ମୁଖ୍ୟମନ୍ତ୍ରୀଙ୍କ ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ, କହିଲେ ଏପରି କଥା

Published: Jul 23, 2023, 7:14 pm IST
BJPBJD2

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଦେଶରେ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଏ ନେଇ ଆଜି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି ଏହି ରେକର୍ଡକୁ ନେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଶୃତି ପାଳନ ନ କରିବାରେ ମଧ୍ୟ ରେକର୍ଡ କରିଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାର ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର, ବାସହୀନଙ୍କୁ ପଟ୍ଟା ଓ ଘର ଦେବା, ଶିଳ୍ପାୟନ ମାଧ୍ୟମରେ ସ୍ଥାନୀୟ ଯୁବକଙ୍କୁ ରୋଜଗାର ଦେବାର ପ୍ରତିଶ୍ରୁତି ଦେଇ ତାହାକୁ ପାଳନ ନକରିବାର ସର୍ବଶ୍ରେଷ୍ଠ ରେକର୍ଡ ଅଛି । ମୋଦି ସରକାର ଘରେ ଘରେ ପାଇପ ଯୋଗେ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ମଧ୍ୟ ପାଣି ଦେବା ପାଇଁ ଆପଣଙ୍କ ସରକାର ଆଜି ଅକ୍ଷମ।

ତେବେ ଏହାର କଡା ଜବାବ ଦେଇଛନ୍ତି ବିଜେଡି ନେତା ଲେନିନ ମହାନ୍ତି। ସେ କହିଛନ୍ତି ଯେ, ବିଜେପି ନେତା ଶ୍ରୀ ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି। ରାଜନୀତିରେ ତିଷ୍ଠି ରହିବା ପାଇଁ ଆଜିକାଲି ସେ ଆପ୍ରାଣ ଉଦ୍ୟମ ଚଳାଇବା ସହିତ ଟୁଇଟ୍‍ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି।

ଏକ ଟୁଇଟ୍‍ ଜରିଆରେ ବିଜେପି ନେତା ଶ୍ରୀ ମହାନ୍ତିଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟୁଇଟ୍‍ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ। ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ।

Related posts