ଭୁବନେଶ୍ବର: ବହୁଦିନ ଧରି ଚର୍ଚ୍ଚାରେ ଥିବା ପାରଳାଖେମୁଣ୍ଡିର ସହାୟକ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ପୁଣି ଥରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ସମ୍ଭାବ୍ୟ ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।
ପୂର୍ବରୁ ଓଡ଼ିଶା ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ନିମ୍ନ ଅଦାଲତ ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ବିରୋଧରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ବଜାୟ ରଖି ତାଙ୍କର ସ୍ପେଶାଲ ଲିଭ୍ ପିଟିସନକୁ ଖାରଜ କରିଦେଇଥିଲେ। ତେବେ, ସୁପ୍ରିମକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଥିଲେ ଯେ ବିଦ୍ୟାଭାରତୀ ଚାହିଁଲେ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ। ସୁପ୍ରିମକୋର୍ଟଙ୍କ ଏହି କୋହଳ ନିର୍ଦ୍ଦେଶ ପରେ ବିଦ୍ୟାଭାରତୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିବା ସହ ନିମ୍ନ ଅଦାଲତରେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି।


