ନୂଆଦିଲ୍ଲୀ: ଶୀର୍ଷ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦର ସମାଧାନ ଏବଂ ହକି ଇଣ୍ଡିଆ ଲିଗ୍ (ଏଚଆଇଏଲ) ର ପରିଚାଳନା ପାଇଁ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ଅପରାହ୍ନ ୩ଟାରେ ନୂଆଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ହକି ଇଣ୍ଡିଆର କାର୍ଯ୍ୟକାରୀ ବୋର୍ଡ ବୈଠକ ଡକାଯାଇଛି। ସମ୍ପାଦକ ଭୋଲା ନାଥ ସିଂହ ଇମେଲ୍ ମାଧ୍ୟମରେ ସଦସ୍ୟମାନଙ୍କୁ ଏହି ଜରୁରୀ ବୈଠକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଫଆଇଏଚ୍ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ର ଜର୍ସି ରଙ୍ଗ ଗେରୁଆ କରିବାକୁ ନେଇ ସଭାପତି ଦିଲୀପ ତିର୍କୀ ଓ ସମ୍ପାଦକ ଭୋଲା ନାଥ ସିଂହଙ୍କ ମଧ୍ୟରେ ମତଭେଦ ଦେଖାଦେଇଛି। ବିନା ସହମତିରେ ଜର୍ସି ବଦଳାଯାଇଥିବା ଦର୍ଶାଇ ଦିଲୀପ ତିର୍କୀ ମହାନିର୍ଦ୍ଦେଶକ ଆର୍କେ ଶ୍ରୀବାସ୍ତବଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ତାଙ୍କ କ୍ଷମତା ପ୍ରତ୍ୟାହାର କରିଛନ୍ତି।
ପୁରୁଷ ଓ ମହିଳା ଏଚଆଇଏଲ ର ଭବିଷ୍ୟତ ନେଇ ବୈଠକରେ ଚର୍ଚ୍ଛା ହେବ। କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୋମବାର ଦିଲୀପ ତିର୍କୀ ଓ ଫ୍ରାଞ୍ଚାଇଜି ମାଲିକମାନଙ୍କ ସହ ଆଲୋଚନା କରି ଲିଗ୍ର ଆଞ୍ଚଳିକ ଓ ଆର୍ଥିକ ମଡେଲ୍ ପାଇଁ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂଘର ବର୍ତ୍ତମାନର ପରିଚାଳନାରେ ଅସନ୍ତୁଷ୍ଟ ଥିବା ଫ୍ରାଞ୍ଚାଇଜି ମାଲିକମାନେ ଏଚଆଇଏଲ ପାଇଁ ନିଜର ଭାଗୀଦାରୀ ଥିବା ଏକ ନୂତନ ସଞ୍ଚାଳନ ପରିଷଦ ଗଠନ କରିବାକୁ ଦାବି କରିଛନ୍ତି।


