ନୂଆଦିଲ୍ଲୀ: ଟ୍ରାଫିକ୍ ନିୟମ ଉଲ୍ଲଂଘନ ପାଇଁ ଜାରି ହୋଇଥିବା ବକେୟା ଇ-ଚାଲାଣ ଅର୍ଥରାଶି ଆଦାୟ କରିବା ପାଇଁ ସୁପ୍ରିମକୋର୍ଟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କଠୋର ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ବକେୟା ଚାଲାଣ ରାଶି ପୈଠ ନହେଲେ ଏହାକୁ ବିଜୁଳି ବିଲ୍ ସହ ଯୋଡ଼ି ଆଦାୟ କରିବାକୁ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏପରିକି ଚାଲାଣ ନଦେଲେ ବିଦ୍ୟୁତ୍ ସଂଯୋଗ କାଟିବା ପାଇଁ କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ, ହଜାର ହଜାର କିମ୍ବା ଲକ୍ଷ ଲକ୍ଷ ଇ-ଚାଲାଣ ଜାରି କରିଦେବା ଯଥେଷ୍ଟ ନୁହେଁ, ଏହି ଜରିମାନା ରାଶି ଆଦାୟ ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ସଡ଼କ ସୁରକ୍ଷା ସମ୍ପର୍କିତ ୨୦୧୨ ମସିହାର ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର ଶୁଣାଣି ସମୟରେ ଜଷ୍ଟିସ୍ ଜେ. ବି. ପାର୍ଦିୱାଲା ଓ ଜଷ୍ଟିସ୍ କେ. ଭି. ବିଶ୍ୱନାଥନଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି। ସାମାଜିକ କର୍ମୀ ଏସ୍. ରାଜଶେଖରନଙ୍କ ଦ୍ୱାରା ଦାଖଲ ଏହି ମାମଲାର ଶୁଣାଣି ବେଳେ କୋର୍ଟଙ୍କୁ ଜଣାଯାଇଥିଲା ଯେ, ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଇ-ଚାଲାଣ ବାବଦରେ ପ୍ରାୟ ୪୫,୦୦୦ କୋଟି ଟଙ୍କା ଆଦାୟ ହେବାକୁ ବାକି ରହିଛି। ଏହି ବିପୁଳ ପରିମାଣର ବକେୟା ଅର୍ଥ ଆଦାୟ ପାଇଁ କୋର୍ଟ ବାସ୍ତବବାଦୀ ଉପାୟ ଆପଣାଇବାକୁ କହିଛନ୍ତି।
ଖିଲାପକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ଅନେକଗୁଡ଼ିଏ କଡ଼ା ପରାମର୍ଶ ଦେଇଛନ୍ତି। ବାରମ୍ବାର ଚାଲାଣ ପୈଠ କରୁନଥିବା ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନ୍ ନବୀକରଣ, ଡୁପ୍ଲିକେଟ୍ ସାର୍ଟିଫିକେଟ୍ ଜାରି ଓ ମାଲିକାନା ପରିବର୍ତ୍ତନ (ଓନରସିପ୍ ଟ୍ରାନ୍ସଫର) ଉପରେ ରୋକ ଲଗାଯାଇପାରେ। ଏହାସହ ପରିବହନ ପୋର୍ଟାଲରେ ଏପରି ଗାଡ଼ିଗୁଡ଼ିକୁ ବ୍ଲାକ୍ଲିଷ୍ଟ କରିବା, ଫିଟନେସ୍ ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ଜାରି ବନ୍ଦ କରିବା ଏବଂ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ନବୀକରଣ ସ୍ଥଗିତ ରଖିବା ପାଇଁ ବିଚାର କରାଯାଇଛି।
ଏହା ବ୍ୟତୀତ ବକେୟା ଚାଲାଣ ଥିବା ଗାଡ଼ିଗୁଡ଼ିକର ଅଚାନକ ଯାଞ୍ଚ କରିବାକୁ ମଧ୍ୟ କୋର୍ଟ ପ୍ରସ୍ତାବ ଦେଇଛନ୍ତି। ଯାଞ୍ଚ ସମୟରେ ଜରିମାନା ଅର୍ଥ ପୈଠ ହୋଇନଥିବା ଜଣାପଡ଼ିଲେ, ଆବଶ୍ୟକ ସ୍ଥଳେ ଗାଡ଼ି ଜବତ କରିବାକୁ ଜଷ୍ଟିସ୍ ପାର୍ଦିୱାଲା ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବେ ଚେତାବନୀ ଦେଇଛନ୍ତି ଯେ, ଏହି ନିର୍ଦ୍ଦେଶଗୁଡ଼ିକ ଯଦି କେବଳ କାଗଜପତ୍ରରେ ସୀମିତ ରହେ, ତେବେ ଭବିଷ୍ୟତରେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


