ମୁମ୍ବାଇ: ମୁମ୍ବାଇ କୋଷ୍ଟାଲ ରୋଡରେ ଏକ ଅତ୍ୟନ୍ତ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅନିୟନ୍ତ୍ରିତ ଦ୍ରୁତଗାମୀ BMW କାର୍ ରେଲିଂ ଭାଙ୍ଗି ପୋଲ ତଳକୁ ଖସିପଡ଼ିବା ଫଳରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଦୃଶ୍ୟ ସ୍ଥାନୀୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ସୂଚନାନୁଯାୟୀ, ଭୋର ସମୟରେ ଲାଲା ଲାଜପତରାୟ କଲେଜ ସମ୍ମୁଖରେ ଥିବା ଲୋଟସ୍ ଜେଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ମୋଡ଼ ନିକଟରେ ଚାଳକ ଜଣକ ଗାଡ଼ିରୁ ନିୟନ୍ତ୍ରଣ ହରାଇବାରୁ BMW କାର୍ଟି ପ୍ରଥମେ ଡିଭାଇଡରରେ ପିଟି ହୋଇଥିଲା ଏବଂ ପରେ ସୁରକ୍ଷା ରେଲିଂ ଭାଙ୍ଗି ପୋଲ ତଳକୁ ଖସି ପଡ଼ିଥିଲା।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର୍ ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ। ତେବେ ଡାକ୍ତର ସେଠାରେ ୩ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଆହତ ଜଣଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି।


