ମହୀସୁରରେ ୧୫ ହଜାର ଲୋକଙ୍କ ସହିତ ଯୋଗ କଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ଏହି କଥା

Published: Jun 21, 2022, 10:02 am IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହୀସୁରର ଆଇକନିକ୍ ପ୍ୟାଲେସ୍ ସମ୍ମୁଖରେ ଆନ୍ତର୍ଜାତୀୟ ଯୋଗ ଦିବସର ଅଷ୍ଟମ ସଂସ୍କରଣର ନେତୃତ୍ୱ ନେଇଛନ୍ତି। ଏଥିରେ କର୍ଣ୍ଣାଟକର ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟ୍, ମହୀସୁର ରୟାଲ ପରିବାରର ଯାଦୁଭେରା କୃଷ୍ଣ ଦତ୍ତା, ଚାମରାଜା ୱାଡିୟର୍ ଏବଂ ତାଙ୍କ ମାତା ପ୍ରମୋଦା ଦେବୀ ୱାଡିଆର ମଧ୍ୟ ଏହି ଉତ୍ସବରେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯୋଗ କେବଳ ଭାରତ ପାଇଁ ନୁହେଁ, ବରଂ ସମଗ୍ର ମାନବିକତା ପାଇଁ। ଯୋଗ କେବଳ ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ, ଏହା ଆମ ବ୍ରହ୍ମାଣ୍ଡରେ ଶାନ୍ତି ଆଣିଥାଏ ବୋଲି ସେ କହିଥିଲେ। ଯୋଗର ଅସୀମିତ ସମ୍ଭାବନାକୁ ହୃଦୟଙ୍ଗମ କରିବାର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ ଦର୍ଶାଇଛନ୍ତି ଯେ ଯୋଗ ହେଉଛି ଏକ ପ୍ରକ୍ରିୟା ଯାହା ଅନ୍ତଃ ଶାନ୍ତିରୁ ସର୍ବଭାରତୀୟ ଶାନ୍ତି ହାସଲ କରିବାକୁ ବାଟ ଦେଖାଏ।

ସେ କହିଛନ୍ତି, ଯୋଗ ଆତ୍ମରୁ ଜଗତର ଆତ୍ମ ଚେତନାକୁ ନେଇଥାଏ। ଯୋଗ ଏକ ବଡ଼ ସମସ୍ୟା ସମାଧାନକାରୀ, ଏହା ଆମର ଜୀବନଶୈଳୀକୁ ବଦଳାଇପାରେ। ଯୋଗ ଆମ ମନକୁ ସମସ୍ୟା ସମାଧାନ ଦିଗରେ ଦିଗଦର୍ଶନ କରିବାରେ ସାହାଯ୍ୟ କରେ। ଜଳବାୟୁ ପରିବର୍ତ୍ତନ ହେଉ କିମ୍ବା ଆନ୍ତର୍ଜାତୀୟ ବିବାଦ, ଯୋଗ ଦ୍ବାରା ସବୁକିଛି ସମାଧାନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୋଗକୁ ଜୀବନଶୈଳୀରେ ପରିଣତ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ କରିଥିଲେ।

ଏହି ଅବସରରେ ଆୟୁଷ ମନ୍ତ୍ରୀ ସର୍ରବାନନ୍ଦ ସୋନୋୱାଲ କହିଛନ୍ତି ଯେ ଯୋଗ ହେଉଛି ଆମର କଳା ସଂସ୍କୃତି ଏବଂ ପରମ୍ପରା। ଅନ୍ତର୍ଜାତୀୟ ସ୍ତରରେ ଯୋଗର ବାର୍ତ୍ତା ବିସ୍ତାର କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବାସଭାରାଜ ବମ୍ମାଇ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ମହୀସୁରକ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରାୟ ୧୫୦୦୦ ବ୍ୟକ୍ତି ଯୋଗ ଅଭ୍ୟାସ କରିଥିଲେ।

Related posts