।
- ୟୁଏଇ ଆକାଶପଥ ଖୋଲା ଅଛି। ଭାରତ ଏବଂ ୟୁଏଇ ବିମାନ ଚଳାଚଳ କରୁଥିବା କମ୍ପାନୀ ୟୁଏଇରୁ ଭାରତର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ବିମାନ ଚଳାଚଳ କରୁଛି।
- ସାଉଦି ଆରବ ଏବଂ ଓମାନର ବିଭିନ୍ନ ବିମାନବନ୍ଦରରୁ ଭାରତର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ବିମାନ ଚଳାଚଳ ଜାରି ରହିଛି।
- କତାର ଆକାଶପଥ ଆଂଶିକ ଖୋଲା ରହିଛି। ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ ଏବଂ କତାର ଏୟାରୱେଜ୍ କତାରରୁ ଭାରତର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ବିମାନ ଚଳାଚଳ କରୁଛନ୍ତି।
- କୁଏତ ଆକାଶପଥ ଖୋଲା ଅଛି । ଜଜିରା ଏୟାରୱେଜ୍ ଏବଂ କୁଏତ ଏୟାରୱେଜ୍ କୁଏତରୁ ଭାରତକୁ ବିମାନ ଚଳାଚଳ କରୁଛି।
- ବାହାରିନ ବାୟୁସୀମା ଖୋଲା ରହିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ, ଇଣ୍ଡିଗୋ ଏବଂ ଗଲ୍ଫ ଏୟାର ବାହାରିନରୁ ଭାରତର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ବିମାନ ଚଳାଚଳ କରୁଛି।
- ଇରାକ ଆକାଶପଥ ଖୋଲା ରହିଛି, ଯେଉଁଥିରେ ଏହି ଅଞ୍ଚଳର ଗନ୍ତବ୍ୟସ୍ଥଳକୁ ସୀମିତ ବିମାନ ଚଳାଚଳ ରହିଛି, ଯାହାକୁ ଭାରତ ଯାତ୍ରା ପାଇଁ ବ୍ୟବହାର କରାଯାଇପାରିବ।
- ମାଲ ପରିବହନ ଏବଂ ଚାର୍ଟାର୍ଡ ବିମାନ ପାଇଁ ଇରାନ ବାୟୁସୀମା ଆଂଶିକ ଖୋଲା ଅଛି. ଆମେ ଭାରତୀୟ ନାଗରିକମାନଙ୍କୁ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛୁ ଏବଂ ଯେଉଁମାନେ ସେଠାରେ ଅଛନ୍ତି ସେମାନଙ୍କୁ ସ୍ଥଳ ସୀମା ଦେଇ ଦୂତାବାସର ସହାୟତାରେ ଚାଲିଯିବାକୁ ଅନୁରୋଧ କରିଛୁ। ତେହେରାନରେ ଥିବା ଆମର ଦୂତାବାସ ବର୍ତ୍ତମାନ ସୁଦ୍ଧା ୨୫୦୪ ଭାରତୀୟ ନାଗରିକଙ୍କୁ ସ୍ଥଳ ସୀମା ଦେଇ ଇରାନରୁ ବାହାରକୁ ଯିବାର ସୁବିଧା ପ୍ରଦାନ କରିଛି।
- ଇସ୍ରାଏଲର ଆକାଶପଥ ଖୋଲା ଅଛି ଏବଂ ଏହି ଅଞ୍ଚଳର ଗନ୍ତବ୍ୟସ୍ଥଳକୁ ସୀମିତ ବିମାନ ଚଳାଚଳ ଆରମ୍ଭ ହୋଇଛି, ଯାହା ଭାରତକୁ ପରବର୍ତ୍ତୀ ଯାତ୍ରା ପାଇଁ ବ୍ୟବହୃତ ହୋଇପାରିବ।


