Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ଓଡିଶାରେ ୮୦୦୦ କୋଟି ଟଙ୍କାର ପ୍ରକଳ୍ପ ସହ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ରାଜ୍ୟ ଖବର

ଓଡିଶାରେ ୮୦୦୦ କୋଟି ଟଙ୍କାର ପ୍ରକଳ୍ପ ସହ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

May 18, 2023No Comments6 Mins Read
Share Facebook Twitter LinkedIn Email WhatsApp Copy Link
ଓଡିଶାରେ ୮୦୦୦ କୋଟି ଟଙ୍କାର ପ୍ରକଳ୍ପ ସହ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର‌୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ – ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲାଇନ; ମନୋହରପୁର – ରାଉରକେଲା – ଝାରସୁଗୁଡା – ଜାମଗା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ୍ ଏବଂ ବିଛୁପାଲି – ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ ରହିଛି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକଙ୍କୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଦାନ କରାଯାଉଛି ଯାହା ଆଧୁନିକ ତଥା ଆକାଂକ୍ଷୀ ଭାରତର ପ୍ରତୀକ ଅଟେ। ଯେତେବେଳେ ବନ୍ଦେ ଭାରତ ଟ୍ରେନ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଥାଏ ସେତେବେଳେ ଭାରତର ଗତି ଏବଂ ପ୍ରଗତି ଦେଖିବାକୁ ମିଳେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଗତି ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଯାତ୍ରୀମାନଙ୍କ ପାଇଁ ଯାତ୍ରା କରିବାର ଅଭିଜ୍ଞତା ସହିତ ବିକାଶର ଅର୍ଥକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ। କୋଲକାତା ଠାରୁ ପୁରୀକୁ ଦର୍ଶନ ପାଇଁ ହେଉ କିମ୍ବା ଅନ୍ୟ କାର‌୍ୟ୍ୟରେ ହେଉ, ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଯାତ୍ରା ସମୟ ବର୍ତ୍ତମାନ ସାଢେ ଛଅ ଘଣ୍ଟାକୁ ହ୍ରାସ ପାଇବ, ଯାହାଦ୍ୱାରା ସମୟ ବଞ୍ଚିବ, ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦୂର ଯାତ୍ରା କରିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ରେଳ ହେଉଛି ପ୍ରଥମ ପସନ୍ଦ ଏବଂ ପ୍ରାଥମିକତା। ଅନ୍ୟାନ୍ୟ ରେଳ ବିକାଶ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଛନ୍ତି ଯାହା ମଧ୍ୟରେ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃର୍ନିମାଣ ଏବଂ ଆଧୁନିକୀକରଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥି ସହିତ ରାଜ୍ୟରେ ଅନେକ ରେଳ ଲାଇନର ଦୋହରିକରଣ ଏବଂ ଓଡିଶାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ କାର‌୍ୟ୍ୟର ଲୋକାର୍ପଣ କରାଯାଇଛି।

ଆଜାଦୀ କା ଅମୃତ କାଳର ଯୁଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ଏକତା ଏବଂ ଅଖଣ୍ଡତାକୁ ଦୃଢ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଦେଶ ଏକଜୁଟ ହୋଇ ରହିଲେ, ଦେଶର ସାମୂହିକ ଦକ୍ଷତା ଶିଖରରେ ପହଞ୍ଚିପାରିବ। ସେ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଏଭଳି ବିଶ୍ୱାସର ପ୍ରତିଫଳନ ଯେଉଁଠାରେ ଏହା ଭାରତର ବିକାଶକୁ ଆଗକୁ ବଢାଇବା ସହ ଦେଶ ପାଇଁ “ଏକ ଭାରତ ଶ୍ରେଷ୍ଠ ଭାରତ’ ଆବେଗ ସହ ବିକାଶର ଇଞ୍ଜିନ ପାଲଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ରେଳ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିଥାଏ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ସମାନ ଧାରଣା ଏବଂ ଚିନ୍ତାଧାରା ସହିତ ଆଗକୁ ବଢିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟ୍ରେନ୍ ପୁରୀ ଏବଂ ହାୱଡା ମଧ୍ୟରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଂଯୋଗକୁ ମଜବୁତ କରିବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ ପନ୍ଦରଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରି ଦେଶର ଅର୍ଥନୀତିକୁ ଆଗକୁ ବଢାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଂପ୍ରତିକ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଏହାର ବିକାଶର ଗତି ବଜାୟ ରଖିଛି। ଏହି ଯାତ୍ରାରେ ପ୍ରତ୍ୟେକ ରାଜ୍ୟର ଅଂଶଗ୍ରହଣକୁ ଶ୍ରୀ ମୋଦୀ ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟକୁ ନେଇ ଦେଶ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସମୟ ତୁଳନାରେ ନୂତନ ଭାରତ ସ୍ୱଦେଶୀ ଭାବରେ ଜ୍ଞାନକୌଶଳ ସୃଷ୍ଟି କରୁଛି ଏବଂ ଏହାକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ମଧ୍ୟ ନେଉଛି।

ବନ୍ଦେ ଭାରତ ଟ୍ରେନର ସ୍ୱଦେଶୀ ଉତ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସମୟରେ ଭାରତ ୫ଜି ଏବଂ ଟିକା ଭଳି ଜ୍ଞାନକୌଶଳ ବିକଶିତ କରିଛି। ସେ ଦର୍ଶାଇଛନ୍ତି ଯେ ଏହି ଉଦ୍ଭାବନଗୁଡ଼ିକ କେବଳ ଗୋଟିଏ ରାଜ୍ୟ କିମ୍ବା ସହରରେ ସୀମିତ ରହିଲା ନାହିଁ ବରଂ ସମାନ ଢଙ୍ଗରେ ସାରା ଦେଶରେ ନିଆଗଲା। ସେହିଭଳି ବନ୍ଦେ ଭାରତ ଦେଶର କୋଣ ଅନୁକୋଣକୁ ସ୍ପର୍ଶ କରୁଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବକା ସାଥ, ସବକା ବିକାଶର ଏହି ନୀତି ବିକାଶରେ ପଛରେ ପଡିଥିବା ସେହି ରାଜ୍ୟଗୁଡିକ ପାଇଁ ଲାଭଦାୟକ ଅଟେ। ସେ କହିଛନ୍ତି ଯେ ଓଡିଶାରେ ରେଳ ଯୋଜନା ପାଇଁ ବଜେଟ୍ ଯଥେଷ୍ଟ ବୃଦ୍ଧି ପାଇଛି। ସେ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ମାତ୍ର ୨୦ କିଲୋମିଟର ରେଳ ଲାଇନ ପ୍ରତିଷ୍ଠା କରାଯାଇଥିବାବେଳେ ୨୦୨୨-୨୩ ବର୍ଷରେ ମାତ୍ର ଗୋଟିଏ ବର୍ଷରେ ୧୨୦ କିଲୋମିଟର ଲମ୍ବା ଲାଇନ ପ୍ରତିଷ୍ଠା କରାଯାଇଥିଲା।

ସେ କହିଛନ୍ତି ଯେ ଖୋର୍ଦ୍ଧା ବୋଲାଙ୍ଗୀର ଲାଇନ ଏବଂ ହରିଦାସପୁର-ପାରାଦୀପ ଲାଇନ ଭଳି ଦୀର୍ଘ ଦିନରୁ ପଡି ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେଉଛି। ପଶ୍ଚିମବଙ୍ଗରେ ସମାନ ସଫଳତା ହାସଲ କରିବା ପାଇଁ ଦ୍ରୁତ ଗତିରେ କାର‌୍ୟ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଓଡିଶା ଦେଶର ସେହି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ହାସଲ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଟ୍ରେନ ଗତିର ସାମଗ୍ରିକ ବୃଦ୍ଧି ଘଟିବା ସହିତ ମାଲବାହୀ ଟ୍ରେନ୍ ପାଇଁ ସମୟ ସଞ୍ଚୟ ହୋଇଛି। ସେ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶା ରେଳ ଲାଇନର ବିଦ୍ୟୁତିକରଣ ଦ୍ୱାରା ବହୁ ଲାଭବାନ ହେବ ଯେଉଁଠାରେ ଡିଜେଲ ଇଞ୍ଜିନରୁ ପ୍ରଦୂଷଣ ବହୁ ମାତ୍ରାରେ ହ୍ରାସ ପାଇବ ଏବଂ ରାଜ୍ୟର ଶିଳ୍ପ ବିକାଶରେ ସହାୟକ ହେବ।

ଭିତ୍ତିଭୂମି ର୍ନିମାଣର ଅନ୍ୟ ଏକ ଦିଗ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି ଯାହା ବିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ। ସେ କହିଛନ୍ତି ଯେ ଭିତ୍ତିଭୂମି କେବଳ ଲୋକଙ୍କ ଜୀବନକୁ ସହଜ କରେ ନାହିଁ ବରଂ ସମାଜକୁ ସଶକ୍ତ କରିଥାଏ। ଯେଉଁଠାରେ ଭିତ୍ତିଭୂମି ଅଭାବ ରହିଛି ସେଠାରେ ଲୋକଙ୍କ ବିକାଶ ପଛରେ ପଡିଛି।

ଯେତେବେଳେ ଭିତ୍ତିଭୂମି ବିକଶିତ ହୁଏ, ସେତେବେଳେ ଲୋକମାନଙ୍କର ଦ୍ରୁତ ବିକାଶ ଏକ ସମୟରେ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକାଶମୂଳକ ପଦକ୍ଷେପକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିଏମ୍ ସୌଭାଗ୍ୟ ଯୋଜନାର ଉଦାହରଣ ଦେଇଛନ୍ତି ଯେଉଁଠାରେ ସରକାର ୨.୫ କୋଟିରୁ ଅଧିକ ପରିବାରକୁ ମାଗଣାରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛନ୍ତି ଯେଉଁଥିରେ ଓଡିଶାର ପ୍ରାୟ ୨୫ ଲକ୍ଷ ଘର ଏବଂ ପଶ୍ଚିମବଙ୍ଗର ୭.୨୫ ଲକ୍ଷ ଘର ରହିଛି।

ଦେଶର ବିମାନ ବନ୍ଦର ସଂଖ୍ୟା ଆଜି ୭୫ ରୁ ୧୫୦ କୁ ବୃଦ୍ଧି ପାଇଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଥିବା ବିଭିନ୍ନ ଫଟୋଗ୍ରାଫ ଏବଂ ଭିଡିଓ ପ୍ରତି ଧ୍ୟାନ ଦେଇଥିଲେ ଯେଉଁଠାରେ ଦେଶର ସାଧାରଣ ନାଗରିକମାନେ ସେମାନଙ୍କର ବିମାନ ଯାତ୍ରାର ଅଭିଜ୍ଞତା ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳତା ଆଜି ଅଧ୍ୟୟନର ବିଷୟ । ସେ କହିଛନ୍ତି ଯେ ଯେତେବେଳେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଆବଣ୍ଟନ କରାଯାଏ, ତାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରେ ଏବଂ ରେଳପଥ ଓ ରାଜପଥ ସଂଯୋଗ, ଯାତାୟତରେ ସୁଗମତା ଏବଂ କୃଷକମାନଙ୍କୁ ନୂତନ ବଜାର, ପର‌୍ୟ୍ୟଟକଙ୍କ ପାଇଁ ନୂତନ ଆକର୍ଷଣ ଏବଂ ସେମାନଙ୍କ ପସନ୍ଦ କଲେଜ ସହିତ ଛାତ୍ରମାନଙ୍କୁ ସଂଯୋଗ ମଧ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ “ଜନ ସେବା ହିଁ ପ୍ରଭୁ ସେବା” ର ଆବେଗ ସହିତ ଗତି କରୁଛି – ଲୋକଙ୍କ ସେବା ହେଉଛି ଈଶ୍ୱରଙ୍କ ସେବା। ସେ ଜଗନ୍ନାଥ ପରି ମନ୍ଦିର ଏବଂ ପୁରୀ ପରି ତୀର୍ଥସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ପ୍ରସାଦ ଶତାବ୍ଦୀ ଧରି ବଣ୍ଟନ କରାଯାଇଆସୁଛି ଏବଂ ହଜାର ହଜାର ଗରିବ ଲୋକଙ୍କୁ ଖାଇବାକୁ ଦିଆଯାଉଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା ଏବଂ ଆୟୁଷ୍ମାନ କାର୍ଡ, ଉଜ୍ଜ୍ୱଳା, ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ରହିଛି। ଆଜି ଗରିବମାନେ ସେହି ସମସ୍ତ ମୌଳିକ ସୁବିଧା ପାଇଛନ୍ତି ଯେଉଁଥିପାଇଁ ସେମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା।
ଭାରତର ଦ୍ରୁତ ବିକାଶ ପାଇଁ ରାଜ୍ୟଗୁଡିକର ସନ୍ତୁଳିତ ବିକାଶ ମଧ୍ୟ ସମାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳ ଅଭାବ ହେତୁ ବିକାଶ ଦୌଡ଼ରେ କୌଣସି ରାଜ୍ୟ ପଛରେ ପଡ଼ିବ ନାହିଁ।

ସେଥିପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି, ୧୫ ତମ ଅର୍ଥ କମିଶନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଇଁ ଅଧିକ ବଜେଟ୍ ସୁପାରିଶ କରିଥିଲେ। ଓଡ଼ିଶା ବିପୁଳ ପ୍ରାକୃତିକ ସମ୍ପଦର ଆଶୀର୍ବାଦ ପ୍ରାପ୍ତ ହୋଇଛି କିନ୍ତୁ ତ୍ରୁଟିପୂର୍ଣ୍ଣ ନୀତି ହେତୁ ନିଜ ସମ୍ବଳରୁ ବଞ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦକୁ ଦୃଷ୍ଟିରେ ରଖି ସରକାର ଖଣି ନୀତିରେ ସଂସ୍କାର ଆଣିଛନ୍ତି ଯାହା ଦ୍ୱାରା ସମସ୍ତ ରାଜସ୍ୱ ଯଥେଷ୍ଟ ବୃଦ୍ଧି ପାଇଛି ।

ଜିଏସଟି ଲାଗୁ ହେବା ପରେ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡିକର ଟିକସ ଆୟ ମଧ୍ୟ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ରାଜ୍ୟର ବିକାଶ ତଥା ଗ୍ରାମରେ ଗରିବ ଲୋକଙ୍କ ସେବା ପାଇଁ ଏହି ସମ୍ବଳ ବ୍ୟବହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶା କିଭଳି ପ୍ରାକୃତିକ ବିପର‌୍ୟ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବ ସେଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିପର‌୍ୟ୍ୟୟ ପରିଚାଳନା ତଥା ଏନଡିଆରଏଫ ପାଇଁ ସରକାର ରାଜ୍ୟକୁ ୮ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଓଡିଶା, ପଶ୍ଚିମବଙ୍ଗ ଏବଂ ସମଗ୍ର ଦେଶରେ ବିକାଶର ଗତି ବୃଦ୍ଧି ପାଇବ ଏବଂ ଆମେ ଏକ ରାଷ୍ଟ୍ର ଭାବରେ ନୂତନ ତଥା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବୁ। ଏହି ଉତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

Vande Bharat Express ନବୀନ ପଟ୍ଟନାୟକ ନରେନ୍ଦ୍ର ମୋଦୀ ପୁରୀ ହାୱଡା ପ୍ରଧାନମନ୍ତ୍ରୀ ବନ୍ଦେ ଭାରତ ଏକ୍ସପ୍ରେସ
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.