ନ୍ୟୁୟର୍କ : କଜାକିସ୍ତାନର ତାରକା ଟେନିସ୍ ଖେଳାଳି ଏଲେନା ରିବାକିନା କ୍ୟାରିୟରର ପ୍ରଥମ ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସ ଟାଇଟଲ୍ ହାସଲ କରିଛନ୍ତି। ନ୍ୟୁୟର୍କସ୍ଥିତ ଆର୍ଥର୍ ଏଶ୍ ଷ୍ଟାଡିୟମ୍ରେ ଖେଳାଯାଇଥିବା ହାଇ-ଭୋଲ୍ଟେଜ୍ ଫାଇନାଲ୍ ମୁକାବିଲାରେ ସେ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ୬-୪, ୫-୭, ୬-୨ ସେଟ୍ରେ ପରାସ୍ତ କରିଛନ୍ତି। ଏହି ବିଜୟ ସହ ରିବାକିନା ନିଜ କ୍ୟାରିୟରର ତୃତୀୟ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ହାତେଇଛନ୍ତି।
ସାବାଲେଙ୍କାଙ୍କ ଲଗାତାର ତୃତୀୟ ଥର ୟୁଏସ୍ ଓପନ୍ ଚାମ୍ପିଅନ୍ ହେବା ସ୍ୱପ୍ନ ଧୂଳିସାତ୍ ହୋଇଛି। ଏଥିସହିତ ଏହି ପ୍ରତିଯୋଗିତାରେ ତାଙ୍କର ୧୯-ମ୍ୟାଚ୍ର ଅପରାଜେୟ ଅଭିଯାନରେ ମଧ୍ୟ ବିରାମ ଲାଗିଛି। ସାବାଲେଙ୍କା ଦୀର୍ଘ ୯୯ ସପ୍ତାହ ଧରି ବିଶ୍ୱ ର୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନରେ ରହିଥିଲେ। ପରାଜୟ ପରେ ନିରାଶ ସାବାଲେଙ୍କା କୋର୍ଟ ଭିତରେ ନିଜ ର୍ୟାକେଟ୍ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା।
୨୦୨୨ରେ ୱିମ୍ବଲଡନ୍ ଏବଂ ୨୦୨୬ରେ ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥିବା ରିବାକିନା ପୂର୍ବରୁ ମଧ୍ୟ ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲ୍ରେ ସାବାଲେଙ୍କାଙ୍କୁ ହରାଇଥିଲେ। ୟୁଏସ୍ ଓପନ୍ ଟ୍ରଫି ହାତେଇବା ପରେ ଏବେ ‘କ୍ୟାରିୟର୍ ଗ୍ରାଣ୍ଡ୍ ସ୍ଲାମ୍’ ପୂରଣ କରିବା ପାଇଁ ତାଙ୍କୁ କେବଳ ଫ୍ରେଞ୍ଚ୍ ଓପନ୍ ଜିତିବା ବାକି ରହିଛି।
ଚାମ୍ପିଅନ୍ ରିବାକିନାଙ୍କୁ ପୁରସ୍କାର ସ୍ୱରୂପ ୫୫ ଲକ୍ଷ ଡଲାର (ପ୍ରାୟ ୪୬ କୋଟି ଟଙ୍କା) ପ୍ରଦାନ କରାଯାଇଛି। ସେହିପରି ଉପବିଜେତା ସାବାଲେଙ୍କାଙ୍କୁ ୨୮ ଲକ୍ଷ ଡଲାର (ପ୍ରାୟ ୨୩.୫ କୋଟି ଟଙ୍କା) ମିଳିଛି।


