ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀ ନେଟୱାର୍କ ସହ ସମ୍ପୃକ୍ତି ଅଭିଯୋଗରେ କର୍ଣ୍ଣାଟକର ବିଦର ଜିଲ୍ଲାରୁ ଜଣେ ୨୪ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବିଦର ଜିଲ୍ଲା ଭାଲକି ତାଲୁକା ଅନ୍ତର୍ଗତ ୟେନକୁର ଗାଁର ବିଶାଲ କୁମାର ମେଟ୍ରେ (୨୪)। ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଚଢ଼ଉ କରି ବିଶାଲକୁ ଗିରଫ କରିଛି। ଜବତ ଫୋନ୍ ଡାଟାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଯୁବକଜଣକ ପାକିସ୍ତାନରେ ଥିବା କୁଖ୍ୟାତ ଆତଙ୍କବାଦୀ ଶହଜାଦ ଭଟ୍ଟି, ରାଣା ହନୈନ୍ ଏବଂ ନୋମି ଖାନଙ୍କ ସହ ନିୟମିତ ଯୋଗାଯୋଗରେ ଥିଲା। ସେ ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ଜରିଆରେ ବେଆଇନ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଓ ବିକ୍ରି ସମ୍ପର୍କରେ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି। ଏହା ବ୍ୟତୀତ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର କେତେକ ଯୁବକ ମଧ୍ୟ ବିଶାଲ ସହ ସମ୍ପର୍କରେ ଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳିଛି। ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ନେଟୱାର୍କର ଅନ୍ୟ ସଦସ୍ୟମାନଙ୍କୁ ଖୋଜୁଛି।


