Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଚିଲିକାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଚିଲିକାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ସେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ପରିବେଷ ଓ ଜଙ୍ଗଲମନ୍ତ୍ରୀ ଭୁପେନ୍ଦର ଯାଦବଙ୍କୁ ଏହି ସାକ୍ଷାତ କରିଛନ୍ତି। ଏ ନେଇ ସେ ଏକ ଦାବୀପତ୍ର ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି।

ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ମୋ ନିର୍ବାଚନ ମଣ୍ଡଳୀ ଏବଂ ଏହାର ପାଖ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କର ଜୀବନ ରେଖା ହେଉଛି ଚିଲିକା। ହେଲେ ଏହା ଧିରେଧିରେ ପୋତି ହୋଇପଡୁଥିବାରୁ ମତ୍ସ୍ୟଜୀବୀଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି। ମନ୍ତ୍ରୀ ଏ ନେଇ ତୁରନ୍ତ ହସ୍ତକ୍ଷେପ କରିବା ସହିତ ଚିଲିକା ଖୋଳିବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କୁ ଘେରିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ପଚାରିଲେ ପାଞ୍ଚୋଟି ପ୍ରଶ୍ନ

ଭୁବନେଶ୍ବର: ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଘେରିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ସେ ନିଜ ସାମାଜିକ ଗଣମାଧ୍ୟମରେ ଅପରାଜିତାଙ୍କୁ ପଚାରିଛନ୍ତି ପାଞ୍ଚୋଟି ପ୍ରଶ୍ନ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଛନ୍ତି ଯେ

1- ଆପଣ ଭୁବନେଶ୍ୱରର ସାଂସଦ ଅଛନ୍ତି। ଆପଣଙ୍କୁ ଆମର ପ୍ରଶ୍ନ: ଭୁବନେଶ୍ୱର ଛାତି ଉପର ଦେଇ ଯାଇଥିବା ଜାତୀୟ ରାଜପଥ ଯୋଗୁଁ ପ୍ରତିବର୍ଷ ବର୍ଷାଋତୁରେ ଏହାର ଉଭୟ ପାର୍ଶ୍ଵ ଯେଉଁଭଳି ଜଳମଗ୍ନ ହୋଇ ସମସ୍ୟା ସୃଷ୍ଟି ହେଉଛି, ସେ ବିଷୟରେ ଆପଣ ଜାଣନ୍ତି ତ?

2- ରାଜଧାନୀବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଆପଣ ଏନ୍ଏଚ୍ଏଆଇ ସହ କେବେ ଆଲୋଚନା କରିଛନ୍ତି କି ? ଯଦି କରିନାହାନ୍ତି, ତେବେ ଦୟାକରି ସାଂସଦ ଭାବେ ଏହାର ସମାଧାନ ପାଇଁ ଧ୍ୟାନ ଦିଅନ୍ତୁ ।

3- ସେହିପରି କଟକ – ସମ୍ବଲପୁର ଜାତୀୟ ରାଜପଥ ହେଉଛି ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡିଶା ମଧ୍ୟରେ ଜୀବନରେଖା । ଏହି ଏନ୍‌ଏଚର ମରାମତି ଓ ପ୍ରଶସ୍ତିକରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶେଷ ହେଉନି। ଫଳରେ ଏହା ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

4- ମୃତ୍ୟୁ ଯନ୍ତା ପାଲଟିଥିବା ଏହି ଜାତୀୟ ରାଜପଥରେ ଗତ ୨ ବର୍ଷ ମଧ୍ୟରେ ୩୯୯ଟି ଦୁର୍ଘଟଣା ଘଟି ୧୯୬ ଜଣ ଲୋକଙ୍କ ଅକାଳରେ ଜୀବନ ଗଲାଣି। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏନ୍ଏଚଏଆଇ ଏବଂ କେନ୍ଦ୍ର ସରକାର ନିରବଦ୍ରଷ୍ଟା ସାଜିଛନ୍ତି।ଆପଣ କେବେ ଏହି ସମସ୍ୟା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି କି?

5- ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ, ଲକ୍ଷ ଲକ୍ଷ ଲୋକ ତାହାକୁ ଅନାଇ ବସିଛନ୍ତି। ତେଣୁ ଆପଣଙ୍କୁ ଆମର ପରାମର୍ଶ, ଜନସାଧାରଣଙ୍କ ଏହି ସମସ୍ୟା ଦୂର କରିବାକୁ ଉପଯୁକ୍ତ ଧ୍ୟାନ ଦିଅନ୍ତୁ ।

ତେବେ ଏ ନେଇ ଅପରାଜିତା ଷଡଙ୍ଗୀଙ୍କର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇ ନାହିଁ।

Categories
ବିଶେଷ ଖବର

ଅପରାଜିତାଙ୍କୁ କଡ଼ା ଜବାବ ଦେଲେ ସୁଲତା: ଆମ ମୁଖ୍ୟମନ୍ତ୍ରୀଙ୍କ କାମ କଥା କହେ, ବ୍ରାଣ୍ଡିଂ ଲୋଡ଼ା ନାହିଁ

ଭୁବନେଶ୍ଵର: ଓଡ଼ିଶା ସରକାର ନିଜର ବ୍ରାଣ୍ଡିଂ କରୁଛନ୍ତି ବୋଲି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଅମୂଳକ ଓ ଭିତ୍ତିହୀନ। ଜନମାନସରେ ତିଷ୍ଠି ରହିବା ପାଇଁ ସେ ମଝିରେ ମଝିରେ ଏଭଳି ଅବାନ୍ତର କଥା କହନ୍ତି। ଆଜି ଅପରାଜିତାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ।

ଏକ ପ୍ରେସ ବିବୃତିରେ ଶ୍ରୀମତୀ ଦେଓ କହିଛନ୍ତି ଯେ, ଅପରାଜିତା ମାଡାମ୍ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇ ଓଡ଼ିଶାରେ ଦୀର୍ଘ ବର୍ଷ କାମ କରିଛନ୍ତି। ତେଣୁ ସେ ନିଶ୍ଚୟ ଭଲ ଭାବରେ ଅନୁଭବ କରିଥିବେ ଯେ, ୨୩ ବର୍ଷ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନଭାର ଗ୍ରହଣ କଲାବେଳେ ଓଡ଼ିଶା କେଉଁଠି ଥିଲା ଏବଂ ଆଜି ଓଡ଼ିଶା କେଉଁଠି ପହଞ୍ଚିଛି। କିନ୍ତୁ ସମ୍ଭବତଃ ବିରୋଧୀ ଦଳରେ ଥିବାରୁ ବାଧ୍ୟବାଧକତାରେ ସେ ଏପରି କହୁଛନ୍ତି।

ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ କଥାରେ ନୁହେଁ, କାମରେ ବିଶ୍ଵାସ କରନ୍ତି। ତେଣୁ ସେ କଥା କମ୍ କାମ ବେଶି କରନ୍ତି। ଯାହାର ଫଳ ସ୍ୱରୂପ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ସେ କରିଥିବା କାମ ହିଁ ଆଜି କଥା କହୁଛି। ପ୍ରତ୍ୟେକ କ୍ଷେତ୍ରରେ କାମ ଏମିତି ହୋଇଛି ଯେ, ଆମର ବ୍ରାଣ୍ଡିଂ ଲୋଡ଼ା ନାହିଁ।

ଓଡ଼ିଶା ଦେଶର ଚତୁର୍ଥ ସର୍ବାଧିକ ଧାନ ଉତ୍ପାଦନକାରୀ ରାଜ୍ୟ ହେବା ସହିତ ଚାଉଳରେ ବଳକା ରାଜ୍ୟ ହୋଇପାରିଛି। ସରକାର କୃଷି ଓ ଜଳସେଚନ ଉପରେ ଅଧିକ ଗୁରୁତ୍ଵ ଦେବା ସହ କୃଷକଙ୍କ ଆୟ ବୃଦ୍ଧି କରିଛନ୍ତି। ସେହିପରି ଶିଳ୍ପ କ୍ଷେତ୍ରରେ ବିପୁଳ ପୁଞ୍ଜିନିବେଶ ଯୋଗୁଁ ଓଡ଼ିଶା ଦେଶର ଅନ୍ୟତମ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଜରିଆରେ ଓଡ଼ିଶାରେ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଲାଗି ଦେଶବିଦେଶର ଶିଳ୍ପସଂସ୍ଥାମାନେ ପ୍ରତିଶ୍ରୁତି ଦେଇଛନ୍ତି।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟର ସାଢ଼େ ୯୬ ଲକ୍ଷ ପରିବାରର ୩ କୋଟି ୩୦ ଲକ୍ଷ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି। ମିଶନ ଶକ୍ତି ଜରିଆରେ ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣ ଆଜି ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷା ଭିତ୍ତିଭୂମିର ବିକାଶ ଓ ରୂପାନ୍ତରଣ କ୍ଷେତ୍ରରେ ଓଡ଼ିଶାକୁ ଏକ ନୂତନ ଉଚ୍ଚତାକୁ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାରେ ଆୟୁଷ୍ମାନ ଭାରତ ଲାଗୁ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ବିଜେପି ସାଂସଦଗଣ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏଓ୍ୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଚାହୁଁଥିବା ୪.୫ କୋଟି ଓଡ଼ିଆଙ୍କ ସମେତ ବାହାରେ କାମ କରୁଥିବା ୧ କୋଟି ପ୍ରବାସୀ ଓଡ଼ିଆ ଲୋକଙ୍କ ବୃହତ ହିତ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସାଂସଦଗଣ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଙ୍ଗଦେଓ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତ୍ତମ ଚିକିତ୍ସା ସେବାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୨୦.୮୭ କୋଟି ପରିବାର ତଥା ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତି ।

ଦେଶରେ ପ୍ରାୟ ୨୬,୨୬୭ ତାଲିକାଭୂକ୍ତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ (ଇଏଚସିପି)ର ନେଟଓ୍ୱାର୍କ ମାଧ୍ୟମରେ ୪୮,୯୩୪ କୋଟି ଟଙ୍କା ମୂଲ୍ୟର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଛି, ଯାହା ଏହି ଯୋଜନାର ସଫଳ କାର୍ଯ୍ୟକାରିତାକୁ ଦର୍ଶାଉଛି ।

ଲୋକଙ୍କ କଲ୍ୟାଣ ପାଇଁ ଦେଶର ପ୍ରାୟ ସମସ୍ତ ରାଜ୍ୟ ଗୁଡ଼ିକ ରାଜନୀତିରୁ ଉର୍ଦ୍ଧ୍ୱରେ ରହି କେନ୍ଦ୍ର ସରକାରଙ୍କ ଏହି ସ୍ୱାସ୍ଥ୍ୟ ଯୋଜନାକୁ କାର୍ଯ୍ୟକାରୀ କରୁଥିବା ବେଳେ ଓଡ଼ିଶା ଭଳି ଅଳ୍ପ କିଛି ରାଜ୍ୟ ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନାର ଲାଭରୁ ନାଗରିକଙ୍କୁ ବଞ୍ଚିତ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନ ହେବା କାରଣରୁ ସ୍ୱାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ବିପର୍ଯ୍ୟସ୍ତ ଆଡକୁ ଗତି କରୁଛି, ଯାହା ରାଜ୍ୟ ଏବଂ ରାଜ୍ୟ ବାହାରେ ବସବାସ କରୁଥିବା ଓଡିଆ ଲୋକଙ୍କ ପାଇଁ ଏକ ଅଭିଶାପ ସାବ୍ୟସ୍ତ ହୋଇଛି ।

୨୦୧୯-୨୦ ଆର୍ଥିକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟ ଠାରୁ ମଧ୍ୟ କମ୍ । ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ୫ ବର୍ଷରୁ କମ୍ ମୃତ୍ୟୁ ହାର, ଶିଶୁ, କିଶୋର,ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶଜନକ ।

ଏହାବ୍ୟତିତ ଓଡ଼ିଶାରେ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ । ଗାଁରେ ଦୁର୍ବଳ ସ୍ୱାସ୍ଥ୍ୟସେବା ଭିତ୍ତିଭୂମି, ମେଡିକାଲ ଏବଂ ପାରାମେଡିକ କର୍ମଚାରୀଙ୍କ ମଧ୍ୟରେ ଦୂରତା ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଏକ ପ୍ରମୁଖ ଆହ୍ୱାନ । ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ୩୧ ପ୍ରତିଶତ ଖାଲି ପଡିଛି ।

ରାଜ୍ୟରେ ଚିକିତ୍ସା କର୍ମଚାରୀ ଏବଂ ପ୍ରଶାସନିକ ପଦବୀରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ଅଛି । ଦେଶରେ ମୁଣ୍ଡ ପିଛା ଡାକ୍ତର ଏବଂ ହସ୍ପିଟାଲ ମଧ୍ୟ ଓଡ଼ିଶାରେ ବହୁତ କମ୍ ରହିଛି । ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟ ଯୋଜନାରେ ସ୍ୱାସ୍ଥାସେବା ମିଳିବା ଅଳ୍ପ କିଛିରେ ସୀମିତ ଅଛି । ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଥିବା ସତ୍ତ୍ୱେ ମଧ୍ୟ ବେସରକାରୀ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ ହିତାଧିକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ରାଜ୍ୟରେ ଥିବା ଚିକିତ୍ସା ସୁବିଧା ଓଡ଼ିଶାର ସାଢେ ଚାରି କୋଟି ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଅସମର୍ଥ । କଟକରେ ସରକାରୀ ଏମସିଏଚ୍ ସହ ଭୁବନେଶ୍ୱର ଓ କଟକ ଟ୍ୱିନ ସିଟିରେ ଥିବା କିଛି ହସ୍ପିଟାଲ ବ୍ୟତିତ ଅଧିକାଂଶ ଓଡ଼ିଆ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ କୋଲକାତା, ଭେଲ୍ଲୋର, ମୁମ୍ବାଇ, ଭାଇଜାଗ ଓ ଦିଲ୍ଲୀ ଯାଉଛନ୍ତି ।

ସେହିପରି ଓଡ଼ିଶାରୁ ୩୩.୪୫ ପ୍ରତିଶତ ପରିବାର କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ଓଡ଼ିଶାର ପ୍ରାୟ ୧ କୋଟି ଲୋକମାନେ ଜୀବନଜୀବିକା ପାଇଁ ବାହାରେ କାମ କରୁଥିବା ଆକଳନ କରାଯାଇଛି । ଏହି ପ୍ରବାସୀ ଓଡ଼ିଆ ଲୋକମାନେ ନିଜ ଆୟର ୩୩ ପ୍ରତିଶତ ଖର୍ଚ୍ଚ ନିଜ ପରିବାରର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି । ଆୟୁଷ୍ମାନ ଭାରତ ଯୋଜନା କ୍ରିୟାନ୍ୱୟନ ନ ହେବା କାରଣରୁ ଅଧିକାଂଶ ପ୍ରବାସୀ ଓଡ଼ିଆ ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ନେବାରୁ ବଞ୍ଚିତ ହେଉଛନ୍ତି ।

ସମସ୍ତଙ୍କୁ ସେବା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଭାରତ ସରକାର ନିକଟରେ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିଜସ୍ୱ ସ୍ୱାସ୍ଥ୍ୟବୀମା ଯୋଜନା ସମେତ ଆୟୁଷ୍ମାନ ଭାରତ ଯୋଜନା ମଧ୍ୟ ଲାଗୁ କରିପାରିବେ । ଆୟୁଷ୍ମାନ ଭାରତର ସଂଶୋଧିତ ବ୍ୟବସ୍ଥା ଅନୁସାରେ ହିତାଧିକାରୀମାନେ ଆୟୁଷ୍ମାନ ଭାରତର କାର୍ଡକୁ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ଯୋଜନାରେ ବି ବ୍ୟବହାର କରିପାରିବେ । କାର୍ଯ୍ୟକାରୀ ଯୋଜନା ଅନ୍ତର୍ଗତ ଯଦି ରାଜ୍ୟ ସରକାରମାନେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁବିଧା ପ୍ରଦାନ କରିବା ପାଇଁ ଚାହାନ୍ତି ତେବେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ । ଯଦି ୨୦୧୧ ସାମାଜିକ, ଆର୍ଥିକ ଓ ଜାତିଭିତିକ ଗଣନା ବ୍ୟତିତ ଅତିରିକ୍ତ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏହି କାର୍ଡର ଉପଯୋଗ କରିପାରିବେ ।

ଭାରତ ସରକାର ସାମାଜିକ, ଆର୍ଥିକ ଓ ଜାତିଭିତ୍ତିକ ଗଣନା ଅନୁସାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ଥିବା କାର୍ଡ ପାଇଁ ଆର୍ଥିକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହାବ୍ୟତିତ ଗଣନା ବାହାରେ କେନ୍ଦ୍ର ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ଥିବା ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ । ଦେଶର ୨୦ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି ।

ଏହା ଦ୍ୱାରା ଏସଇସିସି ପରିଧି ବାହାରେ ଥିବା ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବା ସହ ୫ ଲକ୍ଷରୁ ଅଧିକ ଆର୍ଥିକ ସହାୟତା ପାଇଛନ୍ତି । ଏହି ସବୁ ବ୍ୟବସ୍ଥା ସତ୍ତ୍ୱେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି, ଯାହା ଓଡ଼ିଆ ଲୋକଙ୍କ ପାଇଁ ବଡ ଚିନ୍ତାର ବିଷୟ ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବାୟୁ–ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ସମ୍ମିଳନୀ ଉଦଯାପିତ

ଭୁବନେଶ୍ବର: କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତଥା କେନ୍ଦ୍ର ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଆୟୋଜିତ ‘ବାୟୁ-ଗୁରୁତ୍ବପୂର୍ଣ୍ଣ ଜୀବନ ଶକ୍ତି’ ଶୀର୍ଷକ ଜାତୀୟ ସମ୍ମିଳନୀ ରବିବାର ଦିନ ଉଦଯାପିତ ହୋଇଛି।

ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍-୨ ଅଡିଟୋରିୟମରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ ସାଂପ୍ରତିକ ସମୟରେ ବାୟୁ ପ୍ରଦୂଷଣ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି କହିଥିଲେ। ଏହି ସମସ୍ୟାର ସମଧାନ କରି ପ୍ରକୃତିର ସୁରକ୍ଷା କରିବା ନିମନ୍ତେ ଯୁବ ପିଢ଼ିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଓ ସେମାନେ ପ୍ରକୃତି ସହ ଅଧିକ ରୂପେ ଜଡ଼ିତ ହେବା ଆବଶ୍ୟକ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମ ସମ୍ପର୍କରେ ଶ୍ରୀମତି ଷଡ଼ଙ୍ଗୀ କହିଥିଲେ ଯେ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକଙ୍କ ମତାମତଠୁ ନେଇ ଏହି ବିଷୟରେ ପ୍ରାଚୀନ ଶାସ୍ତ୍ର ର ମନ୍ତବ୍ୟ ବିଷୟରେ ଆଲୋଚନା ହୋଇଛି। ଏହା ଦ୍ଵାରା ପରିବେଶ ସୁରକ୍ଷା ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି ହୋଇପାରିଛି। ସମ୍ମିଳନୀରୁ ଉତ୍ପନ୍ନ ପରାମର୍ଶଗୁଡିକ ଠିକ ଭାବରେ ବିଚାର କରାଯାଇ ଆଗାମୀ ଦିନରେ କାର୍ଯ୍ୟକାରୀ କରାଯାଇପାରିବ। ଗତ ଡିସେମ୍ବର ୧ ରୁ ଭାରତ ଜି-୨୦ ର ସଭାପତି ଦାୟିତ୍ଵ ତୁଲାଊଥିବା ପ୍ରକାଶ କରି ଏହି ଗୋଷ୍ଠୀ ଜଳବାୟୁ ପରିବର୍ତ୍ତନ ବିଷୟକୁ ଅନେକ ଗୁରୁତ୍ବ ଦେଉଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ବାୟୁ ଏବଂ ପରିବେଶର ବିଭିନ୍ନ ଦିଗ ଉପରେ ସରକାରୀ ସଂଗଠନଗୁଡ଼ିକ ଦ୍ବାରା ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ସମ୍ମିଳନୀରେ ବାୟୁ ଗୁଣବତ୍ତା ବିଶେଷଜ୍ଞ, ଛାତ୍ରଛ।ତ୍ରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ, ସହରର ମ୍ୟୁନିସିପାଲିଟି କମିଶନର, ବୈଜ୍ଞାନିକ, ଇଞ୍ଜିନିୟର ପ୍ରମୁଖ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ବର ବିମାନ ବନ୍ଦରରେ ଶ୍ରୀଜିୟୁଙ୍କର ମୂର୍ତ୍ତି ସ୍ଥାପନ ପାଇଁ ପ୍ରାଧିକରଣ କମିଟି ଦେଲା ପ୍ରସ୍ତାବ

ଭୁବନେଶ୍ବର: ଆଜି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକରଣ କମିଟିର ଅଧ୍ୟକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ପ୍ରାଧିକାରଣ କମିଟିରେ ନବ ନିଯୁକ୍ତ ସଦ୍ୟସ ମାନଙ୍କୁ ନେଇ ପ୍ରଥମ ବୈଠକରେ ସାମିଲ ହୋଇଥିବା ଶ୍ରୀ ଉମେଶ ଖଣ୍ଡେଲୱାଲ ଏବଂ ଶ୍ରୀ ଯୁଗଂଶୁ ଶେଖର ପଣ୍ଡା ଙକର ପରିଚୟ ଏବଂ ସ୍ୱାଗତ କରାଯାଇଥିଲା।

ଏହି ବୈଠକ ରେ ଅଧ୍ୟକ୍ଷା  କିଛି ପ୍ରସ୍ତାବ ଉପସ୍ଥାପନ କରିଥିଲେ ମୁଖ୍ୟତଃ କିଭଳି ଭାବରେ ବିମାନ ବନ୍ଦରର ବିକାଶ ହୋଇ ପାରିବ, ଯାତ୍ରୀମାନେ କିଭଳି ଭାବରେ ସନ୍ତୋଷଲାଭ କରିପାରିବେ, ବିମାନ ବନ୍ଦରର ସୌନ୍ଦର୍ଯ୍ୟ କରଣ, କିଭଳି ଯାତ୍ରୀମାନେ ସୁରକ୍ଷା ପାଇପାରିବେ ଏବଂ କିପରି ଭାବରେ ବିଶ୍ଵସ୍ତରୀୟ ହୋଇ ପାରିବ ସେ ନେଇ ଆଲୋଚନା କରିଥିଲେ।

ଶ୍ରୀ ଖଣ୍ଡେଲୱାଲ ତାଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବାରୁ ସେ ଅଧ୍ୟକ୍ଷା ଏବଂ ଏୟାରପୋର୍ଟ ଡିରେକଟର ଏବଂ ବିଭାଗୀୟ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ଯାତ୍ରୀ ମାନଙ୍କ ସୁବିଧା ଏବଂ ସୁରକ୍ଷା ସହିତ ଏୟାରପୋର୍ଟ ପଡିଆର ବିସ୍ତାର ସହିତ ଆଧୁନିକକରଣ, ପର୍ଯ୍ୟବରଣ, ସୌନ୍ଦର୍ଯ୍ୟକ ରଣ ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ଏୟାରପୋର୍ଟ ଡିରେକଟର ଶ୍ରୀ ପ୍ରସନ୍ନ ପ୍ରଧାନଙ୍କ ସହିତ ସବୁ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ। ପ୍ରାଧୀଜରଣ କମିଟି ସଦ୍ୟସ ଶ୍ରୀ ଉମେଶ ଖଣ୍ଡେଲୱାଲ ପ୍ରସ୍ତାବ ଦେଇଥିଲେ କି ସମ୍ପୂର୍ଣ ବିଶ୍ଵରେ ଓଡିଶା ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧାମ ନାମରେ ପ୍ରସିଦ୍ଧ ଅଛି। ଏୟାରପୋର୍ଟ ଠାରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରାଜୀ ଙ୍କର ମୂର୍ତ୍ତି ସ୍ଥାପିତ ହେବା ସହିତ ମହାପ୍ରସାଦ ବିକ୍ରି ସହିତ ଓଡିଶା ପ୍ରସିଦ୍ଧ ପଖାଳର ଏକ ଦୋକାନ ସୁଲଭ ମୂଲ୍ୟର ଖୋଳିବା ପାଇଁ ପ୍ରସ୍ତାବ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କୁ ସ୍ବାଗତ କରିବା ପାଇଁ ଭୁବନେଶ୍ବର ବିମାନବନ୍ଦରରେ ଭିଡ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀ ଆନ୍ତର୍ଜାତୀୟ ସଂଘର ସଭାପତି ନିର୍ବାଚିତ ହେବା ପରେ ଆଜି ଭୁବନେଶ୍ବର ଫେରୁଛନ୍ତି। ଭୁବନେଶ୍ବର ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବା ପାଇଁ ସମର୍ଥକମାନେ ଭିଡ କରିଛନ୍ତି। ଆଦିବାସୀ ନୃତ୍ୟ ବାଜା ସହିତ ଅପରାଜିତାଙ୍କ ରେକର୍ଡ ଗୀତରେ କମ୍ପୁଛି ବିମାନ ବନ୍ଦର। ତାଙ୍କୁ ସ୍ବାଗତ କରିବା ପାଇଁ କରାଯାଇଛି ଏକ ବଡ ଆୟୋଜନ।

 

ଭୁବନେଶ୍ବର ସାଂସଦ ଅପରାଜିତା, ରଓ୍ବାଣ୍ଡାର କିଗାଲିଠାରେ ଅନୁଷ୍ଠିତ ଆଇପିୟୁର ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ ମୋଟ ୧୮ ଟି ଭୋଟରୁ ୧୨ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ଅନ୍ତଃ ସଂସଦୀୟ ୟୁନିୟନ ( ଆଇପିୟୁ)ର କାର୍ଯ୍ୟକାରିଣୀ କମିଟିକୁ ନିର୍ବଚିତ ହେବା ଦ୍ବାରା ଭାରତକୁ ସଭାପତି ପଦ ଫେରିଛି। ଏହି ଖୁସିରେ ତାଙ୍କ ସମର୍ଥକମାନେ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ଭିଡ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦଶହରାରୁ ଦୁଇଟି ବିଧାନସଭା ଆସନରେ ଥୋପ ପକାଇଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ !!

ଭୁବନେଶ୍ବର: ବିଭିନ୍ନ ସମୟରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଚର୍ଚ୍ଚାରେ ରହିଥାନ୍ତି। ସେ ଭଲର ହେଉ କିମ୍ବା ଭେଲରେ। ହେଲେ ଏଥର ସେ ଏକ ନୂଆ ଚର୍ଚ୍ଚାକୁ ଆସିଛନ୍ତି। ତାହା ହେଲେ ପୂଜା ଅବସରରେ ଏହି ବିଧାୟକ ବେଗୁନିଆ ଏବଂ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂଜା ମଣ୍ଡପ ବୁଲିବା। ଜଣେ ବିଧାୟକ ଭାବେ ପୂଜା ମଣ୍ଡପ ବୁଲିବା ଭୁଲ ନୁହେଁ। ହେଲେ ଖୋର୍ଦ୍ଧା ଏବଂ ବେଗୁନିଆରେ ବୁଲୁଥିବାରୁ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଯେଉଁ ଆଲୋଚନା ବର୍ତ୍ତମାନ ଚାଲିଛି ତାହା ହେଲା ପ୍ରଶାନ୍ତ ଜଗଦ୍ଦେବ ଚିଲିକା ଛାଡି ବର୍ତ୍ତମାନ ଖୋର୍ଦ୍ଧା କିମ୍ବା ବେଗୁନିଆରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ମା’ଙ୍କ ନିକଟରେ ଶରଣ ପଶି କୁଆଡେ ଗୁହାରି କରି ଲୋକସଂପର୍କ ବଢାଇବାରେ ଲାଗିଛନ୍ତି। ଫଳରେ ସେ ଖୋର୍ଦ୍ଧା ଏବଂ ବେଗୁନିଆର ବିଭିନ୍ନ ପୂଜା ମଣ୍ଡପ ବୁଲି ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି। ଏପରିକି ସେ ଉଭୟ ନିର୍ବାଚନ ମଣ୍ଡଳୀରେ ଲୋକ ସଂପର୍କ ସ୍ଥାପନ କରିବାରେ ଲାଗିଛନ୍ତି।

ଚିଲିକାରେ ସେ ବେଶ୍ ବିବାଦୀୟ ହୋଇପଡିବା ପରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ଖୋର୍ଦ୍ଧା କିମ୍ବା ନିଜ ନିର୍ବାଚନ ମଣ୍ଡଳୀ ବେଗୁନିଆରୁ ପ୍ରାର୍ଥୀ ହେବେ ବୋଲି ଆଶା କରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ମତ ଯେ, ବିଜେଡି ପୁଣିଥରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବେଗୁନିଆରୁ ପ୍ରାର୍ଥୀ କରିପାରେ। କାରଣ ଏଥର ବିଜେପିରୁ ସାଂସଦ ଅପରାଜିତା ଷଡଙ୍ଗୀ ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହେବେ। ସେଥିପାଇଁ ସେ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ବାଛିଛନ୍ତି।

କିଛି ମାସ ଧରି ଅପରାଜିତା ବେଗୁନିଆରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇ ସଂଗଠନ ମଜବୁତ କରିବା ଆରମ୍ଭ କରିଦେଇଛନ୍ତି। ବେଗୁନିଆର ଛୋଟଛୋଟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଉଛନ୍ତି ସାଂସଦ ଅପରାଜିତା। ତାଙ୍କୁ ସମ୍ମୁଖୀନ ହେବା ପାଇଁ ଏହି ବାହୁବଳି ନେତା ଉପଯୁକ୍ତ ବୋଲି କୁଆଡେ ବିଜେଡି ଚିନ୍ତା କରିଛି। ବେଗୁନିଆରେ ଅପରାଜିତାଙ୍କୁ କେବଳ ପ୍ରଶାନ୍ତ ଜଗଦ୍ଦେବ ଟକ୍କର ଦେଇପାରିବେ ବୋଲି ବିଜେଡି ସର୍ଭେରୁ ଜଣାପଡିଛି।

ଯଦି ଅପରାଜିତା ବେଗୁନିଆରୁ ବିଧାୟିକା ପ୍ରାର୍ଥୀ ହୁଅନ୍ତୁ, ତେବେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସେଠାରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ପୂର୍ବରୁ ୨୦୦୪ ମସିହାରେ ଏହି ନିର୍ବାଚନ ମଣ୍ଡଳୀରେ ଜାନକୀ ବଲ୍ଲଭ ପଟ୍ଟନାୟକ ପରି ନେତାଙ୍କ ସହିତ ନିର୍ବାଚନ ଲଢେଇ କରି ଅଳ୍ପ ଭୋଟରେ ହାରିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ସେ ହି ବିଜେଡିର ଉପଯୁକ୍ତ ପ୍ରାର୍ଥୀ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

ଅନ୍ୟପଟେ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ମଧ୍ୟ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଏକ ସୁରକ୍ଷିତ ଆସନ ହୋଇପାରିଛି। କାରଣ ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ଏବଂ ଜିଲ୍ଲା ଯୋଜନା କମିଟର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି। ଫଳରେ ସେ ସବୁକୁ ପାଥେୟ କରି ଜଗଦ୍ଦେବଙ୍କର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ମଧ୍ୟ ପତିୟାରା ରହିଛି। ତେଣୁ ରାଜନୈତିକ ମହଲରେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଉଭୟ ଖୋର୍ଦ୍ଧା ଏବଂ ବେଗୁନିଆ ନିର୍ବାଚନ ମଣ୍ଡଳୀ ସୁରକ୍ଷିତ ଆସନ ବୋଲି କୁହାଯାଉଛି।

ଏ ସବୁକୁ ଲକ୍ଷ କରି ୨୦୨୪ ପାଇଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଦଶହରାରେ ଉଭୟ ନିର୍ବାଚନ ମଣ୍ଡଳୀରେ ମାଙ୍କ ଆର୍ଶିବାଦ ଭିକ୍ଷା କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଦେଲେ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସାଂସଦ ଏ ବର୍ଷର ତାଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି।  ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା ଏବଂ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ଭୁବନେଶ୍ୱରରେ ନାଇଜରଠାରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ଉପଦେଶ ଦେବା ସହ ସାଂସଦଙ୍କୁ ମାର୍ଗଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭୁବନେଶ୍ୱର ନାଇଜରଠାରେ କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ସାଂସଦ ଅପରାଜିତା

ଭୁବନେଶ୍ବର: ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ନାଇଜର ଠାରେ 650 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଆଗାମୀ 3ମାସ ମଧ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ହେବ ଏବଂ ପରବର୍ତ୍ତୀ 18 ମାସ ମଧ୍ୟରେ ନିର୍ମାଣ ସମାପ୍ତ ହେବ।

ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାଟର, ବିଦ୍ୟାଳୟ ଆଦି ନିର୍ମାଣ ହେବ। ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ମଧ୍ୟ ରହିବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ  ଜିତେନ୍ଦ୍ର ସିଂ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି।

650 କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପରେ ରାଜ୍ୟ ସରକାର ଆବଶକୀୟ ସହାୟତା ଯୋଗାଇ ଦେବା ପାଇଁ ସାଂସଦ ଅନୁରୋଧ କରିଥିଲେ। ଏହି ଅବସରରେ ନିର୍ଦେଶକ ଶ୍ରୀ ସୁଧାକର ପଣ୍ଡା, ରେଜିଷ୍ଟର ଶ୍ରୀ ଅଭୟ ନାୟକ, ବିଧାୟକ ପାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ସମସ୍ତ ସ୍ଥାନୀୟ ଅଧିବାସୀ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ

ନୂଆଦିଲ୍ଲୀ: ଭାରତର ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ସାମ୍ନାକୁ ଆଣିବା ପାଇଁ ସମଗ୍ର ଦେଶ ଅଗଷ୍ଟ ୧୪ ତାରିଖ ୨୦୨୨ରେ ଦେଶ ବିଭାଜନ ସମୟର ବିଭୀଷିକାକୁ ସ୍ମରଣ ଦିବସ ଭାବେ ପାଳନ କରୁଛି। ପ୍ରଧାନମନ୍ତ୍ରୀ ତାଙ୍କର ଗତ ସ୍ୱାଧୀନତା ଦିବସ ଭାଷଣରେ “ବିଭାଜନ ବିଭୀଷିକା ସ୍ମରଣ ଦିବସ” ପାଳନ କରିବାକୁ ଘୋଷଣା କରିଥିଲେ।

ବିଭାଜନ ସମୟରେ ବିସ୍ଥାପିତ ହୋଇଥିବା ଲକ୍ଷ ଲକ୍ଷ ଲୋକଙ୍କ ଦୁଖଦଃ ଓ ଦାରୁଣ ମାନସିକ ଯନ୍ତ୍ରଣାକୁ ସାମ୍ନାକୁ ଆଣିବା ପାଇଁ ବିଭାଜନ ସମୟର ଭୟାବହକୁ ସ୍ମରଣ କରିବା ପାଇଁ ଏହି ସ୍ମରଣ ଦିବସ ଧାର୍ଯ୍ୟ କରାଯାଇଛି। ଗତ ଶତାବ୍ଦୀରେ ମାନବ ଜନସଂଖ୍ୟାର ସର୍ବ ବୃହତ ବିସ୍ଥାପନ ଦେଶ ସ୍ୱାଧୀନତା ସମୟରେ କରାଯାଇଥିଲା ଯାହାକି ବହୁ ସଂଖ୍ୟକ ଲୋକଙ୍କ ଜୀବନ ହାନି ଘଟିଥିଲା।

ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ସମାରୋହରେ ଯୋଗଦାନ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଜନ ଦିବସରେ ଘଟିଥିବା ଦୁଃଖଦ ଘଟଣା ବିଷୟରେ କିବା ସହିତ ଯୁବପିଢ଼ି ମାନଙ୍କ ମଧ୍ୟରେ ଏହାର ପ୍ରସାର କରିବା ଓ ସେହିସମୟର ସ୍ମରଣୀୟ ବିଭିଷୀକାକୁ ଜାଣିବାକୁ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦାନ କରି ଭୁବନେଶ୍ୱର ଲୋକସଭା ସଂସଦ ଅପରାଜିତା ଷଡ଼ଙ୍ଗୀ ତାଙ୍କର ବକ୍ତବ୍ୟରେ କହିଲେ ଯେ ଯୁବସମାଜ ବିଭାଜନ ସମୟର ଦୁଖଦଃ ବିଭୀଷିକା ସମ୍ବନ୍ଧରେ ଜ୍ଞାନ ଆହାରଣ କରିବା ଏହି ଦିବସ ପାଳନର ମୁଖ୍ୟ କାରଣ ଅଟେ।

ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ପ୍ରଦର୍ଶନୀକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିବା ସହ ପ୍ରଦର୍ଶନୀ ବୁଲି ତେଖିଥିଲେ ଯେଉଁଥିରେ ଦେଶ ବିଭାଜନ ସମୟର ବିଭିଷୀକାକୁ ଫଟଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଏହା ବ୍ୟତୀତ ପୁରୀ, ଭୁବନେଶ୍ୱର, ସମ୍ବଲପୁର ଏବଂ ବିଶାଖାପାଟନମ୍ ରେଳ ଷ୍ଟେସନ ସମେତ ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ୩୭ଟି ରେଳ ଷ୍ଟେସନ ଠାରେ ବିଭାଜନ ଭୟାବହତା ଉପରେ ପ୍ରଦର୍ଶନୀ ମଧ୍ୟ ଆୟୋଜିତ କରାଯାଇଥିଲା।

ଏହି ଅବସରରେ ଶ୍ରୀ ପ୍ରଧାନଙ୍କ ଦ୍ୱାରା ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଉଭୟ ସ୍ୱାଧୀନତା ସଂଗ୍ରାମୀ ଶ୍ୟାମ ସୁନ୍ଦର ବେହେରା ଏବଂ ରାମହରୀ ଗୋସ୍ୱାମୀ ମଧ୍ୟ ବିଭାଜନ ସମୟର ବିଭୀଷିକା ସମ୍ବନ୍ଧରେ ସେମାନଙ୍କର ଅଭିଜ୍ଞତାକୁ ବଖାଣିଥିଲେ।

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ପ୍ରବନ୍ଧକ ଏହି ଅବସରରେ ଯୋଗଦାନ କରିଥିବାବେଳେ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରୟ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ବାଲିପାଟଣାରେ ହର ଘର ତ୍ରିରଙ୍ଗା ଅଭିଯାନ

ଭୁବନେଶ୍ବର: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଠାରେ ‘ହର ଘର ତିରଙ୍ଗା’ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ତ୍ରିରଙ୍ଗା ପଦଯାତ୍ରା ଆୟୋଜନ କରାଯାଇଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପଦଯାତ୍ରାରେ ସାମିଲ ହୋଇଥିଲେ। ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ପଦଯାତ୍ରାରେ ଉତ୍ସାହର ସହ ସାମିଲ ହୋଇଥିବା ଦେଖାଯାଇଥିଲା। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଆଜି ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା ସବୁ ଦେଶବାସୀଙ୍କ ପାଇଁ ଏକ ଶୁଭ ଅବସର। ଦେଶର ସ୍ବାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ସାଂସଦ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ସ୍ବାଧୀନତାର ଅମୃତ ମହୋତ୍ସବ ଏବଂ ସ୍ବାଧୀନତା ସଂଗ୍ରାମର ଅନାଲୋଚିତ ନାୟକଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦର୍ଶିତ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶାର କେନ୍ଦ୍ରମନ୍ତ୍ରୀ, ସାଂସଦମାନେ ଦ୍ରୌପଦୀ ମୁର୍ମୁଙ୍କୁ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ: ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଓ ବିଜେପି ସାଂସଦମାନେ ଆଜି ନୂଆଦିଲ୍ଲୀ ସ୍ଥିତ ନବନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବାସଭବନରେ ଭେଟି ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଏଥିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ, ପୂର୍ବତନ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ରାଜ୍ୟସଭା ସାଂସଦ ସୋନାଲ ମାନସିଂହ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବରଗଡ଼ ସାଂସଦ ସୁରେଶ ପୂଜାରୀ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ପ୍ରମୁଖ ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ସହ ଆଲୋଚନା କରିଥିଲେ।

ସାଂସଦ ଶ୍ରୀ ପଣ୍ଡା କହିଛନ୍ତି ଯେ ଓଡ଼ିଶାର ପୁର ପଲ୍ଲୀ ଠାରୁ ଆରମ୍ଭ କରି ଦେଶରେ ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନେଇ ଆନନ୍ଦ ଓ ଉଲ୍ଲାସର ଲହରୀ ଖେଳିଯାଇଛି। ଶ୍ରୀମତୀ ମୁର୍ମୁ ସାଧାରଣ ନାଗରିକରୁ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି। ଏହା ଆମ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ।

ସ୍ୱାଧୀନତା 75 ବର୍ଷ ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ। ଏଥିପାଇଁ ଆମେ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଉଛୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆବାସିକ ଉନ୍ନୟନ ସଂଘ ମାନଙ୍କୁ ଭେଟିଲେ ସାଂସଦ ଅପରାଜିତା

ଭୁବନେଶ୍ବର: ଆଜି ଭୁବନେଶ୍ୱର ରୋଟାରୀ ଭବନ ଠାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉତ୍ତର ଭୁବନେଶ୍ୱରର ଶତାଧିକ ଆବାସିକ ଉନ୍ନୟନ ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ ଅଞ୍ଚଳର ସୁବିଧା ଅସୁବିଧା ସଂପର୍କରେ ଏବଂ ଖସଡ଼ା ପ୍ରସ୍ତୁତ କଲେ କିପରି ଆଗମୀ ୫ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ସମସ୍ତ ସମସ୍ୟା ଦୂର ପାଇଁ ମିଳିତ ଭାବେ ପ୍ରୟାସ କରିବେ। ସାଂସଦ ବିଗତ ଦିନରେ ଯେଉଁ ଲୋକ ହିତକର କାର୍ଯକ୍ରମ କରିଛନ୍ତି ନିଶ୍ଚିତ ଭାବେ ଜନସାଧାରଣ ଆଗମୀ ଦିନରେ ତାଙ୍କୁ ସହଯୋଗ କରିବେ ବୋଲି ମତ ପ୍ରକାଶ ପାଇଲା।

ଉକ୍ତ କାର୍ଯକ୍ରମ ଏକ ସାମାଜିକ ସଂଗଠନ ସମର୍ଥ ଦ୍ଵାରା ଆୟୋଜନ କରାଯାଇଥିଲା। ସମର୍ଥର ସଭାପତି କାହୁଁ ଚରଣ ଦାଶ,ଉପସଭାପତି ଶଶାଙ୍କ ସାହୁ ଓ ଅଶୋକ ପଟ୍ଟନାୟକ ,ସମ୍ପାଦକ କୁଳମଣି ରାଉତ ସମର୍ଥ ଦ୍ଵାରା ଲୋକଙ୍କ ସେବା କରିବା ପାଇଁ ଆବାସିକ ସଂଘ ମାନଙ୍କର ସାହାଯ୍ୟ ମାଗିଥିଲେ। ବିକାଶ କାର୍ଯକ୍ରମ ରେ ସାଂସଦ ଆବାସିକ ସଂଘ୍ ମାନଙ୍କୁ ଯୋଡ଼ିବାକୁ ଯେଉଁ ପ୍ରୟାସ କରିଛନ୍ତି ତାହା ସମସ୍ତଙ୍କ ଦ୍ଵାରା ଆଦୃତ ହେଲା। ଜଗନ୍ନାଥ ପ୍ରଧାନ,ଯୁଜ୍ଞସୁ ପଣ୍ଡା, ସୁନିତି ମୁଣ୍ଡ ପ୍ରମୁଖ ସମାଜସେବୀ ଏଥିରେ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ରାଗିଲେ ସାଂସଦ ଅପରାଜିତା, ଏଥର ମଧ୍ୟ ରାଜ୍ୟ ସରକାରଙ୍କ ଉତ୍ସବକୁ ନିମନ୍ତ୍ରଣ ନାହିଁ

ଭୁବନେଶ୍ବର: ପୁଣି ଥରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କ୍ଷୁବ୍ଧ ହୋଇଛନ୍ତି। ପୂର୍ବରୁ ସେହିପରି ଉତ୍କଳ ଦିବସରେ ତାଙ୍କୁ ରାଜ୍ୟ ସରକାର ସ୍ଥାନୀୟ ସାଂସଦ ଭାବେ ନିମନ୍ତ୍ରଣ କରି ନ ଥିଲେ। ତାହାକୁ ନେଇ ସେ ତୁମ୍ବିତୋଫାନ କରିଥିଲେ। ଏଥର ମଧ୍ୟ ସେହିପରି ରାଜ୍ୟ ସରକାର ଗଣ୍ଡାଗଣ୍ଡା ମନ୍ତ୍ରୀ ବିଧାୟକଙ୍କୁ ଭୁବନେଶ୍ବର କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ହେଲେ ତାଙ୍କୁ ସ୍ଥାନୀୟ ସାଂସଦ ହିସାବରେ ଡକାଯାଇ ନାହିଁ।

ଘଟଣାଟି ହେଉଛି ଆସନ୍ତାକାଲି ଗୁରୁବାର ଦିନ ହେଉଛି ବନ୍ୟ ମହୋତ୍ସବ। ରାଜ୍ୟ ସ୍ତରୀୟ ଏହି ଉତ୍ସବ ଭୁବନେଶ୍ବରର ବରମୁଣ୍ଡା ବିଏମସ ସରକାରୀ ସ୍କୁଲରେ ପାଳନ ହେବ। ସେହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ନିମନ୍ତ୍ରଣ ପତ୍ରରେ ରହିଛି। ଏଥିସହିତ ଦୁଇଜଣ ମନ୍ତ୍ରୀ, ଦୁଇଜଣ ବିଧାୟକ ଏବଂ ଭୁବନେଶ୍ବର ମେୟର ଯୋଗଦେବେ। ହେଲେ ସେଥିରେ ସାଂସଦଙ୍କୁ ଡକାଯାଇ ନାହିଁ। ଏପରିକି ଯେଉଁ ୱାର୍ଡରେ ଏହି ଉତ୍ସବ ହେଉଛି ତାହାର ବିଜେରି କରର୍ପୋରେଟରଙ୍କୁ ମଧ୍ୟ ଡକାଯାଇ ନାହିଁ ବୋଲି ଅପରାଜିତା କ୍ଷୋଭ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଗତକାଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ ସେ ଓଡିଶାର ପ୍ରାଚୀ ନଦୀର ପୁନଃଉଦ୍ଧାର ପାଇଁ ନିବେଦନ କରିଛନ୍ତି। ଓଡିଶାର ପ୍ରାଚୀ ନଦୀ ଯାହାର ଦର୍ଘ୍ୟ ହେଉଛି ୭୮ କିଲୋମିଟର ତାହା ଖୋର୍ଦ୍ଧା, କଟକ, ପୁରୀ ତିନୋଟି ଜିଲ୍ଲାର ୬ ଟି ବ୍ଲକ ଦେଇ ଗତି କରିଅଛି। ଏହା ମୋଟ ୪୨,୫୫୨ ହେକ୍ଟର ଜମି ଉପରେ ପର୍ଯ୍ୟବେସିତ।

ଏ ନେଇ ଅପରାଜିତା କହିଛନ୍ତି ଯେ, ଏହି ପ୍ରକଳ୍ପ ଦ୍ୱାରା ଗୁରୁତ୍ୱପୂର୍ଣ ପ୍ରାଚୀ ନଦୀ ପୁନଃଜୀବିତ ହୋଇପାରିବ। ଏହା ଦ୍ୱାରା ପରିବେଶ ସୁରକ୍ଷା ସହ ବହୁ ମହତ୍ୱପୂର୍ଣ ସ୍ଥାନର ରକ୍ଷଣାବେକ୍ଷଣ ହୋଇପାରିବ। ଏହାଦ୍ୱାରା ଭୁତଳ ଜଳ ସ୍ତର ବୃଦ୍ଧି ପାଇବା ସହ ଜଳର ଲବଣ ଅଂଶ ହ୍ରକ୍ଷସ ପାଇବା ଦ୍ୱାରା ଲୋକ ମାନଙ୍କ ପାନୀୟ ଜଳ ଯୋଗାଣରେ ମଧ୍ୟ୍ୟ ପ୍ରମୁଖ ସାଧନ ହୋଇପାରିବ। ଅପାତତଃ ୮୭୦୦ ହେକ୍ଟର ଚାଷଜମି ଏହା ଦ୍ୱାରା ଜଳସେଚନ ଉପଯୋଗୀ ହୋଇପାରିବ ଏବଂ ଏହା ଦ୍ୱାରା କୃଷିରେ ବ୍ୟାପକ ଭାବେ ବୃଦ୍ଧି ହୋଇ ପାରିବ। ଏ ନେଇ ମନ୍ତ୍ରୀ ଅନୁଧ୍ୟାନ କରିବେ ବୋଲି ଜଣାପଡିଛି।

Categories
ବିଶେଷ ଖବର ରାଜ୍ୟ ଖବର

BREAKING: ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଯିବେ ମା ତାରାତାରିଣୀ ମନ୍ଦିର

ଭୁବନେଶ୍ବର: ଓଡିଶାର ପ୍ରସିଦ୍ଧ ଶକ୍ତିପିଠ ମା ତାରା ତାରିଣୀର ନବୀକରଣ ପ୍ରତିଷ୍ଠା ଉତ୍ସବର ଆୟୋଜନ ହେଉଛି। ଏହି ଉତ୍ସବର ଆଜି ହେଉଛି ପୂର୍ଣ୍ଣାହୂତି ପର୍ବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମା ତାରାତାରିଣୀ ମନ୍ଦିର ପରିଦର୍ଶନରେ ଯାଉଛନ୍ତି। ସେ ସେଠାରେ ଏହି ବିକାଶ କାର୍ଯ୍ୟର ତଦାରଖ କରିବା ସହିତ ପୂର୍ଣ୍ଣାହୂତିରେ ଯୋଗ ଦେବେ।

ଏହି ମନ୍ଦିରର ନବୀକରଣ ନେଇ ରାଜ୍ୟ ସରକାରଙ୍କ ତରଫରୁ ବେଶ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ମଧ୍ୟ ବେଶ୍ ଗୁରୁତର ସହ ସରକାର ନେଇଛନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ଶାସନ ସଚିବ ଏବଂ 5ଟି ସଚିବ ଗଂଜାମ ଗସ୍ତ କରିଛନ୍ତି। ଏହି ଟିମ ମନ୍ଦିରର ବିଭିନ୍ନ କାର୍ଯ୍ୟ ଦେଖିବା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ମା ତାରାତାରିଣୀ ଦର୍ଶନ କରିବାକୁ ଯାଉଛନ୍ତି। ସେ ଆସନ୍ତା କୋଡିଏ ତାରିଖରେ ଗଂଜାମ ଯାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରି ଅପରାଜିତାଙ୍କ ଗସ୍ତକୁ ମଧ୍ୟ ପ୍ରଚାର ପ୍ରସାର କରିବା ପାଇଁ ତାଙ୍କ ଟିମ ବେଶ ଉଦ୍ୟମ ଜାରୀ ରଖିଛି।

ମା ତାରାତାରିଣୀ ବିକାଶ ନେଇ ବିଜେଡି ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ସାଉଁଟିଥିବା ବେଳେ ଅପରାଜିତା ତାହାକୁ ହାତ ଛଡା କରିବାକୁ ଚାହୁଁ ନାହାଁନ୍ତି। ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରି ଗସ୍ତ କରିବେ ବୋଲି ତାଙ୍କ ଅଫିସ ତରଫରୁ ଘୋଷଣା କରାଯାଇଛି। ସେଥିପାଇଁ ସେଠାରେ ଥିବା ତାଙ୍କ ଦଳୀୟ କର୍ମିଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ତେବେ ପ୍ରଶ୍ନ ଉଠୁଛି ଯେ  ଅପରାଜିତା ସେଠାକୁ କେବଳ ଦର୍ଶନ ପାଇଁ ଯାଉଛନ୍ତି ନାଁ କିଛି ସମାଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶେଷ ସୁତ୍ର ଅନୁସାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମାଲୋଚନା କରିବା ପରି ଏହି ପ୍ରକଳ୍ପକୁ ଅପରାଜିତା ସମାଲୋଚନା କରିବେ। ସେଥିପାଇଁ ସେ ସେଠାକୁ ଯାଇ ତନ୍ନତନ୍ନ ଅନୁଧ୍ୟାନ କରିବେ ବୋଲି କୁହାଯାଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ଗୋଟିଏ ବାଟ ବନ୍ଦ ହୋଇଗଲା ବେଳେ, ଆଉ ଗୋଟିଏ ବାଟରେ ପଳାଇଲେ ଅପରାଜିତା

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ସୁରକ୍ଷା ଯାତ୍ରା ଆଉ ଭୁବନେଶ୍ବର ସାଂସଦ ଅପରାଜିତାଙ୍କ ପଦଯାତ୍ରା ବର୍ତ୍ତମାନ ରାଜ୍ୟ ରାଜନୀତିର ପ୍ରମୁଖ ପ୍ରସଂଗ ରହିଛି। ପୂର୍ବରୁ ବିଭିନ୍ନ ମଞ୍ଚ ଶ୍ରୀମନ୍ଦିର ସୁରକ୍ଷା ପଦଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ହେଲେ ପ୍ରଶାସନ ଅନୁମତି ନ ମିଳିବାରୁ ସେସବୁ ସ୍ଥଗିତ ହେଲା। ଏହି ପଦଯାତ୍ରାର ପ୍ରମୁଖ ଭାଗରେ ଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।

ଅପରାଜିତାଙ୍କ ଏପରି ଶୋଭାଯାତ୍ରା ଦେଖି ତାଙ୍କର ଖୋଦ ବିଜେପି ନେତାଙ୍କ ଅକଲଗୁଡୁମ ହୋଇଯାଇଥିଲା। କାରଣ ସେ ଯଦି ଏପରି ଏକ ଶୋଭାଯାତ୍ରା କରିବେ ଏବଂ ଲୋକଙ୍କର ସମର୍ଥନ ମିଳିଯିବ ତେବେ ତାଙ୍କର ମାଇଲେଜ ବଢିଯିବ। ସେ ନେଇ ଦିଲ୍ଲାରେ ଚାଲିଲା ଘଣ୍ଟାଚକଟା। ଆଉ ଶେଷରେ ଦଳର ରାଷ୍ଟ୍ରୀୟ ନେତାଙ୍କ ଚାପ ପକାଇବାରେ ଏମାନେ ସକ୍ଷମ ହେଲେ। ଆଉ ଅପରାଜିତାଙ୍କ ପଦଯାତ୍ରା ଉପରେ ଲାଗିଲା ରୋକ।

ଏହାକୁ ନେଇ ଅପରାଜିତା ଏବଂ ତାଙ୍କ ଶିବିରରେ ଭାଳେଣି ପଡିଲା। ବିଶେଷ ସୁତ୍ର ଅନୁଯାୟୀ ପୁରୀ ପ୍ରଶାସନ ମନା କରିଥିଲେ ମଧ୍ୟ ଅପରାଜିତା ସେହି ଶୋଭାଯାତ୍ରା କରିଥାଆନ୍ତେ ବୋଲି ପ୍ରସ୍ତୁତ ହେଉଥିଲେ। ହେଲେ ଦଳର ରାଷ୍ଟ୍ରୀୟ ନେତାଙ୍କ ଚାପରେ ସେ ଆଉ କିଛି କରି ପାରିଲେ ନାହିଁ। ଫଳରେ ସେ ପ୍ରଶାସନକୁ ଦୋଷ ଦେଇ ଶୋଭାଯାତ୍ରା ସ୍ଥଗିତ ହେଲା ବୋଲି ଘୋଷଣା କଲେ।

ଏହା ପଛରେ କାରଣ କଣ ଅପରାଜିତା ନିଜେ ହୃଦୟଙ୍ଗମ କରି ସାରିଲେଣି। ତାଙ୍କର ରାଜନୈତିକ ଉନ୍ନତି ରାସ୍ତାରେ କେଉଁମାନେ ରୋକ ଲଗାଉଛନ୍ତି ତାହା ସେ ଜାଣିସାରିଲେଣି। ହେଲେ ତାଙ୍କର ପ୍ରଶାସନିକ ବୁଦ୍ଧିର ଗଳାବାଟ ଖୋଜିଲେ ଅପରାଜିତା। ସେ ଶୋଭଯାତ୍ରା କରିବେ ନାହିଁ, ହେଲେ ସେ ଶ୍ରୀମନ୍ଦିର ଦର୍ଶନ କରିବାକୁ ଯିବେ। ଏ କଥା ସେ ପ୍ରଧାନମନ୍ତ୍ରୀଙ୍କ ସହିତ ବିଜେପି ରାଷ୍ଟ୍ରୀୟ ସଭାପତି ଏବଂ ଧର୍ମେନ୍ଦ୍ର ପ୍ରଧାନକୁ ଅବଗତ କରାଇଦେଲେ।

ହେଲେ ସେ ବହୁ କର୍ମିଙ୍କୁ ଧରି ବଡଦାଣ୍ଡରେ ଚାଲିଚାଲି ଗଲେ। ମିଡିଆ ସହିତ ପୁରୀ ପ୍ରଶାସନ ତାଙ୍କ ପଛରେ ଲାଗି ରହିଲେ। ସେ ଜଗନ୍ନାଥ ଦର୍ଶନ କଲେ ଆଉ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମଧ୍ୟ ଅନୁଧ୍ୟାନ କଲେ। ଫଳରେ ଏଥିରୁ ସ୍ପଷ୍ଟ ହେଲା ଯେ, ତମେ ଗୋଟିଏ ବାଟ ବନ୍ଦ କରିଦେଲେ ମୁଁ ଆଉ ଏକ ବାଟରେ ଯିବି। ତେଣୁ ଅପରାଜିତାଙ୍କ ବିରୋଧୀ ଡାଳରେ ଡାଳରେ ଯାଉଥିବା ବେଳେ ସେ କିନ୍ତୁ ପତର ପତରରେ ଯାଉଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଅପରାଜିତାଙ୍କ ରାଗ ବଢିଲା, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆଜି ପୁଣି କହିଲେ ଏମିତି କଥା

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ନ ଡାକିବାରୁ ସେ ପୁରା ରାଗି ପଞ୍ଚମ ହୋଇଛନ୍ତି। ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡାକିବା କଥା, ହେଲେ ତାହା କରାଯାଇ ନାହିଁ। ଏ ନେଇ ସେ ଗତକାଲି ଟୁଇଟ କରି ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସ ଗୋଟିଏ ବଡ ଦିନ। ଏପରି ଦିନରେ ମୋତେ ଅତିଥୀ କରି ନ ଡାକିବା ଦୁଃଖର ବିଷୟ। ମୋର କେଉଁଠି ଭୁଲ ରହିଲା ବୋଲି ସେ ପ୍ରଶ୍ନ କରିଥିଲେ। ମୋତେ ଡକାଯାଉ ବୋଲି ଅନୁରୋଧ କରିଥିଲେ। ଏହି ଟୁଇଟକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ ମଧ୍ୟ କରିଥିଲେ।

ଟୁଇଟ ପରେ ସେ ଭାବିଥିଲେ ଯେ, ତାଙ୍କୁ ସଂଧ୍ୟା କାର୍ଯ୍ୟକ୍ରମରେ ହୁଏତ ଡାକିବେ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ସେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି ଲେଖିଲେ। ସେଥିରେ ମଧ୍ୟ ସେ ତାଙ୍କର ଅଭିଯୋଗ କରି ଏହା ଉପରେ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ।

ସେହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଆମ ଭିତରେ ରାଜନୈତିକତା ପ୍ରାର୍ଥକ୍ୟ ଥାଇପାରେ, ହେଲେ ନିର୍ବାଚିତ ପ୍ରତିନିଧିଙ୍କୁ ଏପରି କରିବା ଠିକ୍ ନୁହେଁ। ଏଥିସହିତ ସେ ଜୋର କରି କହିଛନ୍ତେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଯୋଗଦେବା ମୋର ଅଧିକାର।ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଚିଠିଟି ସେ ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅବଗତିରେ ଆଣିଛନ୍ତି। ହେଲେ ମଧ୍ୟ ସଂଧ୍ୟା କାର୍ଯ୍ୟକ୍ରମରେ ତାଙ୍କୁ ଡକାଗଲା ନାହିଁ। ଏହାପରେ ଆଜି ସକାଳେ ପୁଣି ଅପରାଜିତା ଟୁଇଟ କରି ସେହି ଚିଠି ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ସିଧା କହିଛନ୍ତି ଯେ, ଆପଣଙ୍କୁ ତଦନ୍ତ କରିବା ପାଇଁ ଅନୁରୋଧ କରିଛି। ଆଉ ଏକ ସପ୍ତାହ ପରେ ପୁଣି ଥରେ ମନେ ପକାଇଦେବି।

ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ତାଙ୍କ ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଅପରାଜିତ ଅନୁଭବ କରିସାରିଲେଣି। ସେଥିପାଇଁ ସେ ସାତ ଦିନ ପରେ ପୁଣି ଥରେ ମନେ ପକାଇବି ବୋଲି ଉଲ୍ଲେଖ କରିଛନ୍ତି।  ଅପରାଜିତାଙ୍କ ଟୁଇଟଗୁଡିକରୁ ଅନୁମାନ କରି ହେଉଛି ଯେ, ସେ ଏହି ପ୍ରସଂଗକୁ କୌଣସି ହାଲତରେ ଛାଡିବେ ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକା ନ ଯିବାରୁ ରାଗିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆଜି ହେଉଛି ରାଜଧାନୀ ପ୍ରତିଷ୍ଠା ଦିବସ। ଏ ନେଇ ଭୁବନେଶ୍ବରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ମୁଖ୍ୟତଃ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସହିତ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟ ଏହାର ଆୟୋଜକ। ହେଲେ ଖୋଦ ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡକାଯାଇ ନାହିଁ। ଏ ନେଇ ରାଗରେ ଗରମ ହୋଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ।

ସେ ଏକ ଟୁଇଟ କରି କହିଛନ୍ତି ଯେ, ଆଜି ଭୁବନେଶ୍ବର ପାଇଁ ଏହା ଏକ ବଡ ଦିନ। ଏହି ଉତ୍ସବକୁ ବହୁ ମନ୍ତ୍ରୀ ବିଧାୟକ ଏବଂ ଅଫିସରଙ୍କୁ ଡକାଯାଇଛି। ହେଲେ ମୋତେ ଡକାଯାଇ ନାହିଁ। ଏପରି ଏକ ବଡ ଦିନରେ ମୋତେ ଡକାଯାଉ, ମୁଁ ଯୋଗ ଦେବି ବୋଲି ଅପରାଜିତା କହିଛନ୍ତି।

ଏହି ଉତ୍ସବକୁ ଭୁବନେଶ୍ବରର ତିନି ବିଧାୟକ, ନୂଆ ମେୟର ଏବଂ ଅନ୍ୟ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୮ ଜଣ ଅତିଥୀଙ୍କୁ ଡକାଯାଇଛି। ସେହିପରି ଏହି ଉତ୍ସବରେ ୭ ଜଣ ଆଇଏସ ଅଧିକାରୀ ମଧ୍ୟ ଯୋଗ ଦେଉଛନ୍ତି। ଏପରି କ୍ଷେତ୍ରରେ ଭୁବନେଶ୍ବର ସାଂସଦଙ୍କୁ ଡକା ନ ଯିବାକୁ ନେଇ ଅପରାଜିତା କ୍ଷୋଭ ପ୍ରକାଶ କରିଛନ୍ତି।

ଏହି ରାଜଧାନୀ ପ୍ରତିଷ୍ଠା ଉତ୍ସବ ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେଉଛି। ସକାଳେ ବିଧାନସଭା ସମ୍ମୁଖରେ ଏକ ସଭାର ଆୟୋଜନ କରାଯାଇଛି। ସେଥିରେ ୧୬ ଜଣ ଅତିଥି ଯୋଗ ଦେଉଛନ୍ତି। ସେହିପରି ସଂଧ୍ୟାରେ ଉତ୍କଳ ମଣ୍ଡପରେ ଏକ ସଭାର ଆୟୋଜନ କରାଯାଉଛି। ସେଥିରେ ମଧ୍ୟ ୧୨ ଜଣ ଅତିଥି ଯୋଗ ଦେଉଛନ୍ତି। ହେଲେ ସେଥିରେ ଅପରାଜିତାଙ୍କ ନାମ ନାହିଁ।

ତେବେ ଅପରାଜିତା ଏହି ଟୁଇଟ କରି କ୍ଷୋଭ ପ୍ରକାଶ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ହେଲେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ମୁଖ୍ୟ ଶାସନ ସଚିବଙ୍କୁ ଟ୍ୟାଗ କରି ନାହାଁନ୍ତି। ଏହାକୁ ନେଇ ରାଜଧାନୀରେ ଚର୍ଚ୍ଚା ଆରମ୍ଭ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସାକ୍ଷାତ କଲେ ଭୁବନେଶ୍ବର ସାଂସଦ ଅପରାଜିତା

ଭୁବନେଶ୍ୱର: ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ସଡ଼କ, ପରିବହନ ଏବଂ ଜାତୀୟରାଜପଥ ମନ୍ତ୍ରଣାଳୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରିଛନ୍ତି। ସେ ଯେଉଁସବୁ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି ତାହା ହେଲା..

1-କସମୋପଲିସ (Cosmopolis) ଠାରେ 20 କୋଟି ଟଙ୍କା ବିନିଯୋଗରେ ଫ୍ଲାଏ ଓଭର ନିର୍ମାଣ

2- କ୍ରାଉନ ହୋଟେଲ ଏବଂ ସତସଙ୍ଗ ବିହାର ଠାରେ 3କୋଟି 22 ଲକ୍ଷ ବିନିଯୋଗରେ ରେ ଫୁଟୱେ ବ୍ରିଜ ନିର୍ମାଣ

3- ବୃହତ ପ୍ରକଳ୍ପ କ୍ୟାପିଟାଲ ରେଜିନ ରୋଡ଼ (Capital Region Road ) ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଠାରୁ କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ 5744 କୋଟି ପୁଞ୍ଜି ବିନିଯୋଗରେ ବାଇପାଶ ରୋଡ ନିର୍ମାଣ ହେବ

ଏହି ତିନୋଟି ପ୍ରକଳ୍ପରେ ସର୍ବମୋଟ 5767 କୋଟି 22 ଲକ୍ଷ୍ୟ ଟଙ୍କା ବିନିଯୋଗ ହେବ। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡ଼କରିଙ୍କୁ ସାଂସଦ ଧନ୍ୟବାଦ ଜଣାଇଛନ୍ତି।