
ବାଲୁଗାଁ: ବୁଧବାର ପୂର୍ବାହ୍ନରେ ଜଣେ ମୋବାଇଲ ଲୁଟେରାକୁ ଗିରଫ କରିଛି ବାଲୁଗାଁ ଆରପିଏଫ। ଖବର ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ନେତୃତ୍ୱରେ ଯାତ୍ରୀ ସୁରକ୍ଷା ଅଭିଯାନରେ ଏକ ଟିମ ରେଳ ଷ୍ଟେସନ ପରିସରରେ ତଦାରଖ କରୁଥିବା ବେଳେ ସନ୍ଦେହ ଜନକ ଭାବେ ଜଣେ ବ୍ୟକ୍ତି ଚଳପ୍ରଚଳ ହେଉଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିକୁ ପଚରାଉଚରା କରିବାରେ ସନ୍ଦେହ ଘନୀଭୂତ ହୋଇଥିଲା।
ସନ୍ଦିଗ୍ଧ ଜଣକ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ରାଜାପୁର ଗ୍ରାମର ଦୀପକ କୁମାର ସାହୁ ଓରଫ ଦିପୁ (୨୪) ବୋଲି ଜଣାପଡ଼ିଥିଲା। ଦିପୁଙ୍କ ତଲାସି ନେବାରେ ତା’ ନିକଟରୁ ୨ ଟି ଚୋରା ମୋବାଇଲ ଓ ଗୋଟିଏ ଇଅର ବଡ଼ ଜବତ ହୋଇଥିଲା। ଏଥିସହିତ ଏହି ଦୁଇଟି ମୋବାଇଲ ସେ ରେଳ ଯାତ୍ରୀ ମୋବାଇଲ ଚାର୍ଜ କରୁଥିବା ସମୟରେ ଚୋରି କରିଥିବା ସ୍ୱୀକାର କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡିଛି।
ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ବିରୋଧରେ ଖୋର୍ଦ୍ଧା ଜିଆରପି ଷ୍ଟେସନରେ କେଶ ନଂ ୧୪୮/୨୪ ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ କହିଛନ୍ତି।