ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଆଜି ବାପାଙ୍କ ପ୍ରଧାନମନ୍ତ୍ରୀ ହେବାର ଆଶାକୁ ନେଇ ସୋନିଆ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି। ସୋନିଆ ଗାନ୍ଧୀ ନିଜ ସ୍ମୃତିକଥା ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍ ଲଭ୍’ ରେ ଲେଖିଛନ୍ତି ଯେ, ପ୍ରଣବ ମୁଖାର୍ଜୀ ଶୀର୍ଷ ପଦ ପାଇବାର ଇଚ୍ଛା କେବେ ଛାଡ଼ି ନଥିଲେ। ୨୦୧୦ ରେ ଏକ କଥାବାର୍ତ୍ତା ବେଳେ ଅର୍ଥମନ୍ତ୍ରୀ ପି. ଚିଦମ୍ବରମଙ୍କ ସହ ମତଭେଦ ପରେ ପ୍ରଣବ ନିଜ ନିରାଶା ପ୍ରକାଶ କରି କହିଥିଲେ ଯେ, “ହୁଏତ ଏବେ ଶୀର୍ଷ ସ୍ତରରେ ପରିବର୍ତ୍ତନର ସମୟ ଆସିଗଲା।” ସୋନିଆ ଏହାକୁ ପ୍ରଧାନମନ୍ତ୍ରୀ ହେବାର ତାଙ୍କ ପୁରୁଣା ଇଚ୍ଛାର ସଙ୍କେତ ବୋଲି ବୁଝିଥିଲେ ଓ କଥା ବୁଲାଇ ଦେଇଥିଲେ।
ଏହା ଉପରେ ଶର୍ମିଷ୍ଠା ସୋସିଆଲ୍ ମିଡିଆ ପୋଷ୍ଟ୍ ରେ ଲେଖିଛନ୍ତି ଯେ, “ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି? ମହତ୍ୱାକାଂକ୍ଷୀ ହେବା କଣ ଅପରାଧ?”
ଶର୍ମିଷ୍ଠା କହିଛନ୍ତି ଯେ, ଏହି ଇଚ୍ଛା ପଛରେ ରାଜନୀତି ଓ ଶାସନର ଦଶନ୍ଧି ଧରି ଅନୁଭବ, କଠିନ ପରିଶ୍ରମ ଓ ଚମତ୍କାର ବୁଦ୍ଧିମତ୍ତା ଥିଲା। ଥରେ ସେ ପଚାରିବାରୁ ବାପା ସଫା ଭାବେ କହିଥିଲେ ଯେ, ପ୍ରତ୍ୟେକ ଯୋଗ୍ୟ ରାଜନେତା ଏଭଳି ଆଶା ରଖନ୍ତି।
ଶର୍ମିଷ୍ଠା ଆହୁରି ଲେଖିଛନ୍ତି ଯେ, ତାଙ୍କ ବାପା ସାଧାରଣ ପରିବାରରୁ ଆସିଥିଲେ। ଯାହା ପାଇଛନ୍ତି ନିଜ ଯୋଗ୍ୟତା ଓ ପରିଶ୍ରମରେ ପାଇଛନ୍ତି। ପରିବାରବାଦ କି ଉତ୍ତରାଧିକାରୀ ଥାଳିରେ ପରସି କି ପଦ ମିଳି ନଥିଲା।”
ଯଦି କୌଣସି ଯୋଗ୍ୟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ରଖନ୍ତି, ଏଥିରେ ଭୁଲ୍ କଣ? କେବଳ ସୋନିଆଜୀଙ୍କୁ ହୁଏତ ଧକ୍କା ଲାଗିଥିବ ଯେ, ଗାନ୍ଧୀ-ନେହରୁ ପରିବାର ବାହାରେ କେହି ଏଭଳି ଆଶା ରଖିବାକୁ ସାହସ କେମିତି କଲେ,” ବୋଲି ଶର୍ମିଷ୍ଠା ଲେଖିଛନ୍ତି।
ସୋନିଆଙ୍କ ପୁସ୍ତକରେ ପ୍ରଣବ କୌଣସି କଟୁତା ରଖି ନଥିବା କଥା ଉପରେ ଶର୍ମିଷ୍ଠା କହିଛନ୍ତି ଯେ, ବାପା ସୋନିଆ କି ଆଉ କାହା ପ୍ରତି କ୍ଷୋଭ ରଖି ନଥିଲେ। ସେ ବହୁତ ବ୍ୟବହାରିକ ଲୋକ ଥିଲେ। ସୋନିଆଙ୍କ କାରଣ ଓ ଅସୁରକ୍ଷାକୁ ବୁଝୁଥିଲେ, ଯାହା ମଣିଷ ସ୍ୱଭାବର ଅଂଶ।


