ମାଲକାନଗିରି: ୩୨୬ ନମ୍ବର ଜାତୀୟ ରାଜପଥର ଏମ୍ଭି-୭୯ ଥାନା ଅଧୀନ ତେଲେରାଇ ଛକ ନିକଟରେ ଏକ ମାର୍ମାନ୍ତକ ସଡ଼କ ଦୁର୍ଘଟଣା ଘଟିଛି। ତିନିଚକିଆ ଟ୍ରଲି ଅଟୋ ଏବଂ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକଜଣକ ପୋଡ଼ିଆ ଥାନା ଅନ୍ତର୍ଗତ ଏମ୍ଭି-୬୬ ଗ୍ରାମର ମଙ୍ଗଳ ଚୌଧୁରୀଙ୍କ ୧୭ ବର୍ଷୀୟ ପୁଅ ଯାମିନୀ ଚୌଧୁରୀ। ଅନ୍ୟପଟେ ସେହି ଗ୍ରାମର ଉତ୍ତମ ବିଶ୍ୱାସଙ୍କ ୧୮ ବର୍ଷୀୟ ପୁଅ ରୋହିତ ବିଶ୍ୱାସ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଯାମିନୀ ଓ ରୋହିତ ଗୋଟିଏ ନମ୍ବରବିହୀନ ମୋଟରସାଇକେଲ୍ରେ କାଲିମେଳାରୁ ଏମ୍ଭି-୭୯ ଅଭିମୁଖେ ଯାଉଥିଲେ। କାଲିମେଳା ଓ ଏମ୍ଭି-୯୦ ମଝିରେ ଅନ୍ୟ ଏକ ବାଇକ୍ ସହ ସାମାନ୍ୟ ହ୍ୟାଣ୍ଡେଲ୍ ଛନ୍ଦି ହୋଇଯିବାରୁ ସେମାନଙ୍କ ଗାଡ଼ିଟି ନିୟନ୍ତ୍ରଣ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରଲି ଅଟୋ (TS 28TB 3297) ସହ ମୁହାଁମୁହିଁ ଧକ୍କା ହୋଇଥିଲା।
ଦୁର୍ଘଟଣାରେ ଯାମିନୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ରୋହିତଙ୍କ ଡାହାଣ ଗୋଡ଼ ଭାଙ୍ଗିଯିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ଗୁରୁତର ରୋହିତଙ୍କୁ ଉଦ୍ଧାର କରି ପ୍ରଥମେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟପନ୍ନ ଥିବାରୁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏମ୍ଭି-୭୯ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି।


