ଭୁବନେଶ୍ବର: ଆଜି ବିଶ୍ବଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ। ଆଜି ସେ ୯୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଦୀର୍ଘ ବର୍ଷର ଓଡିଶା ରାଜନୀତିରେ ତାଙ୍କର ଅଭିଜ୍ଞତା। ଓଡିଶା ରାଜନୀତିର ଭୀଷ୍ମ ପିତାମହ କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟରେ ଜଣେ ଟାଣୁଆମନ୍ତ୍ରୀ ସହିତ ଦୁଇଟି ରାଜ୍ୟର ରାଜ୍ୟପାଳ ହେବା କିଛି କମ କଥା ନୁହେଁ। ଜଣେ ପାଇକ ନେତା ଭାବେ ମଧ୍ୟ ତାଙ୍କର ରହିଛି ସୁଖ୍ୟାତି। ସେ ପାଇକ ସଂଗ୍ରାମ ଉପରେ କରିଛନ୍ତି ଗବେଷଣା ଆଉ ପ୍ରକାଶ କରିଛନ୍ତି ପୁସ୍ତକ।
ସେହିପରି ଜଣେ ପ୍ରଗାଢ ରାଜନୈତିକ ବ୍ୟକ୍ତିତ୍ବଙ୍କ ଜନ୍ମ ଦିନରେ ବିଭିନ୍ନ ସ୍ଥାନରେ କରାଯାଇଛି ପୂଜାଅର୍ଚ୍ଚନା। ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବିଶ୍ବଭୂଷଣଙ୍କ ପ୍ରଶଂସକମାନେ ଦୀପ ଜାଳି ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। ଏକାମ୍ର ଭୁବନେଶ୍ବରର ବିଧାୟକ ବାବୁ ସିଂଙ୍କ ନେତୃତ୍ବରେ ବହୁ ସମର୍ଥକ ମନ୍ଦିରରେ ଉପସ୍ଥିତ ରହି ପୂଜା ମଧ୍ୟ କରିଛନ୍ତି। ସେହିପରି ତାଙ୍କର ଜନ୍ମ ଦିନରେ ବହୁ ବିଶିଷ୍ଠ ବ୍ୟକ୍ତିଗଣ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।