ଇମ୍ଫାଲ: ମଣିପୁରରେ ପୁଣି ଥରେ ମୁଣ୍ଡଟେକିଥିବା ହିଂସା ଓ ଗୁଳିକାଣ୍ଡ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। କାମ୍ଜୋଙ୍ଗ ଓ ଉଖରୁଲ ଜିଲ୍ଲାରେ ଘଟିଥିବା ପୃଥକ୍ ସଂଘର୍ଷରେ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଘରଦ୍ୱାର ଓ ଦୋକାନ ପାଉଁଶ ହୋଇଯାଇଛି, ଯାହାକି ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କାମଜୋଙ୍ଗ ଜିଲ୍ଲାର ଚାସାଦ ଗାଁରେ ଗୁଳିମାଡ଼ରେ ଜଣେ ମହିଳାଙ୍କ ସମେତ ମୋଟ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ସେଠାରେ ପରିସ୍ଥିତି ଅତି ମାତ୍ରାରେ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା ଏବଂ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ଅତି ଭୟଙ୍କର ଗୁଳି ବିନିମୟ ଜାରି ରହିଥିଲା। ଏହି ଲଢ଼େଇରେ ଆଉ ଜଣେ ଯୁବକ ମଧ୍ୟ ପ୍ରାଣ ହରାଇଥିଲେ। ତେବେ ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ସେନେଇ ସୁରକ୍ଷା ବାହିନୀ ଓ ସ୍ଥାନୀୟ ସଂଗଠନଗୁଡ଼ିକ ପକ୍ଷରୁ ପରସ୍ପରବିରୋଧୀ ଅଭିଯୋଗ ଆସିଥିଲା। ଏହି ସଂଘର୍ଷରେ ୨୨ ବର୍ଷୀୟ ମାଇକେଲ୍ ନଗାମିନ୍ଲେନ୍ ହାଓକିପ୍ଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାରି ଭିତରେ କାମଜୋଙ୍ଗ ଜିଲ୍ଲାର ମିଆଁମାର ସୀମା ନିକଟସ୍ଥ ନିଙ୍ଗଚୌ ଗାଁରେ ପୁଣି ଏକ ଗୁଳିକାଣ୍ଡ ଘଟି ନାଗା ସମ୍ପ୍ରଦାୟର ଦୁଇ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଛି। ଘଟଣା ଘଟିବାକ୍ଷଣି ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଆକ୍ରମଣକାରୀମାନେ ସୁଯୋଗ ବୁଝି ମିଆଁମାର ସୀମା ଆଡ଼କୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।


