ଇମ୍ଫାଲ: ଉତ୍ତର-ପୂର୍ବ ଭାରତର ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମଣିପୁର, ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶର ନିର୍ଦ୍ଦିଷ୍ଟ ‘ଅଶାନ୍ତ ଅଞ୍ଚଳ’ଗୁଡ଼ିକରେ ସଶସ୍ତ୍ର ବାହିନୀ ଆଇନ, ୧୯୫୮ (AFSPA) ର ଅବଧିକୁ ଆସନ୍ତା ଅକ୍ଟୋବର ୧ ତାରିଖରୁ ଆଗାମୀ ୬ ମାସ ପାଇଁ ବୃଦ୍ଧି କରାଯାଇଛି।
ରିପୋର୍ଟ ଅନୁସାରେ ଗୃହ ମନ୍ତ୍ରଣାଳୟ ୫ଟି ଜିଲ୍ଲାର ୧୩ଟି ପୁଲିସ୍ ଥାନାର ଅଧିକାରକ୍ଷେତ୍ର ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକୁ ଛାଡ଼ି ସମ୍ପୂର୍ଣ୍ଣ ରାଜ୍ୟରେ ‘ଅଶାନ୍ତ ଅଞ୍ଚଳ’ ଘୋଷଣାକୁ ବୃଦ୍ଧି କରିଛନ୍ତି। ନାଗାଲାଣ୍ଡର ୯ଟି ଜିଲ୍ଲା ଦିମାପୁର, ନିଉଲ୍ୟାଣ୍ଡ, ଚୁମୌକେଦିମା, ମୋନ୍, କିଫାୟାର, ନୋକଲାକ୍, ଫେକ୍, ପେରେନ୍ ଏବଂ ମେଲୁରୀରେ ଅଫସ୍ପା ଅବଧିକୁ ବୃଦ୍ଧି କରାଯାଇଛି । ସେହିପରି ଅରୁଣାଚଳ ପ୍ରଦେଶର ତିରାପ୍, ଚାଙ୍ଗଲାଙ୍ଗ ଏବଂ ଲୋଙ୍ଗଡିଙ୍ଗ୍ ଜିଲ୍ଲାରେ ଅଫ୍ସ୍ପା ଅବଧି ବୃଦ୍ଧି କରାଯାଇଛି। ଏହି ଆଦେଶରେ ଆସାମ ସୀମାନ୍ତ ନାମସାଇ ଜିଲ୍ଲାର ନାମସାଇ, ମହାଦେବପୁର ଏବଂ ଚୌକହମ୍ ପୋଲିସ ଥାନା ଅଧୀନରେ ଆସୁଥିବା ଅଞ୍ଚଳଗୁଡ଼ିକରେ ମଧ୍ୟ ଏହା ଲାଗୁ ରହିବ।


