ବାଣପୁର ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ବାଜି ମାରିଲା ଭୁବନେଶ୍ୱର ଇଲେଭେନ ଷ୍ଟାର

Published: Feb 11, 2021, 8:35 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଓଡଗାଁ ଗ୍ରାମର ସନ ସାଇନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ମଧୁସୂଦନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦୀର୍ଘ ୭ ଦିନ ଧରି ଚାଲିଥିଲା। ଆଜି ଏହାର ଉଦଯାପନ ହୋଇଯାଇଛି।

ଏହି ଅବସରରେ ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଦୀପକ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫି ନାମରେ ଖେଳାଯାଉଥିବା ଏହି ସ୍ମାରକୀ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଇଲେଭେନ ଷ୍ଟାର ଭୁବନେଶ୍ଵର ଏବଂ ମା’ ବଘେଇ କ୍ରିକେଟ କ୍ଲବ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖୋର୍ଦ୍ଧା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ସମସ୍ତ ୱିକେଟ ହରାଇ ୧୬୯ ରନ ସଂଗ୍ରହ କରିଥିଲା। ବିରୋଧରେ ଭୁବନେଶ୍ଵର ମାତ୍ର ୯.୨ ଓଭରରେ ୨ ଟି ୱିକେଟ ହରାଇ ୧୬୯ ରନର ଲକ୍ଷ୍ୟପୂରଣ କରିନେଇଥିଲା। ଆୟୋଜକ ସନ୍ ସାଇନ୍ କ୍ରିକେଟ କ୍ଲବ ଭୁବନେଶ୍ଵର ଇଲେଭେନ ଷ୍ଟାରକୁ ୮ ୱିକେଟରେ ବିଜେତା ଘୋଷିତ କରିଥିଲା।

ତେବେ ୨୫ ତମ ମଧୁସୂଦନ ସ୍ମାରକୀ ଟୁର୍ଣ୍ଣାମେଣ୍ଟର ପ୍ରଶନ୍ନ ଆଣ୍ଡ ପ୍ରକାଶ ଟ୍ରଫିରେ ଚମ୍ପିୟାନ ଭାବେ ଭୁବନେଶ୍ଵର ବିବେଚିତ ହୋଇଥିବା ବେଳେ ମା’ ବଘେଇ କ୍ରିକେଟ କ୍ଲବ ଖୋର୍ଦ୍ଧା ଟିମ ରନର୍ସ ଅପ( ଉପବିଜେତା) ହୋଇଛି। ମୁଖ୍ୟ ଅତିଥି ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ବିଜେତାଙ୍କୁ ଟ୍ରଫି ସହ ୩୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ତଥା ସରପଞ୍ଚ ଦୀପକ କୁମାର ପ୍ରଧାନ ଉପବିଜେତାଙ୍କୁ ଟ୍ରଫି ସହ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ଇଲେଭେନ ଷ୍ଟାର ଭୁବନେଶ୍ୱରର ମଦନ ବେହେରା ଆଜିର ମ୍ୟାଚରେ ଶ୍ରେଷ୍ଠ ଖେଳାଳି ହୋଇଥିବା ବେଳେ ମା’ ବଘେଇ କ୍ରିକେଟ କ୍ଳବର ଲିପୁନ ସାହୁ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ପ୍ରକାଶ ଥାଉକି ବିଧାୟକ ଶ୍ରୀ ଜଗଦ୍ଦେବ ବିଗତ ବର୍ଷ ଦେଇଥିବା ପ୍ରତିଶ୍ରୁତି ପାଳନ କରି ମିନି ଷ୍ଟାଡିଅମ ନିର୍ମାଣ ପାଇଁ  ୨୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବା ସହ ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଗ୍ରାମବାସୀ ଓ କ୍ଳବ କର୍ମକର୍ତ୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗରେ ଏ ଅଂଚଳରେ ଏଭଳି ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇପାରିଥିବାରୁ ଗ୍ରାମବାସୀ ଓ କ୍ଳବ କର୍ମକର୍ତ୍ତାଙ୍କୁ ବିଧାୟକ ଧନ୍ୟବାଦ ଜଣେଇଥିଲେ। ଆଜିର ମ୍ୟାଚରେ ପାଞ୍ଚହଜାରରୁ ଉର୍ଦ୍ଧ୍ଵ ଦର୍ଶକ ଉପଭୋଗ କରିଥିଲେ।

Related posts