ବିଡିଓଙ୍କ ଜାଲ ଦସ୍ତଖତରେ ଟଙ୍କା ଉଠାଇ ଗିରଫ ହେଲେ ଚିଲିକା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀ

Published: May 23, 2023, 7:09 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଟାଙ୍ଗି ବିଡିଓଙ୍କ ଜାଲ ଦସ୍ତଖତ କରି ଠିକାଦାର ଉଠାଇ ନେଲେ ୧୫ ଲକ୍ଷ ରୁ ଅଧିକ ଟଙ୍କା। ଏ ନେଇ ଟାଙ୍ଗି ଥାନାରେ ହେଲା ମାମଲା। ମାମଲା ରୁଜୁ ହେଲା ପରେ ଟାଙ୍ଗୀ ପୋଲିସ୍ ତଦନ୍ତ କରି ଠାକାଦାରଙ୍କୁ ଗିରଫ କରିଛି। ଆଉ ସେହି ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ କିଶୋର ବେହେରା।

ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ। ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗ୍ରୁହ ନିର୍ମାଣର ଟେଣ୍ଡର ନେଇଥିଲେ କିଶୋର ବେହେରା। ଚିଲିକା ବ୍ଲକ ଅଧ୍ୟକ୍ଷା ହେଉଛନ୍ତି ଜ୍ୟୋସ୍ନା ବେହେରା । ତାଙ୍କ ସ୍ୱାମୀଙ୍କର ନାମ କିଶୋର ବେହେରା। ସେ ଠିକାଦାର କାମ କରିଵା ସହ ବିଜେପି ଦଳର ଜଣେ ଟାଣୁଆ ସଂଗଠକ ଭାବେ ଜଣା ଶୁଣା।

କିଶୋର ବେହେରାଙ୍କର ଠିକାଦାର ଲାଇସେନସ ଥିଵାରୁ ସେ ଟାଙ୍ଗୀ ବ୍ଲକରେ କେତେକ ଠିକା କାମ ପାଇଥିଲେ। ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗ୍ରୁହ ନିର୍ମାଣର ଟେଣ୍ଡର ପାଇଥିଲେ। ଟେଣ୍ଡର ପାଇବା ପରେ ଠିକାଦାର କିଶୋର ବେହେରା ବ୍ଲକ ପ୍ରଶାସନ ସହ ଏଗ୍ରୀମେଣ୍ଟ କରିଥିଲେ। ଏହି ଏଗ୍ରୀମେଣ୍ଟ ଅନୁସାରେ ସିକ୍ୟୁରିଟି୍ ବାବଦକୁ ପ୍ରାୟ ୧୫ ଲକ୍ଷ ରୁ ଅଧିକ ଟଙ୍କା ନିଜ ନାମରେ ସୋରଣ ସ୍ଥିତ ଇଣ୍ଡିୟାନ ବ୍ୟାଙ୍କ ଶାଖାରେ  ଵିଡିଓ ଟାଙ୍ଗୀ ନାମରେ ବନ୍ଧା ରଖିଲେ।

ନିୟମ ଅନୁସାରେ କାମ ସରିବା ପରେ ବ୍ଲକ କର୍ତୁପକ୍ଷ ନିର୍ଦ୍ଧେଶ ଦେବା ପରେ ସେ ସେହି ୧୫ ଲକ୍ଷ ଟଙ୍କା ଉଠାଣ କରିଥାନ୍ତେ। ହେଲେ କାମ ଆରମ୍ଭ କରିବା ପୂର୍ବରୁ ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟଙ୍କର ଜାଲ ଦସ୍ତଖତ କରି ସେହି ୧୫ ଲକ୍ଷ ଟଙ୍କାର ୪ ଟି ଫିକ୍ଡ ଡିପୋଜିଟ୍ ଉଠେଇ ନେଇଥିଵା ଜଣା ପଡିଥିଲା। ଏହି ଘଟଣା ଜଣା ପଡିବା ପରେ ଟାଙ୍ଗୀ ଥାନାରେ ଲିଖିତ ଏତଲା କରିଛନ୍ତି ଟାଙ୍ଗୀ ବିଡିଓ ଐଶର୍ଯ୍ୟା ସାମନ୍ତରାୟ।

ଏତଲା ପରେ ଟାଙ୍ଗୀ ପୋଲିସ୍ ମାମଲା ତଦନ୍ତ କରି ତାଙ୍କୁ ଗିରଫ କରିଛନ୍ତି। ଏତେ ବଡ ଧରଣର ଠକେଇ କିପରି ହୋଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିଜେପି ନେତା କିଶୋର ବେହେରା କାମ କରିଥିବା ଅନ୍ୟ ଏଗ୍ରିମେଣ୍ଟର ତଦନ୍ତ ଆବଶ୍ୟକ ହୋଇ ପଡିଛି। ତେବେ ଏହି ଘଟଣାରେ କେତେକ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବାର ସନ୍ଦେହ କରାଯାଇଛି।

Related posts