ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର କାର୍ଯ୍ୟନିର୍ବାହୀ ପରିଷଦ ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଛି। ଆସନ୍ତା ଡିସେମ୍ବର ୫ ତାରିଖରେ ଏହି ଭୋଟଗ୍ରହଣ ହେବାକୁ ଥିବା ବେଳେ ବର୍ତ୍ତମାନର ପରିଷଦର କାର୍ଯ୍ୟକାଳ ଡିସେମ୍ବର ୧୦ରେ ଶେଷ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଦିଲ୍ଲୀ ଏବଂ ଚଣ୍ଡୀଗଡ଼ର ପୂର୍ବତନ ନିର୍ବାଚନ କମିଶନର ସଞ୍ଜୟ କୁମାର ଶ୍ରୀବାସ୍ତବ (ଅବସରପ୍ରାପ୍ତ ଆଇଏଏସ୍)ଙ୍କୁ ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ସେ ଭୋଟର ତାଲିକା ଯାଞ୍ଚ, ନାମାଙ୍କନ, ମତଦାନ ଏବଂ ଫଳାଫଳ ଘୋଷଣା ଭଳି ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ତୁଲାଇବେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଅକ୍ଟୋବର ୧୮ ଶେଷ ତାରିଖ ରଖାଯାଇଛି।
ଆଇଓଏର ଏହି ନିର୍ବାଚନ ପ୍ରକ୍ରିୟାରେ ଆଥଲେଟ୍ସ କମିଶନ ନିର୍ବାଚନ ଏବଂ ସ୍ପୋର୍ଟସ ପର୍ସନ୍ସ ଅଫ୍ ଆଉଟ୍ଷ୍ଟାଣ୍ଡିଂ ମେରିଟ୍ (ଏସ୍ଓଏମ୍) ଚୟନ ପ୍ରକ୍ରିୟା ମଧ୍ୟ ସାମିଲ ରହିଛି। ଆସନ୍ତା ନଭେମ୍ବର ୩ ରେ ଆଥଲେଟ୍ସ କମିଶନ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେହି ଦିନ ହିଁ ଭୋଟିଂ ଓ ଗଣତି ପରେ ପ୍ରାୟ ୧୦ ଜଣ ଖେଳାଳି ସଦସ୍ୟ ଭାବେ ମନୋନୀତ ହେବେ। ଜାତୀୟ କ୍ରୀଡ଼ା ଗଭର୍ଣ୍ଣାନ୍ସ ଆକ୍ଟ-୨୦୨୫, ୨୦୨୬ ନିୟମାବଳୀ ଏବଂ ଆଇଓଏର ସଂଶୋଧିତ ସମ୍ବିଧାନ ଅନୁଯାୟୀ ଏହି ସମସ୍ତ କାର୍ଯ୍ୟ କରାଯାଉଛି। ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସେମାନଙ୍କର ଆଥଲେଟ୍ସ କମିଶନ ମାଧ୍ୟମରେ ଦୁଇଜଣ ଖେଳାଳି ପ୍ରତିନିଧିଙ୍କ ନାମ ଅକ୍ଟୋବର ୧୧ ଅପରାହ୍ନ ୨ଟା ସୁଦ୍ଧା ପଠାଇବାକୁ କୁହାଯାଇଛି। ଆଇଓଏ ସଭାପତି ପି.ଟି. ଉଷା ଏହାକୁ ଭାରତୀୟ ଅଲିମ୍ପିକ୍ ଆନ୍ଦୋଳନରେ ସୁଶାସନ ଓ ସ୍ୱଚ୍ଛତା ଆଣିବା ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି।


